Unknown

 

 

 

 

 

 

 

 

 

ବଳଦେବଙ୍କ

ଛାନ୍ଦ ଚଉତିଶା ଓ ଜଣାଣ

କବିସୂର୍ଯ୍ୟ ବଳଦେବ ରଥ

 

(୧)

ଜଗତେ କେବଳ

ରାଗ-ଆଷାଢ଼ଶୁକ୍ଳ

 

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ଘୋଷା।

 

ଜଟିଳ କରି ସ୍କନ୍ଧ ରୋମରାଜି । ଶିଖରିଦରୀରେ ମରୁ ଗରଜି ।

କୁଟିଳ କରି ଭ୍ରୁକୁଟୀକୁ ଚାହୁଁ । ସରମା କଣ୍ଠୀରବ ହେବ କାହୁଁ ।୧।

 

ଅଲକତଦ୍ରବ ନୟନେ ବୋଳି । ରସାଳ ଗହଳ ଶାଖାରେ ଖେଳି ।

କବଳ କରୁ ତା କଳିକଳାପ । କାକ କି କରିବ ପଞ୍ଚମାଳାପ ।୨।

 

ବରଜୀବ-ରସେ ଦେଇ ମାନସ । ବରଜି ବରଷେ ଅମେଧ୍ୟ ଗ୍ରାସ ।

ଦେହେ ମନ୍ଦାକିନୀ ରଜ ଲଗାଇ । ଗ୍ରାମ ଶୂକର କି ହୋଇବ ଗାଈ ।୩।

 

ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ । ନିଜ ତୁଣ୍ଡ ମଣ୍ଡି ଖଣ୍ଡ-ମୃଣାଳ ।

ଚାଇଁ ପୂର୍ବ ଅଙ୍ଗ ବୁଲାଇ ବକୀ । ତେବେ ସେ ମରାଳୀ ବୋଲାଇବ କି ।୪।

 

ରଞ୍ଜି ନାୟକ ରଙ୍ଗ ଚୋପଦାର । ଖଞ୍ଜିଲେ ହେଲେ ଚାବୁକ ସବାର ।

ଖିଲାଇଲେ ହେଲେ ନାନା ମସଲା । ତୁରଙ୍ଗ ହୁଏ କି ରାସଭ ପିଲା ।୫।

 

ବଦରିକା ବନେ ନିତ୍ୟ ନିବାସ । କରି ଆଚରି ବ୍ରତ ଉପବାସ ।

ପ୍ରଯତ୍ନ କଲେହେଁ ନାନାପ୍ରକାର । ଖଦ୍ୟୋତ ହୋଇବ କି ପ୍ରଭାକର ।୬।

 

ଯାହାକୁ ଯାହା କରିଛି ଦଇବ । ତହୁଁ ନିକି ସେ ଅନ୍ୟଥା ହୋଇବ ।

ଘେନିଲେ ହେଲେ ଯତ୍ନେ କୋଟି ପୁଟ । ପିତ୍ତଳୁଟି କେହି ହେବ ପୁରଟ ।୭।

 

ଦେବ ଉପନବେ ହୋଇ ଜନିତା । ସ୍ଵବାସ-ମଦରୁ ଜବସଲତା ।

ତୁଳସୀ ତୁଲେ ହେଲେ ମିଶାମିଶି । ତାହାକୁ ଯେବେ ବୋଲିବା ତୁଳସୀ ।୮।

 

୧। ଟୀକା - ଶିଖରିଦରୀ - ପର୍ବତଗୁମ୍ଫା, ସରମା - କୁକୁର, କଣ୍ଠୀରବ - ସିଂହ, ଅଲକତଦ୍ରବ - ଅଳତାରସ, ରସାଳ - ଆମ୍ବ, କବଳ କରୁ - ଗ୍ରାସ କରୁ ବା ଖାଉ, ବରଜୀବରସେ - ଗୋରୁଦୁଧରେ, ଅମେଧ୍ୟ - ବିଷ୍ଠା, ମନ୍ଦାକିନୀରଜ - ଗଙ୍ଗାଧୂଳି, ଚଞ୍ଚୁ - ଥଣ୍ଟ, ଖଣ୍ଡମୃଣାଳ - ପଦ୍ମନାଡ଼ଖଣ୍ଡ, ବକୀ - ବଗୁଲି; ମରାଳୀ - ରାଜହଂସୀ; ଚୋପଦାର - ଅଗ୍ରଗାମୀ ସିପାହୀ, ତୁରଙ୍ଗ - ଘୋଡ଼ା, ରାସଭ - ଗଧ, ବଦରିକା ବନ - ବରକୋଳି ବଣ ଓ ତୀର୍ଥ ବିଶେଷ, ଖଦ୍ୟୋତ - ଜଳଜୁଳା ପୋକ, ପ୍ରଭାକର - ସୂର୍ଯ୍ୟ । ପୁରଟ - ସ୍ଵର୍ଣ୍ଣ, ଜବସଲତା - ଦୁବଘାସ,

 

ସମଜଇ ନାହିଁ ସ୍ୱଜାତି ଭାଷା । କହିଲେ ଯେ ହୁଅଇ ଲୋକହସା ।

ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ । ଷଡ଼ଦର୍ଶୀ ତୁଲେ କଲେ ବିବାଦ ।୯।

 

ଦେହରେ ବାଜିଲେ ପର ନିଃଶ୍ୱାସ । ସମ୍ଭାଳିବାକୁ ନ ଥାଇ ବିଶ୍ଵାସ ।

ନିର୍ଲ୍ଲଜ ଅଭିମାନେ ଡେରି ଛାତି । ହାତୀ ଲଢ଼ାଇକି ବାନ୍ଧିଲେ କାତି ।୧୦।

 

କରମରେ ତ ହୋଇଅଛି ଲେଖା । କରମର୍ଦ୍ଦକ ଯୋଗ୍ୟ ତୋର ଶିଖା ।

ହରମଉଳିଯୋଗ୍ୟ ଚମ୍ପକକୁ । ଭରମରେ ବୃଥା ପଡ଼ି ଯା ଟାକୁ ।୧୧।

 

ଚାରୁଚଦ୍ରୋଦୟା ମଶାଲ ପାଖେ । ବହ୍ନି ଜାଳିବ ଯେବେ ଦିଶା ମୁଖେ ।

ଧାତା ତ କରି ନାହିଁ ତାନୀକାଶ । କି ରୂପେ ହେବ ସେପରି ପ୍ରକାଶ ।୧୨।

 

ବୋଳି ହୋଇ ଭୂତି ଧରି ପରାଶୁ । ବଳୀବର୍ଦ୍ଦବର ଚରମେ ବସୁ ।

ଗଉରୀ-ପ୍ରାଣନାଥ ଅନୁଭାବ । ଠଉରି ପାରିବ ନାହିଁ ତା ଲବ ।୧୩।

 

ସରପର୍ପଟି ଯାହାକୁ ମିଳଇ । ସେ ସୁଖେ ତା ଭୋଜନେ ପ୍ରବଳଇ ।

ସଢ଼ାଇବାକୁ ତା ବଡ଼ାଇ ବସି । ଦୁର୍ମତି ଯେବେ ଚୋବାଇବ ଘଷି ।୧୪।

 

ଚିର ତପବଳୁ କେଉଁ ପୁରୁଷ । ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ ।

କରିଷେ ସଞ୍ଚରିବା ନ ସହିବ । କରୀଷକଟେ ଯେବେ ଆରୋହିବ ।୧୫।

 

ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି । ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି ।

ବଳାହିତ ରତ୍ନ ପରି ଦିଶିବ । ବାଳା ପୟୋଧର ହାରେ ମିଶିବ ।୧୬।

 

ସତର ବୟସୀ ସତତ ମନ । କରଇ ଯାହାକୁ ଅନୁଗମନ ।

ଛବି - ଶୂନ୍ୟ, ଷଣ୍ଢ ବୃଦ୍ଧତା ତୁଲେ । ଅବିବେକବଶୁ ବିବାଦୀ ହେଲେ ।୧୭।

 

ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା । ସଙ୍ଗକୁ ଅଙ୍ଗୀକାର କଲା ସୁନା ।

ହୋଇଲି ତ ବୋଲି କନକ ତୁଲ୍ୟ । ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ ।୧୮।

 

ଗଜପତି କୁମ୍ଭସ୍ଥଳ ବିଦାରି । ସଜ ପଲଳ ଭୁଞ୍ଜିବାରୁ ହରି ।

ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ । ଜମ୍ବୁକେ ଯଶସ୍ୱୀ ବୋଲିବା ଯେବେ ।୧୯।

 

ମାନୋଦ୍ଧାରଣ ଶରଣପଞ୍ଜର । ବଘେଲ ବାଦଶା ନୃପକୁଞ୍ଜର ।

ରାଜା ଜଗଦ୍ଦେବ ହରିଚନ୍ଦନ । ଲଙ୍ଘିଲେ ତାକୁ ନ କରି ବନ୍ଦନ ।୨୦।

 

ତାଙ୍କ ସୁଧର୍ମା ତୁଲ୍ୟ ସଭା କବି । ଭଣିଲେ ରାୟଗୁରୁ କବିରବି ।

ଶ୍ରବଣ – ସର୍ବାବୟବୀ ମାନବ । ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ।

 

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ।୨୧।

 

ସ୍ୱବାସମଦରୁ - ନିଜ ଜନ୍ମସ୍ଥାନ ଗର୍ବରୁ, ନିର୍ବେଦ - ବୈରାଗ୍ୟ, ଷଡ଼ଦର୍ଶୀ - ଦର୍ଶନଶାସ୍ତ୍ରଜ୍ଞ ପଣ୍ଡିତ, କାତି - ଛୋଟ କଟୁରୀ, କରମର୍ଦ୍ଦକ - କରଞ୍ଜଫୁଲ, ଶିଖା - ମସ୍ତକ, ହରମଉଳି - ଶିବଙ୍କ ମସ୍ତକ, ଟାକୁ - ଅପେକ୍ଷା କରୁ, ଚାରୁଚଦ୍ରୋଦୟ - ମନୋହର ଚନ୍ଦ୍ରଉଦିଆ ବଳିତା, ଦିଶାମୁଖେ - ଚାରିଆଡ଼େ, ତାନୀକାଶ - ତତ୍‌ସଦୃଶ, ଭୂତି - ପାଉଁଶ, ପରଶୁ - ଶସ୍ତ୍ରବିଶେଷ, ବଳୀବର୍ଦ୍ଦବର - ଷଣ୍ଢ, ଚରମ - ପିଠି, ଗଉରୀପ୍ରାଣନାଥ - ଶିବ, ଅନୁଭାବ - ତେଜ, ସରପର୍ପଟି - ଦୁଧସରରେ ତିଆରି ଏକପ୍ରକାର ମିଷ୍ଟାନ୍ନ, ବଡ଼ାଇ - ଗର୍ବ, ଘଷି - ଶୁଖିଲା ଗୋବର, କରିଷେ - ବିନ୍ଦୁମାତ୍ର, ଅତି ସାମାନ୍ୟ; ସଞ୍ଚରିବା - ପାଦରେ ଚାଲିବା, କରୀଷକଟ - ଘଷିବୁହା ପଟା, ବଳାହିତ ରତ୍ନ - ଇନ୍ଦ୍ରନୀଳମଣି । ଛବିଶୂନ୍ୟ - କୁରୁପ, ଷଣ୍ଢ ନପୁଂସକ, ଗୁଞ୍ଜ - କାଇଁଚ, ପଲଳ - ମାଂସ, ହରି - ସିଂହ, ଜମ୍ବୁକ - ବିଲୁଆ, ସୁଧର୍ମାତୁଲ୍ୟ ସଭାକବି - ଦେବସଭା ତୁଲ୍ୟ ତାଙ୍କ ସଭାର କବି, ସହସ୍ରାକ୍ଷ - ଇନ୍ଦ୍ର, ଶ୍ରବଣସର୍ବାବୟବୀ ମାନବ - ଯେଉଁ ଲୋକର ସମଗ୍ର ଶରୀରରେ ଶ୍ରବଣ ପରି ଚିହ୍ନ ଥାଏ ।

 

(୨)

କାହାକୁ ଅଡ଼ିବା

ରାଗ-ଆଷାଢ଼ଶୁକ୍ଳ

 

କାହାକୁ ଅଡ଼ିବା, କପାଳରେ ସିନା କର ତାଡ଼ିବା । ଘୋଷା ।

 

ଭଜିଥିବ ଭାବି କଳପଲତା, କାଳେ ସେ ହୋଇଲେ ଅପରାଜିତା,

କରି ଗୋଦାବରୀ ନିକଟେ ବସା, କାଳଦେବତା ଯେବେ ହେବ ତୃଷା ।୧।

 

ନଥର ପରୀକ୍ଷିତ ହୀରାମଣି, ପଥରୁ ଯେବେ ହେବ ଊଣା ପୁଣି,

କର ହାଜର ଥିବ ପଦ୍ମନିଧି, ଜମନିବ ଯେବେ ଯାଚକ ବୁଦ୍ଧି ।୨।

 

ପିନ୍ଧିଥିବ ଜାମାନିମାଗୁଡ଼ିକି, ଗୁପତ ଅଙ୍ଗ ଦିଶିଲେ ଝଲକି,

ହରିଭଜନମାଳା ଥିବ କରେ, ଧରି ନେବେ ଯେବେ ଯମ କିଙ୍କରେ ।୩।

 

ଶୟନକୁ ଥିବ ହଂସୁଲିତୂଳି, ନିଜ ଅଙ୍ଗରୁ ଜନମିଲେ ଧୂଳି,

ମାଧୁର୍ଯ୍ୟ ଲୋଭରେ ଖାଇଲେ ସିତା, କଣ୍ଠ ଉପକଣ୍ଠ ଲାଗିଲେ ପିତା ।୪।

 

ଜୀଇଁବା ପାଇଁ ପିଇବା ପୀୟୁଷ, ପରିପାକେ ଯେବେ ହେବ ସେ ବିଷ,

କୁନ୍ଦନ ଯେବେ ପାଲଟିବ ରଙ୍ଗ, କଟିସୂତ୍ର ଯେବେ ହେବ ଭୁଜଙ୍ଗ ।୫।

 

କେତକୀରୁ ସମ୍ଭବିଲେ ଦୁର୍ବାସ, ଶିରଗଭାରୁ ଜନ୍ମିଲେ କୁଳିଶ,

ନିଜ ନିଶ୍ୱାସରେ ପଡ଼ିଲେ ଜଳି, ଜଠରାନଳେ ଦେହ ଗଲେ ଜଳି ।୬।

 

୨। ଟୀକା - ନଥ - ନୋଥ, ପଦନିଧି - ଅତି ମୂଲ୍ୟବାନ ରତ୍ନବିଶେଷ, ଜାମାନିମାଗୁଡ଼ି - ପାଇଜାମା ପ୍ରଭୃତି, ହଂସୁଲିତୂଳୀ - କୋମଳ ତୁଳାଶେଯ, ସିତା - ନବାତ, କୁନ୍ଦନ - ସ୍ୱର୍ଣ୍ଣ ବା ରତ୍ନ, ରଙ୍ଗ - ଟିଣ, ଘନସାର - କର୍ପୂର, ଆନ୍ଧ୍ୟ - ଅନ୍ଧଭାବ, ଦୁରିତବ୍ୟୂହ - ପାପସମୂହ, ଡୁଣ୍ଡୁଭ - ଧଣ୍ଡସାପ, ହରିଦରୀ - ସିଂହ ରହିବା ଗୁମ୍ଫା ସାଯୁଜ୍ୟମୋକ୍ଷ - ଆମ୍ବା ଓ ପରମାତ୍ମାର ପୂର୍ଣ୍ଣ ମିଳନ, ଆମୟ - ରୋଗ, ଧରଣୀଦେବ - ବ୍ରାହ୍ମଣ, ତାଳବୃନ୍ତ - ବିଛଣା ।

 

ସକଳ ସଉଭାଗ୍ୟ ଅଭିଳାଷେ, ଅନୁସରି ସୁରସୁରଭି ପାଶେ,

ଦୋହନକାଳେ ଦୁଧରୁ ତାହାର, ଧରାପରାଗ ହୋଇଲେ ବାହାର ।୭।

 

ପିଞ୍ଜରମଣ୍ଡନ ପଢ଼ା ଶାରିକା, ପଢ଼ା ଛାଡ଼ି କଲେ ମଣ୍ଡୂକଡକା,

କପିତ୍ଥ ଫଳିଲେ ରସାଳଲତା, ଅଶୁଭ ପାଞ୍ଚିଲେ ଇଷ୍ଟଦେବତା ।୮।

 

ଜ୍ୟୋତିଷନ୍ତ ତାର ନୟନେ ଥିବ, ସମୀପ ଦୀପ ଯେବେ ନ ଦିଶିବ,

ଘନସାର ସାର ସଙ୍ଗମ କ୍ଷଣେ, ଆନ୍ଧ୍ୟ ଯେବେ ଜନମିବ ଇକ୍ଷଣେ ।୯।

 

ଦୂର ହୋଇବାକୁ ଦୁରିତ ବ୍ୟୂହ, ଗଙ୍ଗାପ୍ରବାହେ କରି ଅବଗାହ,

ନିତ୍ୟ ନିବାସ କରିଥିବା କାଶୀ, ଆସି ଗ୍ରାସି ଦେଲେ ପାତକରାଶି ।୧୦।

 

ହାତୀ ବିତରଣ କରି ଯାଚକେ, ଜାତି କୃପଣ ବୋଲାଇଲେ ଲୋକେ,

ପାତିତ୍ୟଧ୍ୱଂସୀ ଶ୍ରୀମହାପ୍ରସାଦେ, ଜାତିବିଧ୍ୱଂସ ହେଲେ ପରମାଦେ ।୧୧।

 

ଅବଲମ୍ବ କରି ଗରୁଡ଼ ନିଡ଼, ଡୁଣ୍ଡୁଭରୁ ହେଲେ ଭୟ ନିବାଡ଼,

ହରିଦରୀମଧ୍ୟ କରି ଶରଣ, ଶଶ ସକାଶୁଁ ଲଭିଲେ ମରଣ ।୧୨।

 

ସିନ୍ଧୁରେ ପଶି ନ ତିନ୍ତିଲେ ପାଦ, ସାଯୁଜ୍ୟ ମୋକ୍ଷରେ ଥିଲେ ବିପଦ,

ମାଜି ନିର୍ମଳ ମୁକୁରକୁ ଚାହିଁ, ପ୍ରତିବିମ୍ବ ଯେବେ ଦିଶିବ ନାହିଁ ।୧୩।

 

ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଛେଦ, କାମକାଣ୍ଡରେ ହେଲେ ଶିରଶ୍ଛେଦ,

ସେବିବା ସଂଜୀବନୀ ମହୌଷଧ, ନୋହିବ ଯେବେ ଆମୟ-ନିଷେଧ ।୧୪।

 

ହିମଗିରିଦରୀ କରି ଆଶ୍ରୟ, ହେଲେ ନିଦାଘ ଭୟ ଅତିଶୟ,

ପଣ୍ଡିତମଣ୍ଡଳୀରେ କରି ସ୍ଥିତି, ଜଣା ନୋହିଲେ ବଚନ ସଙ୍ଗତି ।୧୫।

 

ଜାଣି ବେଦବିଦ୍ୟା ତତ୍ତ୍ୱସାରକୁ, ମୂରୁଖ ବୋଲାଇଲେ ଆଖରକୁ,

ପରଶୁରାମଙ୍କୁ କରିବା ଗୁରୁ, ପଳାଇବା ଯେବେ ଅରି ଆଗରୁ ।୧୬।

 

ବୀଣାବାଦ୍ୟ ଶିକ୍ଷା ଦେଇ ଅଶେଷେ, ଅତାଳଜ୍ଞାନୀ ବୋଲାଇଲେ ଶେଷେ,

ଧରଣୀଦେବଙ୍କ ଚରଣରଜ, ଶିରେ ଘେନିବା ଯେବେ ହେବ ଲାଜ ।୧୭।

 

ଶରୀର ଖେଦ ହୋଇବାକୁ ଶାନ୍ତ, ଚାଳିବା ମନ୍ଦ ମନ୍ଦ ତାଳବୃନ୍ତ,

ତହୁଁ ନ ଜନମି ମୃଦୁ ଅନିଳ, ସମ୍ଭବିବ ଯେବେ ପ୍ରଳୟାନଳ ।୧୮।

 

କହଇ ଜଳନ୍ତର ପୁରନ୍ଦର, ଶୋଭା ନିମନ୍ତେ ବହି ଅଳଙ୍କାର,

ତହୁଁ ସୁନ୍ଦରଭାବ ନ ଦିଶିବ, ପିଶାଚ ପରି ଯେବେ ଆଭାସିବ ।

କାହାକୁ ଅଡ଼ିବା କପାଳରେ ସିନା କର ତାଡ଼ିବା ।୧୯।

 

(୩)

ଶିଖଣ୍ଡ ମୁକୁଟ

ରାଗ-ଆଷାଢ଼ଶୁକ୍ଳ

 

ଶିଖଣ୍ଡ ମୁକୁଟ, ଶିଖିଛି ଭଲା ଆଜନମୁ କୂଟ । ଘୋଷା ।

 

ହେଲା ଯେ ସକଳ ଗୁଣ ପ୍ରକଟ, ପୁରୁଷ ଜାତି ତୁମ୍ଭେ ମଧୁଲିଟ,

ନିରପରାଧେ ଅନୁରୋଧ ତୁଟ, କଞ୍ଜରୁ ଡେଇଁ କୁଟଜକୁ ଚାଟ ।୧।

 

ପ୍ରତି ନିକୁଞ୍ଜ ତାଳ ପହପଟ, ଅବଶେଷକୁ ସାକ୍ଷୀ ନଦୀତଟ ।

ବ୍ରଜବଜାରେ ବସେ ଏହି ହାଟ, ପୁଣି ସାହସେ ନିୟମକୁ ହଟ ।୨।

 

କି ମନ୍ତ୍ରେ କରାଇ ମନ ଉଚ୍ଚାଟ, ଚାଟୁ କହୁ କହୁ ତୋଟିକି କାଟ ।

ବଚନ ସୁଧାସାର ପ୍ରତିଭଟ, ପେଟୁଟିଯାକ ନିପଟ କପଟ ।୩।

 

ପ୍ରିୟାକୁ ପିନ୍ଧାଇ ସ୍ଵ ପୀତପଟ, ଆପେ ପିନ୍ଧିବା ତାହାଲାଗି ପଟ ।

ଆହା ଏ ଗୁଣ କରିବାକୁ ସ୍ଫୁଟ, ଜଗତେ ଘଟିବେ ନାହିଁ ଯେ ଭାଟ ।୪।

 

ହୋଇଗଲ କେଡ଼େ ଅକଲ ଛୋଟ, ଚନ୍ଦ୍ରକେ ଲାକ୍ଷା ଲାଗି ହେଲା ଛିଟ ।

ଏରୂପେ ଯେବେ ସକଳ ପାଲଟ, ମନମଥ ପେଷି ଥିଲା କି ଥାଟ ।୫।

 

ବୋଲାଅ ପରା ପ୍ରଣୟଲମ୍ପଟ, ଯେ କରେ ବିଶ୍ୱାସ ତାହାକୁ ଜଟ ।

ଏ ରୀତିରୁ କେ ନ ବହିବ ରୁଟ, ଋଷି ତ ହେଲେ ଛିଣ୍ଡାଇବେ ଜଟ ।୬।

 

ତୁମ୍ଭ ବୁଦ୍ଧିବଳ ପରା ନିରାଟ, ଜାଇ ଫିଙ୍ଗିଦେଇ ତୋଳ ତରାଟ ।

ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁ ହୀରକରାଟ ।୭।

 

ନୀପ ନିକୁଞ୍ଜ ଅବା କେତେ ବାଟ, ଶ୍ରମ ହୋଇଥିବ ବୋଲି ଉତ୍କଟ ।

ଶ୍ରୀହସ୍ତେ ଚାଳି କୁସୁମ ଆଲଟ, କର ପରା ଉରଃ ସ୍ଥଳକୁ ଖଟ ।୮।

 

୩। ଟୀକା - ମଧୁଲିଟ - ଭ୍ରମର, କଞ୍ଜ - ପଦ୍ମ, କୂଟଜ - ବଣମଲ୍ଲୀ, କୂଟ - କପଟ, ଲାଗିପଟ - ପିନ୍ଧା ଲୁଗା, ପ୍ରତିଭଟ - ପ୍ରତିପକ୍ଷ ଯୋଦ୍ଧା, ଚନ୍ଦ୍ରବ - ମୟୂରପୁଚ୍ଛ, ଛିଟ - ଚିତ୍ରିତ, ଜଟ - ଠକାଅ, ରୁଟ - ଦୁଃଖ ବା ରୋଷ, ବରାଟ - କଉଡ଼ି, ମଞ୍ଜୁଷୁ - ପେଡ଼ିରୁ, ହୀରକରାଟ - ଶ୍ରେଷ୍ଠ ହୀରା, ଉରଃସ୍ଥଳ - ବକ୍ଷୋଦେଶ ବା ଛାତି, ସ୍ତନସଂପୁଟ - ସ୍ତନରୂପ ଫରୁଆ, ସେ ଶେଯେ କରି କଞ୍ଜଦଳକୁଟ - ସେ ଶଯ୍ୟରେ ପଦ୍ମପତ୍ରକୁଟ କରି ଅର୍ଥାତ୍ ଜମା କରି, କାଳକୂଟ - ବିଷ, ଘଟ ଛାଡ଼ିବା - ପ୍ରାଣ ତ୍ୟାଗ କରିବା, ଶୁକଟ - ଦୁର୍ଦଶା, କନ୍ୟାଟ - ସ୍ତ୍ରୀମାନଙ୍କ ରହିବା ଘର, କରଜର ମୁନେ ... ତୁମ୍ଭ ନାଟ - ଯେଉଁ ସ୍ତ୍ରୀ ତୁମ୍ଭକୁ ଦେଖି ଆନନ୍ଦିତ ହୁଏ, ସେ ଦୁଃଖରେ ନଖମୁନରେ ସ୍ତ୍ରୀୟ ରହିବା ଘରକୁ ଚିରେ, ଛାଟ - ଆଘାତ କରିବାର ଦଣ୍ଡ,

 

ହୃଦରେ ଲଦି ଯା ସ୍ତନ-ସମ୍ପୂଟ, ପିଅ ଯାହା ସ୍ଵାଦୁ ଅଧରପୁଟ ।

ସେ ଶେଯେ କରି କଞ୍ଜଦଳକୂଟ, ବସିଛି ଗିଳିବାକୁ କାଳକୂଟ ।୯।

 

ଆଉ ଯେ ହୁଅଇ ନାହିଁ ସେ ଲଟ, କିସ ହୋଇବ ହେଲେ ଛଟପଟ ।

ଏତିକି ମୋ ପ୍ରାଣସଖୀର ଭେଟ, କାଳକୁ ହୋଇଲାଣି ଅନିକଟ ।୧୦।

 

ହେବାରୁ ତୁମ୍ଭ ସ୍ନେହେ ଲଟପଟ, ଉତ୍ତମ ପକ୍ଷ ଛାଡ଼ିବାର ଘଟ ।

ଯାହାର ଥିବ ତେଡ଼ିକି ଆକଟ, ଦେଖିବ ତୁମ୍ଭେ ତାହାରି ଶୁକଟ ।୧୧।

 

କରଜର ମୁନେ ଚିରି କନ୍ୟାଟ, ଯେ ଦେଖି ଫୁଲୁଥାଏ ତୁମ୍ଭ ନାଟ ।

ଯେ ତୁମ୍ଭ ଦରଶନ ଚିତ୍ରପଟ, ତା ସୁଖ ମୁଖେ ଛୁଟାଇଲ ଛାଟ ।୧୨।

 

ଜାଣି ଯେ ଯିବାର ଯମୁନାଘାଟ, ଦେଖିବାକୁ ତାକୁ ଆଗେ ଝପଟ ।

ବହ ଯାହାକୁ ରଚି ବାହାପଟ, କହ କି ଦୋଷୁ ନୁହ ତାହା ପଟ ।୧୩।

 

ନିଶିତମ ହୋଇଥାଏ ବିକଟ, ଆସି ନଖେ ଠୁଙ୍କ ଯାହା କବାଟ ।

ଯେ ତୁମ୍ଭ ସ୍ନେହବିଦ୍ୟା ବଡ଼ଚାଟ, କରି ଟିକି ତାକୁ ଏଡ଼େ କପଟ ।୧୪।

 

ଜଳଦ ହୋଇଥାଏ ସର୍ବଘାଟ, ଚପଳା ଖେଳୁଥାଇ ଝଟ ଝଟ ।

ଦୂରୁ ଡାକୁଥାନ୍ତି ଯାମିକ ଭଟ, ଆସି ପରା ତୁମ୍ଭେ ତା ସେବା ଖଟ ।୧୫।

 

କର ଆହୁରି ତୁମ୍ଭେ ସର୍ପଘଟ, କୁଞ୍ଜ ଖବର କହୁଛି କରଟ ।

କ୍ଷଣେ ଯତନେ କଲେହେଁ ଆପଟ, ନ ବାସିଯାଏ କି ଚମ୍ପକପୁଟ ।୧୬।

 

ଦେଖାଇ ମାମୁ ବୋଲି ଦ୍ୱିଜରାଟ, କାଲି ଦେଉଥିଲୁଁ ଯା ନେତ୍ରେ ଅଟ ।

ତୁମ୍ଭେ ତ ସେହି ଶ୍ୟାମବନ୍ଧୁ ଅଟ, ଶିକ୍ଷା କଲ କାହୁଁ ଏତେ କପଟ ।୧୭।

 

କାହିଁକି ଦେଲ ଏ ପ୍ରାଣ ସଙ୍କଟ, ନୋହୁଁ ବଳୀ ବକ କେଶି ଶକଟ ।

କି ହେବ ଆଉ ହୋଇ ଭଟ ଭଟ, କର୍ମକୁ ଭର୍ମ ହେଲା ଆରକୁଟ ।୧୮।

 

ଶୁଣି ଭଣିଲେ ହସି ନବ ନଟ, ଆନ ସଙ୍ଗ ମୋର ହଟଚମଟ ।

ଏକା ତୋ ସଖୀ ଜୀବନ ମୁଁ ଘଟ, ତା ଜାଣେ ଅଷ୍ଟଦୁର୍ଗ ତୁରାସାଟ ।

ଶିଖଣ୍ଡ ମୁକୁଟ, ଶିଖିଛ ଭଲା ଆଜନମୁଁ କୂଟ ।୧୯।

 

ବାହାପଟ - ବାହୁବଳ, ପଟ - ପକ୍ଷ, ଯାମିକଭଟ - ପ୍ରହରୀ, ଚୌକିଦାର; କରଟ - କୁଆ, ଆପଟ - ନିରୁଦ୍ଧ, ଚମ୍ପକପୁଟ - ଚମ୍ପାଫୁଲର ଆବରଣ, ଦ୍ୱିଜରାଟ - ଚନ୍ଦ୍ର, ଅଟ - କଜ୍ଜଳ, ଭର୍ମ - ସୁନା, ଆରକୂଟ - ପିତ୍ତଳ, ତୁରାସାଟ୍ - ଇନ୍ଦ୍ର !

 

(୪)

ଚାହିଁଲା ତ ନାହିଁ

ରାଗ-ଆଷାଢ଼ଶୁକ୍ଳ

 

ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁଁହୀ । ଘୋଷା ।

 

ଚାମରକୁନ୍ତଳା ବସନ୍ତେ ରୁଷି, ଚିନ୍ତାଜଳେ କେଉଁ ତରୁଣ ଭାସି ।

ଚତୁରା ସହଚରୀ ଆଗେ ବୋଲେ, ଚିତ୍ତରେ କି ଘେନି ଟିକିଏ ହେଲେ ।୧।

 

ଚରମ ଆଡ଼େ ଡରି ଉଭା ହେଲି, ଚାକର ଛାମୁରେ ଭେଟୁଛି ବୋଲି ।

ଚାଟୁ ଚାତୁରୀ ଚଟୁଳବଚନ, ଚାରିଶ ପଦ କଲି ନିବେଦନ ।୨।

 

ଚିବକ କମ୍ପାଇ ହୋଇ ବିକଳ, ଚିରିଲା ଚରଣନଖେ ଭୂତଳ ।

ଚିର ଅରଜିତ ସ୍ନେହସମ୍ପଦେ, ଚଡ଼କ ପକାଇ ନିର୍ଭୟେ ହୃଦେ ।୩।

 

ଚିନାଏ ଅପରାଧ ନାହିଁ ବୋଲି, ଚେଳ ଅଞ୍ଚଳ ପ୍ରସାରି କହିଲି ।

ଚଣ୍ଡ ମୂରତି ଧଇଲା କା ବୋଲେ, ଚରଣପଙ୍କଜ ଧଇଲେ ହେଲେ ।୪।

 

ଚମ୍ପକଗଉରାଙ୍ଗୀ ପ୍ରଭୁପଣେ, ଚେଟୀଙ୍କ ତୁଲେ ମୁଁ ହୋଇଲି ଜଣେ ।

ଚେର ଦେବା କାଳେ ମୋ ଭାଗ୍ୟବଲ୍ଲୀ, ଚଳି ଉପୁଡ଼ାଇ ଦେଲା କି ବୋଲି ।

 

ଚଡ଼ାଇ ଉନ୍ନତ ସୁଖପାଦପେ, ଚକିଆଇ ମୂଳୁଁ କାଟିଲେ କୋପେ ।

ଚିକ୍‌କଣ ନୁହଁଇ ବୋଲି ନ ଜାଣି, ଚିଟା ହେଲା ମୋରେ କାହୁଁକି ଶୁଣି ।୬।

 

ଚଣ୍ଡାଳ ଦୁର୍ଯ୍ୟୋଗରୁ ହୋଇ ଦୋଷୀ, ଚିହ୍ନ ଯେବେ ମୋରେ ରହିଛି ଗ୍ରାସି ।

ଚଦି ଥରେ ଆଗ ପଛେ ନବୀନା, ଚତୁର୍ଥ ଉପାୟ କରନ୍ତା ସିନା ।୭।

 

ଚାତୁର୍ଯ୍ୟବତୀ ନଉକରି କରି, ଚାଲି ନ ଜାଣେ ମୁଁ ଗବେ ପୂରି ।

ଚିରାଳ ଯୁବାଗଣେ ବାନ୍ଧିଥାଇ, ଚୂନା କରି ମୋର ତେଡ଼େ ବଡ଼ାଇ ।୮।

 

ଚାରୁବେଶାର ମୁହିଁ ଅନ୍ତରଙ୍ଗ, ଚଉପଦୀ ଗୀତ ରଚନା ସଙ୍ଗ ।

ଚଉଠେ ନ ରଖିଲା ସେ ସ୍ନେହରୁ, ଚପଳେ ଛଡ଼ାଇ ଦେଇ ଦେହରୁ ।୯।

 

ଚାମୀକରସାରଦେହା ଦେହରେ, ଚୀନବାସ ପରି ଦିନ ଯେ ହରେ ।

ଚଉକେ ଅନ୍ତର ନୁହଇ କେବେ, ଚୋର ହେଲି ତାହା ଛାମୁକୁ ଏବେ ।୧୦।

 

ଚିହ୍ନିଥାଇ ଯାକୁ କାଳକେ ଦିନେ, ଚେତି ତ ପୁଣି ସେ ପଡ଼େ ନୟନେ ।

ଚାଦରଧରାକୁ ଏହା କି କରି, ଚତୁରକ୍ଷ କେବେ ନ ହେଲା ପରି ।୧୧।

 

ଚଣ୍ଡମୟୂଖମଣ୍ଡଳ ସମାନ, ଚାହୁଁ ଚାହୁଁ ଯହୁଁ କଲା ବଦନ ।

ଚାବୁକ ବାଜିଲା ପରି ମୁଁ ଡରେ, ଚିହିଁକି ପଡ଼ଇ ପହିଲୁ ଥରେ ।୧୨।

 

ଚମରୀନେତ୍ରା କି ସୁଖ ପାଦରେ, ଚକଟି ପକାଇଲା ଅନାଦରେ ।

ଚଖାଇ ସୁଧା ଯା କଲା ଅନ୍ୟଥା, ଚମତ୍କାର ଲାଗୁଛି ଏହି କଥା ।୧୩।

 

ଚିରନ୍ତନ ଜନ୍ମ ସୁକୃତରାଶି, ଚନ୍ଦ୍ରଚୂଳପାଦ ପ୍ରସାଦ ମିଶି ।

ଚାଣ୍ଡେ ଦେଇଥିଲା ବାଳମଣିକି, ଚିପୁଡ଼ି ଦେଲା ସେ ଭାବ ଏଣିକି ।୧୪।

 

ଚେତ ମୋ ଯେବେ ନ ବଳେ ଅନ୍ନକୁ, ଚକାମୁଆଁ ସହେ ଦେବୀମାନଙ୍କୁ ।

ଚଳୁଆ ସ୍ମର ଶାର୍ଦ୍ଦୁଳକୁ ଯେବେ, ଚର୍ବଣ କର ବୋଲି ଦେଲା ଏବେ ।୧୫।

 

ଚିକିତ୍ସାଭଙ୍ଗୀ ମୋ ଅଙ୍ଗରେ ହେଜି, ଚଣ୍ଡିକା ସ୍ତୋତ୍ର ପଣ୍ଡିତାଙ୍କୁ ଖୋଜି ।

ଚନ୍ଦ୍ରଚନ୍ଦନ ବୋଳାଇ ମୋଦରେ, ଚାପସରି କାଢ଼ି ଦିଏ ଆଦରେ ।୧୬।

 

ଚାଳଇ ଯେବେ ମୁଁ ଶୁଭ ସନ୍ଦେଶ, ଚିଟାଉରେ ଲେଖି ରହି ବିଦେଶ ।

ଚାଙ୍ଗଡ଼ାଘର ଜୁରେ ଫରମାସେ, ଚରଚା କରେ ଚାରକୁ ହରଷେ ।୧୭।

 

ଚନ୍ଦ୍ରକୁ ଚନ୍ଦ୍ରିକା ପିଇବା ଆଶେ, ଚକୋର ପରି ଅନୁସରି ପାଶେ ।

ଚିନ୍ତୁଥାଇ ଅସାଧାରଣ ଫଳ, ଚହକିଲା କାଳେ ସମ୍ପତ୍ତିମୂଳ ।୧୮।

 

ଚିକୁରପାଶରେ ଦନ୍ତପତ୍ରିକା, ଚଳାଇବାକୁ ହେବାରୁ ମୋ ଦକା ।

ଚାକୁରେ କରଜ ଚିରୁଣୀ ପରି, ଚିରି ସଜଡ଼ାଇ ଆଶ୍ୱାସି କରି ।୧୯।

 

ଚେତା ବିହୁନେ ପହୁଡ଼ିବା କାଳେ, ଚିତ୍ରଇ – ଚରଣ ଅଳତାବୋଳେ ।

ଚେତିଲେ ଯାହା ବୋଲେ ଲଭି ଲାଜ, ଚେତାଉ ନାହିଁ ସେ ରସକୁ ଆଜ ।

 

ଚନ୍ଦ୍ରିକାବିହୀନ ରଜନୀକାଳେ, ଚାନ୍ଦନୀସୋପାନ ଉଠିବାବେଳେ ।

ଚନ୍ଦ୍ରଦୀପ ତୁ ଛାମୁରେ ନ ଥିଲେ, ଚେତନା ମୋ ଦେହେ ନ ଥାଇ ଭଲେ ।

 

ଚାନ୍ଦୁଆ ଅବନ୍ଧା ମନ୍ଦିର ତଳେ, ଚାଲଇ ଯେବେ କେବେ କୁତୂହଳେ ।

ଚଉପହରା ଦାସୀଙ୍କ ଉପରେ, ଚାପଡ଼ା ଫରମାସଇ କୋପରେ ।୨୨।

 

ଚାକଚକ୍ୟବନ୍ତ ସୁନ୍ଦର ଗାଲେ, ଚୁମ୍ବଇ ଯେବେ ମୁଁ କାମଅମଳେ ।

ଚମକିବ ଭୀରୁ ବୋଲି ଏ ଡରେ, ଚୁମୁତ୍କାର ରବ ନ କରେ ଥରେ ।୨୩।

 

ଚଉଦରୁ ବଳି ବୟସ ହେଲା, ଚଞ୍ଚଳ କ୍ରମ ତା କେବେ ନ ଗଲା ।

ଚାକିରୀ କଲେ କରୁଥାଏ ହଟ, ଚଉଡ଼ାଇ ଦେଇ କି ସ୍ନେହ ଘଟ ।୨୪।

 

ଚୁହାଁଚୁହିଁ ନାହିଁ ଆନରେ ବୋଲି, ଚକାରେ ନିୟମ ଯେତେ ମୁଁ କଲି ।

ଚଉବିଂଶ ପଦୁଁ ବଳେ ଗଣିଲେ, ଚତୁର ଶ୍ରୀ ଛୋଟରାୟ ଭଣିଲେ ।

ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁହିଁ ।୨୫।

 

୪। ଟୀକା - ଚେଟୀ - ଦାସୀ, ଭାଗ୍ୟବଲ୍ଲୀଚେର ଦେବାବେଳେ - ମୋ ଭାଗ୍ୟରୂପ ଲତାରୁ ଚେର ବାହାରିବା ବେଳରେ, ଚଦି - ଗାଳି ଦେଇ, ଚତୁର୍ଥ ଉପାୟ - ଭେଦ ବା ବିଚ୍ଛେଦ, ଚିରାଳ - ପତାକା (?), ଚାମୀକର - ସୁବର୍ଣ୍ଣ, ଚୀନବାସ - ସୂକ୍ଷ୍ମ ବସ୍ତ୍ର । ଚକାମୁଆଁ - ଗୋଲାକାର ମୁଆଁ ନାମକ ମିଷ୍ଟାନ୍ନ, ଚିକିତ୍ସାଭଙ୍ଗୀ - ସ୍ଵାସ୍ଥ୍ୟଭଙ୍ଗ, ଚନ୍ଦ୍ର - କର୍ପୂର, ଚାଙ୍ଗଡ଼ାଘର - ଗନ୍ତାଘର ବା ସରଘର, ଦନ୍ତପତ୍ରିକା - (ଏଠାରେ), ପାନିଆ, ଚାନ୍ଦନୀସୋପାନ - ମଣ୍ଡପୁର ପାହାଚ, ଚଣ୍ଡମୟୂଖ - ସୂର୍ଯ୍ୟ, ଚଉଡ଼ାଇ ଦେଇ - ଚଡ଼କାଇ ଦେଇ ବା ଫଟାଇ ଦେଇ ।

 

(୫)

ସେ ପୀରତି ସତେ

ରାଗ-ଆଷାଢ଼ଶୁକ୍ଳ

 

ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମୋତେ । ଘୋଷା ।

 

ଶାରଦା ନୁହେ କରେ ବାବଦୂକ, ଅମଳ ନୋହେ ଅତି ଉନ୍ମାଦକ,

ହୋଇ ହୃଦୟ ଅଦୃଶ୍ୟ ପଦକ, ହଜାଇ ଦିଅଇ ବିବେକଯାକ ।୧।

 

ସୁମ ନୋହି କରେ ଦିବ୍ୟ ସୁଗନ୍ଧ, ସମଜଇ ନାହିଁ ନୁହଇ କନ୍ଧ,

ପଟଳ ନୋହି ଚକ୍ଷୁ କରେ ଅନ୍ଧ, ଶୃଙ୍ଖଳ ନୋହେ ଦୃଢ଼େ କରେ ବନ୍ଧ ।୨।

 

ନୋହେ ବଇରାଗ୍ୟ ତେବେ ସେ ଦେହେ, ତାହା ବିନା ଯତ୍ନ ଲବେ ନ ରହେ

ଅଜ୍ଞାନ କରେ ମୂର୍ଖପଣ ନୋହେ, ଅନ୍ନ ନୋହି ଶୀର୍ଣ୍ଣ କରେ ବିରହେ ।୩।

 

ନୋହେ ଚନ୍ଦ୍ରକର କରେ ଆହ୍ଲାଦ, ଅମୃତ ନୁହେଁ ସେ ତହୁଁ ସୁଆଦ,

ଚିନ୍ତା ନୁହେଁ ଜାତ କରେ ବିଷାଦ, ବଢ଼ାଏ ଗରବ ନୁହେଁ ସମ୍ପଦ ।୪।

 

ନୁହଇ ଶରୀରରଖା ମନ୍ତର, ଦର ହେତୁରୁ ନ ଜନ୍ମାଏ ଦର,

ହୁଏ ନିଦାନଭୂତ ବିନାଦର, ପଲ୍ଲବାଏ ଅସଦୃଶେ ଆଦର ।୫।

 

ନୋହେ ଘୂକନେତ୍ରଗୋଳା କଜ୍ଜଳ, ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ,

ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ, ବୁଡ଼ାଇ ଦିଅଇ ନୁହଇ ଜଳ ।୬।

 

ଅତି ଚମତ୍କାରତର ତା ଲୀଳା, ନାହିଁ ଦେହ ନୁହେଁ ଚିତ୍ରକୁଶଳା,

ଲେଖଇ ସଂସାରେ ନ ରଖି ତୁଳା, ପ୍ରତି ଦିଗେ ପ୍ରିୟଜନ ପିତୁଳା ।୭।

 

ଅଭିପ୍ରେତ ଗଲେ ନୟନେ ପଡ଼ି, ଅଟକଇ ପଦ ନୁହଇ ହଡ଼ି,

ନ ଥାଏ ଭୁଜ ରହିଥାଏ ଭିଡ଼ି, ନୁହଇ ପରାଣ ନୁହଇ ଛାଡ଼ି ।୮।

 

ପୁତ୍ର କଳତ୍ର ସମ୍ପତ୍ତି ଆବାସେ, ରୁଚି ବିନା ବିଷ ପରି ଆଭାସେ,

ଚିନ୍ତା ଜନ୍ମାଇ ଦିଅଇ ମାନସେ, ଆହା କି ବିଚିତ୍ର ରସନଦୀ ସେ ।୯।

 

ବିଚ୍ଛେଦ କ୍ଷଣ କରଇ ବରଷେ, ସଙ୍ଗମେ ଅଶେଷ ସୁଖ ବରଷେ,

ବର ଆକର ସବୁ ଭାବର ସେ, ଅତି ବିଷମ ହୁଏ ନବ ରସେ ।୧୦।

 

ସନ୍ତପ୍ତ କରେ ନୁହଇ ତପନ, ଅନ୍ତକ ନୁହେ ହରଇ ଜୀବନ,

ମନୁ ଜନମେ ନୁହଇ ମଦନ, ଦନୁଜ ନୋହେ ସେ ପିଶିତାଶନ ।୧୧।

 

ନୁହଇ ପରଶୁ କେଦାର ପରି, ପାରଇ ଫଣୀ-ଫଣାମଣି ହରି,

ମନୋରଥ ପଥେ ନ ଥିବା ଶିରୀ, ହେଳେ ଦିଅଇ କରଗତ କରି ।୧୨।

 

ନୋହେ ବହଳ ଉପାନହ ଯୋଡ଼ି, କଣ୍ଟକେ କଟାକ୍ଷ ନ କରେ ଅଡ଼ି,

ବୃଷ୍ଟିବାରଣ ଛତ୍ର ନ ପକଡ଼ି, ନ ମାନେ ନଭମାସ ନିଶା ଝଡ଼ି ।୧୩।

 

ନୁହଇ ପାଷାଣ ମୂଷା ସମାନ, ନ ମାନେ ରାଢ଼ପଣେ ଦାଢ଼ ମୁନ,

ନୁହଇ ଖେଚର ସିଦ୍ଧସାଧନ, ଧନଦାଳୟକୁ ପେଷଇ ମନ ।୧୪।

 

ଫଳେ ନାନାଫଳ ନୋହେ ବ୍ରତତୀ, ସ୍ମର ସହଚରୀ ନୁହେ କେଳତି,

ମର୍ମରେ ଭେଦଇ ନୁହଇ କାତି, ମଦିରା ନୋହି ଯା ହରଇ ଜାତି ।୧୫।

 

ଅତ୍ରି ମୁନିଙ୍କର ଗୋତ୍ର ସମ୍ଭବୀ, ଭୂଦେବ ରାୟଗର କବିରବି, *

ସଂଶୟ ଧ୍ୱଂସ ନୋହିବାରୁ କିଛି, ବିଚାରି ମାନସେ ପଚାରୁଅଛି ।

ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମୋତେ ।୧୬।

 

୫। ଟୀକା - ଶାରଦା - ସରସ୍ଵତୀ, ବାବଦୂକ - ବାଚାଳ, ପଦକ - ହାର ମଧ୍ୟବର୍ତ୍ତୀ ଅଳଙ୍କାର - ବିଶେଷ, ସୁମ - ଫୁଲ, କନ୍ଧ - ଅରଣ୍ୟଜାତୀୟ ଲୋକ, ଘୂକ - ପେଚା, ଜଙ୍ଘାବଳ - ବେଗଗାମୀ ଦୂତ, ହଡ଼ି - ହରିକାଠ, ପ୍ରତିବନ୍ଧକ; ପିଶିତାଶନ - ମାଂସଭକ୍ଷକ, ପରଶୁକେଦାର - ଏକପ୍ରକାର ଗଦ, ଏହାର ଗନ୍ଧରେ ସାପ ମୁଣ୍ଡ ନୁଆଁଇ ପଡ଼ି ରହେ । ପାନହ - ଯୋତା, ନଭମାସ - ଶ୍ରାବଣମାସ ।

 

(୬)

ଛୋଟ ଢୁମ୍ପା

 

ତୋ ଚାରୁ ଚାହାଣି ଚାହିଁ, ମରି ତୁ ଆବୁର ସାରି ପକା ପଛେ,

ମୋ ନିଆଳୀ, ମୋ ଦେହ ତ ସହୁ ନାହିଁ ।୧।

 

ଦିଅ ଯେତେ ଇଚ୍ଛା ଦଣ୍ଡ, ଝୁମି କାମ ସଙ୍ଗ ଝୁଣି ଦେବି ସିନା,

ମୋ ନିଆଳୀ, ଝଳି ଝଲମଲ ଗଣ୍ଡ ।୨।

 

ହେବୁଟି କି ଶିରଗଭା, କାଳ ସହୁନାହିଁ ବାଳମୃଗଦୃଶା,

ମୋ ନିଆଳୀ, ନୂଆ ବିକଶିତ ଶୋଭା ।୩।

 

ତୋହ ପରି ତୁହି ସିନା, ବିଜେ କଲା ପୁରେ ପୁରି ରହୁଥାଏ ମୋ ନିଆଳୀ,

ବନଜ - ବନ - ବାସନା ।୪।

 

ଅଛି ଯେବେ ଅନୁକମ୍ପା, କାତି ଝିଙ୍କି ପଛେ ଛାତିରେ ପ୍ରହାର,

ମୋ ନିଆଳୀ, ହୀରା ବୁଲାକି ନ କମ୍ପା ।୫।

 

ପାସୋର ବାସର ଲାଜ, ପଛକୁ ପକାଇ ନ ଦେଲେ ନ ଚଳେ,

ମୋ ନିଆଳୀ, ବିଧି ନିଷେଧକୁ ଆଜ ।୬।

 

ତୋ କୁଚ ତ କରକଶ, ସବୁ ଗୁମାନ ଆଉ କେତେବେଳକୁ,

ମୋ ନିଆଳୀ, ଥରେ ମୋହ କରେ କଷ ।୭।

 

ଚୁମ୍ବନେ କଲେ ଶରଧା, ଚରଣଠାରୁ କବରୀଯାଏ ତୋର,

ମୋ ନିଆଳୀ, କାହିଁ ପୂରି ନାହିଁ ସୁଧା ।୮।

 

ଚତୁରଦଶ ଭୁବନେ, ରସବତୀ ଚକ୍ର ଚୁଡ଼ାମଣି ବୋଲି,

ମୋ ନିଆଳୀ, ତୋ ବିନା ଆନେ ନ ମାନେ ।୯।

 

କାହିଁକି ଚାଲୁ ତୁ ତଳେ, ଘାଣ୍ଟି ହେଉଅଛି କଣ୍ଡୀରବମଧଧ୍ୟା,

ମୋ ନିଆଳୀ, ମୋ ମନଯାକ ବିକଳେ ।୧୦।

 

ଆନ ନାହିଁ ତୋହ ବିନା, ଅଷ୍ଟଦୁର୍ଗଧରାବର ଆରେ ଧୀରା,

ମୋ ନିଆଳୀ, ତୋହର ଅଧୀନ ସିନା ।୧୧।

 

୬। ଟୀକା - ବନଜବନବାସନା - ପଦ୍ମବନର ସୁବାସ, ହୀରାବୁଲାକି - ହୀରାର ଦଣ୍ଡୀ । ପାଠାନ୍ତର - ଶ୍ରୀଛୋଟରାୟଦେବ ସଭା କବି ପ୍ରସିଦ୍ଧ ବଳଦେବ କବିରବି ।

 

(୭)

ଜାଈଫୁଲ ଢୁମ୍ପା ଚଉତିଶା

 

କରୀଗତି ଚାନ୍ଦମୁହିଁ, କରି ଗତି ରତେ ରଜନୀ ପୁହାଏ,

ଜାଈଫୁଲ ରେ, ତୋ ରୂପ ଲାବଣ୍ୟ ଚାହିଁ ।୧।

 

ଖରପରଶୁମୋହନା, ଖଣ୍ଡପରସା ବଚନକୁ କହ,

ଜାଈଫୁଲ ରେ, ଖଣ୍ଡ ହୃଦୟ ବେଦନା ।୨।

 

ଗିରୀଷମ କାଳେ ଧନ, ଗିରିସମ କୁଚେ ଲେପି ଚନ୍ଦନ,

ଜାଈଫୁଲ ରେ, କରୁଥାଉ ଆଲିଙ୍ଗନ ।୩।

 

ଘନସାର ମୋ ହୃଦରୁ, ଘନସାରକେଶୀ ଝାଡ଼ି ଦେଇ କରି,

ଜାଈଫୁଲରେ, ଗାଢ଼େ ଆଲିଙ୍ଗନ କରୁ ।୪।

 

ନାଗରମଣିକି ତତେ, ନାଗମଣିକୁମ୍ଭସ୍ତନା ସମାନ ରେ,

ଜାଈଫୁଲ ରେ, ହୋଇବେ ନୋହେ ପରତେ ।୫।

 

ଚନ୍ଦ୍ରମୁହୀଁ ପ୍ରାଣଧନ, ଚନ୍ଦ୍ର ମୁହଁ ଚାଳି ରତି କଲା କାଳେ,

ଜାଈଫୁଲ ରେ, ଶୀତ୍‌କାରେ ଭଜୁ ଅଜ୍ଞାନ ।୬।

 

ଛାଇ ବିପରୀତ ମୋର, ଛାଇଟି ପରାଏ ଦେହକୁ ନ ଛାଡ଼େ,

ଜାଈଫୁଲ ରେ, ସେରୂପେ ବି ପାଶର ।୭।

 

ଜାତୀକରଜା ସୁକେଶୀ, ଜାତିକର ଦିବ୍ୟହୀରକ ସୁଦନ୍ତୀ,

ଜାଈଫୁଲ ରେ, ଚନ୍ଦ୍ରଚନ୍ଦ୍ରମା ସୁହାସୀ ।୮।

 

ଝଳି ସୁନାଅଙ୍ଗୀ ରତେ, ଝଳି ସୁନା ପରି ଗାଢ଼େ ଭିଡ଼ି କରି,

ଜାଈଫୁଲ ରେ, ନ ଦେଉ କି ସୁଖ ମତେ ।୯।

 

ନିଶାରେ ସିତକରଜା, ନିଶାରେ ଶୀତରେ ଆଦର ନ କରି,

ଜାଈଫୁଲ ରେ, ଅଙ୍ଗସଙ୍ଗେ ଦେଉ ମଜା ।୧୦।

 

ଟିକାଏ ବିକଳ ନୋହି, ଟୀକା ଏବେ କାମରଜାର ଭାଙ୍ଗିବି,

ଜାଈଫୁଲ ରେ, ତୋ ସାହାରେ ପ୍ରାଣସହି ।୧୧।

 

ଠଉରିବି ନାହିଁ ବୋଲି, ଠଉରି ବିରାଗ ପାଇଣ ମଦନ,

ଜାଈଫୁଲ ରେ, ପଳାଏ ରତେ ଛଇଳି ।୧୨।

 

ଡାକି କରିଗତି ତୋତେ, ଡାକି କରିଅଛି ଡାକମଝା ସରି,

ଜାଈଫୁଲ ରେ, ନୁହଇ ମୁଁ କଦାଚିତେ ।୧୩।

 

ଜାଳି ସୁଧାକର - ମୁଖ, ଢାଳି ସୁଧା କି ଭଙ୍ଗୀରେ ଚାହୁଁ ଥାଉ,

ଜାଈଫୁଲ ରେ, ଉପୁଜାଇ କେତେ ସୁଖ ।୧୪।

 

୭। ଟୀକା - ଖଣ୍ଡପରଶୁମୋହନା - ଶିବଚିତ୍ତହାରିଣୀ, ଘନସାର - କର୍ପୂର ବା ଚନ୍ଦନ, ଘନସାରକେଶୀ - କଜ୍ଜଳକୁନ୍ତଳା, ନାଗରମଣୀ - ପାତାଳପୁରବାସିନୀ, ନାଗମଣିକୁମ୍ଭବଡ଼ - ହାତୀର କୁମ୍ଭସ୍ଥଳ, ଛାଇ ବିପରୀତ - ଇଚ୍ଛା, ଜାତିକର - ଉତ୍‌କୃଷ୍ଟ; ଚନ୍ଦ୍ର - କର୍ପୂର, ସିତକରଜା - ଶୁକ୍ଳବର୍ଣ୍ଣ ।

 

ଅବଧରି ତୋ ଆଜ୍ଞାକୁ, ଅବଧ ରିପୁ କାମକୁ ଦଣ୍ଡ ଦେବି,

ଜାଈଫୁଲ ରେ, ସେବାରେ ଘେନି ମନକୁ ।୧୫।

 

ତାରତମ କଲେ ସହି, ତାର ତ ମରେ କଳଙ୍କ ମୁଖକୁ,

ଜାଈଫୁଲ ରେ, ଇନ୍ଦ୍ରସମ ହେବ କେହି ।୧୬।

 

ଥର ଥରକେ ମୋ ଅଙ୍ଗ, ଥରଥର ହୁଏ କାମଶରଘାତେ,

ଜାଈଫୁଲ ରେ, ଋତୁରେ ନ ପାଏ ସଙ୍ଗ ।୧୭।

 

ଦରଶନକମୋହିନୀ, ଦରଶନ ବିନା ତୋହର କାମକୁ,

ଜାଈଫୁଲ ରେ, ନୋହିଲେ ଥାଏ ନ ମାନି ।୧୮।

 

ଧରମ ନ କରି ନିକି, ଧର ମନରେ ପାଇଛି ମୁହିଁ ହେମ,

ଜାଈଫୁଲ ରେ, ଚମ୍ପକସୁବରନୀକି ।୧୯।

 

ନରବର -ସୁତା ଘେନ, ନରବରଜେ ସମାନ ସତେ ନାହିଁ,

ଜାଈଫୁଲ ରେ, ପାଇ ତୋ ପ୍ରେମରତନ ।୨୦।

 

ପରମଦାବଚ ସହି; ପରମ ଦାରଣ ଫୁଲଧନୁ ପାଦେ,

ଜାଈଫୁଲ ରେ, ଅନୁସରି ଅଛି ମୁହିଁ ।୨୧।

 

ଫୁଲୁଥାଏ ଯେବେ ନାସା, ଫୁଲୁଥାଏ କାମ ମନ ସାହା ପାଇ,

ଜାଈଫୁଲ ରେ, କରିଣ ତୋତେ ଭରସା ।୨୨।

 

ବରଷ ଶହେ ତପରେ, ବଚ ସଂଶୟେ ଛାଡ଼ି ପୂର୍ବେ ପାଇଛି,

ଜାଈଫୁଲ ରେ, ଶିବଙ୍କୁ ମନାଇ ବାରେ ।୨୩।

 

ଭାରତୀକି ଶୁଣି ତୋର, ଭାରତୀ କି ପାଞ୍ଚି ବୀଣା ଫିଙ୍ଗି ଦେବେ,

ଜାଈଫୁଲ ରେ, ଲଜ୍ଜାରେ ହୋଇ କାତର ।୨୪।

 

ମନମଥ ନାମ ଯାର, ମନମଥନୀ ତୁ ଅଟୁ ତାହାର,

ଜାଈଫୁଲ ରେ, ଶଶିହାସୀ ରାମାବର ।୨୫।

 

ଜୀବନଜବଦନାକୁ, ଜୀବନ ଯତନେ ବିକି ଦେଇଅଛି,

ଜାଈଫୁଲ ରେ, କି ଡର କାମ ଛାରକୁ ।୨୬।

 

ରତିକର ତୁଳା ତୋର, ରତି କରକରଦନା ଊଣାହେବ,

ଜାଈଫୁଲ ରେ, ସମ କେ ଅଛି ସଂସାରେ ।୨୭।

 

ଲକ୍ଷ ଦେବୀ ସେବା କରି, ଲକ୍ଷ୍ୟ ଦେବି ତୋତେ ବିଚାରି କବିଏ,

ଜାଈଫୁଲ ରେ, ନ ପାଇଲେ ତିନି ପୁରୀ ।୨୮।

 

ବଳିଆଇ କହି ଧନ, ବଳିଆଈ ଶୂର ରଖି ଜୀବନରେ,

ଜାଈଫୁଲରେ, ତୋ ଅଧର ସୁଧାପାନ ।୨୯।

 

ସାରସଗତି ମହିଳା, ସାରସଙ୍ଗତ ପାଇ ମୁହିଁ ନିରତେ,

ଜାଈଫୁଲ ରେ, ଭାବେ ହେଉଥାଏ ଭେଳା ।୩୦।

 

ସୁବରନକୁ ତୋହର, ସୁବରନ ସରି ନୋହିଣ ଅନଳେ,

ଜାଈଫୁଲ ରେ, ଦହୁଅଛି ତା ଶରୀର ।୩୧।

 

ସୁରମଣୀ ପାଶେ ଥିଲେ, ସୁରମଣି ପଦ ବଳାତ୍କାରେ ମୋର,

ଜାଈଫୁଲ ରେ, ପଡ଼ିଥାଏ ପାଦ ତଳେ ।୩୨।

 

ହରବର ପାଇ କେତେ, ହର ବର ପାଇ ପାଇଲି ତତେ,

ଜାଈଫୁଲ ରେ, ନ ଥିଲା ମନେ ପରତେ ।୩୩।

 

କ୍ଷିତି ପହଞ୍ଚିବା ଭାବ, କ୍ଷିତିପ ହରିଚନ୍ଦନ କହେ ତତେ,

ଜାଈଫୁଲ ରେ, ଦେଖି ଦିବକୁ ତେଜିବ ।୩୪।

 

ନଖ ଯାହାର, ନିଶାରେ - ଅନୁରାଗାଧିକ୍ୟରେ, ନିଶାରେ - ରାତିରେ, ଟୀକା - ଟେକ, ବଡ଼ିମା; ଅବଧ ରିପୁ - ଦୁର୍ଜୟ ଶତ୍ରୁ, ନରବରସୁତା - ରାଜକନ୍ୟା, ନରବରଜ - ନରଶ୍ରେଷ୍ଠ, ଭାରତୀ - କଥା ଓ ସରସ୍ୱତୀ, ଜୀବନଜବଦନା - ପଦ୍ମମୁଖୀ, ରତିକର ତୁଳା - ଅତି ସାମାନ୍ୟ ଓଜନରେ, ସୁରମଣି - ଇନ୍ଦ୍ରମଣି ।

 

(୮)

କାମଦୁହା ଚଉତିଶା

ରାଗ-ପୂରବୀ

 

କିଶୋରୀଙ୍କ ବର ଯଦୁପତି, କରି ଚିର ପରବାସେ ସ୍ଥିତି ।

କୁନ୍ଦକଇରବହାସୀଙ୍କ ପୂରୁବ ରସବଶ ହୋଇ ଜଳପନ୍ତି ।

ଆରେ କଳଭାଷି । କୃଶୋଦରୀ କମନୀୟ ମୁଖଶଶୀ ।

କଳାକଲ୍ଲୋଳିନୀ କେଳିକଳହଂସୀ, କାମ ମଦିରା ମହତ୍ତ୍ୱ ସମୁଲ୍ଲାସୀ ।୧।

 

ଖଟଣି କିଙ୍କରଙ୍କର ମେଳେ, ଖଟିଥିବ ଯେ ତୋ ଖଟତଳେ ।

ଖମଣିମଣ୍ଡଳ ଜିଣି ଯିବା ଫଳ ଲୁଟିଯିବ ତା ଚରଣ ମୂଳେ ।

ଆରେ ଖେଳାଲୋଳା, ଖଞ୍ଜରୀଟରୁ ବଳେ ତୋ ନେତ୍ରଲୀଳା ।

ଖୁରିଅର୍ଦ୍ଧ ନ ଥାଇ ସ୍ନେହରେ ହେଳା, ଖଣ୍ଡପରଶୁ ମନମୋହନଶୀଳା ।୨।

 

ଗତିରେ ବିବିଧ ଭଙ୍ଗୀ ଭରୁ, ଗଜେନ୍ଦ୍ର ଗରବ ହେଳେ ହରୁ ।

ଗଗନ ସଲୀଳଚାରୀ ହଂସକୁଳ ଦିନଯାଏ ଡରି ମରୁ ମରୁ ।

ଆରେ ଗଣ୍ଠିଧନ, ଗୁଣବତୀ ମୁଁ ଚାତକ ନବଘନ ।

ଗତରସ ହେଲା କେତେ ସୁଖମାନ, ଗର ଗିଳିବାକୁ ହେଉଅଛି ମନ ।୩।

 

ଘଟପୀନସ୍ତନା ଚାରୁ ବେଣୀ, ଘେନାଘେନି କେତେ ଜାଣୁ ପୁଣି,

ଘୋରତର ସ୍ମରପ୍ରତାପ ସାଗର ମଧ୍ୟରୁ ତୁ ମୋର ଉଦ୍ଧାରିଣୀ ।

ଆରେ ଘନକେଶା, ଘନଜଘନା ମହୀମଣ୍ଡନ-ବେଶା ।

ଘୋରା ଶ୍ରୀଖଣ୍ଡବାସିନୀ ବରଯୋଷା, ଘାରି ପକାଇଛି ତୋ ବିଚ୍ଛେଦଦଶା ।୪।

 

ନ ପାରେ ମା ବୋଲି ଅଡ଼ୁଥାଉ, ନମ୍ରେ କରଯୁଗ ଯୋଡ଼ୁଥାଉ ।

ନିଶ ପରି ଗେଲେ ମୋଡ଼ୁଥାଉ, ହସି ନତନୁ ଲଢ଼ାଇ ଲୋଡ଼ୁଥାଉ ।

ଆରେ ନତ ଅଙ୍ଗୀ, ନୂଆ ବୟସୀ ନର୍ମଚଞ୍ଚଳାପାଙ୍ଗୀ ।

ନେତ୍ର ବରଛି ତୁ ଏକା ଜାଣୁ ଫିଙ୍ଗି, ନାହିଁ କରିବାରେ ଥାଏ କେତେ ଭଙ୍ଗୀ ।୫।

 

ଚରଣୁ ଚିକରୁ ଯାଏ ତୋର, ଚୁମ୍ୱିବାରେ ଚିତ୍ତ ଥାଏ ମୋର,

ଚେତା ବିହୀନେ ପହୁଡ଼ିଥାଉ, ଚେଳ ଚୋରାଇ ମୁଁ କରେ ଦିଗମ୍ୱର ।

ଆରେ ଚନ୍ଦ୍ରମୁଖୀ, ଚେତି ଚମକି କି ଲାଜେ ବୁଜୁ ଆଖି ।

ଚେଳ କରୁ ମୋତେ ମୋ ଅଙ୍ଗରେ ଲାଖି, ଚକ୍ଷୁଇଷ୍ଟଅଙ୍ଗ ନ ପାରଇ ଦେଖି ।୬।

 

୮। ଟୀକା - କୁନ୍ଦକୈରବହାସୀ - କୁନ୍ଦଫୁଲ ଓ କଇଁଫୁଲପରି ହାସ ଯାହାର, ଖଟଣୀ - ସେବା, ଖୁରିଅର୍ଦ୍ଧ - ମୁହୂର୍ତ୍ତମାତ୍ର, ଗର - ବିଷ, ଘୋରା ଶ୍ରୀଖଣ୍ଡବାସିନୀ - ଘୋରା ହୋଇଥିବା ଚନ୍ଦନ ପରି ଯାହାର ଦେହ ବାସେ, ନର୍ମ - ପରିହାସ, ଚିକୁର - କେଶ, ଚେଳ - ବସ୍ତ୍ର, ଦିଗମ୍ବର - ବସ୍ତ୍ରଶୂନ୍ୟ

 

ଛଣା ପୀୟୁଷ ସଦୃଶ ରସେ, ଛପିଥାଏ ଲାଜ କି ବିଳାସେ,

ଛ ଚାରିଦିଗ ସୁନ୍ଦର ଦିଶୁଥାଏ, ଛଇଳା ଲାବଣ୍ୟ ପରକାଶେ ।

ଆରେ ଛବିନିଧି, ଛାମୁ ଛାଡ଼ିବାକୁ କଲା ମନ୍ଦ ବିଧି ।

ଛେଚି ହୋଇବାକୁ ଜାତ ହୁଏ ବୁଦ୍ଧି, ଛେଲ ମାରି ହେବି ରହିଥାଉ ସିଦ୍ଧି ।୭।

 

ଜପାମାଳା ତୁ ମୋ ସ୍ୱବିନାସୁ, ଯେତେବେଳେ ନିକୁଞ୍ଜକୁ ଆସୁ,

ଜଙ୍ଗମ ହେବାର ଜମ୍ବୁନଦ ସାର ଜଗତଜୀବା ତୁ ପରି ଦିଶୁ ।

ଆରେ ଜବାଧରା, ଜମ୍ଭାରାତି ମଣି ନୀଳତର ତାରା ।

ଜମ୍ୱୁନଦ ଧରାଧର ପୟୋଧରା, ଜକାଜକି କଉତୁକ ଧୁରନ୍ଧରା ।୮।

 

ଝୁଲି ଝୁଲି ଚାଲୁ ମୋଦ ମଦେ, ଝୁମୁ ଝୁମୁ ତୋ ଝୁଣ୍ଟିଆ ନାଦେ ।

ଝଟତି ନିର୍ଜରପ୍ରଭୁ – ଶିରୀ ଶିର ଝରାକୁ ମୁଁ ଝୁଣ୍ଟିଯାଏ ପାଦେ ।

ଆରେ ଝଳି ଗୋରୀ, ଝୁଲି ଜାଣୁ ଭଲା ହେଳେ ମୋହ ପରି,

ଝଲକଇ ଝାଳବ୍ୟାଜ ସୁଧା ଝରି, ଝଟ ଝଟ ହେଉଥାଏ ଭୂଷା ଶିରୀ ।୯।

 

ନମ୍ରମୁଖେ ମଣିସାନୁ ଥାଏ, ନିକଟେ ପୀୟୁଷଭାନୁ ଥାଏ,

ନଥ ତୁଲେ ନାଟ ବାଦେ କରି ହଟ ବୁଲାକି ଝୁଲା କି ମାନୁଥାଏ ।

ଆରେ ନାରୀବର, ନୃତ୍ୟ କରୁଥାଏ ପୟୋଧରେ ହାର ।

ନେତ୍ରଦ୍ୱୟ ଏକା ସିନା ସାକ୍ଷୀ ମୋର, ନାଦେ ତୋଷୁଥାଏ ମଧ୍ୟ ଅଳଙ୍କାର ।୧୦।

 

ଟୋପି ଟୋପି ଝାଳ ଚୂର୍ଣ୍ଣ କେଶେ, ଟିକି ଟିକି ମୋତି ପରି ଦିଶେ,

ଟେକି ଟେକି ଘେନି ଯାଉଥାଉ ସ୍ୱର୍ଗସୁଖ ବଡ଼ଭୀକି ବଡ଼ ରସେ ।

ଆରେ ଟଭାସ୍ତନା, ଟଳି ପଡ଼ୁଥାଏ ମୋର ବିବେଚନା ।

ଟାଣି ଘେନିଯାଉ ହେଳେ ମୋ ବେଦନା, ଟିକାୟିତ ତୁ ରସିକାଚକ୍ରେ ସିନା ।୧୧।

 

ଠ- ବର୍ତ୍ତୁଳ ମୁଖ ସୁଧାଧାମ, ଠାଣି ତ ତ୍ରିଲୋକେ ନିରୁପମ,

ଠୁଳ ହେଉଥାଏ ଥରେ ଥରେ ନେତ୍ର ନୀଳକୁଞ୍ଜ ବୁଜା ଶୋଭାସ୍ତୋମ ।

ଆରେ ଠିକହାସି, ଠକପଣ ପୁଣି କିଛି ଥାଏ ମିଶି ।

ଠଉରାଇବ କେ ତୋ ବିଭ୍ରମରାଶି, ଠାର ନେତ୍ରାନ୍ତ ମନେମୋହନପାଶୀ ।୧୨।

 

ଜମ୍ବୁନଦଧରାଧର - ମେରୁପର୍ବତ, ନିର୍ଜର ପ୍ରଭୁ - ଇନ୍ଦ୍ର, ମଣିସାନୁ - (ଏଠାରେ) ତତ୍ ସଦୃଶ କୁଚ, ବଡ଼ଭୀ - ଚନ୍ଦ୍ରଶାଳା, ରସିକାଚକ୍ରେ - ରସିକାସମୂହରେ, ଟିକାୟିତ - ସମ୍ଭ୍ରାନ୍ତ, ଶୋଭାସ୍ତମ - ଶୋଭାସମୂହ, ଚିଲ୍ଲୀ - ଭ୍ରୂଲତା, ଶୋଭାଧର - ରକ୍ତବର୍ଣ୍ଣ ଓଷ୍ଠ, ଅସିତ - କୃଷ୍ଣ,

 

ଡରୁଆଟି ପରି ଟେକି ଚିଲ୍ଲୀ, ଡେରି କର୍ଣ୍ଣପାଶ ନ ଚହଲି ।

ଡାକିଲେଣି ସଖୀ ଦେଉଅଛି ରଖି ଏସବୁ ଏତିକି ହେଉ ବୋଲି ।

ଆରେ ଡାକିବଟି, ଡିଆଁ ମାରି ଯିବାକୁ ବସନ୍ତେ ହଟି ।

ଡକା କରଇ ମୁଁ ବନ୍ଧୁ ସରିଲିଟି, ଡୋଳା କରାଉ ଅପାଙ୍ଗତଟି ନଟୀ ।୧୩।

 

ଢାଳି ଅନୁକମ୍ପା ରସଝର, ଢୁକାଇ ମୋ ଉରେ ପୟୋଧର ।

ଢୋକେ ଢୋକେ କରି ପିଆଉ ନାଗରୀମଣି ଅତି ସ୍ୱାଦୁ ଶୋଣାଧର ।

ଆରେ ଢଳାଡୋଳା, ଢାଙ୍କି ପକ୍ଷୁ ଫେଡ଼ି ପୁଣି ରଚୁ ଖେଳା ।

ଢକ୍‌କା ସ୍ମରଣେ ତୋ କିଙ୍କିଣୀମାଳା, ଢମ ଢମାଳୀ ଶ୍ରବଣେ ଅନୁକୂଳା ।୧୪।

 

ଅସିତ ତିଳକ ଲଲାଟରେ, ଅଳିକି ଅନାଇ ଅଳୀକରେ,

ଅମ୍ଳାନ ଶ୍ରୀମୁଖସରୋଜରେ ମୋତେ ଅଳି କର ବୋଲି ଅଳୀକରେ ।

ଆରେ ଅନିନ୍ଦିତା, ଅଙ୍ଗୀକାର କରୁ ହୋଇ ଆନନ୍ଦିତା ।

ଅନର୍ଗଳ ଅଧିକାର ପରିଚିତା, ଅନଳପ ସୁଖଦାନ କଳ୍ପଲତା ।୧୫।

 

ତୁଙ୍ଗସ୍ତନେ ମୋତେ କରଭୋରୁ, ତରଳ ମସାର ନିତି କରୁ,

ତରଶିଜାତଟ ତାପିଞ୍ଛ ବିଟପ ତଳେ ନ ସଞ୍ଚରୁ ନିନ୍ଦା ଡରୁ ।

ଆରେ ତନୁଦରି, ତାକ ତରକ ତୁ ଜାଣୁ କେତେ ପରି ।

ତୁଳା ତିଳକେ ତ୍ରିଲୋକେ ନାହିଁ ସରି । ତାପତମକୁ ତପନକର ଶିରୀ ।୧୬।

 

ଥାଏ ତ ରତେ ନିରତେ ମନ, ଥରେ ମୁଁ ସ୍ମରେ ପକାନ୍ତେ ଆନ,

ଥରୁଟିକୁ ଆଉ ଅଧିକ ନାହିଁଟି ଭାଷି ହସି କରୁ ଆଲିଙ୍ଗନ ।

ଆରେ ଥିରମତି, ଥାନ ବାକି ନ ରଖେ ମୋ ଚୁମ୍ୱତତି ।

ଥୋକେ ହେଲେ ଜିଣଇ କି ରତିପତି, ଥରି ଥରି ଭିଡ଼ୁ ମୋତେ କୁନ୍ଦଦନ୍ତୀ ।୧୭।

 

ଦୃଷ୍ଟିକୋଣ କରି ଅପଲକ, ଦେହବଲ୍ଲୀ କରି ସପୁଲକ

ଦୃଢ଼େ ମୋ ମଧ୍ୟକୁ ଉରୁଯୁଗେ ଭିଡ଼ୁ ପଦଭୂଷା କରି ବାବଦୂକ ।

ଆରେ ଦୁଃଖିଧନ, ଦୟାଜଳଧି-ମୀନ ମୁଁ ତୁ ଜୀବନ ।

ଦୂର ହୋଇଅଛି କେତେ ସୁଖମାନ, ଦୁଷ୍ଟ ଦଇବ କରିଛି ସିନା ଆନ ।୧୮।

 

ଧରିତ୍ରୀମଉଳିଜଚମ୍ପାଗଭା, ଧରି ତ୍ରିଲୋକମୋହନ ଶୋଭା,

ଧୃତିକୁ ତୁ ସିନା ଧମକାଇ ଜାଣୁ, ଧୂର୍ଜଟିପରବଲ୍ଲଭାନିଭା,

ଆରେ ଧୀରାବର, ଧୀରାଧରି କଲେ ରମ୍ୟ ପୟୋଧର,

ଧରାଧର ପରି ଲାଗେ କି ଦୁର୍ଦ୍ଧର, ଧାରାଧରନୀଳଚେଳ କି ସୁନ୍ଦର ।୧୯।

 

ନାନାବନ୍ଧେ ରସୁ ମୋର ଚିତ୍ତ, ନିଶ୍ଚେଁ ଯେବେ ବୋଲେ ମୋ ଶପତ,

ନଖି ନଖି ଦେଖ ବୋଲି ମୋର ସୁଖ ବରଧନା ହେଉ କି ସଂଯତ,

ଆରେ ନଳିନାକ୍ଷି, ନେତ୍ର ମନ ଦୁହେଁ ସେ ସମୟ ସାକ୍ଷୀ,

ନିତି ମାତି ମତେ କରୁ ଯେଡ଼େ ସୁଖୀ, ନିରନ୍ତରେ ତା ମାନସେ ଅଛି ରଖି ।୨୦।

 

ଅଳିକି - ଭ୍ରମରକୁ, ଅଳି କର - ପ୍ରାର୍ଥନା କର, ଅଳୀକରେ - ମିଛରେ, ତରଳ ମସାର - ହାର ମଧ୍ୟରେ ନୀଳମଣି, ତନୂଦରି - ହେ କ୍ଷୁଦ୍ର ଉଦରଧାରିଣୀ, ଆନ - ଗୁଣ, ଜୀବନ - ଜଳ, ଧୂର୍ଜଟିପରବଲ୍ଲଭାନିଭା - ରତିସଦୃଶୀ, ଦୁର୍ଦ୍ଧର - କର୍କଶ, ଧାରାଧରନୀଳଚେଳ - ମେଘପରି କୃଷ୍ଣବସ୍ତ୍ର,

 

ପ୍ରଣୟର ପର୍ଯ୍ୟାଲୋଚନାରେ, ପୂରିଥାଏ କୃପା ଲୋଚନରେ,

ପସନ୍ଦ ପଡ଼ିବ ବୋଲି ସିନା ମାତ୍ର ପରଦା ବନ୍ଧାଉ ବଚନରେ ।

ଆରେ ପ୍ରେମଶୀଳା, ପ୍ରିୟମ୍ୱଦା ତୁହି ମୋ ନେତ୍ରପିତୁଳା ।

ପୁଷ୍ପହାସୀ ତୁହି ଜାଣୁ ପ୍ରୀତିତୁଳା, ପୁଷ୍ପଦଳ ଉତ୍ପଳ ତୋ ତନୁ ତୁଳା ।୨୧।

 

ଫଟା କପାଳେ ତ ଅଛି ଲେଖା, ଫେରିଯାଇ ନୋହିବାକୁ ଦେଖା,

ଫେର ଲାଗି ଚେଳଗ୍ରନ୍ଥି କାହୁଁ କୋଳ କରିବି ନାହିଁ ଏ ଶୁଭ ଲେଖା,

ଆରେ ଫନ୍ଦାଧନ ଫରୁଆରୁ ଫିଙ୍ଗିଦେଲି ମୁଁ କାଞ୍ଜନ ।

ଫୁଲବନବିହାରିଣୀ ମୋ ଜୀବନ, ଫେରି ଚାହିଁବା ଚାହାଣୀ କି ମୋହନ ।୨୨।

 

ବକୁଳବଲ୍ଲୀ ନିଳୟ ବନେ, ବେଢ଼ିଥିଲେ ସହଚରୀମାନେ,

ବାସନ୍ତିକ ଦଳ ବହଳ ବିଛଣା ବିଜେ ବେଳ ଜାଣି ଅନୁମାନେ ।

ଆରେ ବିଧୁମୁଖି, ବେଶ ଫେରାଇଥିଲି ତ ଦୂରୁଁ ଦେଖି ।

ବଡ଼ ବାଲିଶ ପଛେ ରହିଲି ଲାଖି, ବୀଣା ଦେଲା ତୋ ଶ୍ରୀହସ୍ତେ ଏକ ସଖୀ ।୨୩।

 

ଭର୍ମଦେହା ସରସିବ୍ରଜ, ଭ୍ରମରବର ମୋହନରାଜ,

ଭଣି ଗୀତେ ଏତେ ଆଳାପନ୍ତେ ମତେ ଭୂଷିଦେଲା ଭାଲେ ଝସଧ୍ୱଜ ।

ଆରେ ଭୀରୁବର, ଭୁଷୁଡ଼ାଇ ଦେଇ ଫୁଲ ଅପସର ।

ଭୁଜେ ଭିଡ଼ି ଚୁମ୍ୱିଲି ସହସ୍ର ଥର, ଭାଜିଗଲା ସେ ସଙ୍ଗୀତ ଆଡ଼ମ୍ୱର ।୨୪।

 

ମହାରାଜ ଉପଚାର ଖଟି, ମାତିଥିଲେ ଯେତେ କୃଶକଟୀ,

ମୁଦିର ଶେଷରୁ ହଂସୀ ମାନସରୁ ହେଲା ପରି ହେଲେ ଗୋଟି ଗୋଟି ।

ଆରେ ମଦାଳସୀ, ମଜ୍ଜି ଲାଜେ ମୋ ତନୁରେ ଗଲୁ ମିଶି ।

ମନରଥ ରଣେ ହାରିଗଲା ଖସି, ମହୀ ଚୁମ୍ୱିଦେଲା ଶେଫାଳିକା ଖସି ।୨୫।

 

ଯୁକ୍ତିପଣ୍ଡିତାରେ ରତିପତି, ଯାନଜିତ ରାଜହଂସଗତି ।

ଯମକ ଶୃଙ୍ଗାର ରସ ବିଭବର ତୁହି ବୋଲି ହୁଏ ମୋ ପ୍ରତୀତି ।

ଆରେ ଯୋକ୍ଷାବର, ଯତିମୋହନ ବର୍ତ୍ତୁଳ ପୟୋଧର ।

ଯତ୍ନ କରି ସାଜିଥାଉ ଉରେ ହାର, ଯଥାର୍ଥରେ ସୁଖଦାତା ଅଟୁ ମୋର ।୨୬।

 

ରତିଶେଷ କାଳ ଚାଲି ଶିରୀ, ରହିଛି ମୋ ନେତ୍ରଯୁଗେ ପୁରି,

ରସପ୍ରସଙ୍ଗରୁ ରଥାଙ୍ଗଭଙ୍ଗରୁ ମନ୍ଥର ମନ୍ମଥରଥ ପରି ।

ଆରେ ରସିକାଟି, ରଙ୍ଗସ୍ଥଳୀ ମୋ ମନ ତୁ ଲାସିକାଟି ।

ରମ୍ଭା ରତି ଦ୍ୟୁତି ପରହାସିକାଟି, ରୋଷେ କେ ଦେଲା ମୋ ଆଶାରସି କାଟି ।୨୭।

 

ଲୁଗାଲାଗିକାଳେ ଦିନେ ମୋଦେ, ଲୁଚି ଦେଖୁଥିଲି ଅପ୍ରମାଦେ,

ଲଗଡ଼ ଉରୋଜ ବିଲୋକେ ସ୍ୱୟମ୍ଭୂ ଶମ୍ଭୁ ସ୍ତବ ପଢ଼ିଦେଲି ପଦେ ।

ଆରେ ଲୀଳାବତୀ, ଲାଜେ ରସନାରେ ରଖି ରଦମୋତି,

ଲୋଳେ ପଳାଇବାକୁ ବଳାନ୍ତେ ମତି, ଲୋଭେ ଭିଡ଼ି କରାଇଲି ଅଙ୍କେ ସ୍ଥିତି ।୨୮।

 

ବୋଇଲି ବସ ରେ ରସବତି, ବସନ ତ ପିନ୍ଧୁଥାଉ ନିତି,

ବିବସନ ଶିରୀ ଦିବସେ ଏପରି ଦେଖିଲେ ନ କାଟେ ସ୍ମରହେତି ।

ଆରେ ବିମ୍ୱାଧରା, ବିଶ୍ୱ ଲାବଣ୍ୟସାରସମ୍ଭାର – କାରା ।

ବରଷିଲୁ ଶୁଣି ସ୍ମିତ ସୁଧାଧାରା, ବକ୍ଷେ ଜମାଇଲୁ ତହୁଁ ଫେଇ ହାରା ।୨୯।

 

ଶୃଙ୍ଗାରକୁ ତ ମୁଁ ରଙ୍ଗ ପରି, ଶଶଧରକୁ ସୁରଙ୍କ ପରି,

ଶିରୋଗର୍ଭ କରୁ ଶୋଣକଞ୍ଜନିଭ ଚରଣ ଯାଏ ଚୁମ୍ବିଲି ଧରି ।

ଆରେ ଶଶିହାସି, ଶୀତପ୍ରବାହେ ଗଲାଇଁ ଦୁହେଁ ଭାସି ।

ଶିରୀ ମଘବାର ହୋଇଗଲା ଦାସୀ, ଶର୍ମ ଏପରି ସ୍ୱପ୍ନ ହୋଇଲା ଆସି ।୩୦।

 

ଷଟ୍‌ପଦଚୁମ୍ୱିତ ପୁଷ୍ପପୁଞ୍ଜେ, ଷଟଋତୁ ରମାପୂର୍ଣ୍ଣ କୁଞ୍ଜେ,

ଷଡ଼ାନନତାତ ପରିପନ୍ଥି- ରଣେ ଚୁମ୍ୱିବି ନିକି ତୋ ମୁଖକଞ୍ଜେ ।

ଆରେ ଷୋଳବୟା, ଷଷ୍ଟି ଦଣ୍ଡ ହୋଇବି ତୋ ତନୁଛାୟା

ସରୁ ପାୟେ ହେବୁ କୃତ ପରିଚୟା, ଷଟ ଦୁଇ ଶ୍ରୁତି କରିବେ କି ଦୟା ।୩୧।

 

ସୁନ୍ଦରୀ ଚକ୍ରବର୍ତ୍ତିନୀ ବାନା, ସଂସାରେ ସୁନ୍ଦର ତତେ ସିନା

ସୁରସୀମନ୍ତିନୀ ଗୁଡ଼ାକ ତ ଅନିମିଷ ଦୋଷୁ ନେତ୍ରଲୀଳାହୀନା

ଆରେ ସୃଷ୍ଟିଶୋଭା, ସରେ ଉପମା ତୁ ହୋଇଥିଲେ ଉଭା ।

ସରୁ ମଧ୍ୟମା ତ୍ରିଲୋକୀ ଶିରଗଭା, ସରସ୍ୱତୀଙ୍କର ତୁ ସଙ୍ଗୀତ ସଭା ।୩୨।

 

ହସି ମାତି ହୋଇ ରସଲୋଳ, ହରିବା ପୁରୁବ ପରି କାଳ ।

ହରିତାଳଗୋରୀ ଶ୍ରୀଅଙ୍ଗରୁ ମୁହିଁ ହରିବି କି ସତେ ନୀଳଚେଳ ।

ଆରେ ହାତୀଗତି, ହତକପାଳ ଦେବ କି, ସମ୍ପତ୍ତି ।

ହାରସ୍ଥଳେ ରଖୁଥିବି ତତେ ନିତି, ହଜିଯିବ ମାନସରୁ ଏ ବିପତ୍ତି ।୩୩।

 

କ୍ଷୋଭ ଲେଶକୁ ନ ରଖି ମନେ, କ୍ଷଣେ ହେଲେ ଅତି ସାବଧାନେ,

କ୍ଷିତୀନ୍ଦ୍ର ବାଲୁକେଶ୍ୱର ଦେବ ଲୋକେ ବଞ୍ଚିବ କି ତୋ ଚରଣ ଧ୍ୟାନେ ।

ଆରେ କ୍ଷିତିଭୂଷା, କ୍ଷମାମୟୁଖବଦନା ବରଯୋଷା ।

କ୍ଷତି ହୋଇଯାଉଛି ମୋ ପ୍ରତି ଆଶା, କ୍ଷୁଣ୍ଣ ନୋହି ପୂରିଲା ଏ ଚଉତିଶା ।୩୪।

 

ବାଲିଶ - ତକିଆ, ଭର୍ମଦେହା - ସ୍ୱର୍ଣ୍ଣବର୍ଣ୍ଣ ଗୌରାଙ୍ଗୀ, ମୁଦିର - ବର୍ଷାକାଳ, ମାନସରୁ - ମାନସରୋବରରୁ, ଯମକ - ପୁନରାବୃତ୍ତି ସ୍ଥଳ, ରଥାଙ୍ଗ - ଚକ, ଲାସିକା - ନୃତ୍ୟକାରିଣୀ, ରସି - ଦଉଡ଼ି, ଲଗଡ଼ - ଦୃଢ଼ସଂଲଗ୍ନ, ରଦମୋତି - ଦାନ୍ତରୂପ ମୋତିକୁ ରସନାରେ ରଖି ଅର୍ଥାତତ୍ ଜିଭ କାମୁଡ଼ି ଦେଇ, ସ୍ମରହେତି - କନ୍ଦର୍ପଅସ୍ତ୍ର, ଶିରୋଗର୍ଭକ - କେଶ, ଶୋଣକଞ୍ଜନିଭ - ରକ୍ତପଦ୍ମ ସଦୃଶ, ଶାତ - ସୁଖ, ଶିରୀମଘବାର - ଇନ୍ଦ୍ରସମ୍ପତ୍ତି, ଶର୍ମ - ସୁଖ, ଷଷ୍ଟିଦଣ୍ଡ - ସମଗ୍ର ଦିବା ଓ ରାତି, ଷଟ୍ ଶ୍ରୁତି - ବ୍ରହ୍ମାସୁରସୀମନ୍ତିନୀ...ଲୀଳାହୀନା - ଦେବ ଲୋକରେ ସ୍ତ୍ରୀମାନଙ୍କର ଚକ୍ଷୁରେ ନିମେଷ ପାତ ହୁଏ ନାହିଁ, କ୍ଷପାମୟୂଖ - ଚନ୍ଦ୍ର ।

 

(୯)

ସର୍ପ ଜଣାଣ

ରାଗ-କାମୋଦୀ

 

ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡ ଦିଅ ଟାଳି ।

ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି ହେ କୃପାନିଧି ।

କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରି ମରି ।

କାଳସର୍ପ ଆପଣ, କବଳ କର ପ୍ରାଣ - ପବନମାନଙ୍କୁ ସବୁରି ହେ କୃପାନିଧି ।୧।

 

ଜଳଧିଅନ୍ତେ ନିଜ, ଘର ଦେବାଧିରାଜ, ବୁଡ଼ାଇ ଦେଇଛ ଆପଣ ।

ତୁମ୍ଭରି ସିନା ଘେନ, ଆଶ୍ଚର୍ଯ୍ୟ ନୁହେଁ ଆନ, ଜନର ଘରବୁଡ଼ାପଣ ହେ କୃପାନିଧି ।

ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ,

ମୁଁ ନୁହେଁ ଘରବୁଡ଼ା, ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ କୃପାନିଧି ।୨।

 

ତାହାକୁ ବୋଲି ଚକ୍ରୀ, ଚକ୍ରଥିବାରୁ ଚକ୍ରୀ, ତୁମେ ତ ବୋଲାଅ ମଣ୍ଡଳେ ।

ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ କୃପାନିଧି ।

ଅଦୃଶ୍ୟ ହେବାରୁ ତ ପାଦ, ତାହାକୁ ବୋଲି ଗୃଢ଼ପଦ ।

ଆପଣା ଚରଣ ତ ବିରଞ୍ଚିକୁ ଗୁପତ କାହିଁ ତାଠାରୁ ତୁମ୍ଭ ଭେଦ ହେ କୃପାନିଧି ।୩।

 

ହେବ ବା ଅବଧାନେ, ତାହାକୁ ତ୍ରିଭୁବନେ, ବୋଲନ୍ତି କାକୋଦର ନରେ ।

ଏ ତ୍ରିପିଷ୍ଟପଯାକ ମଧେ ଗୋଟିଏ କାକ ନାହିଁ କି ତୁମ୍ଭରି ଉଦରେ ହେ କୃପାନିଧି ।

ବିବରେ ସେ ଅତି ଲମ୍ପଟ, ବିବର ବିହଙ୍ଗମ ରାଟ, ବିଧିରେ ସେ ଲମ୍ପଟ,

ଆପଣ ସେ ତ ପଟପଟଳେ ହୋଇଅଛ ସ୍ଫୁଟ ହେ ମହାପ୍ରଭୁ ।୪।

 

କାନ ନ ଥାଇ ଆଖି, ଭୁଜଙ୍ଗଠାରେ ଦେଖି, ନୟନାଶ୍ରବା ବୋଲି ତାକୁ ।

କହ କମଳାନନ କାହିଁଛି ତୁମ୍ଭ କାନ, ସର୍ପ ବୋଇଲେ ଚଳିବାକୁ ହେ କୃପାନିଧି ।

ଫଣିକାୟାକୁ ବୋଲି ଭୋଗ, ଥିବାରୁ ସେ ଦୁଇ ସଂଯୋଗ,

ତାହାକୁ ବୋଲି ଭୋଗୀ ତୁମ୍ଭ କି ନୁହଁ ଭୋଗୀ କରୁ ଯା ଅଛି ମହାଭୋଗ, ହେ କୃପାନିଧି ।୫।

 

ଯେବେ ଭୁଜଙ୍ଗ ନୁହ, କାଳିୟଠାରେ ଦ୍ରୋହ କଲ କାହିଁକି ଏଡ଼େ କରି ।

କେତେ ନ ଥିଲେ ଗୋପେ, ତୁମ୍ଭେ କାହିଁକି କୋପେ, ତାହାକୁ ଦେଲ ପ୍ରାଣେ ମାରି ହେ କୃପାନିଧି ।

ତାହାରି ନାମେ ତୁମ୍ଭ ନାମ, ଅଦ୍ୟାପି ହୋଇଛି ଜନମ, ଯେବେ ସ୍ଵଗୋତ୍ର ଦ୍ରୋହ,

ନ ଥାନ୍ତା ନାଥ କହ କିପାଇଁ ହୁଅନ୍ତା ଏ କ୍ରମ ହେ ମହାପ୍ରଭୁ ।୬।

 

ଜାଣି ବାଳୁତକାଳୁ, ଲବଣୀ ହାଣ୍ଡିତଳୁ, ଧରି ପାଶରେ ଦୃଢ଼େ ଭିଡ଼ି ।

ଦୟା ନ କରି ତିଳେ, ଯାମଳା ତରୁତଳେ ଜନନୀ ନେଇ ଦେଲେ ଛାଡ଼ି ହେ କୃପାନିଧି ।

ଯେତେକ ଥିଲା ଗର୍ଭ ପଡ଼ି, ଜୀର୍ଣ୍ଣ ହେବାକୁ ହେଲ ଭିଡ଼ି, ତିନି ଜଗତ ଯାକେ,

ଜାଣି ତ ଥିବେ ଲୋକେ ସେ ତରୁ ଯିବାର ଉପୁଡ଼ି, ହେ କୃପାନିଧି ।୭।

 

ବ୍ରହ୍ମା ଶଙ୍କର ମୁଖ୍ୟ, ଦେବଙ୍କଠାରୁ ମୋକ୍ଷପ୍ରଧାନ ଧନ ଗୁତା କଲେ ।

ପତିତକୁ ନ ପୋଷି, -ବାରୁ କ୍ରମରେ ଆଶୀ-ବିଷ ପରାଏ ଆଭାସିଲ ହେ କୃପାନିଧି ।

ଅସାବଧାନେ ଗଲେ ମିଳି, ଗୋଟିକୁ ଗିଳଇ କୁଣ୍ଡଳୀ,

ଅଗଣିତ ବ୍ରହ୍ମାଣ୍ଡ ହାଣ୍ଡିମଣ୍ଡଳୀ ରୁଣ୍ଡ କରି ଆପଣ ଅଛି ଗିଳି ହେ କୃପାନିଧି ।୮।

 

ଅହି ତ ବୋଲାଏ ସେ, ଏକ ଅକ୍ଷର କୋଷେ, ‘ଅ’ ହିତ ବୋଲାଅ ନିପୁଣ ।

କଂସ ପ୍ରମୁଖାସୁର ବିପକ୍ଷମାନଙ୍କର ଅହିତ ହୋଇଛି ଆପଣ ହେ କୃପାନିଧି ।

ଜଗତେ ଧରି ଯେବେ ଅହି, ଘଟ ଗୋଟିକେ ନେଇ ଥୋଇ, ଅଛି ଯାବତ ଘଟେ,

ବଞ୍ଚାଅ ଯେ କପଟେ, ମୋର ହାବୁଡ଼ୁ ଯିବ କାହିଁ, ହେ କୃପାନିଧି ।୯।

 

କେଉଁ ଶିଶୁ କାମିନୀ ସ୍ତନ୍ୟପାନରୁ ଘେନି ଜୀବନ ଯାଇଛି ଜଗତେ ।

ଶୋଷି ପୂତନା ପ୍ରାଣ, ଘେନିବାର ଜୀବନ, ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ, ହେ କୃପାନିଧି ।

ସକଳ କଥା ମୋର ଦେଖି, ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ, ବ୍ରଜେ ଭୁଜଙ୍ଗ ଚାଲି,

କରି ମୁଁ ନାହିଁ ବୋଲି, ଛୁଆଁ ତ ଥରେ ଚକାଆକ୍ଷି ହେ କୃପାନିଧି ।୧୦।

 

ନୁହେ ଆବାସ ଘର, ମାନସ ସରୋବର ଶୁଭିଲା ନାଗେଶ୍ୱର ରବ ।

କ୍ଷଣେ ନ ରହି ଧାଇଁଗଲଟି କାହିଁପାଇଁ, ଆଉ ନ ଥିଲେ କେତେ ଦେବ ହେ କୃପାନିଧି ।

ମନ୍ତ୍ର ଜାଣିବା ଲୋକେ ବଶ, ହୁଅନ୍ତି ସବୁ ଆଶୀବିଷ, ମନ୍ତ୍ରାଧୀନ ତ ତୁମ୍ଭେ,

ବଞ୍ଚାଉଅଛ ଦମ୍ଭେ, ଭୁଜଙ୍ଗ ନୁହ ଆଉ କିସ, ହେ କୃପାନିଧି ।୧୧।

 

କହଇ କବିସୂର୍ଯ୍ୟ ନାଥ ନୁହ ଅଧୈର୍ଯ୍ୟ ଏଣିକି ମହତ ନ ଯାଉ ।

ମୁଁ ତୁମ୍ଭ ପରିଚାର, ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ, ହେ କୃପାନିଧି ।

ଯେତେବେଳେ ମୋ ଅନ୍ତ ହେବ, ଏତିକି ମାତ୍ର ମୋତେ ଦେବ,

ପରେତରାଟଦ୍ଵାର-ସୀମାରୁ ପରିହାର କରାଇ ଯହିଁ ତହିଁ ନେବ ହେ କୃପାନିଧି ।୧୨।

 

୯। ଟୀକା - କବଳ କର ପ୍ରାଣପବନମାନଙ୍କୁ ସବୁରି - ସମସ୍ତଙ୍କର ପ୍ରାଣରୂପ ପବନକୁ ନେଇଯାଅ । (ସର୍ପ ପକ୍ଷରେ - ସର୍ପ କେବଳ ପବନ ଖାଇ ବଞ୍ଚେ ।) କାକୋଦର - (କାକବକ୍ରଗାମୀ ଉଦର ଯାହାର) ସର୍ପ, ଶ୍ଳେଷାର୍ଥ ହେଲେ - କାକ - କୁଆ ଉଦରରେ ଯାହାର, ବିବର - ଗାତ, ଅନ୍ୟତ୍ର ବି ଅର୍ଥାତ୍ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଗରୁଡ଼, ପଟ - ଚିତ୍ର ଓ ସାପକାତି, ପଟଳ - ସମୂହ । ଗୁତା କଲ - ଏକଚାଟିଆ କଲ । ଅ - ବିଷ୍ଣୁ, ଅହିତ - ଶତ୍ରୁ, ଭୁଜଙ୍ଗ - ସର୍ପ ଓ ବିଟପୁରୁଷ, ନାଗେଶ୍ୱର - ହସ୍ତିଶ୍ରେଷ୍ଠ ଓ ସାପୁଆକେଳାର ବାଦ୍ୟଯନ୍ତ୍ର, ପରେତରାଟ - ଯମ ।

 

(୧୦)

ଜଗନ୍ନାଥ ଜଣାଣ

ରାଗ-ତୋଡ଼ିପରଜ

 

କ୍ଷୀରମୟ ସିନ୍ଧୁ-ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି ।

ଟେକି ସମଦୃଷ୍ଟିପତାକାକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ ।

କେ କି କଲା ମୁଁ ନ କଲି । କେ କି ଦେଲା ଅବା

ମୁଁ ଅବା ନ-ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ ।୧।

 

ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ ।

ଚରଣପଙ୍କଜ ସ୍ମରଣ ବିନା ସେ କିସ କରିଥିଲା ଆଉ ହେ ମହାପ୍ରଭୁ ।

କୁମ୍ଭୀର ଗ୍ରାସନ୍ତେ ଗାତ୍ର । ଜନେ କହିବାରେ

ଅନେକପ-ରଜା ମନେ କଲା ସିନା ମାତ୍ର ହେ ମହାପ୍ରଭୁ ।୨।

 

ନୃପସଭା ମଧେ ଅସ୍ଥିର ହୁଅନ୍ତେ ଦ୍ରୁପଦ ସୁତା ଆବର ।

ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣି ନାହିଁ ମୋର ହେ ମହାପ୍ରଭୁ ।

ହିତେ ଯେ ଥାଅ ନିରତେ । ଲାଞ୍ଚ ଦେଇଥିଲେ କାଞ୍ଚନନ

କେତେ କି ପାଞ୍ଚ ପଣ୍ଡୁରାଜ ସୁତେ ହେ ମହାପ୍ରଭୁ ।୩।

 

ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜୀକି ।

ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ ।

ଜଗତେ ତ ତାହା ଜଣା । ଅନ୍ଧକୁ ନେତ୍ର ମିଳିବାରୁ

ହୋଇଛି ଯଶ ଡିଣ୍ଡିମ ବାଜଣା ହେ ମହାପ୍ରଭୁ ।୪।

 

ନଳକୁବରଙ୍କ ଚରିତକୁ ବୁଧେ ବଳକୁ ଅଛନ୍ତି ଏବେ ।

ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛି ପରା ପୁରୁବେ ହେ ମହାପ୍ରଭୁ ।

ମୁନିଙ୍କ ଆଶ୍ରମ ଶିଳା । ତୁମ୍ଭଙ୍କୁ କି ଉପକାର କରି

ରୂପବତୀ ହୋଇ ବିଳସିଲା ହେ ମହାପ୍ରଭୁ ।୫।

 

କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୂପ ଆଚରିଲେ ।

ଗଳିତାଏ ଖୁଦ ନଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ ।

ଆଉ କେ କି କଲା କହ । କାହା କାମକୁମ୍ଭ ପୂରି ନାହିଁ

ତୁମ ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ ।୬।

 

ଅନନୁଗତ ତୋ ମନ ନୋହେ ବୋଲି ଆଜ୍ଞା ହେବ ଅବା ମୋତେ ।

ନାମ ସ୍ଵସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ ।

ଅଜାମିଳ ମହୀସୁର । କେଉଁ ସାବଧାନ ହୋଇ

ନାମଗାନ କରିଥିଲେ ସେ ତୁମ୍ଭର ହେ, ମହାପ୍ରଭୁ ।୭।

 

କବିରବି ରାୟଗୁରୁ ଯୋଡ଼ି କରଯୁଗକୁ ଛାମୁରେ କହେ,

ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ୍ତ ନୁହେଁ ହେ ମହାପ୍ରଭୁ ।

ସବୁ ତୁମ୍ଭ ଇଚ୍ଛା ସିନା, ରଖ ବା ନ ରଖ ।

ମୋହରି ଗତି ତ ପତିତପାବନବାନା ହେ ମହାପ୍ରଭୁ ।୮।

 

୧୦। ଟୀକା - ମୃଗୟୁ - ଶିକାରୀ, ବାଣୁଆ; ଅନେକପ - ରଜା - ଗଜରାଜ, ଦେବର୍ଷି ନାରଦଙ୍କ ଶାପରେ ନଳକୁବର ଯାମଳାର୍ଜ୍ଜୁନ ରୂପରେ ଜନ୍ମିଥିଲେ; କୃଷ୍ଣାବତାରରେ ଭଗବାନ୍ ତାହାଙ୍କୁ ଉଦ୍ଧାର କରିଥିଲେ - ଭାଗବତ କଥା; ଗଳିତାଏ - ପୋଷେ, ନଜର - ଭେଟି ।

 

(୧୧)

ମହାବାହୁ ଜଣାଣ ଚଉତିଶା

ରାଗ-କାମୋଦୀ

 

କମଳବାସିନୀପ୍ରାଣବାନ୍ଧବ ହେ ଆର୍ତ୍ତତ୍ରାଣ କମନୀୟ କଳାମୁଖଚନ୍ଦ୍ର ।

କମ୍ୱୁମଧ୍ୟପୁରୀ ନୀଳବସୁନ୍ଧରାଧରାଚୂଳ ଗୃହାଗୃହ ବିହାରୀ ପାରିନ୍ଦ୍ର ହେ । ମହାବାହୁ ।

କଉଣପକୁଳକ୍ଷୟଦକ୍ଷ, କୃପଣକାମିତ କଳ୍ପବୃକ୍ଷ, କହି ନୋହିବା କଦନ,

ସିନ୍ଧୁ ନିମଜ୍ଜନଜନ କର୍ଣ୍ଣଧାରବର ରକ୍ଷ ରକ୍ଷ ହେ ।୧।

 

ଖଣ୍ଡପରଷୁ ବନ୍ଦନ, ମୁରଲୀସୁସାବଧାନ ଖମଣିମଣ୍ଡଳମଧ୍ୟବାସୀ ।

ଖଗାଧିପଧ୍ୱଜ ବ୍ରଜ, ଖଞ୍ଜନନେତ୍ରାସମାଜ, ଚଞ୍ଚଳା କୌତୁକ ଅଭିଳାଷୀ ହେ । ମହାବାହୁ ।

କ୍ଷୀଣଜନଙ୍କର ଅନ୍ତଃସାର, ଖଣ୍ଡିତ ମେଦିନୀ ଭୟଭାର,

ଖରମୟୁଖର ପୁତ୍ର ଚରକର କରପତ୍ର ଦରିନିବାରଣ ଦୟା କର ହେ ।୨।

 

ଗହନେ ଗର୍ଭିଣୀ ଏଣୀ, ଗରିଷ୍ଠ ବିପଦ ପୁଣି, ଗୁହାରି ଗର୍ଭକ ସ୍ତୁତି କଲା ।

ଗୋତ୍ର ଅମିତ୍ରଙ୍କୁ ଫରମାସିବା ମାତ୍ରକେ ତାର କେଡ଼େ ବଡ଼ ଦର ଦୂର ହେଲା ହେ । ମହାବାହୁ ।

ଗୋପେ ଗୋବତ୍ସା ଗୋପିକା ଗୋପ, ଗ୍ରାସି ଦେଉଥିଲା ଶକ୍ର କୋପ,

ଗୋବର୍ଦ୍ଧନ ଗିରିଛତ୍ର, ଟେକି ଟେକି ପଦ୍ମନେତ୍ର ବିହିଲ ସେ ଉପତାପ ଲୋପ ହେ ।୩।

 

ଘନା ଘନଘଟା ଘୋର, ନୃଶଂସ ହିରଣ୍ୟାସୁର ବାଞ୍ଛି ନିଜ ତନୁକର ବଧ ।

ଘର୍ମାକ୍ତ ତୀବ୍ର କୋପରେ, ଘଟାଇଲା ତା ଉପରେ, ବଜ୍ରାଧିକ ଅନେକ ଆୟୁଧ ହେ । ମହାବାହୁ ।

ଘେନି ଯୁବାସିଂହ ଅବତାର, ଘାତ-ମାତ୍ରକରେ କରଜର,

ଘଟୀ ଅର୍ଦ୍ଧକରେ ଭକ୍ତ ପ୍ରହ୍ଲାଦର ଭୟମୁକ୍ତ, କଲ ପରା ତୁମ୍ଭେ ଚକ୍ରାୟୁଧ ହେ ।୪।

 

ନାଗନାଥକୁ ସଲିଳେ, ନକ୍ର ଆକର୍ଷିଲା କାଳେ, ଲକ୍ଷ୍ମୀ ଅକ୍ଷ ଖେଳେ ଥିଲ ମାତି ।

ନିରେଖି ସାରକୁ ଭଲେ, ନିମେଷ ମଧ୍ୟେ ଦେଖିଲେ, ନାଗାରି ହେବାର ଖର ଶ୍ୱାସୀ ହେ ମହାବାହୁ ।

ନକ୍ର କର୍ତ୍ତନରୁ ଚକ୍ରଧାର, ନିନ୍ଦୁଥିଲା ବନ୍ଧୁକ ପ୍ରକର,

ନିଖିଳ ଲୋକେ ଏ ଯଶ ନାଚୁଛି ହେ ଜଗଦୀଶ, ନୋହିଲାଟି କେଉଁ ଖ୍ୟାତି କର ହେ ।୫।

 

ଚତୁର୍ଦ୍ଦଶ ଲୋକେ ଯେଉଁ, ଚକ୍ରପରାକ୍ରମ ଗାଉଅଛନ୍ତି ଅଭୟ ପାଇ ନିତି ।

ଚକାନୟନ ହେ ସେହି ଚକ୍ରକୁ ଶ୍ରୀକରେ ବହି, ଚାହୁଁଛ ତ ମୋହର ବିପତ୍ତ ହେ, ମହାବାହୁ ।

ଚରାଚରେ ଚିତ୍ର ଅତି ହେଲା, ଚକୋର କି ଚକ୍ର ନ ପାଇଲା,

ଚିନ୍ତୁଛି ମୁଁ ଚିରଦିନ ହେବାରୁ ତାର୍କ୍ଷ୍ୟକେତନ, ଚିରାଳ କି ଚିରା ହୋଇଗଲା ହେ ।୬।

 

ଛଳଯତି ବେଶ ଧରି, ଛଦନ ଶାଳାରୁ ହରି ନେଲା ଯେ ଦେବୀକୁ ସୁରାମିତ୍ର ।

ଛେଦି ତାହାକୁ ମାର୍ଗଣେ, ଛିଦ୍ର କୁହା ବିଭୀଷଣେ, ଟେକାଇଲ ଆପଣେ ତ ଛତ୍ର ହେ, ମହାବାହୁ ।

ଛାର ଦୁଃଖ କେତେ ଅବା ମୋର, ଛାୟାନାଥ ତୁମ୍ଭେ ସେ ଅନ୍ଧାର,

ଛଦ୍ମେ ବଳିଦ୍ୱାର ଖର୍ବ ଦ୍ୱିଜେନ୍ଦ୍ର ବେଶେ ତା ପର୍ବ ଛଡ଼ାଇଲ ପରମଈଶ୍ୱର ହେ ।୭।

 

ଜଗତେ ଜାଣନ୍ତି ଜନ, ଯାହା କଲା ଦୁଃଶାସନ, ଦ୍ରୁପଦ ଜେମାକୁ ସଭାତଳେ,

ଜଳଜ ଚରଣେ ସ୍ତୁତି କଳ୍ପିବାରୁ ମହାସତୀ, ପ୍ରତିଷ୍ଠା ତୁଟିଲା ନାହିଁ ତିଳେ ହେ, ମହାବାହୁ ।

ଜମା ହୋଇଥିଲେ ଯେତେ ଜନ, ଜଣେ ଦେଖିନାହିଁ ଅପଘନ,

ଜୟରବେ ଜଗତ୍ତ୍ରୟ ଜଠର ପୂରିଲା ଭୟ ନିବାରଣ ଜଳଧିଶୟନ ହେ ।୮।

 

ଝଞ୍ଜାନିଜେ ଝାଡ଼ଦଳ ଝଡ଼ିଗଲାପରି ଜଳ, ଝରିଗଲା ପରି ଫଟା ଘଟୁ ।

ଝାଙ୍କି ମନସ୍ତାପ ଭୟ ଅମଳେ ମୋ ଆୟୁକ୍ଷୟ, ହୋଇଲାଟି ଦୀନଦୟାପଟୁ ହେ, ମହାବାହୁ ।

ଝଟତି ମୋ ଅଭିଳାଷପୂର, ଝିମିଟ ହେଲାଟି ମନ୍ୱନ୍ତର,

ଝାଞ୍ଜିତପ୍ତ ଅଳ୍ପ ଜଳ ଜମ୍ୱାଳ ବଶୁଁ ବ୍ୟାକୁଳ ଝଷଦଶା ହୋଇଲା ମୋହର ହେ ।୯।

 

ନୃଗ ନାମେ ନୃପବର ନିରୟେ ନିମଜ୍ଜି ଚିରକାଳୁ ହୋଇଥିଲେ କୃକସରି ।

ନବୀନ ନୀରଦ ନିନ୍ଦା, ନବ ରତନବିସନ୍ଧା, ଶ୍ରୀହସ୍ତେ ତାହାଙ୍କ କର ଧରି ହେ । ମହାବାହୁ ।

ନେଇ ଯିବାକାଳେ ତୁଲେ ତୁଲେ, ନିରେଖି ତାହାଙ୍କ ତେଜ ଭଲେ,

ନାକ ନିତମ୍ୱିନୀମାନେ, ନନ୍ଦନବନ ପ୍ରସୂନେ, ନିତି ନିତି ଉପହାର ଦେଲେ ହେ ।୧୦।

 

ଟେକିଛି ଅଦ୍ୟାପି ପୀନ, ବାହୁ ଯୁଗଳକୁ ଦୀନ, ଜନରେ ଛାୟାଦେବାକୁ ଚିନ୍ତି ।

ଟାକି ରହିଛି ମୁଁ ସେହି ବାହୁବୃନ୍ଦାରକ ମହୀରୁହ ଅନାତପକୁଟି ନିତି ହେ । ମହାବାହୁ ।

ଟିକିଏ କରୁଣା ଜାତ ହେଉ, ଟୋପାଏ ତହୁଁ ଏ ଟେକା ପାଉ,

ଟାଳି ଦେଲେ ଭାବଗ୍ରାହୀ, ଦୁର୍ଗତି ଦୁଃଖକୁ ଚାହିଁ, ଟମକ ପିଷ୍ଟପେ ବାଜିଯାଉ ହେ ।୧୧।

 

ଠଣାଦାରପରି କାଳ, କରରେ ଧରି କରାଳ, ଦଣ୍ଡ ଜଗି ରହିଅଛି ଠଣା ।

ଠିକମାର୍ଗ ପରିହରି, ଠକ ଆଚରଣ କରି ବଞ୍ଚିବା ଜନ୍ତୁର କି ଠିକଣା ହେ, ମହାବାହୁ ।

ଠଉରଥିବାର ଏ ଜଗତେ, ଠଉରାଇ ଗତି ହିତାହିତେ,

ଠାକୁରମାନଙ୍କ ମଥାମଣି ହେ ମୁଁ କେଉଁ କଥା କରିବି ବିଚାର ଦିବ୍ୟ ଚିତ୍ତେ ହେ ।୧୨।

 

ଡାକି ଗଉରବେ ଆଣି ବନ୍ଦନୀୟ ଜନ ପାଣି, ପଦ୍ମେ ଦେଉ ନାହିଁ ବରାଟକୀ ଡୁବାଇ ନାହିଁ ମସ୍ତକ,

ମନ୍ଦାକିନୀ ହ୍ରଦୋଦକ, ପୁରେ ପଶି ହରି ହରି ଡାକି ହେ, ମହାବାହୁ ।

ଡରୁଛି ଯେ ଛାମୁରେ ତୁମ୍ଭର, ଡାକୁଅଛି ଆହେ ବିଶ୍ୱମ୍ଭର, ଡିମ୍ଭର ଦୋଷକଳାପ,

ତୁମ୍ଭେ ପରା ବାପ ମାଫ, ନ କଲେ କି କରିବ ଇତର ହେ ।୧୩।

 

ଢାଳି କରୁଣା ପୀୟୁଷ; ଅଶେଷ ଦୋଷୀଙ୍କ ଦୋଷ, ନାଶିବାରୁ ସିନା ବାରଂବାର ।

ଢକ୍କା ବାଜୁଛି ସଂସାର, ମଧ୍ୟେ ଏହି ଅନ୍ତଃସାର, ସକାଶୁଁ ମୁଁ କରୁଛି ବ୍ୟାପାର ହେ, ମହାବାହୁ ।

ଢାଳେ କ୍ଷିତି ଅନାଇ ନ ଚାଲି, ଢମ କହୁଅଛି ଛାତି ଠେଲି, ଢାଙ୍କି ରହିଥିବା ଘୋର,

ଦାବାଗ୍ନିକି ନାଥ ମୋର ଢୋକି ଦେବେ ଅନାୟାସେ ବୋଲି ହେ ।୧୪।

 

ଅପରିମିତ ମହିମ ଅଘବିଧ୍ୱଂସନ ନାମ, ଅତ୍ୟନ୍ତ ପ୍ରବଳ ହେଲେ ହେଲେ ।

ଅପରାଧ ହେବା ଡରେ, ଅଘରେ ଆତଙ୍କନରେ, ଆସକ୍ତ ନୋହିବା ଜାଣେ ଭଲେ ହେ, ମହାବାହୁ ।

ଅଣୁଏ ଆୟତ୍ତ ନାହିଁ ମୋର, ଆଚରୁଛି ପାତକୀ ପ୍ରକାର, ଆପଣ ହୃଦେ

ନିବାସ କରି ଯେଉଁ ଫରମାସ, କରୁଛ ତା କରୁଛି କିଙ୍କର ହେ ।୧୫।

 

ତାରିବାକୁ ମାରିବାକୁ ତାପାର୍ତ୍ତି ନିବାରିବାକୁ ତୁମ୍ଭତୁଲ୍ୟ ପ୍ରଭୁ ଆଉ ନାହିଁ ।

ତପନୀୟ ଗିରିତଳେ ତପୋଧନମାନେ ତିଳେ ତବ ତତ୍ତ୍ୱ ଜାଣନ୍ତି ବା ନାହିଁ ହେ, ମହାବାହୁ ।

ତର୍କି ନ ପାରିବାରୁ ବିଭୂତି, ତସ୍କର ବନିଲେ ପ୍ରଜାପତି, ତନୁରୁ ତର୍ଣ୍ଣକ ଶିଶୁ,

ତକ୍ଷଣେ ହେବା ସକାଶୁଁ, ତଳେ ଲୁଠି ଲାଜେ କଲେ ସ୍ତୁତି ହେ ।୧୬।

 

ଥିବାରୁ ମଞ୍ଜୁଷେ ଗଣ୍ଠି, ପରି ହେ, ବୈକୁଣ୍ଠକଣ୍ଠୀ, ରବ ତବ ପ୍ରଭାବ ମୋ ମନେ ।

ଥୁଆଧନ ସିନା ଭୋଗ, କରି ହରିବି ଉଦ୍‌ବେଗ, ବୋଲି ଭାବୁ ଭାବୁ ଅନୁଦିନ ହେ, ମହାବାହୁ ।

ଥାଏ ମୋ ଭରସା ମେରୁପରି, ଥାପିରେ ଧଇର୍ଯ୍ୟ ଥାଏ ପୂରି,

ଥରୁଅଛି ଏବେ ଭୟଭରେ ଅନୁକମ୍ପାମୟ; ନୟନାନ୍ତ ଛଟା ଦିଅ ଠାରି ହେ ।୧୭।

 

ଦିନେ ଦୟାଳୁତା ବାନା ଦୃଶ୍ୟ କରାଇଲେ ସିନା, ଦୀନବନ୍ଧୁ ନାମକୁ ତୁମ୍ଭର ।

ଦୁଷ୍ଟ ଦୁଃଖ ଦନ୍ଦଶୁକ, - ଦଷ୍ଟ ହୃଦନ୍ତର ଲୋକ, ରକ୍ଷା ଜାଙ୍ଗଳିକ ପୁରନ୍ଦର ହେ, ମହାବାହୁ ।

ଦରିଦ୍ରକୁ ଦାନଦେବା ଯଶ, ଦିଗନ୍ତକୁ କରଇ ଆଶ୍ଳେଷ, ଦଇବେ ଦ୍ରବିଣବନ୍ତ

ଜନେ କଲେ ବିତ୍ତ ଦତ୍ତ ଦାତାର କି ହେବ ପଉରୁଷ ହେ ।୧୮।

 

ଧରିଥିଲେ ତରୁ ରୂପ, ଧାତାପୁତ୍ର ମୁନିଶାପ, ବଶୁଁ ଧନାଧିନାଥଙ୍କ ସୁତେ ।

ଧରାଇଲ ଦିବ୍ୟତନୁ, ଧୃବକୁ ବାଳକ ଦିନୁଁ, ଦିବ୍ୟ ଧାମ ଦେଲ ଏ ଜଗତେ ହେ ମହାବାହୁ ।

ଧଡ଼ି ଶେଷୁ ସମର୍ପି ନଜର, ଧନୀ ହେଲେ ସୁଦାମା ଭୂସୁର, ଧବଳ କରିଛି ଏହି,

ଯଶବ୍ୟୋମ ତୁଲେ ମହୀ ଧର୍ମ ଧାରାବନ୍ତ ଧୁରନ୍ଧର ହେ ।୧୯।

 

ନିରର୍ଗଳ ଅଧିକାର, ନିତ୍ୟ ନିଳୟ ଯାହାର, ନାଥଙ୍କର ନାମ ଶୁଭୁଅଛି ।

ନିଷ୍କାରଣ ହୋଇ ତାର, ନରଦେହ ବହିବାର, ନାଶ ଗଲା ବୋଲାଇଣ ଛି ଛି ହେ, ମହାବାହୁ ।

ନ ନଚାଇ ଏହା ଜନମୁଖ, ନିଯୋଜନା କର ମୋର ସୁଖ, ନଳିନେ ଉଲ୍ଲାସଶିରୀ,

ନିଧାନ ରଚିଲା ପରି ନବୋଦିତ ମିହିରମୟୁଖ ହେ ।୨୦।

 

ପ୍ରପନ୍ନ ହୋଇ ମୁଁ ବାରେ ପଦପଙ୍କେରୁହ ତଳେ ପଡ଼ୁ ପଡ଼ୁ ପେଲିଦେବା ନୋହୁ ।

ପଡ଼ିବି ସିନା ତୁମ୍ଭର ଗର୍ଭେ ଦେଇ କରଭର ପଦାରେ ତ ସ୍ଥଳ ନାହିଁ ଆଉ ହେ, ମହାବାହୁ ।

ପରମ ସୌଭାଗ୍ୟ ମୋର ଏକା, ପର ପରିମାଣୁ ନାହିଁ ଦକା,

ପ୍ରଭୁ ପଣକୁ ମାତ୍ରକ ପ୍ରପଞ୍ଚ ମଣ୍ଡଳଯାକ, ନିନ୍ଦା ହେବ ବୋଲି କରେ ଡକା ହେ ।୨୧।

 

ଫନ୍ଦା କରି ଆପଣଙ୍କୁ, ଫଳଲାଭ ବିନା ରଙ୍କୁ, ବଳିଲିଣି ଆଚରଣ ସିନା ଫେଡ଼ି ଏ ମାନସକଥା,

କା ଆଗେ କହିବି ବ୍ୟଥା, ଫେଡ଼ି ନେବ ଆଉ ତୁମ୍ଭ ବିନା ହେ, ମହାବାହୁ ।

ଫାଟିଅଛି ଯେବେ ମୋ କରମ, ଫନ୍ଦାଇବାକୁ ଆପଣ କ୍ଷମ, ଫୁଟୁଥିଲା ପ୍ରହଣ୍ଡକେ,

ଯେଉଁ କୁବ୍‌ଜୀ ଏହି ଲୋକେ, ନ କଲ କି ତାକୁ ରମ୍ଭା ସମ ହେ ।୨୨।

 

ବିଳମ୍ୱ ସହିବା ପୀଡ଼ା, ହେଲେହେଁ ବରହଚୂଡ଼ା, -ବତଂସ ମୁଁ ବଳିଆଇଁ ଏତେ ।

ବିରକତ କରି ଅତି, ବିଜ୍ଞାପନ ନ କରନ୍ତି, ବାଧା ବଳି ପଡ଼ିଲାଣି ମୋତେ ହେ, ମହାବାହୁ ।

ବଳିଷ୍ଠ ବାହୁଯୁଗଳ ତଳେ, ବେଗ ମୋତେ ଛାୟାଦିଅ ବେଳେ,

ବଳଦେବ ବଳାହିତାବରଜ ହେ ସିନ୍ଧୁସୁତା - ବର ବନ୍ଦେ ଅମନ୍ଦ ବିକଳେ ହେ ।୨୩।

 

ଭୟାନକ ଭବ ଅହି ସୁଖେ ପଡ଼ିଛି ତ ମୁହିଁ, ଭବ୍ୟ କଥା ଲୋଡ଼ିଲେ କେ ଦେବ ।

ଭରଜିଲେ ଭଲେ ଏହା ଭ୍ରମରୁ ହେ ରମାନାହା, ଭଲ ଲୋଡ଼େ ନ ଲୋଡ଼ି ଲାଘବ ହେ, ମହାବାହୁ ।

ଭରସା ଏତିକି ଥାଏ ମୋର, ଭର୍ତ୍ତା ଯେଣୁ ତୁମ୍ଭେ ବଳିଆର, ଭୁରୁଭଙ୍ଗ ମାତ୍ରକରେ,

ଭସାଇଲ ରତ୍ନାକରେ, ମହୋନ୍ନତ ବହୁତ ଭୂଧର ହେ ।୨୪।

 

ମହାମହିମ ହେ ମଣି, ମଉଳି ଗର୍ଭକମଣି ମହୋନ୍ନତ ମହୀଧର ସିନା ।

ମନାସି ତୁମ୍ଭର ଯଶ, ପଙ୍ଗୁ ଲଂଘିଛି ନିମିଷ, ମାତ୍ରକେ ତାହାକୁ ଶ୍ରମ ବିନା ହେ, ମହାବାହୁ ।

ମଜ୍ଜିଥିବା ନିଗମକୁ ଛାଣି, ମଲା ଗୁରୁତନୟଙ୍କୁ ଆଣି, ମହରାଦି ଲୋକେ ଦର,

ମଲ୍ଲୀମାଳା ମନୋହର, କୀର୍ତ୍ତିରେ ମଣ୍ଡିଲ ଯଦୁମଣି ହେ ।୨୫।

 

ଯମଙ୍କ କିଙ୍କରେ ମନ୍ତୁ - ମନ୍ତ ହେବା ଯେଉଁ ଜନ୍ତୁମାନଙ୍କୁ ଯାତନ ଦେଉଥାନ୍ତି ।

ଯାଗ ଭାଗ ଭୁଞ୍ଜିବାକୁ, ଯୋଗ୍ୟ କରାଅ ତାହାଙ୍କୁ, ଯଶୋଦାଙ୍କ ଯବିଷ୍ଠ ସନ୍ତତି ହେ, ମହାବାହୁ ।

ଯଦୃଚ୍ଛା ବିଳାସବିଚକ୍ଷଣ, ଯତ୍ନ କଲେ ନ ମିଳ ଆପଣ, ଯାବତ ଘଟରେ ବହି -

ରତ୍ନରେ ସନ୍ତତ ରହି, କରୁଛ କି ଇଚ୍ଛା ତୁମ୍ଭେ ଜାଣ ହେ ।୨୬।

 

ରତ୍ନାକର ଯା ମନ୍ଦିର, ରମା ରମଣୀ ଯାହାର, ଯାହାର କୌସ୍ତୁଭ ମଣିବର ।

ରଥ ସୁତବିନତାର, ରଥଚରଣ ହତ୍ୟାର, ରୁଦ୍ରଦେବ ପରା ପରିବାର ହେ, ମହାବାହୁ ।

ରସାଚରମରେ ପଡ଼ି ପଡ଼ି, ରହିଛି ସନ୍ତତ କର ଯୋଡ଼ି, ରଙ୍କ ଗୁହାରୀ - ଭାରତୀ,

ରତ୍ନକୁଣ୍ଡଳିଆ ଶ୍ରୁତି, ରନ୍ଧ୍ରପାଶେ ଥରେ ଯାଉ ପଡ଼ି ହେ ।୨୭।

 

ଲାଗିକାଳେ ଏ ମକର – କୁଣ୍ଡଳ ଯୁଗଳ ମୋର ଦୁଃଖ ଜଣାଇବେ ବୋଲି ଚିନ୍ତି ।

ଲଗାଇ ରସାରେ ଶିର, ଲକ୍ଷ ଲକ୍ଷ ନମସ୍କାର, ଲାଞ୍ଛ ଦେଇ କରୁଥାଏ ସ୍ତୁତି ହେ, ମହାବାହୁ ।

ଲଦିହୋଇ ଏତେ ରତ୍ନଗଣ, ଲାଗିଲେ କାହିଁକି ମୋର ଋଣ, ଲଭି ଶ୍ରୁତି ପାଶେ ଘର,

ଲଗଡ଼ କି ଲାଟସାର ଲୋକରେ ଲୁଳିତ ଲୁବ୍‌ଧଗୁଣ ହେ ।୨୮।

 

ବଡ଼ ମୃଦୁଳ ଏ ବନମାଳା ବୋଲି ପ୍ରତିଦିନ, ବନ୍ଦୀ କରୁଥାଏ ବିଜ୍ଞାପନ ।

ବିଶେଷେ ତାହାଙ୍କ ସଙ୍ଗ, କରି ଆସୁଥିବା ଭୃଙ୍ଗ, ପଛେ ଗୋଡ଼ାଇବାକୁ ମୋର ମନ ହେ,

ମହାବାହୁ । ବରଜ ବନିକା ଯାକ ବୁଲି, ବୁଝୁଥାଏଁ ଦେଖି ପ୍ରତି ବଲ୍ଲୀ, ବଇଜୟନ୍ତୀ ବଲ୍ଲରୀ,

ବକ୍ଷରେ ଯେ ଥିଲେ ଶିରୀ, ଛାମୁରେ କି ପଡ଼ିଥିଲି ବୋଲି ହେ ।୨୯।

 

ଶରାବ୍‌ଧି ବେଳାକୁ ବଳି, ଅଦ୍ୟାପି ନାହାନ୍ତି କଳି, କାଳେହେଁ ନିତ୍ୟ ମୁଁ ଲଭି ରତି ।

ଶଶି କୁରଙ୍ଗକୁ ଶେଷ, ଧରାକୁ ଶଙ୍କର ବିଷ କଳଙ୍କ ପରାୟେ ବହିଛନ୍ତି, ହେ ମହାବାହୁ ।

ଶରଣ ବୋଲିବା ଡାକପଣେ, ଶରଣାର୍ଥୀ ଜନ ତତେ କିଣେ, ଶତ୍ରୁ ହେଲେ ସେ ମୋହର,

ବୋଲି ତ ହୁକୁମ କର, ପ୍ରତିପାଳୁ ନାହିଁ ଏବେ କେଣେ ହେ ।୩୦।

 

ଷୋଡ଼ଶ ସହସ୍ର ବ୍ରଜସରୋରୁହାକ୍ଷୀ-ସମାଜ ଘେନି ସୁରସୁତା ତାର କୁଞ୍ଜେ ।

ଷଡ଼ାସ୍ୟଜନକାହିତ ସଙ୍ଗର ପ୍ରସଙ୍ଗେ ମତ୍ତ, ହୋଇ ପ୍ରଫୁଲ୍ଲିତ ପୁଷ୍ପକୁଞ୍ଜେ ହେ, ମହାବାହୁ ।

ଷଡ଼ଙ୍ଘ୍ରି ରଚିଲା ପରି କେଳି, ଷଡ଼ାହିତ ନିରସନଶାଳୀ, ଷଡ଼ଅଙ୍ଗୀ ଶ୍ରୁତିମାନେ,

ସ୍ତୁତି କଲେ ଅବସାନେ, ନ ଲାଗିଲା ଅପବାଦ ଧୂଳି ହେ ।୩୧।

 

ସବୁ ସଂସାରି – ସଦନୁ, ସମସ୍ତ ଜନ ବଦନୁ, ଶୁଣିଅଛି ସତ ଅବା ମିଛ ।

ସହସ୍ର ସଂଖ୍ୟକ ଅପ-ରାଧ କଲେ ହେଲେ ମାଫ, କରି ପ୍ରସନ୍ନକୁ ରଖୁ ଅଛ ହେ, ମହାବାହୁ ।

ସେ ସକାଶୁଁ ମୋର ଏ ସାହସ, ସଙ୍କୋଚକୁ ମନେ ନାହିଁ ତ୍ରାସ,

ସରସ ସକଳ ସୁର, ସାମନ୍ତମାନଙ୍କ ସାର ସଂରଜସେବକ ସମୁଲ୍ଲାସ ହେ ।୩୨।

 

ହରିହୟ ବିଭୂତିକି, ହଂସରଥାଧିକୃତିକି, ହଟି ରଟୁ ନାହିଁ ମୁଁ ସମ୍ମୁଖେ ।

ହର୍ମ୍ୟତଳେ ଥିବାଯାକେ, ହାସ୍ୟାସ୍ପଦ ନୋହି ଲୋକେ, ହରିନେବି କାଳ କିଛି ସୁଖେ ହେ,

ମହାବାହୁ । ହଇରାଣ ନୋହି କ୍ଳେଶଜାଳେ, ହରେ ହରେ ବୋଲି ଅନ୍ତଃକାଳେ,

ହସି ହସି ଯିବି ହରିଦଶ୍ୱ ସୁତଙ୍କ ନଗରୀ, ସୀମା ମାତ୍ର ନ ଦେଖିବି ଡୋଳେ ହେ ।୩୩।

 

କ୍ଷିତିକି ବହିବା ଅହି, କ୍ଷମ ନୋହିବାରୁ କହି, ନ ପାରନ୍ତି ଯାହାଙ୍କ ପୁରତେ ।

କ୍ଷମା ପୀୟୂଷ ସମୁଦ୍ର, ହେବାର ମୁଁ ଅତି କ୍ଷୁଦ୍ର, ଶ୍ରୀଛାମୁରେ ଜଣାଇଲି ଏତେ ହେ, ମହାବାହୁ ।

କ୍ଷମ ଅପରାଧ ଏ ତ ନୁହେ, କ୍ଷମାଧିପବାନାଧିବାସ ହେ, କ୍ଷମାକର ଆଜ୍ଞା ହେବ,

କ୍ଷିତିସୁର ବଳଦେବ କବିରବି ରାୟଗୁରୁ କହେ ହେ ।୩୪।

 

୧୧। ଟୀକା - କମଳବାସିନୀ - ଲକ୍ଷ୍ମୀ, କମ୍ୱୁମଧ୍ୟପୁରୀ - ଶଙ୍ଖକ୍ଷେତ୍ର, ପାରୀନ୍ଦ୍ର - ସିଂହ, କୌଣପକୁଳ - ଅସୁରବଂଶ, କୃପଣକାମିତ କଳ୍ପବୃକ୍ଷ - ଦରିଦ୍ରଲୋକର ପ୍ରାଥନାପୂର୍ଣ୍ଣ କରିବାରେ କଳ୍ପବୃକ୍ଷ ସଦୃଶ, ଖଣ୍ଡପୁରଶୁ ବନ୍ଦନ - ଶିବଙ୍କ ପୂଜ୍ୟ, ଖମଣିମଣ୍ଡଳ - ସୂର୍ଯ୍ୟମଣ୍ଡଳ, ଖଗାଧିପଧ୍ୱଜ - ହେ ଗରୁଡ଼ଧ୍ୱଜ, କ୍ଷୀଣଜନ - ତପସ୍ୱୀ, ଖରମୟୂଖପୁତ୍ର - ସୂର୍ଯ୍ୟପୁତ୍ର ଯମ, ଚରକର - ଦୂତ ହାତରେ ଧରିଥିବା, କରପତ୍ର - କରତ, ଦର - ଭୟ, ଗୋତ୍ରଅମିତ୍ର - ଇନ୍ଦ୍ର, ଉପଦାପ - ଅମଙ୍ଗଳ, କରଜ - ନଖ, ନାଗନାଥ - ଗଜରାଜ, ନକ୍ର - କୁମ୍ଭୀର, ଅକ୍ଷଖେଳ - ପଶାଖେଳ, ନାଗାରି - ଗରୁଡ଼, ବନ୍ଧୁକ ପ୍ରକର - ବଧୁଲି ଫୁଲର ରକ୍ତବର୍ଣ୍ଣ ସ୍ତବକ, ତାର୍କ୍ଷ୍ୟକେତନ - ଗରୁଡ଼ଧ୍ୱଜ, ଚିରନ୍ତନ - ପୁରୁଣା, ଚିରାଳ - ପତାକା, ଛଦନଶାଳା - ପତ୍ରକୁଡ଼ିଆ, ସୁରାମିତ୍ର - ଦେବଶତ୍ରୁ ରାବଣ, ମାର୍ଗଣ - ବାଣ, ଛାୟାନାଥ - ସୂର୍ଯ୍ୟ, ଜଳଜଚରଣେ - ପଦ୍ମପାଦରେ, ଅପଘନ - ଶରୀର, ଜଠର - ଉଦର, ଗର୍ଭ; ଜମ୍ବାଳ - ପଙ୍କ, ଝଷ - ମାଛ, ନିରୟ - ନରକ, କୃକ - କୃକଲାସ (?) ଏଣ୍ଡୁଅ, ନାକନିତମ୍ବିନୀ - ସ୍ୱର୍ଗନାରୀ, ପ୍ରସୂନ - ଫୁଲ, ପୀନ - ସ୍ଥୂଳ, ମୋଟା; ବାହୁବୃନ୍ଦାରକମହୀରୁହ - ବାହୁରୂପ ସୁବୃହତ୍ ବୃକ୍ଷ, ଅନାତପ - ଛାୟା, ଟାଳି ଦେଲେ - ଦୂର କରିଦେଲେ, ଏଡ଼ି ଦେଲେ; ଟମକ - ନାଗରାବାଦ୍ୟ, ପିଷ୍ଟପେ - ଜଗତରେ, ଠଣାଦାର - ପ୍ରହରୀ, ପହରାବାଲା; ଠଣା - ସ୍ଥାନ, ବରାଟକୀ - କଉଡ଼ି, ମନ୍ଦାକିନୀହ୍ରଦୋଦକ ପୂରେ - ଗଙ୍ଗନଦୀର ଜଳପ୍ରବାହରେ, ଡିମ୍ବ - ଶିଶୁ, ଅଜ୍ଞ; ମାପ୍ - କ୍ଷମା, ଢାଳେ - ଥରେ, ଅଘବିଧ୍ୱଂସନ - ପାପନାଶକ, ଅଘ - ପାପ, କିଙ୍କର - ଚାକର, ତାପାର୍ତ୍ତି - ଦୁଃଖକର, ତପନୀୟ ଗିରିତଳେ - ସୁମେରୁ ପର୍ବତତଳରେ ଅର୍ଥାତ୍ ପୃଥିବୀ ମଧ୍ୟରେ; ବିଭୂତି - ଐଶ୍ୱର୍ଯ୍ୟ, ତସ୍କର - ବନିଲେ - ଚୋର ହୋଇଗଲେ; ପ୍ରଜାପତି - ବ୍ରହ୍ମା, ତର୍ଣ୍ଣକ ଶିଶୁ - ବାଛୁରୀ, ମଞ୍ଜୁଷ - ପେଡ଼ି, ଗଣ୍ଠି - ଧନ, ବୈକୁଣ୍ଠକଣ୍ଠୀରବ - ବୈକୁଣ୍ଠର ସିଂହ ସ୍ୱରୂପ, ବୈକୁଣ୍ଠର ଅଧିପତି; ଥାପି - ଶାନ୍ତି, ଦନ୍ଦଶୂକ - ସର୍ପ, ଦନ୍ଦଶୂକଦଷ୍ଟହୃଦନ୍ତର ଲୋକ - ଯେଉଁ ଲୋକର ହୃଦୟରେ ସର୍ପଦଂଶନ କରିଅଛି । ଜାଙ୍ଗଳିକପୁରନ୍ଦର - ଶ୍ରେଷ୍ଠଗୁଣିଆ, ଆଶ୍ଳେଷ - ଆଲିଙ୍ଗନ; ଦ୍ରବିଣବନ୍ତ - ଧନବନ୍ତ, ବିତ୍ତ - ଧନ, ଧାତାପୁତ୍ରମୁନି - ଦେବର୍ଷି ନାରଦ, ଧନାଧିନାଥଙ୍କସୁତେ - ନଳକୁବେର ଓ ମଣିଗ୍ରୀବ ଦୁଇଭାଇ, ଧଡ଼ିଶେଷୁଁ - କାନିପଣତରୁ, ନଜର - ଭେଟି, ଭୂସୁର - ବ୍ରାହ୍ମଣ, ନଳିନ - ପଦ୍ମ, ଉଲ୍ଲାସଶ୍ରୀ - ଆନନ୍ଦପୂର୍ଣ୍ଣଶୋଭା, ମିହିରମୟୂଖ - ସୂର୍ଯ୍ୟକିରଣ, ପ୍ରପନ୍ନ - ଶରଣାଗତ, ପଦପଙ୍କେରୂହ - ପାଦପଦ୍ମ, ପ୍ରପଞ୍ଚମଣ୍ଡଳ - ଧରାମଣ୍ଡଳ, ରଙ୍କୁ - ଦରିଦ୍ର ଅପେକ୍ଷା, ଫନ୍ଦାଇବା - ଯୋଡ଼ିଦେବା, ଯୁକ୍ତ କରିବା, ଫୁଟୁଥିଲା - କ୍ଳାନ୍ତ ହୋଇପଡ଼ୁଥିଲା, ବର୍ହଚୂଡ଼ାବତଂସ - ମୟୂରଚନ୍ଦ୍ରକ ମସ୍ତକଭୂଷଣ ଯାହାଙ୍କର, ବଳଦେବ ବଳାହିତାବରଜ - ବଳରାମ ଓ ଇନ୍ଦ୍ରଙ୍କ ସାନଭାଇ (ସଂ) ସିନ୍ଧୁସୂତାବର - ଲକ୍ଷ୍ମୀଧବ, ଅମନ୍ଦବିକଳେ - ଅତି ଦୁଃଖରେ, ଭବଅହି - ସଂସାରରୂପସର୍ପ, ଭବ୍ୟକଥା - ସୌଭାଗ୍ୟକଥା, ମଣି-ମଉଳିଗର୍ଭକ - ଯାହାର ଗର୍ଭ ଓ ମସ୍ତକରେ ମଣିପୂର୍ଣ୍ଣ, ମଣି - ମନେକରି, ମହୀଧର - ପର୍ବତ, ନିଗମ - ବେଦ, ମହରାଦି ଲୋକେ - ଭୂଃ, ଭୂବଃ, ସ୍ୱଃ, ମହଃ ପ୍ରଭୃତି ଲୋକରେ, ମନ୍ତୁମନ୍ତ - ପାପୀ, ଯବିଷ୍ଠ - ସଭାସାନ, ରତ୍ନାକର - ସମୁଦ୍ର, ରମା - ଲକ୍ଷ୍ମୀ, ବିନତାର ସୁତ ରଥ - ଗରୁଡ଼ ଯାହାଙ୍କ ବାହନ, ରଥଚରଣ - ଚକ୍ର, ହତ୍ୟାର - ହତିଆର, ଆୟୁଧ; ରସା ଚରମରେ - ପୃଥିବୀ ଉପରେ, ଲଗଡ଼ - ସୁନ୍ଦର, ଲାଟସାର - ଉତ୍‌କୃଷ୍ଟ, ପିନ୍ଧାଲୁଗା; ବରଜ ବନିକା - ବଜ୍ରପୁରର ବନଦେଶ, ପ୍ରତିବଲ୍ଲୀ - ପ୍ରତ୍ୟେକ ଲତା, ଶରାବ୍‍ଧି - ଜଳଧି, ସମୁଦ୍ର; ବେଳା - ସମୁଦ୍ର କୂଳ, ସରୋରୁହାକ୍ଷୀସମାଜ - ପଦ୍ମନେତ୍ରା ସ୍ତ୍ରୀ ସମୂହ, ସୁରସୁତା - ଯମୁନା, ଷଡ଼ାସ୍ୟଜନକାହିତ - ଶିବଶତ୍ରୁ କନ୍ଦର୍ପ, ସଙ୍ଗର ପ୍ରସଙ୍ଗେ - ଯୁଦ୍ଧ ବ୍ୟାପାରରେ, ଷଡ଼ଙ୍ଘ୍ରୀ - ଭ୍ରମର, ଷଡ଼ାହିତନିରସନଶାଳୀ - କାମ କ୍ରୋଧାଦି ଷଡ଼୍‍ରିପୁଙ୍କୁ ଯେ ନିରାକରଣ କରିପାରନ୍ତି, ଷଡ଼ଙ୍ଗୀଶ୍ରୁତି - ଶିକ୍ଷା କଳ୍ପ ବ୍ୟାକରଣ ପ୍ରଭୃତି ଷଡ଼ଙ୍ଗଯୁକ୍ତ ବେଦମାନେ, ହରିହୟବିଭୂତି - ଇନ୍ଦ୍ରସଂପତ୍ତି, ହଂସରଥାଧିକୃତି - ବ୍ରହ୍ମାଙ୍କ ଅଧିକାର, ହରିଦଶ୍ୱସୁତଙ୍କ ନଗରୀ - ଯମପୁରୀ, କ୍ଷିତିବହିବା ଅହି - ଶେଷଦେବ, ଅନନ୍ତ ।

 

(୧୨)

ବିରହୀ - ଚଉତିଶା

ରାଗ-ଆଷାଢ଼ଶୁକ୍ଳ

 

କିଶୋରଚନ୍ଦ୍ର କଂସକଟକେ ରହି,

କିଶୋରୀଙ୍କ ବିନା ହୋଇ ବିରହୀ ଯେ

କଲେ ତାହାଙ୍କ ଗୁଣଗଣ ସ୍ମରଣ,

କଞ୍ଜ କିଞ୍ଜଳ୍‌କ – ଦେହା ଧରାଭରଣ ରେ ।୧।

 

ଖୁରି ତୁରୀୟ ଭାଗ କାଳ ମୋ କୋଳେ,

ଖେଳି ନଥିଲେ କ୍ଷଣ ଯୁଗର ବଳେ ଯେ

ଖମଣି ଯେମା ବନି ଶିଖରି ଅନ୍ତେ,

ଖଞ୍ଜିଲା ଧାତା ବରତିବି କେମନ୍ତେ ରେ ।୨।

 

ଗଳାମଣ୍ଡନ ତୁ ମୋ ରତନ ହାର,

ଗମାର ଦଶା କରିଅଛି ବାହାର ଯେ

ଗତି କେ ବଞ୍ଚିବିଟି କେହି ଏଣିକି,

ଗୁପତ ଧନ ଫିଙ୍ଗିଅଛି ପାଣିକି ରେ ।୩।

 

ଘନମଣ୍ଡଳି ତୁ ମୁଁ ଚାତକ ବୋଲି,

ଘଣ୍ଟା ଘୋଷଣ ମୁଁ ଯେ ଦିଆଉଥିଲି ଯେ

ଘୋର ଜାଙ୍ଗଳ ବିଷ ଖାଇଲା ପରି,

ଘାରି ହେଉଛି ଏବେ ବରନାଗରି ରେ ।୪।

 

ନିନ୍ଦିତ ଶରଦିନ୍ଦୁ ସୁନ୍ଦର ମୁଖୀ,

ନଟନ ଲୀଳା-ପଟୁ ଖଞ୍ଜରୀଟାକ୍ଷି ଯେ

ନିଦ ନଜାଣେ ଛାମୁ ଛାଡ଼ିଲା ଦିନୁ,

ନ ଗଲୁ ନତଦେହା ନିମିଷେ ମନୁ ରେ ।୫।

 

ଚାହିଁଲେ ଚାରି ଦିଗେ ବାହାରେ ଦିଶୁ,

ଚକ୍ଷୁ ବୁଜିଲେ ପୁଣି ଚିତ୍ତେ ବିଳସୁ ଯେ

ଚାତୁର୍ଯ୍ୟନିଧି ଜାଣୁ ତୁ କି କୁହୁକ,

ଚିତ୍ରରୁ ଚିତ୍ର ଏ ଅଲଉକିକ ରେ ।୬।

 

ଛାତିକି ଲାଗିବାର ହେଉ ବିଦୂର,

ଛାଇ ଛୁଆଁ ଉନାହୁଁ ଦେହକୁ ମୋର ଯେ

ଛାମୁ ମୁକୁର ପରି ଯେ ହୋଇଥିଲି,

ଛବି ଜଳଧି କେତେ ଅନ୍ତର ହେଲି ରେ ।୭।

 

ଜଙ୍ଗମ ଜମ୍ବୁନଦ ନବ ଲତାଙ୍ଗୀ,

ଜଗତୀଜୀବା ତୁ ମୋ ଜୀବନ ସଙ୍ଗୀ ଯେ

ଜାଣୁ ତୁ ଯେତେ ରସ ସସ୍ମିତମୁହୀଁ,

ଜମ୍ଭାରି ସୁଖପ୍ରଦା ରମ୍ଭାରେ ନାହିଁ ରେ ।୮।

 

ଝଟକୁଥାଏ କାନ୍ତ କନକଶୀରି,

ଝଲକି ପଡ଼ିଥାଏ ଲାବଣ୍ୟଝରୀ ଯେ

ଝମକୁଥାଏ ପଦକଞ୍ଜ ମଣ୍ଡନ,

ଝୁଲା କରୀନ୍ଦ୍ର ପରି ଆସୁ ମୋ ଧନରେ ।୯।

 

ନିଜ ସଖୀକି କର ପଇଠଦିଆ,

ନେବାର ପୁଣି କାହା କରୁ ବିଡ଼ିଆ ଯେ

ନବ ରତନ ଯୁତ କଠଉ ଲାଗି,

ନେତ୍ର ସିନା ସେ ଶୋଭା ବିଭବ ଭାଗୀ ରେ ।୧୦।

 

ଟେକାଇଥାଉ ଚିତ୍ର ଫୁଲ ଆଢ଼ଣି,

ଟାପରା କରି ପ୍ରିୟ ଆଳିକି ପୁଣି ଯେ

ଟିପି ଦେବାର କନିଷ୍ଠିକା ଅଞ୍ଚଳେ,

ଟିକାୟତ ତୁ ରସବତୀ ମଣ୍ଡଳେ ରେ ।୧୧।

 

ଠଉରାଉ ଦୂରରୁ ପ୍ରବେଶ ମୋର,

ଠାରି ଲୋଚନାଞ୍ଚଳ ଚତୁରୀବର ଯେ

ଠାକୁରାଣୀ ଲାଞ୍ଛନ ଛପାଇ ଦେଉ,

ଠାଣି ଜଳଧି ଭିନ୍ନ ଛବି ଦେଖାଉ ରେ ।୧୨।

 

ଡେରି ନ ରଖି ଛାତି ମୁଖ ନ ଟେକି,

ଡୋଳା ଚପଳା ଲୀଳା ଦେଇ ଅଟକି ଯେ

ଡାକି-କଟୀଟି ଅବା କିଛି ନ ଜାଣୁ,

ଡରିଲା ପରି ରଣରଣ କରଣୁ ରେ ।୧୩।

 

ଢବା ତନାବିତଳେ କରନ୍ତେ ବିଜେ,

ଢଳି ମୋ ନୟନ ସେ ଶୋଭା ସମାଜେ ଯେ

ଢାଳିବି ବୋଲି ନବ ମାଳି ଚାମର,

ଢୋକେ ଢୋକିବି ବୋଲି ମଧୁରାଧର ରେ ।୧୪ ।

 

ଉପକଣ୍ଠକୁ ମୋର ଯିବାର ଦେଖି,

ଆହା ସସ୍ମିତ ବ୍ରୀଡ଼ ପ୍ରସାଦମୁଖୀ ଯେ

ଉଠି ତଜିମ ଦେଇ ଯହୁଁ କୁହାରୁ,

ଉଚ୍ଛଳେ ସ୍ମରସିଂହ ମନ ଗୁହାରୁ ରେ ।୧୫।

 

ତୋତେ ନିବିଡ଼େ ଭିଡ଼ି ଚରଣ ତଳୁ,

ତମାଳ ତୁଲ୍ୟକେଶା ତୁ ହିଁ ଦୟାଳୁ ଯେ

ତୁ ସାରାଂଶକୁ ଚୁମ୍ୱି ଦେବଙ୍କ ପରି,

ତୃଷାର ଶାନ୍ତିକରା ନବ କିଶୋରୀ ରେ ।୧୬।

 

ଥୋକାଏ ବେଳେ ଚୁମ୍ବରସରେ ମାତି,

ଥାପି କରାଇ କିଛି ଅତନୁପତି ଯେ

ସ୍ଥୂଳ ନିତମ୍ୱେ ସ୍ଥାପି ଦିଅନ୍ତେ ମାର,

ଥରୁ ତୁ କିମଣିଟି ରମଣୀବର ରେ ।୧୭।

 

ଦମ୍ଭେ ବଞ୍ଚାଇବାକୁ ନିଜାପଘନ,

ଦୁଃଖ ପାଶୋରା କରୁ ନାନା ଯତନ ଯେ

ଦୂତ ଯହିଁରେ ବୀର ମକର ପତ୍ର,

ଦୁଇ ହୃଦୟ ମିଶିବାର କି ଚିତ୍ରରେ ।୧୮।

 

ଧମିଲ୍ଲ ବ୍ୟସ୍ତ ହେବାଯାଏଁ ଆଗ୍ରହେ,

ଧାତାର ଚିତ୍ତେ ହୋଇ ଲମ୍ପଟ ବୁହେଁ ଯେ

ଧକ ସୁହାତ ବର ବରାରୂହାଟି,

ଧମକାଉ ଯା ଝଷଧ୍ୱଜ କୁହାଟି ରେ ।୧୯।

 

ନ ଯାଏ ମନୁଁ ଅନୁପମ ତୋ ଲୀଳା,

ନତନୁ ଦେବତନୁମଧ୍ୟା କୁଶଳା ଯେ

ନାହିଁ ତୋ ତୁଳା ତିଳେ ଥିବାର ରାମା,

ନକ୍ଷତ୍ରନାଥମୁଖୀ ତୁ ତୋ ଉପମା ରେ ।୨୦।

 

ପରମେଶ୍ୱର ପୁଣି ପ୍ରସନ୍ନ ହେବେ,

ପ୍ରୀତିବତ୍ସଳା ତୋତେ ପାଇବି କେବେ ଯେ

ପରତେ ହେଉ ନାହିଁ ମାନସେ ମୋର,

ପାପିଷ୍ଠ ଦଶା ଯହୁଁ କରିଛି ଦୂର ରେ ।୨୧।

 

ଫୁକାର କରି ଫଗୁ ଖେଳିବା କେଳି,

ଫନ୍ଦାଧନକୁ ଦିନେ କଲି ମୁଁ ଅଳି ଯେ

ଫିଟାଇ ହେଉ ବୋଲି ମୋତେ ନ ଭାଷି,

ଫେରି ଚାହିଁଲୁ ସଖୀ ମୁଖକୁ ହସି ରେ ।୨୨।

 

ବିଦା ହେଉଛି ବୋଲି ଆର କୁଞ୍ଜକୁ,

ବୋଲାଇ ନେଲୁ ପ୍ରିୟଆଳି ପୁଞ୍ଜକୁ ଯେ

ବନାଇବାକୁ ଋଣପ୍ରବୀର ବେଶ,

ବସୁଧା - ଭୂଷା ତାଙ୍କୁ ଦେଲୁ ନିଦେଶ ରେ ।୨୩।

 

ଭଙ୍ଗୀଭଙ୍ଗୁର ଆଲବେଲିଆ ଖୋଷା,

ଭଲେ କରାଇ ଦକ୍ଷଅଂଶ ଲହସା ଯେ

ଭରମ ଜରିପଚା ଗୁଚ୍ଛ ତକିଆ,

ଭ୍ରୂ ମଧ୍ୟେ ଯତି ଧୃତିଖିଆ ଆଖିଆ ରେ ।୨୪।

 

ମଧ୍ୟକୁ ଅଳିକର ବିନ୍ଦୁ ସିନ୍ଦୂର,

ମାନିଲା ନବୋଦିତ ଇନ୍ଦୁ ସୁନ୍ଦର ଯେ

ମଣ୍ଡଳ ଅତି ମନୋରମ ଭାଲରେ,

ମଣ୍ଡନ କଲେ ଦିବ୍ୟ ମୋତି ଝାଲରେ ।୨୫।

 

ଯତ୍ନେ କୁସୁମାରାଗ ରଞ୍ଜିତ ଶାଢ଼ୀ,

ଯୋଷାଏ ଲାଗି କରାଇଲେ ନିବାଡ଼ି ଯେ

ଯମୁନା ଜଳ ନୀଳ କଞ୍ଚୁକେ ଭଲେ,

ଯାମକ ମେରୁ ଚାରୁ ସ୍ତନ ମଣ୍ଡିଲେ ରେ ।୨୬।

 

ରମା ମୋ ସ୍ମର ଜ୍ୱର ଜୀର୍ଣ୍ଣ ବଟିକା,

ରଖିଲୁ କଳପୁରା ବାସବୀଟିକା ଯେ

ରଙ୍ଗ ପରାଗମୁଷ୍ଟି କରୁ ଖସିଲା,

ରକ୍ତିମା ଝଲକିଲା ପରି ଦିଶିଲା ରେ ।୨୭।

 

ଲମ୍ୱି ଜାନୁକୁ ମୋତିଝୁମ୍ପା ଅଞ୍ଚଳ,

ଲିଭାଇ ଦେଲା ସୃଷ୍ଟି ସୁଷମା ବଳ ଯେ

ଲହଙ୍ଗା - ଲାଗି ଶୋଭା ସମ୍ଭାର ଦେଖି,

ଲଭିଛି ସୁଖ ଯେଉଁ ଆକ୍ଷି ସେ ସାକ୍ଷୀରେ ।୨୮।

 

ବାଜେଣୀ ଭୂଷାପୁଞ୍ଜ ସିଞ୍ଜିତ ବାଜା,

ବଜାଇ ବିଜେ କଲୁ ରସିକାରାଜା ଯେ

ବିଜେ ମଣିମା ଡାକ ଦିଅନ୍ତେ ଦାସୀ

ବଳକ୍ଷ ଫୁଲଛତୀ ଯିବାରୁ ଦିଶିରେ ।୨୯।

 

ଶାମ୍ୱରୀ ସଖୀ ବେଶେ ଛାମୁରେ ଭେଟି,

ଶର୍ମଦାୟିନୀ ତୁଲେ ଖେଳିଲି ହଟି ଯେ

ଶେଷ ହେବ କି ସେ ସମୟର ଭାବ,

ଶେଷ କହିଲେ ଅବଶେଷ ରହିବ ରେ ।୩୦।

 

ଷୋଡ଼ଶ ବୟସୀରେ ସଦୟ ହେବେ,

ଷଡ଼ାସ୍ୟ – ତାତ ଦେବ ମୋ’ଠାରେ କେବେ ଯେ

ଷାଠିଏ ଦଣ୍ଡଯାକ ପୁଷ୍ପିତ କୁଞ୍ଜେ,

ଷଡ଼ଙ୍ଘ୍ରି ହେବିକି ତୋ ଶ୍ରୀମୁଖକଞ୍ଜେ ରେ ।୩୧।

 

ସନ୍ତତ ହୃଦୟରେ କରିବି ହାର,

ସୁବର୍ଣ୍ଣ ସଉଧରେ କରି ବିହାର ଯେ

ସଡ଼ାଇ ସ୍ମରବୀର ବଡ଼ାଇ ଧୃତି,

ସମୟ ବଞ୍ଚାଇବି କେବେ ସୁଦତି ରେ ।୩୨।

 

ହଜାରେ ନୃପ ଦେଲେ ହେଲେ ନିଦେଶ,

ହିରଣ୍ୟଗୋରୀ ନ କରିବି ବିଦେଶ ଯେ

ହରଷେ ତୋହ ରସସୁଧାରେ ଭାସି,

ହରିବି କାଳ କଳମଧୁରଭାଷୀ ରେ ।୩୩।

 

କ୍ଷପାରମଣକର କଳିକା କେଳି,

କ୍ଷତ ତିମିର ରମ୍ୟ ପୁଳିନେ ମିଳି ଯେ

କ୍ଷୀବ ହେବିକି ସତେ ଅନଙ୍ଗରଣେ,

କ୍ଷିତି ମହେନ୍ଦ୍ର ହରିଚନ୍ଦନ ଭଣେ ରେ ।୩୪।

 

୧୨। କଞ୍ଜ - ପଦ୍ମ, କିଞ୍ଜଳ୍‍କ - କେଶର, ତୁରୀୟ ଭାଗ - ୪ର୍ଥ ଭାଗ, ଖମଣି ଜେମା - ଯମୁନା ନଦୀ । ଗମାର - ମୂର୍ଖ, ଜଙ୍ଗମ - ଗତିଶୀଳ, ଜମ୍ୱୁନଦ - ସୁନା, ଜମ୍ଭାରି - ଇନ୍ଦ୍ର, ଡାକି - ଡମରୁ, ଢବା - ଆଟୁଘର, ତନାବି - ଝରକା, ତାଜିମ - ଝରକା, ଧମିଲ୍ଲ - ସଜ୍ଜିତ କବରୀ, ଧକ - ଭୟ, ବରାରୁହା - ଶ୍ରେଷ୍ଠା ନାୟିକା, ନତନୁ - କନ୍ଦର୍ପ, ନକ୍ଷତ୍ରନାଥମୁଖି - ଚାନ୍ଦମୁହୀଁ, ଆଲବେଲିଆ - ଇତସ୍ତତଃ ବିକ୍ଷିପ୍ତ । କଞ୍ଚୁକ - କାଞ୍ଚଲା, ବୀଟିକା - ଖିଲିପାନ, ଲହଙ୍ଗା - କୁଞ୍ଚକରା ଘାଗରା, ବଳକ୍ଷ - ଧଳା, ଶାମ୍ୱରୀ - ମାୟା, ଶର୍ମଦାୟିନୀ - ସୁଖ ଦେଉଥିବା, ଷଡ଼ାସ୍ୟତାତ - କାର୍ତ୍ତିକଙ୍କ ପିତା ଶିବ, ଷଡ଼ଙ୍ଘ୍ରି - ଭ୍ରମର, ସୁଦତି - ଉତ୍ତମ ଦାନ୍ତଥିବା, କ୍ଷପାରମଣ - ଚନ୍ଦ୍ର, କ୍ଷୀବ - ମତ୍ତ ।

 

(୧୩)

ମଞ୍ଜୁଳା ଚଉତିଶା

ରାଗ-ବସନ୍ତ

 

କିଶୋରୀବରଙ୍କ ବଦନ ନିରଙ୍କ ଚନ୍ଦ୍ରରେ ଗୁମାନ ଦେଖି ରେ

କଳାପୀ କଳାପ କିରୀଟ ମଣ୍ଡନ କହନ୍ତି ଆଜନ୍ମସୁଖୀ ରେ

ମଞ୍ଜୁଳା, କିଛି ଦୋଷ ନାହିଁ ମୋର ରେ

କାହିଁକି ଶୁଖିଲା ଛବିକି ଶିଖିଲା ତୋ ଶ୍ରୀମୁଖ କଳାକର ରେ ।୧।

 

ଖଟିଅଛି ନିତି ଖଟର ପଞ୍ଚମ ଖୁରାପରି ଜଗି ବସି ରେ

ଖସି ପଡ଼ୁଥିବା ନିତମ୍ବ ଅମ୍ବର ଖଞ୍ଜୁ ଅଛି ପ୍ରତିନିଶୀରେ ।

ମଞ୍ଜୁଳା, ଖେଳା ଖଞ୍ଜରୀଟଦୃଶା ରେ

ଖଳଜନ ଖଚ ବଚନକୁ ସତ୍ୟ ମଣି ଆଚରି କିଦୃଶାରେ ।୨।

 

ଗଣ୍ଠି ନିଶା - ଗର୍ଭ ଗରବ ଗଞ୍ଜନ ଗଉର ବିଗ୍ରହବତୀ ରେ

ଗଣ୍ଠି ଗୁପ୍ତଧନ କଣ୍ଠୀରବମଧ୍ୟମଧ୍ୟା ତୁ ମୋର ସୁଦତୀ ରେ

ମଞ୍ଜୁଳା, ଗିରୀଶ ସପତ୍ନ ଶରରେ

ଗୁନ୍ଥାଇ ନ ଦିଅ ଗୁଣ ରୂପ ରସସିନ୍ଧୁ ମୋବନ୍ଧୁ ରୋଷରେ ରେ ।୩।

 

ଘଡ଼ିଏ ଅନ୍ତର ନୋହିବାର ତୋର ଛାମୁରୁ ଚିରେ ନାହିଁକି ରେ

ଘୋଷା ଘୋଷାକର ଯୋଷାମାନଙ୍କର ଭୂଷାକରିଛୁ କାହିଁକି ରେ

ମଞ୍ଜୁଳା, ଘେନିଲେ ହେଲାନି ଯୁଗରେ

ଘନଜଘନା ତୋ ମୁଖଚନ୍ଦ୍ରେ ଦେଖି ସ୍ମିତକ୍ରୀଡ଼ା ବିପ୍ରଯୋଗ ରେ ।୪।

 

ନଖରାଜି ମାଜି ନବୀନ ନଳୀନ ବିକାଶ ଚରଣେ ତୋର ରେ

ନିନ୍ଦ୍ୟ ନୋହିବାର ଅଲକତ ସାର ବୋଳି ବଡ଼ପଣ ମୋର ରେ

ମଞ୍ଜୁଳା, ନ ଥିଲେ ତୋ ନଉକରିରେ

ନ ଲୋଡ଼େଁ ମୁଁ ମୋର ଭାଗ୍ୟ ବଡ଼ି ଚଢ଼ିବାର ଚତୁର୍ଦ୍ଦନ୍ତ କରୀରେ ।୫।

 

ଚନ୍ଦ୍ରିକା ତୁ ଚିରତୃଷିତ ଚକୋର ଚଞ୍ଚୁପୁଟ ମୋ ଲପନ ରେ

ଚୁମ୍ବେ ଚମତ୍କାର ରବ ନ କରଇ ସବ୍ରୀଡ଼ ଜାଣି ତୋ ମନ ରେ

ମଞ୍ଜୁଳା, ଚିହିଙ୍କିବୁ ବୋଲି ଡରେ ରେ

ଚେତି ପହୁଡ଼ିବା ବେଳେ ଏକା ନଖ ଶିଖର ଚାଳନ କରେ ରେ ।୬।

 

ଛ’ନବ ବୟସୀ ଛଣାମୃତ ଭାଷୀ ଛୁଆ ମଦଗଜ ଗତି ରେ

ଛତି ଟେକାଇ ମୁଁ ତୋର ଭୃତ୍ୟ ବୋଲି ପ୍ରସରୁଅଛି ଜଗତୀରେ

ମଞ୍ଜୁଳା, ଛେଦନା’ ଉନ୍ନତି ମୋର ରେ

ଛେଚି ହେବି ଛେଲ ମାରିହେବି ଅବା ସିନା ଶ୍ରୀଛାମୁରେ ତୋର ରେ ।୭।

 

ଯେବେ ଶମ୍ବରାରି ଜମ୍ବୁନଦ ଜରିତମ୍ବୁ ବରୋରୁହା ସ୍ତନାରେ

ଜାଣିଥିବି ଜମ୍ଭାରାତି ଭାଗ୍ୟ ରମ୍ଭା ତୁଲ୍ୟ ନାରୀ ଉପାସନା ରେ

ମଞ୍ଜୁଳା, ଯାହା ତୁ ଫରମାସିବୁ ରେ

ଜବାବ ନ ଦେଇ ଯୋଡ଼କର ହୋଇ ସେ ଦଣ୍ଡ ସହିବି ସବୁ ରେ ।୮।

 

ଝଳି ଝଲମଲ ଝଟକ ହାଟକ ନ ସଞ୍ଚ କେଉଁ ଦୁର୍ମତି ରେ

ପାଇ ମନକୁ ଲୋଭରେ ମୋହରେ ବଳାଏ ବଳାଏ ରତିରେ

ମଞ୍ଜୁଳା, ଝୁଣ୍ଟି ମରିବ କେ ଘେନ ରେ

ଝୁମ୍ପା ଝାଲରିଆ ଅମ୍ଭାରିରୁ ଖସି ଝଗଡ଼ି ଝଗଡ଼ା ବନରେ ।୯।

 

ନନ୍ଦନ ବନ ତୁନ୍ଦ ହରିଚନ୍ଦନ ତରୁତଳ ବାସ ଥିବ ରେ

ନିର୍ଗନ୍ଧନ ମେରୁ ବନକୁ ଧନକୁ ପଚାରୁଛି କେଉଁ ଜୀବ ରେ

ମଞ୍ଜୁଳା, ନିର୍ଝର ନଦୀ ତେଜିବ ରେ

ନୀଚ ପଶୁଜନ ସ୍ନାନ ପାନ ମ୍ଳାନ ଜଳଗର୍ଭକୁ କେ ଯିବ ରେ ।୧୦।

 

ଟିକିଏ ଦୁର୍ଘଟ ନୋହି ସୁଧାଘଟ ଥିବ ଯା ରସନା ପାଶରେ

ଟାକର ନ ଫରମାସିବ ସେ ନିକି କରା କିରାତ ନିର୍ଯାସ ରେ

ମଞ୍ଜୁଳା, ଟୋକିଟା କେ ଟାକି ଥିଲା ରେ

ଟେକାଟେକି କରି ଛାମୁରେ କିସଟି ଟୁପୁ କରି ଟିପି ଦେଲା ରେ ।୧୧।

 

ଠାକୁରଙ୍କୁ ସାକ୍ଷୀ କରି ଖଞ୍ଜନାକ୍ଷି ଯଥାର୍ଥ ଜଣାଉଅଛି ରେ

ଠକ ଆଚରଣ ମୋର ତୋ ଚରଣ ସେବାରେ ନାହିଁଟି କିଛି ରେ

ମଞ୍ଜୁଳା, ଠୋ’କରି ହଣାଇ ଦେ’ନା ରେ

ଠ ଅକ୍ଷର ପରି ଜଗତୀରେ ଫେରିବାର ଦୟାଳୁତା ବାନା ରେ ।୧୨।

 

ଡିହାପଣ ପଲେ ହେଲେ ମୁଁ ରୋଷକୁ କ୍ଷମାଗୁଣେ କରି ମନା ରେ

ଡିମ୍ଭ କୁରଙ୍ଗ - ନୟନ - ଜିଣା ନେତ୍ର ଅଞ୍ଚଳରେ ଥରେ ଅନା ରେ

ମଞ୍ଜୁଳା, ଡାକ ମୋତେ ପର୍ଯ୍ୟଙ୍କକୁ ରେ

ଡେଇଁ ପଡ଼ିବିଟି ତୋ ଅଙ୍ଗେ ଅର୍ଯ୍ୟମା ଜେମା ଜୀବନ ଅଙ୍କକୁ ରେ ।୧୩।

 

ଢାଳ ମୋରେ ଅନୁକମ୍ପା ଚମ୍ପା ଶମ୍ପା ସମ୍ପତ୍ତି - କମ୍ପଦ ମୂର୍ତ୍ତି ରେ

ଢୋକାଇ ଅଧରୁ ଢୋକେ ସୁଧାଧାରା ଧବଳିତ କର କୀର୍ତ୍ତିରେ

ମଞ୍ଜୁଳା, ଢଳୁଛି ମୋ ମୋଦ ଶାଖୀ ରେ

ଢାଳେ ଧୃତଜଳ ପିଆଇ ତା ମୂଳ ଦ୍ରଢ଼ିମାକୁ ଦିଅ ରଖି ରେ ।୧୪।

 

ଅମ୍ବୁଦ ଅଭିନବ ଦଳ ତମାଳତରୁ ଅତସୀ ଅଞ୍ଜନ ରେ

ଏତାମଦ ନୀଳଚେଳ ଏତେ ଦ୍ରବ୍ୟ ମୋ ସ୍ନେହୁ ରସେ ତୋ ମନ ରେ

ମଞ୍ଜୁଳା, ଆପେ ମୁଁ ହାଜର ଅଛି ରେ

ଅତି କରୁଣାଦ୍ର ମନୁଟି ତ ତୋର ଅନୁକମ୍ପୁ ନାହିଁ କିଛି ରେ ।୧୫।

 

ତରୁଣୀ ତିଳକୀକୃତ ତାମସ ଚରଣ ପରାଗାବଳି ରେ

ତପନ ତନୟା ତଟିନୀ ତଟକୁ ତୋଷ ରଚି ରାସ କେଳି ରେ

ମଞ୍ଜୁଳା, ତଳକୁ ନ କର ମୁଖରେ

ତାଳକୁତୁକ ପୂର୍ଣ୍ଣସ୍ତନା ଗୁମାନେ କାଳକୁ କଥା ନ ରଖ ରେ ।୧୬।

 

ଥରେ ତୋ ଶ୍ରୀମୁଖ ତୁଷାର ମୟୂଖ ଶୁଖିଲା ଦେଖିଲା ନାହିଁ ରେ

ଥରେ ଏହି ଭୟବଶୁଁ ମୋ ହୃଦୟ ଅପୂର୍ବ ସୁଷମା ଚାହିଁ ରେ

ମଞ୍ଜୁଳା, ଥାପିହେଉ କ୍ରୋଧଭର ରେ

ଥାଳ ତୁ, ମୁଁ ଯୋଗୀ ହେଲେ ବିପ୍ର ଯୋଗୀ ତୋତେ ସିନା ଅସୁନ୍ଦର ରେ ।୧୭।

 

ଦୟା - ଦରିଦ୍ର ସେ ଦୁରନ୍ତ ଦଇବ ଦେଉଛି ମୋତେ ଏ ଦଣ୍ଡ ରେ

ଦଳି ପକାଉଛି ଦାରୁଣ ନାରାଚ ଦମ୍ଭ ଦମ୍ଭୋଳି ମୋ ପିଣ୍ଡରେ

ମଞ୍ଜୁଳା, ଦେଲେ ହେଲେ ତୁ ଘଉଡ଼ି ରେ

ଦୁଃଖିଧନ, ତୋର କରିବି କି ଦୂର କୁଞ୍ଜ ମନ୍ଦିର ଦେହୁଡ଼ି ରେ ।୧୮।

 

ଧୀରା ଯୁବତୀଙ୍କ ହୀରା ରଖ କ୍ଷିତି ଚିରା ମାଗୁଛି ଏତେକ ରେ

ଧନ, ମୁଁ ମୀନଜୀବନ ତୁ ନବୀନ ଘନ ତ ମୁଁ ଯେ ଚାତକ ରେ

ମଞ୍ଜୁଳା, ଧ୍ୱଂସ କରିବ ମୋ ଓଜ ରେ

ଧଗଦ୍ଧଗଦ୍ଧାଟି ହେଉଛି ଧୂର୍ଜଟୀ - ରିପୁ ଧୁର୍ତ୍ତ ଧୂମଧ୍ୱଜ ରେ ।୧୯।

 

ନିପଟ ନିସର୍ଗ ହୃଦୟ ଯେ ଭର୍ଗ ପରିପନ୍ଥି ପ୍ରେତବର ରେ

ନ ଦଣ୍ଡ୍ୟ ଅପରଚଣ୍ଡ କରେ ଆପେ ଦଣ୍ଡକରେ ସାଧ୍ୟକର ରେ

ମଞ୍ଜୁଳା, ନିଶ୍ଚିତ ହେଲେ ମୋ ଦୋଷ ରେ

ନଖର ପ୍ରଖର ପ୍ରାନ୍ତର କୁନ୍ତରେ ମୋତେ ଭୂମିଭୂଷା ଭୂଷ ରେ ।୨୦।

 

ପକାଇ ଉତ୍ତାନ କରି ତଳେ ମୋତେ ପଥର ନଦିଲାପରି ରେ

ପୀନ ପୟୋଧର ପରବତ ମୋର ଉରେ ଲଦିଦିଅ ଚୂରି ରେ

ମଞ୍ଜୁଳା, ପୀଡ଼ି ଦନ୍ତେ ଦନ୍ତାମ୍ବର ରେ

ପୂତନାର ସୁଚୁଚୁକଦ୍ଵାରେ ପୂରି ପିଇଦିଅ ପ୍ରାଣ ମୋର ରେ ।୨୧।

 

ଫାଟିଯିବା ଭଳି ମୋ ବାହାଯୁଗଳ ଭିଡ଼ି ବନ୍ଧୁ କୁନ୍ଦହାସୀ ରେ

ଫିଟାଇ ଦେବାକୁ ହୁକୁମ ନ ଥାଇ ବାନ୍ଧି ବାହୁ ଦୃଢ଼ପାଶି ରେ

ମଞ୍ଜୁଳା, ଫରମାସିବୁ ତୁ ଯାହା ରେ

ଫନ୍ଦା କରି ତାକୁ ଫୁଲପରି ଶିରେ ବହି ସହିବି ସୁସ୍ନେହା ରେ ।୨୨।

 

ବିଶ୍ୱାସ ଉଚିତ ନଉକରି ଚିତ୍ତ ଦୂର ହେଲେ କରି ଦୂର ରେ

ବସନ ଫିଟାଇ ବନ୍ଧନ ଫିଟାଇବାର ବୋଲି ଅସୁନ୍ଦର ରେ

ମଞ୍ଜୁଳା, ବିଚାରିବୁ ନାହିଁ ମନେ ରେ

ବରଜି କରୁଣା ଏଥୁଁ ବଡ଼ଦଣ୍ଡ ଦେଇଅଛୁ ଦିନେ ଦିନେ ରେ ।୨୩।

 

ଭୃତ୍ୟ କଲେ ଦୋଷ ପ୍ରଭୁ ବହି ରୋଷ ନ ଦଣ୍ଡିଲେ କେ ଦଣ୍ଡଇ ରେ

ଭରଜି ଦାସର ଦାସ୍ୟରେ ବିଶ୍ୱାସ ନ ମଣ୍ଡିଲେ କେ ମଣ୍ଡଇ ରେ

ମଞ୍ଜୁଳା, ଭର୍ତ୍ତାକୁ ଯେଟି ଭଣ୍ଡଇ ରେ

ଭରଣ ନ କରି ପ୍ରଭୁ ତାର ଅଙ୍ଗ ନ ଖଣ୍ଡିଲେ କେ ଖଣ୍ଡଇ ରେ ।୨୪।

 

ମୋହିଲା ପଦାର୍ଥ ତୁ ସିନା କିଶୋରୀ ମହୀ ଲାୟକ ଯେ ନୋହୁ ରେ

ମହୀ ଲାଘଗୁଁ ମୁକ୍ତ ହେଲା ବହିଲା ଏ ବିଧି ଏତିକି ରହୁ ରେ

ମଞ୍ଜୁଳା, ମଦାଳସା ବ୍ରଜରାଜରେ

ମଲ୍ଲୀଦଳକୃତ ବହଳ ବିଛଣା ମଧ୍ୟରେ ଥରେ ବିରାଜ ରେ ।୨୫।

 

ଯମସ୍ୱସାଜଳେ ଯୁବତୀଙ୍କ ମେଳେ କରୁଥିଲୁ ଅବଗାହ ରେ

ଯାଦୁପରି ଦୂରୁଁ ବୁଡ଼ିଆସି ଭିଡ଼ି ଢୋକିଲି ପଦାମ୍ଭାରୁହ ରେ

ମଞ୍ଜୁଳା, ଯଥୋଚିତେ ଚାଳି ନଖ ରେ

ଯତ୍ନେ ନଟବେଶ ଦେଖାଦେଲି ହାସେ ସଖାମାନେ ଥିବା ସୁଖରେ ।୨୬।

 

ରମଣୀୟ - ଶୀଳ ରମଣୀମଣ୍ଡଳ ରମଣୀ ତୁ ତ ବିଦୁଷୀ ରେ

ରଖି ମନେ ଏହି କଥାକୁ କି ମଥା ନୁଆଇଁ ବସନ୍ତୁ ରୁଷି ରେ

ମଞ୍ଜୁଳା, ରହସ୍ୟ ଲୋକାନ୍ତ ଭେଦ ରେ

ରମ୍ୟଗୁଣ ତୋର ରଖଇ କି ପଛେ ଜନ୍ମଇ ସିନା ନିର୍ବେଦରେ ।୨୭।

 

ଲଦିଛି ମଙ୍ଗଳାଙ୍କୁ ମୁଁ ଏକ ଊଣା ଲକ୍ଷେ ମନ୍ଦାର ମୁକୁଳ ରେ

ଲଗଡ଼ ବିଚାରି ଏକ ନଉକରି ସ୍ଵଗୋତ୍ରେ କରି ମୁଁ କୁଳ ରେ

ମଞ୍ଜୁଳା, ଲଗାଇଲେ ପ୍ରେମଧାରାରେ

ଲଳନାମଣି ରେ ନ ପାଳିବାକୁ ସେ ଆଜ୍ଞାକୁ କାହାରି ଚାରା ରେ ।୨୮।

 

ବିଶ୍ଵ ବିଶ୍ଵମ୍ଭରା ଧୂଳି ପରମ୍ପରା ଲେଖିବାକୁ ବିଦ୍ୟା ଥିବ ରେ

ବିଶ୍ୱାସୀ ଚାକର ଦୋଷର ଆକର ତା' ଦୋଷ ଗଣା ନ ଯିବ ରେ

ମଞ୍ଜୁଳା, ବିବେକୀ ପ୍ରଭୁ ତୋ ପରି ରେ

ବଞ୍ଚାଇ ନେଉଥାଏ କ୍ଷମାଗୁଣରୁ ଗର୍ହିତ ଭାବ ନ ଧରି ରେ ।୨୯।

 

ଶେଫାଳିକା ବାସ ଭାରବୁହାଳସ ପ୍ରସରଣୁ ହୋଇ ଚାରୁ ରେ

ଶତପତ୍ର ବନବିଳାସୀ ପବନ ବହିଲାଣି ଯମୁନାରୁ ରେଭ

ମଞ୍ଜୁଳା, ଶିଶିର ହେଲା ନୀହାର ରେ

ଶୀତଳ ନୋହିଲା ଏତେ ବିନୟେ ତୋ ଚିତ୍ତ ଏ କି ଚମତ୍କାର ରେ ।୩୦।

 

ଷଡ଼ାନନ ପିତା ପ୍ରାସାଦମାନଙ୍କେ ବିକଶୁଛି ଶଙ୍ଖ ନାଦ ରେ

ଷଡ଼ଙ୍ଘ୍ରିମାନେ କୁସୁମକଳି ଚୁମ୍ବି ତା’ ତୁଲେ କଲେଣି ବାଦ ରେ

ମଞ୍ଜୁଳା, ଷଡ଼ୁପାୟ ଶେଷ ହେଲା ରେ

ଷୋଡ଼ଷୁଁ ନ୍ୟୂନ ବୟସୀ ଅକାରଣେ ତୋ ରୋଷ ଶେଷ ନୋହିଲା ରେ ।୩୧।

 

ସହି ବାରକ ମୋ ଅପରାଧ ଏବେ କହିବାର କଥା ଘେନ ରେ

ସଙ୍ଖାଳି ସରସ ନେତ୍ରାନ୍ତେ ମୋହର ସମ୍ଭାଳି ରଖ ଜୀବନ ରେ

ମଞ୍ଜୁଳା, ସରିଲିଟି ଚାହୁଁ ଚାହୁଁ ରେ

ସୁଧା ସାର ସାର ସଦୃଶ ବଚନେ ଥରେ ଆହା ବୋଲୁ ନାହୁଁ ରେ ।୩୨।

 

ହିମ ହରିତାଳ ତାଳ ସୁବର୍ତ୍ତୁଳ ସ୍ତନ ଲଗାଇ ମୋ ଛାତିରେ

ହର - ପରିପନ୍ଥୀ ଶର ଜ୍ଵର ମନ୍ଥି ପକାଅ ମନ୍ଥରଗତି ରେ

ମଞ୍ଜୁଳା, ହାର ଏକା ସବୁ ମୋର ରେ

ହେଳା ଏଣିକି ମୁଁ ଯେବେ ଆଚରିବି ହଣାଇ ଦିଅ ମୋ ଶିରରେ ।୩୩।

 

କ୍ଷଣଦା - ମୟୁଖମୁଖୀ ଶ୍ୟାମମୁଖ ବାଣୀ ଶୁଣି ହୋଇ ସୁଖୀ ରେ

କ୍ଷୀରବିନ୍ଦୁ କୁନ୍ଦଅବଦାତ ମନ୍ଦ ସ୍ତିତ ରଦାମ୍ବରେ ରଖି ରେ

ମଞ୍ଜୁଳା, କ୍ଷିତି ପ୍ରସାଦେ ମଣ୍ଡିଲେ ରେ

କ୍ଷମା ସଂକ୍ରନ୍ଦନ ଶ୍ରୀହରିଚନ୍ଦନ ଜଗଦ୍ଦେବ ବିଚରିଲେ ରେ ।୩୪।

 

୧୩। ନିରଙ୍କ - କଳଙ୍କହୀନ, ଅମ୍ବର - ଶାଢ଼ୀ, ସୁଦତୀ - ଭଲ ଦାନ୍ତ ଥିବା । ଅଲକତ - ଅଳତା, ଛେଲ - ଅସ୍ତ୍ର, ଶମ୍ବରାରି - କନ୍ଦର୍ପ, ଜମ୍ବୁନଦ - ସୁନା, ବରୋରୁହା - ଘନଜଘନ, ଜମ୍ଭାରାତି - ଇନ୍ଦ୍ର, ଅମାରି - ଭାଡ଼ି, ତୁନ୍ଦ - ବୃହତ, କିରାତନିର୍ଯ୍ୟାସ - ନିମ୍ବରସ । ଡିହାପଣ - ଗାଲୁଆପଣ, ଡିମ୍ଭକୁରଙ୍ଗ - ସାନ ହରିଣ, ପର୍ଯ୍ୟଙ୍କ - ପଲଙ୍କ, ଅର୍ଯ୍ୟମାଜେମା - ଯମୁନା, ଶାଖୀ - ଗଛ, ଦ୍ରଢ଼ିମା-ଦୃଢ଼ତା, ଏତାମଦ - ବହୁପ୍ରକାର, ତାମରସ - ପଦ୍ମ, ଦୁରନ୍ତ - ପ୍ରଚଣ୍ଡ, ଦମ୍ଭୋଳି - ବଜ୍ର, ଦେହୁଡ଼ି - ଦ୍ୱାରଦେଶ, ଚିରା - ସାମାନ୍ୟ, ଓଜ - ତେଜ, ଧଗଦ୍ଧଗଦ୍ଧା - ଠେଲାପେଲା, ଧୂମଧ୍ୱଜ - ଅଗ୍ନି । ଭର୍ଗ - ଶିବ, ଦନ୍ତାମ୍ବର - ଓଠ, ଭରଜି - ମନାଇ, ଲାୟକ - ଯୋଗ୍ୟ, ଯମସ୍ୱସା - ଯମ ଭଗିନୀ ଯମୁନା, ପଦାମ୍ଭରୁହ - ପାଦପଦ୍ମ । ନିର୍ବେଦ - ଖେଦ, ଲଗଡ଼ - ଶୋଭନୀୟ, ବିଶ୍ୱମ୍ଭରା - ଜଗତପାଳିକା, ଶତପତ୍ର - ପଦ୍ମ, ନୀହାର - ବରଫ, ଷଡ଼ାନନ, ପିତା - ପ୍ରାସାଦ - ଶିବମନ୍ଦିର, ଷଡ଼ଙ୍ଘ୍ରି - ଭ୍ରମର, ଷଡ଼ୁପାୟ - ସ୍ତମ୍ଭନ ମୋହନାଦି ୬ଟି ତାନ୍ତ୍ରିକ ଉପାୟ, ହରିତାଳ - ପୀତବର୍ଣ୍ଣ, କ୍ଷଣଦା - ରାତି, ସଂକ୍ରନ୍ଦନ - ଇନ୍ଦ୍ର ।

 

(୧୪)

ମୋହନା ଚଉତିଶା

ରାଗ-ବସନ୍ତ

 

କଂସ ନଗରୀରେ ବିହରି ଶ୍ରୀହରି ହଂସଗମନାକୁ ଭାବି ରେ

କୁସୁମ ବିଶିଖେ ବିଦ୍ଧ ହୋଇ ଦୁଃଖେ ବୋଲନ୍ତି ଆହା ବାନ୍ଧବୀ ରେ,

ମୋହନା, କେତେ ଦୂର ଧାତା କଲା ରେ,

କି ଛାଡ଼ି ରହିଲି ଯାହାପାଶେ ନେତ୍ର ପିଛାଡ଼ି ହେଉ ନ ଥିଲା ରେ ।୧।

 

ଖମଣି - ନନ୍ଦନା - ତଟ ବନ ସୂନ ନିର୍ମିତ ଜଙ୍ଗମ ଲତାରେ

ଖୁଆ - ମୁହାଁ ନବନୀତେ ତ ନ ଥିବ ତୋ ଶ୍ରୀଅଙ୍ଗ କୋମଳତା ରେ

ମୋହନା, ଖଟପଡ଼ା ହଂସ ତୁଳୀରେ

ଖୁରି ଅର୍ଦ୍ଧକାଳ ବରଜି ମୋ କୋଳ ପହୁଡ଼ିଲେ ପଡ଼ୁ ଲୁଳି ରେ ।୨।

 

ଗଜେନ୍ଦ୍ର ଗରବଗଞ୍ଜନ ଗମନା ଅଞ୍ଜନା ନୀଳକୁନ୍ତଳା ରେ

ଗୁଣରୂପ ରସବତୀମାନଙ୍କର ଗୁରୁ ମୋ ନେତ୍ରପିତୁଳା ରେ

ମୋହନା, ଗିରିତୁଙ୍ଗେତର ସ୍ତନା ରେ,

ଗୋରୀ ତୁ ମୋ ଗତି ନିଖିଳ ଜଗତୀ ଶୀରି ତୁଳନା - ବିହୀନା ରେ ।୩।

 

ଘେନାଘେନି ବାଣୀ କୁହାପୋଛା ଠାଣି ଦୀନଜନ ଅନୁକମ୍ପା ରେ

ଘନକେଶା ଅଣୁମଧ୍ୟା ସିନା ଜାଣୁ ଶୃତି ମୋତିଝୁମ୍ପା କମ୍ପା ରେ

ମୋହନା, ଘଡ଼ିଏ ନୁହେଁ ପାଶୋରି ରେ

ଘୃତାଚୀମୁଖ ଲେଖ ବାରବାମାଏ ନୁହନ୍ତି ତ ତୋ ପା’ ସରି ରେ ।୪।

 

ନିରେଖି ମୋର ଛାମୁକୁ ଆସିବାର ଦିନେ ନିତମ୍ୱିନୀବର ରେ

ନିଦ ନ ଥାଇ ନୟନ ବୁଜି ମିଛେ ଆଉଜିଲୁ ଅପସରରେ

ମୋହନା, ନିକଟକୁ ଧୀରେ ଆସି ରେ

ନବ ଜାତୀ ସୂନ ଝରା ଖଞ୍ଜି ମୁଁ ନତନୁ ନଦେ ଗଲି ଭାସି ରେ ।୫।

 

ଚୁମ୍ୱି ଚିବୁକେ ଚଟୁଳ ପୟୋଧର - ଚକ୍ରବାକେ ଦେଲି ପାଣି ରେ

ଚତୁରୀ ସେ ସୁଖ ଭୋଗକଲୁ କିଛି ନ ପାରିଲାପରି ଜାଣି ରେ

ମୋହନା, ଚିରସୁଖ ସ୍ୱାଦ ଅନ୍ତେ ରେ

ଚିହିକି ପଡ଼ିଲା ହୋଇ ଚନ୍ଦ୍ରାନନା ନିବିଡ଼େ ଭିଡ଼ିଲୁ ମୋତେ ରେ ।୬।

 

ଛକେ ଛକେ ତହୁଁ ଛବି ଜଳଧିର ଛନ୍ଦି ପ୍ରତିଅଙ୍ଗ ଅଙ୍ଗେ ରେ

ଛପିଲି ଛ’ ଦଣ୍ଡଯାଏଁ ଫୁଲକାଣ୍ଡ ସମର ରସତରଙ୍ଗେ ରେ

ମୋହନା, ଛିଡ଼ନ୍ତେ ଉନ୍ମାଦ ଫାଶି ରେ

ଛାଡ଼ ଛୂରୀଅନା - ଗଭା ମୋ ରାଣଟି ବୋଲି ଭାଷିଲୁ ଯା’ ହସିରେ ।୭।

 

ଜଗତୀଭୂଷାର ଜାଣିବାରୁ ସାର ମୁଁ କିଛି ସୁସାର ରୀତିରେ

ଜବର ତ ବର - ଯୋଷା ତୁ ଶବର ସ୍ମର ଆହବରେ ମାତି ରେ

ମୋହନା, ଜାଗରୂକ ଅତି ହେଲୁ ରେ

ଜରଜର କରି ରସେ ମୋ ସନ୍ତାପ - ନଗରୀ ଜୁରାଇ ଦେଲୁ ରେ ।୮।

 

ଝସଧ୍ୱଜ ଗଜକୁମ୍ଭ ତୋ ଉରଜ କଟୀଟି ତ ମାୟା ସରୁ ରେ

ଝାଳବିନ୍ଦୁ ବୃନ୍ଦ ଝରିବା ତନୁରୁ ଝୁଲାଝୁଲି ଆୟାସରୁ ରେ

ମୋହନା, ଝୁମୁଥିଲି ମାରମଦେ ରେ

ଝଲକି ଲାବଣ୍ୟ ନେତ୍ର ମାର୍ଗେ ଆସି ଭରତି ହେଲା ମୋ ହୃଦେ ରେ ।୯।

 

ନିତମ୍ୱ ବିମ୍ୱ ଆଡ଼ମ୍ୱର ଶମ୍ୱର ସପତ୍ନ ଡିଣ୍ଡିମେ କାହିଁ ରେ

ନୟନ କଳୁଷ ନୁହେଁ କି ନିଃଶେଷ ନିଧୁବନ କାଳେ ଚାହିଁ ରେ

ମୋହନା, ନାହିଁ ତୋ’ ପରି ତ୍ରିପୁର ରେ

ନୀବି ନବରସ ଅର୍ଗଳ ଗିରୀଶ ପର ମନ୍ଦିର ଗୋପୁର ରେ ।୧୦।

 

ଟୋକି ପଞ୍ଚଦଶ ଯାଏଁ ପରିବେଶ ପରା ଥାନ୍ତି କେତେ ଘେରି ରେ

ଟୋପି କସ୍ତୁରୀତିଳକ ଶୋଭିନୀ ତୁ ପଞ୍ଚଦଶ ଶଶୀପରି ରେ

ମୋହନା, ଟେକାଇ କୁସୁମାଲଟ ରେ

ଟିକେ ପରିସରେ ଉଭା ହେଲେ ସରେ ସଂସାର ସୁଷମା ଲଟ ରେ ।୧୧।

 

ଠଉରିଥିବ ମୋ ଧନ ସଙ୍ଗ କେବେ ନୋହିବ ବୋଲି ଅନ୍ୟଥା ରେ

ଠାକୁରମାନଙ୍କ ପଦପୀଠରେ ମୁଁ ଠକୁଥାଏଁ ନିତି ମଥାରେ

ମୋହନା, ଠକ ପୁରୁଷ ଦଇବ ରେ

ଠୁଳେ ମୋ ତରସ ଭରତି ନ କଲା ଏ ଦେହ କେହି ସହିବ ରେ ।୧୨।

 

ଡାକି - ମନୋହରମଧ୍ୟାକୁ ତ ଦୂର କରିଛି ନିର୍ଦ୍ଦୟ ହୃଦେ ରେ

ଡାକିବି ମୁଁ ଏବେ କାହାକୁ ଟି ଜୀବେଶ୍ୱରୀ କିରେ ବୋଲି ମୋଦେ ରେ

ମୋହନା, ଡିମ୍ୱ ସାରଙ୍ଗ ଲୋଚନା ରେ

ଡକା କରି ଦିନ ଯିବ ମୋର ପାପ ଦଇବ କଲା ରଚନା ରେ ।୧୩।

 

ଢୋକେ ତୋ ମଧୁର ସୁବାସ ଅଧର ମଧୁରସ ନ ପାଇଲି ରେ

ଢାଲେ ଫୁଲ - କଙ୍କପତ୍ର ରଣରଙ୍କ ହୋଇ କାଳ ପୁହାଇଲି ରେ

ମୋହନା, ଢଳା ଚପଳ ନେତ୍ରାନ୍ତ ରେ

ଢାଳି ମୋ ବଦନେ ରଚିବାର ସ୍ମିତ ସ୍ୱପ୍ନ ହେଲା ପ୍ରାଣମିତ ରେ ।୧୪।

 

ଅଙ୍କରେ ପଙ୍କଜନେତ୍ରା ବସି ମୋର ଶରଦର ରାକାନିଶି ରେ

ଇନ୍ଦୁ ଇନ୍ଦିରାକୁ ପ୍ରଶଂସିଲୁ ଧୀରେ ଅଙ୍ଗୁଳିକି ଦେଇ ଘଷି ରେ

ମୋହନା, ଅଳକ କସ୍ତୁରୀ ମସୀରେ

ଏଥିକି କେ ପାରିବ ମୋ ମା’ ବୋଲି ଗଲୁ ହସି ମୋ ତନୁରେ ମିଶି ରେ ।୧୫।

 

ତନୁରୁ ଅନ୍ତର ହୋଇବାରୁ ମୋର ତିଳେ ତ ସହି ନ ପାରୁ ରେ

ତରୁଣ ତମାଳ ତରୁକୁ ତରୁଣୀମଣି ପରିରମ୍ଭ କରୁ ରେ

ମୋହନା, ତରକି ତୋର ମରଜି ରେ ତପତ ତପନୀୟକୁ ମୀନାକ୍ଷି ଥାଏଁ ମୁଁ ଭଜିରେ ।୧୬।

 

ଥରି ମନ୍ମଥରେ ଡରି ଥରେ ଥରେ ସରି ଯାଉଥାଏଁ ମୁହିଁ ରେ

ଥାପି କରିଦେଉ କି ଭାବରେ ପୂର୍ଣ୍ଣ ବିଭାବରୀବର ମୁହୀଁ ରେ

ମୋହନା, ଥିଲେ ତୋ ଛାମୁରେ ବସି ରେ

ଥାଟପରି ମାଡ଼ି ଆସୁଥିଲେ ଛାଡ଼ିଯାଏ ସ୍ମରତାପ ରାଶି ରେ ।୧୭।

 

ଦିନେ ଦିନେ ଦିନ ଦିଧୀତି - ଦୁହିତା ତଟ ଅଟବୀରେ ପଶି ରେ

ଦୁହେଁ ମିଶି ଫୁଲ ତୋଳିବା କାଳରେ କି ରସ ଯାଏ ବରଷି ରେ

ମୋହନା, ଦୁରାପ ସେ ଦେବତାଙ୍କୁ ରେ

ଦିବ୍ୟ ଦ୍ରବ୍ୟମାନ ମିଳୁ ତୋ ସମାନ ରସିକା କେ ଦେବ ତାଙ୍କୁ ରେ ।୧୮।

 

ଧରାଅ ପୁନ୍ନାଗ ଝରାକୁ ମୋ ଶିରେ ବୋଲି ତାହାକୁ ମୁଁ ଭାବି ରେ

ଧନ ମୋ କୋଡ଼ରେ ଥାଇ ମୋ ଗୋଡ଼ରେ ତୋଡ଼ର କରୁ ମାଧବୀ ରେ

ମୋହନା, ଧାର୍ମିକ ପଣକୁ ଜାଣିରେ

ଧରି ପ୍ରପଦରୁ ମଥାଯାଏଁ ଲକ୍ଷେ ଚୁମ୍ୱଇଁ ମୁଁ ଗଣିଗଣି ରେ ।୧୯।

 

ନକ୍ଷତ୍ରମଣ୍ଡଳ ଚୁମ୍ୱ ଚାରୁ ଚେଳ ବଲ୍ଲରୀ ବଡ଼ଭୀତଳେ ରେ

ନିସ୍ତନ୍ଦ୍ର ଚନ୍ଦ୍ର ସୁନ୍ଦରମୁଖୀ ସଖୀବୃତ ଗାଦି ମଧ୍ୟସ୍ଥଳେ ରେ

ମୋହନା, ନିଶାମୁଖେ ବିଜେକରି ରେ

ନିର୍ଜରାଧିନାଥ ନିତମ୍ୱିନୀ ପରି ବିପଞ୍ଚୀକି ଅଙ୍କେ ଧରି ରେ ।୨୦।

 

ପ୍ରଶଂସାରେ ମୋର ପୂରି ରହିବାର ଚଷକ ରସ କବିତାରେ

ପଞ୍ଚମେ ପକାଇଥିଲୁ ମାଳବରେ ମାଳବର ବିଭୂଷିତା ରେ

ମୋହନା, ପହିଲୁଁ ତ ଦିନଶେଷେ ରେ

ପୃଥୁ ଅପସର ପଛେ ଥିଲି ତୋର ପ୍ରିୟ ସହଚରୀ ବେଶେ ରେ ।୨୧।

 

ଫୁଲାଇ ପୁଲକ ମୁକୁଳେ ପ୍ରତୀକ ଗୋଟିଯାକ ମୋଦ ବଳେ ରେ

ଫଣୀ ପଶୁ ଶିଶୁ ଶ୍ରବଣ ପ୍ରବଣ ସଙ୍ଗୀତେ ରସିବା ବେଳେ ରେ

ମୋହନା, ଫାଟିଲା ମୋ ଧୃତି ଘଟି ରେ

ଫୁଲ କୁଞ୍ଜମୁଖେ ଚୁମ୍ୱିଲି ପଛରୁ ଭିଡ଼ିଧରି ଶତଗୋଟି ରେ ।୨୨।

 

ବେହେଲା ସୀତାର ତମ୍ୱୁରା ଅମୃତ ପିନାକୀ ଚନ୍ଦ୍ର ମର୍ଦ୍ଦନୀ ରେ

ବଂଶୀମୁଖ ଚଙ୍ଗ ଖଞ୍ଜରୀ ସାରଙ୍ଗ କିଙ୍କିଣି ମର୍ଦ୍ଦଳ ଗିନି ରେ

ମୋହନା, ବଜାଉଥିଲେ ଯେ ସଖୀ ରେ

ବ୍ରୀଡ଼ାଭରନତ ବଦନରେ ସ୍ମିତ ଧରି ପଳାଇଲେ ଦେଖି ରେ ।୨୩।

 

ଭରତ ବନ୍ଧୁର କଳା ଚାଳନାଦି କଉତୁକ ମହୋତ୍ସବେ ରେ

ଭରତି କଲାଇଁ ସେ ରାତି ଶିବଙ୍କ ଅରାତି ପ୍ରବୀରାହବେ ରେ

ମୋହନା, ଭାଗ୍ୟହୀନ ଦଶା ଏବେ ରେ

ଭଗାରି ହସାଇ ଦେଉଛି ଭସାଇ ତୋ ବିଚ୍ଛେଦ ମହାର୍ଣ୍ଣବେ ରେ ।୨୪।

 

ମାନସେ ମୋହର ନ ଥିଲା ମଦନ କେଳି ବିଦ୍ୟା କଳ୍ପବଲ୍ଲୀ ରେ

ମଧୁରାଧରାମୃତ ପାନ ଏପରି ଅଧୀରା ହୋଇବ ବୋଲି ରେ

ମୋହନା, ମନ୍ଦମତି ଚାରିମୁଖ ରେ

ମାରି ନ ପକାଇ ମରିବି ପକାଇ ଦେଲା ମୋର ମୂଳ ସୁଖରେ ।୨୫।

 

ଯତ୍ନ ଶତଶତ କଲେ ହେଲେ ଶିତସ୍ମିତା ଯା ନଦେଉ ଧରା ରେ

ଯନ୍ତ୍ର ଧୁରନ୍ଧର ସ୍ମରଶୈଳୁଁ ଶର ମାୟାବିଦ୍ୟା ତୁହି ପରା ରେ

ମୋହନା, ଯଶହୀନ ମୋ କରମ ରେ

ଯାତ ଯାମ କରି ଦେଉଛି ମକରୀ - ମଣ୍ଡନା ତୋ ସଙ୍ଗୋଦ୍ୟମ ରେ ।୨୬।

 

ରତି ରସାଞ୍ଚଳ ସମୟେ ଚଞ୍ଚଳଭାବ ନୟନେ ନ ଥାଇ ରେ

ରଣକୃତ - ଶର - ବ୍ରଣତନୁ ଶୂର ପରି ଅଳପ ବ୍ୟଥାଇ ରେ

ମୋହନା, ରୁଷିଲାପରି ଶ୍ରୀମୁଖ ରେ

ରଖି ତାରକା ମନ୍ଥର ନେତ୍ରାନ୍ତରେ ସସ୍ମିତେ ଦେଉ କି ସୁଖ ରେ ।୨୭।

 

ଲକ୍ଷ ଲଡ଼ୁ ଲମ୍ୱୋଦରଙ୍କ ଅଧରେ ଲାଗି କରାଇବା ଫଳରେ

ଲୋକା - ଲୋକ ଶୀରି ସିନା ଚୋରିକରି ମଣ୍ଡିଛି ତୋ ବକ୍ଷସ୍ଥଳ ରେ

ମୋହନା, ଲୋକ ବୋଲେ ପୟୋଧର ରେ

ଲାଗେ ଅତି ଭାରି ଘେନି ମେରୁପରି ହେବାରୁ ସମୁକ୍ତା - ହାର ରେ ।୨୮।

 

ବଉଳବଲ୍ଲୀ ବାସରେ ଦିନେ ହୋଇ ବିଶ୍ୱକେତୁ ରସାତୁରା ରେ

ବସିଥିଲୁ ମୋର ଉତ୍ସଙ୍ଗରେ ରସି ବଶୀକରଣ ଚତୁରା ରେ

ମୋହନା, ବିମ୍ୱାଧରୁ ଦେଇ ମଧୁ ରେ

ବିଦେଶ ପରି ଏ ସୁଆଦ ହେବ କି ବୋଲି ଯେ ସୁନବବଧୂ ରେ ।୨୯।

 

ଶଚୀ ଶତମୁଖ ଦୁହେଁ ଯେଉଁ ସୁଖ ନ ଲଭନ୍ତି ଅଭିଳାଷ ରେ

ଶଶୀ ସକଳ ଶିରଭୁଷା ପ୍ରସାଦୁଁ ହୋଇଥିଲା ଆମ୍ଭ ବଶ ରେ

ମୋହନା, ଶାତଘାତିନୀ ଏ ଦଶାରେ

ଶମ୍ଭୁ ପ୍ରସାଦକୁ କରିନେଲା ଶଶ ବିଷାଣ ସଦୃଶ ମୃଷା ରେ ।୩୦।

 

ଷଟପଦ ଯୁବାପରି ଆଚରିବା ଚରିତ ମୋର କୁହନା ରେ

ଷୋଡ଼ଶରୁ ଉଣା ବୟସୀ ରେ ! କିଣା ତୋହରି ଏ ପ୍ରାଣ ସିନା ରେ

ମୋହନା, ଷଡ଼ଙ୍ଘ୍ରିଂ ନୀଳ କୁନ୍ତଳା ରେ

ଷଡ଼ାସ୍ୟ ଜନକ ବିପକ୍ଷ ତଟିନୀ ତରିବାକୁ ତୁ ମୋ ଭେଳାରେ ।୩୧।

 

ସରସିଜ ସୂନୁ ସରଜିବ ନାହିଁ ସରସ ହେବା ସଂସାର ରେ

ସର୍ଜିଲେ ସର୍ବଥା ସଞ୍ଚିତ କରିବ ନାହିଁ ତହିଁ ସ୍ନେହ ସାର ରେ

ମୋହନା, ସ୍ନେହକୁ ଯେବେ ସର୍ଜିବ ରେ

ସ୍ନେହୀ ବିରହରେ ସେହିକ୍ଷଣେ ସରିଯିବାକୁ ଉପାୟ ଥିବ ରେ ।୩୨।

 

ହିଣ୍ଡିର ହାର ହୀରକ ହିମଚୟ କୁମୁଦ କର୍ପୂର ହାସୀ ରେ

ହଇରାଣ ବଡ଼ ହେଲି ତୋତେ ଦୂରେ ହରାଇ ହୋଇ ପ୍ରବାସୀ ରେ

ମୋହନା, ହେବ ହରକୃପା ଲବେ ରେ

ହେମସାର ଗୋରା ମୃଦୁ ତନୁଟି କି ଏ ମସାର ଯୁତ ହେବ ରେ ।୩୩।

 

କ୍ଷମଦା ରତିବାନ୍ଧବୀ ସୁଖୀ କର ବିରହୁଁ ବ୍ରଜେନ୍ଦ୍ରସୁତ ରେ

କ୍ଷଣାର୍ଦ୍ଧକୁ ଯୁଗଠାରୁ ଅତୀ ଦୀର୍ଘ ଘେନି ହୋଇ ସନ୍ତପତ ରେ

ମୋହନା, କ୍ଷମ ନୋହି ବିରହଣ ରେ

କ୍ଷୀଣାନନ୍ଦ ହେଲେ ଜଗଦ୍ଦେବ ହରିଚନ୍ଦନ ଭୂପତି ଭଣେ ରେ ।୩୪।

 

୧୪। ପିଛାଡ଼ି - ପଲକ ପଡ଼ିବା, ଖମଣିନନ୍ଦନା – ତଟ - ଯମୁନାତଟ, ସୂନ - ଫୁଲ, ଲୁଳି - ଝାଉଁଳି, ଅଣୁମଧ୍ୟା - କ୍ଷୀଣକଟୀ, ଘୃତାଚୀ - ଅପ୍ସରା, ଅପସର - ତକିଆ, ନତନୁ - କନ୍ଦର୍ପ, ଜଳଧି - ସମୁଦ୍ର, ଛପିଲି - ବୁଡ଼ିଗଲି । ସ୍ମରଆହବ - ରତିକ୍ରୀଡ଼ା, ସୁସାର - ଶୋଭା, ଜୁରାଇଲୁ - ଲୁଟି କରାଇଲୁ, ଝସଧ୍ୱଜ ଗଜକୁମ୍ଭ - କନ୍ଦର୍ପ ହାତୀର କୁମ୍ଭ, ଝୁମୁଥିଲୁ - ନିଶା ଭୋଳରେ ଝୁଲୁଥିଲୁ, ଶମ୍ବର - ମୃଗ, ଗିରୀଶପୁର - କନ୍ଦର୍ପ, ଗୋପୁର - ଦ୍ଵାର, କୁସୁମାଲଟ - ଫୁଲର ପଙ୍ଖା, ତରସ - ମାଂସ, ଡିମ୍ଭ - ସାନ, କଙ୍କପତ୍ର - ଶର । ରାକାନିଶି - ପୂର୍ଣ୍ଣିମା ରାତ୍ରୀ, ପରିରମ୍ଭ - ଆଲିଙ୍ଗନ, ତପନୀୟ - ସୁନା, ବିଭାବରୀବରମୁହୀଁ - ଚନ୍ଦ୍ରମୁଖୀ, ଦୁରାପ - ଦୃଷ୍ପ୍ରାପ୍ୟ, ତୋଡ଼ର - ଭୂଷଣ, ପ୍ରପଦ - ପାଦ, ବଲ୍ଲରୀ - ଲତା, ବଡ଼ଭୀ - ଚନ୍ଦ୍ରଶାଳା ପୁର, ନିସ୍ତନ୍ଦ୍ର - ତନ୍ଦ୍ରାହୀନ, ନିର୍ଜରାଧିନାଥ - ଇନ୍ଦ୍ର, ବିପଞ୍ଚୀ - ବୀଣା, ଚଷକ - ପାନପାତ୍ର, ମାଳବ - ରାଗବିଶେଷ, ମାଳବର - ଶ୍ରେଷ୍ଠ ମାଳ, ପୃଥୁ ଅପସର - ମୋଟା ତକିଆ । ଚଙ୍ଗ ଖଞ୍ଜରୀ - ସୁନ୍ଦର ଖଞ୍ଜଣୀ, ଭରତବନ୍ଧୁ - କନ୍ଦର୍ପ, ଚାରିମୁଖ - ବିଧାତା, ମରବି - ବନ୍ଧ, ଯାତ ଯାମ - ସଂଯମହୀନ, ବ୍ରଣତନୁ ଶୂର - ବିକ୍ଷତ ବୀର, ଲମ୍ବୋଦର - ଗଣେଶ, ଲୋକାଲୋକ - ପର୍ବତ, ବିଶ୍ଵକେତୁ - କନ୍ଦର୍ପ, ଉତ୍ସଙ୍ଗରେ - କୋଳରେ । ଶତମୁଖ - ଇନ୍ଦ୍ର, ଶାତଘାତିନୀ - ହର୍ଷନାଶକାରୀ, ଶଶବିଷାଣ - ଠେକୁଆଇ ଶଂଘ ପରି ଅଳୀକ, ମୃଷା - ମିଥ୍ୟା, ଷଟପଦ - ଭ୍ରମର, ଷଡ଼ଙ୍ଘ୍ରି - ଭ୍ରମର, ଷଡ଼ାସ୍ୟଜନକବିପକ୍ଷ - କନ୍ଦର୍ପ, ସରସିଜ ସୂନୁ - ବ୍ରହ୍ମା, ହିଣ୍ଡିର - ଫେଣ, ହେମସାର - ଭଲ ସୁନା, ମସାର - ଇନ୍ଦ୍ର ନୀଳମଣି, କ୍ଷମଦା - କ୍ଷମାଦାୟିନୀ, ବିହରଣ-ହରଣକାରୀ ।

 

(୧୫)

ସଖୀ ଚଉତିଶା : ଶ୍ରୀରାଧାଙ୍କ ଉକ୍ତି

ରାଗ–ପୂରବୀ - ଏକତାଳି

 

କଞ୍ଜନୟନ ସେ କେ ଗୋ କହ - ଅଞ୍ଜନପୁଞ୍ଜ ମଞ୍ଜୁଳ ଦେହ,

ଖଞ୍ଜନନେତ୍ର ସେ ସତୀ ମଦଗଜ - ଗଞ୍ଜନ ଗୁଞ୍ଜ କନ୍ଦର ସିଂହ ।୧।

ଖଣ୍ଡ ଦୂରୁ ଦୃଷ୍ଟି ପଡ଼ିଗଲା - ଖ’ ମଣ୍ଡଳେ ଧୃତି ଉଡ଼ିଗଲା,

ଖସି ମତି ଲତିକାରୁ ସାରସାର ବିବେଚନା ଫଳ ଝଡ଼ିଗଲା ।୨।

ଗଭୀର ତା’ର ଲାବଣ୍ୟବନ - ଗୋଟିଯାକ ବୁଡ଼ିଗଲା ବନ,

ଗଲା ତହିଁ ରହି ଆସିପାରୁ ନାହିଁ ଏ ଘେନି ହୋଇଲି ତା ଅଧୀନ ।୩।

ଘାଣ୍ଟି ହେଉଅଛି ହୃଦାନ୍ତର - ଘରେ ମନ ରହୁ ନାହିଁ ମୋର,

ଘରମ ଉଦକ ଶ୍ରବି ହେଉଅଛି ଭରମୁ ମୋ ଦେହ ଥର ଥର ।୪।

ନିର୍ମ୍ମଳ କସ୍ତୁରୀ ବିନ୍ଦୁ ଥିଲା - ନତନୁର ଶିର ବନ୍ଦୁଥିଲା,

ନୂଆ ନୀଳୋତ୍ପଳ ହେଲେ ନବଲକ୍ଷ ନକ୍ଷତ୍ରନାଥକୁ ନିନ୍ଦୁଥିଲା ।୫।

ଚଞ୍ଚଳ ଚନ୍ଦ୍ରକ ଚାରୁଚୂଳ - ଚିଲିବଲ୍ଲୀ ନାଟ କି ମଞ୍ଜୁଳ,

ଚରଣତଳେ ତାହାର ଚୁମ୍ୱିଥିଲେ ଚକ୍ରବର୍ତ୍ତୀ ହୋଇ କେଉଁ ଫଳ ।୬।

 

ଛାଡ଼ି ମନୁ ଭୟ କୁତୂହଳେ, ଛପନ୍ତି କଦମ୍ୱ କୁଞ୍ଜ ତଳେ,

ଛାଇ ହେଲେ ତାର ଛାତିକି ଛୁଆଇଁ ଛତି ଟେକାନ୍ତି ଅବଳାକୁଳେ ।୭।

 

ଯେବେ ତା କୃପା ନୋହିବ କିଛି - ଜାଣିଥାଅ ଜଣା କରୁଅଛି,

ଜରା ନୋହିବାର ଜାଙ୍ଗଳଜହର ଗିଳିବି, ଜୀବ କି ହେଉ ଛି ଛି ।୮।

 

ଝଲକ ମାନସେ ଖେଳିଲାଣି - ଝିମିଟକୁ ଯୁଗୁଁ ବଳିଲାଣି,

ଝିଙ୍କିବାରୁ ଝସଧ୍ୱଜ ପୀଡ଼ାଝାଞ୍ଜି, ଚେତା ଲତିକାଟି ଲୁଳିଲାଣି । ୯।

 

ନ ଲୋଡ଼ି ସୁଖୋପଚୟନକୁ - ନିଶ୍ଚିତ ହେଲେ ହେଁ ଶୟନକୁ,

ନିଦ ନ ଛୁଅଁଇ ନୟନ ଯୁଗକୁ ନିରେଖି ନିକୁଞ୍ଜ ଅୟନକୁ ।୧୦।

 

ଟିକିଏ କରୁଣା ବହି ଚିତ୍ତେ - ଟାକି କାଳ କହ ତା ପୁରତେ,

ଟମକ ବଜାଇ ତ୍ରିଜଗତେ ତାର ଟୋକି କରି ପଛେ ରଖୁ ମୋତେ ।୧୧।

 

ଠିକ୍‌ କେଡ଼େ ତା ରଦନ ବାସ - ଠଣ ସୁନ୍ଦର ମୋହନ ଦାସ,

ଠାକୁର କହନ୍ତେ ବିଡ଼ିଆ ଖଟନ୍ତି ଠଉରାଇ ତାର ଅବକାଶ ।୧୨।

 

ଡାକି ଦେଇଥିଲେ ନୟନାନ୍ତେ - ଡରନ୍ତି ନାହିଁ କାହାକୁ ଚିତ୍ତେ,

ଡେଇଁ ପଡ଼ନ୍ତି ତା ସଙ୍ଗ ତଟିନୀକି, ଡାକିହାକି କହୁଅଛି ତୋତେ ।୧୩।

 

ଢାଳେ ନୋହି ବୁକୁ ଦୁକୁଦୁକୁ - ଢଳିଯିବ ସତେ ମୁଁ କେବକୁ,

ଢୋଳାଇ ଢୋଳାଇ ତା ଅଧର ସୁଧା, ଢୋକେ ଢୋକେ କରି ଢୋକୁଢୋକୁ ।୧୪।

 

ଓଟାରି ନେବାକୁ ମନ ମୋର - ଏହିଠାରେ କଳା ବେଦବର,

ଅତସି ତମାଳ ଅଞ୍ଜନ ଉତ୍ପଳ, ଅଭିନବୋଦୟ ଅମ୍ୱୁଧର ।୧୫।

 

ତା କଟି ତଟରେ କି ଅମ୍ୱର, ତ୍ରିଲୋକେ ନାହିଁ ତା ଆଡ଼ମ୍ୱର,

ତପନୀୟକୁ ତା ତୁଲେ ମୁଁ ତୁଳିଲେ, ତାଳିମାରି ଉଡ଼ାଇବେ ନର ।୧୬।

 

ଥାପିରେ ତା ସ୍ନେହ ଜଣାଯାଉ, ଥୋକାଏ ବିବେକ ଥାଉଥାଉ,

ଥରେ ମୋ ଅଧର ପିଆଇବି, ରୋଷେ ଥୁ ଥୁ କରି ପଛେ ଫିଙ୍ଗିଦେଉ ।୧୭।

 

ଦଇବ ଦୟା ବିହିଲେ ମୋରେ, ଦୁଃଖକୁ ଦବାଇ ଦେଇ ଦୂରେ,

ଦୁର୍ବାଦଳ ଶ୍ୟାମ ସଙ୍ଗତ ଲଭିବି, ଦୁର୍ବାଦ ଲକ୍ଷେ ଦିଅନ୍ତୁ ନରେ ।୧୮।

 

ଧୂର୍ତ୍ତପଣ ପଛେ ହେଉ ଖ୍ୟାତି, ଧ୍ରୁବ ଯାଏ ଯାଉ ଅକୀରତି,

ଧକ୍‌କାମାରି ଘଉଡ଼ାଇ ଦେବାଯାଏଁ, ଧନ କରିବି ମୁଁ ତାହା ପ୍ରୀତି ।୧୯।

 

ନାହାନ୍ତି କେତେ କିଶୋରବର, ନୀପ ତରୁତଳ ଅଳଙ୍କାର,

ନଳିନ ଚରଣ ନଖକାନ୍ତି କଣ, ନେତ୍ରେ ନ ଦେଖଇ ମୁଁ କାହାର ।୨୦।

 

ପ୍ରାଣୁ ଅଧିକ ମୁଁ ତୋର ବୋଲି, ପ୍ରୀତି ଭଙ୍ଗ ଭୟୁଁ ପଚାରିଲି,

ପଚାରି ପିଇବା ପୀୟୁଷ ନୁହେଁ ସେ ପକାଇ ଦେଉ ପଶିବି ପେଲି ।୨୧।

 

ଫୁଟିଲା ଫୁଲରୁ ଗିରିବନେ, ଫୁଟି ତାହା ସଙ୍ଗ ନିଧୁବନେ

ଫନ୍ଦାକରି ତାର ପ୍ରୀତିରତନକୁ ଫୁଲିବି କି ମୋଦେ ମନେମନେ ।୨୨।

 

ବିଷାଇବା ବଜ୍ର ମନୁ ଜିଣି, ବିଷମ କେଡ଼େ ତା ଅନାଉଁଣି,

ବାଜିଲେ ଭାଜିବ ଶୀରି ତ ରାଜୀବ, -ନୟନାର ଜୀବ କେତେ ପୁଣି ।୨୩।

 

ଭୁଲାଇବାର ତ ଗୁଣ ଏଡ଼େ, ଭଲା ବୁଝିବ ସୁରସ କେଡ଼େ,

ଭିତରେ କୁଞ୍ଜର ଆଗୁ ଜଗି ଭାବେଁ, ଭିଡ଼ିଦେବି ଲୁଚି ପଛଆଡ଼େ ।୨୪।

 

ମନୋଜ ମକର କୁଣ୍ଡଳକୁ, ମୁଖଜିତ ବିଧୂମଣ୍ଡଳକୁ,

ମଜ୍ଜାଇବ ରସ ଯେ ବାମା ବରଷେ, ମାନିବ କି ସେ ଆଖଣ୍ଡଳକୁ ।୨୫।

 

ଯଶ ନେବ କି ମୋ କର୍ମ୍ମ ଦିନେ, ଜାତ ହୋଇ ଯମୁନାର ବନେ,

ଯଦୁମଣି ଜଳେ ପଶିଲେ ଜାକିବି, ଜଳକ ଚରଣ ମୋ ଜଘନେ ।୨୬।

 

ରମାରମଣ ରଥାଙ୍ଗପାଣି, ରଙ୍ଗକୁ ରତନ ଦେବେ ପୁଣି,

ରଖି ଉରଜେ ରାଇକା ପିନ୍ଧୁଥିବି, ରମୁଥିବି ରତିକାଳ ଜାଣି ।୨୭।

 

ଲୋକରୁ ଲବେ ନ ଥାଇ ଡର, ଲପନ ଚୁମ୍ୱିବା ଦିନ ତାର,

ଲକ୍ଷ ଲଡ଼ୁ ଲମ୍ୱୋରଦରଙ୍କ ଅଧରେ, ଲାଗିହେବା ସଂକଳପ ମୋର ।୨୮।

 

ବେଗେ ଘଟାଅ ମୋ ବାଞ୍ଛାଫଳ, ବିଚାରିବାକୁ ଯେ ନାହିଁ କାଳ,

ବିଳମ୍ୱ ବିହିଲେ ବଞ୍ଚି ପାରିବି କି, ବାଧିଲାକି ବଡ଼ ନାହିଁ ବଳ ।୨୯।

 

ଶରୀର ରହୁ ତୋ ସ୍ନେହ ବଶୁଁ, ଶଶୀଖଣ୍ଡଧର - ପର ତ୍ରାଶୁ ।

ଶରଣ ହେଉ ସେ ମଦନମୋହନ, ସେ ଶିଖଣ୍ଡଚୂଳଧର ଶିଶୁ ।୩୦।

 

ଷଡ଼ାଶ୍ୟଜନକ - ରିପୁ ରସେ, ଷଟ୍‌ପଦ ଧ୍ୱନି ମଧୁର ଦେଶେ,

ଷୋଡ଼ଶକୁ ଚାରି ଗୁଣରେ ବିଚାରି, ମାତିବି ତା ତୁଲେ କେବେ ତୋଷେ ।୩୧।

 

ସତ୍ୱର ହୋଇ ତୁ ଯାଅ ଯା’ରେ, ସନ୍ଦେଶ ମୋର ବଜାଅ ଜାରେ,

ସହି ନ ପାରଇ ଆଉ ପଡ଼ିବଟି, ଏ ବଜାରେ ଯାଇ ରବିଜାରେ ।୩୨।

 

ହରଷେ ମୋ ମନକୁ ମଜ୍ଜାଇ, ହଜାରେ କହ ତୁ ସମଝାଇ,

ହଟି ମୋ ହୃଦୟ ବୁଡ଼ି ବହିଲାଣି ହରିହୟମଣି ଶ୍ୟାମେ ଯାଇ ।୩୩।

 

କ୍ଷଣେ ହେଲେ ତାକୁ ଭୋଗ କରି, କ୍ଷିତିକି ମଣି ତ୍ରିଦିବ ସରି,

କ୍ଷମାନାଥ ହରିଚନ୍ଦନ କହଇ, କ୍ଷୟ ହେଲେ ହେଉ ଅବ୍‌ଜପରି ।୩୪।

 

୧୫। ଅଞ୍ଜନପୁଞ୍ଜ - ଘନ କଳା, ଗୁଞ୍ଜ କନ୍ଦର - ଘଞ୍ଚ ପର୍ବତଗୁହା, ଖ-ମଣ୍ଡଳ - ଆକାଶ, ଘରମଉଦକ - ଝାଳ, ନତନୁ - କନ୍ଦର୍ପ, ଚନ୍ଦ୍ରକ - ମୟୂରପୁଚ୍ଛ, ଚିଲିବଲ୍ଲୀ - ଲତା ଆକୃତିର ଅଳଙ୍କାର, ଜରା - ଶୋଧିତ, ଜାଙ୍ଗଳ ଜହର - ବନ୍ୟ ବିଷ, ଝିମିଟ - କ୍ଷଣକାଳ, ଝସଧ୍ୱଜ - କନ୍ଦର୍ପ, ଲୁଳି - ମଉଳି, ଠଣ - ଦେହ ଗଢ଼ଣ, ବେଦବର - ବ୍ରହ୍ମା, ଅମ୍ବୁଧର - ମେଘ । ଅମ୍ବର - ବସ୍ତ୍ର, ତପନୀୟ - ସୁନା, ଦୁର୍ବାଦ - ନିନ୍ଦା, ନଳିନଚରଣ - ପଦ୍ମପାଦ, ନିଧୁବନେ - ରତିକ୍ରୀଡ଼ାରେ, ଆଖଣ୍ଡଳ - ଇନ୍ଦ୍ର, ଜଳଜ - ପଦ୍ମ, ରଥାଙ୍ଗପାଣି - ଶ୍ରୀକୃଷ୍ଣ, ରାଇକା - ରକ୍ଷାବନ୍ଧନ ସୂତ୍ର, ଲମ୍ବୋଦର - ଗଣେଶ, ଶଶୀଖଣ୍ଡଧର - ପର ତ୍ରାଶୁ - କନ୍ଦର୍ପ ଭୟରୁ, ଷଡ଼ାସ୍ୟଜନକ ରିପୁ - ମହାଦେବଙ୍କ ଶତ୍ରୁ କନ୍ଦର୍ପ, ଷଟ୍‍ପଦ ଧ୍ୱନି - ଭ୍ରମର ଶବ୍ଦ, ଷୋଡ଼ଶକୁ ଚାରିଗୁଣରେ ବିଚାରି - ୬୪ ରତି ବନ୍ଧରେ, ଜାରେ - ଉପପତି, ଶ୍ରୀକୃଷ୍ଣ ଅର୍ଥରେ, ରବିଜାରେ - ଯମୁନା ନଦୀରେ, ହରିହୟ ମଣି - ଇନ୍ଦ୍ର ନୀଳମଣି, ତ୍ରିଦିବ - ସ୍ୱର୍ଗ, ଅବ୍ଜ - ପଦ୍ମ ।

 

Unknown

(୧୬)

ରସିକ ଚଉତିଶା

ରାଗ-ଶଙ୍କରାଭରଣ

 

କୋଉ ରସିକ ସେ ରୋଷେ କରି ଧାତା ନିନ୍ଦା ।

କରେ ବରତନୁ ଅନୁଚିନ୍ତା ଏକା ଫନ୍ଦା ।

କୃପାନିଧି ରେ, କି ଦଶା ପାଇଲି ।

କି ସମ୍ୱାଦି କି ସମୟେ କାହିଁ ହଜାଇଲି ।୧।

 

ଖୁରିପରି ବିଭାବରୀ ସାରି ନାନା ରତେ ।

ଖେଳାନ୍ତି ମୁଁ ଉରେ ଯୋଉ ପଦାର୍ଥ ନିରତେ ।

ଖଞ୍ଜନାକ୍ଷି ରେ, ଖରାବ ତା କଲି,

ଖବର ନପୁଆ ଭଳି ବିପତ୍ତି ଲୋଡ଼ିଲି ।୨।

 

ଗମାର ସାରସାସନ ହରି ମଣିହାର ।

ଗଳାଗୋଟି କାଟି କିମ୍ପା ନ ଦେଲା ମୋହର ।

ଗୁଣମଣି ରେ, ଗହନୁ କି ହେବ ।

ଗଲା ଯେବେ ଛାଡ଼ି ତାକୁ ବସନ୍ତ ଉତ୍ସବ ।୩।

 

ଘଟିବ ନାହିଁ ଚପଳା ଲତିକା ସଙ୍ଗମ ।

ଘୋଟି ବନବାହ କି ଦିଶିବ ମନୋରମ ।

ଘନକେଶୀ ରେ, ଘେନି ତତେ ଅଙ୍କେ ।

ଘଡ଼ିଏ ଖେଳିବା ଭଳି ନୋହିଲି ପଲ୍ୟଙ୍କେ ।୪।

 

ନୋହିଲେ ପହିଲୁ ନୋହିଥିବା କଥା ଭଲ ।

ନୂତନ ରତନ ହଜା ଅତି କଲବଲ ।

ନତଅଙ୍ଗୀ ରେ, ନାନା ସୁଖ ମାନ ।

ନୂଆଁ କଞ୍ଜ ଚରଣକୁ କଲେ ଅନୁଯାନ ।୫।

 

ଚରମେ ନ ଥାଉ ଚାର ଚଉକେ ଚୀବର ।

ଚଣ୍ଡାଳ ଦଇବ କରି ତାକୁ ଶଚୀ ବର ।

ଚନ୍ଦ୍ରମୁଖୀ ରେ, ଚଖାଇ ପୀୟୁଷ ।

ଚାଳିଲା ବେଳେ ରସନା ଫିଙ୍ଗିଲା ପାଉଁଶ ।୬।

 

ଛଇଲା ମଣ୍ଡକମଣି ଆହାରେ ମୋ ସହୀ ।

ଛାଡ଼ିଦେଇ ପାଶୋରିବା ସମ୍ପତ୍ତିକି ତୁହି ।

ଛବିସିନ୍ଧୁ ରେ, ଛନ୍ଦେ ଚାରି ମୁଖ ।

ଛପାଇ ଦେଲା ମୋ ସବୁ ଭାଗ୍ୟ ସବୁ ସୁଖ ।୭।

 

ଜଗତେ ମୂରୁଖ ନାହିଁ ମୋ ତୁଲ୍ୟ ଯୁବାରେ

ଜାଣି ଜାଣି ଜହର ଆହାର କରିବାରେ ।

ଜବାଧରା ରେ, ଜୀବନ ଉପାୟ ।

ଯେ ଜାଣଇ ନାହିଁ ସେହି ଏକ ପଶୁ ପ୍ରାୟ ।୮।

 

ଝାଡ଼ରୁ ବଳୁଚି ଅଟ୍ଟାଳିକା ମଧ୍ୟ ମତେ ।

ଝମଣ୍ଟକ ଯୁଗପରି ହୋଉଚି ପରତେ ।

ଝଳିଗୋରି ରେ, ଝସଧ୍ୱଜ ହଟି ।

ଝାଡ଼ି ଦେଉଚି ମୋ ମଜ୍ଜା ବଳ ପରିପାଟୀ ।୯।

 

ନବ ମୃଦୁ ଭାରତୀ ସୁଧାରୁ ଏକ ବିନ୍ଦୁ ।

ନିଉଡ଼ି ନାହୁଁ ମୋ ଶ୍ରୁତି ନାଳେ ପ୍ରାଣ ବନ୍ଧୁ ।

ନିତମ୍ୱିନୀ ରେ, ନିଧୁବନ ରସ ।

ନିର୍ଜରମାନଙ୍କ ମାର୍ଗ କୁସୁମ ସଦୃଶ ।୧୦।

 

ଟେକି ଧରି ମୁଖଚନ୍ଦ୍ର ଶୋଭା ଚାହିଁ ଚାହିଁ ।

ଟୋପିଏ ଅମୃତ ରଦବାସୁଁ ପିଇ ନାହିଁ ।

ଟେକସ୍ତନା ରେ, ଟୋପେ ମତେ ଭରି ।

ଟାଣି ଘେନିଗଲା କେ ମୋ କରୁ ଇନ୍ଦ୍ରଶିରୀ ।୧୧।

 

ଠଣା ଠୁକି ଉଡ଼ାଇ ମନ୍ମଥ ମଥା ଶିଖା ।

ଠାରି ନାହିଁ ତୋ ପାଦେ ଅଳତା ଚିତ୍ରରେଖା ।

ଠିକହାସି ରେ, ଠୁଳ କରି ଚିତ୍ତେ ।

ଠଉରାଇ ନାହିଁ ତୋ ବିଭ୍ରମ କ୍ରମ ଯେତେ ।୧୨।

 

ଡେରି ନାହିଁ ଛାତି ଅଭିମାନେ ତତେ ପାଇ ।

ଡାକି ନାହିଁ ଢୋ ଉଚିତ ପ୍ରେମ ପଲ୍ଲବାଇ ।

ଡାକିକଟି ରେ, ଡରି ଡରି ଚାଲି,

ଡୋଳାହୀନ ଚକ୍ଷୁ ଦଶା ଅନୁଭବ କଲି ।୧୩ ।

 

ଢାଳେ ଊଣା ନୋହି ରହିଥିଲା ରସ କୁମ୍ଭ ।

ଢୋକେ ଢୋକି ନାହିଁ ହେଲା ଏ ଦଣ୍ଡ ଆରମ୍ଭ ।

ଢଳାଗତି ରେ, ଢଳି ନାହିଁ ଲେଶେ

ଢାଙ୍କି ମୋ ନେତ୍ର କେ ଲୁଚାଇଲା ଦୂର ଦେଶେ ।୧୪।

 

ଅତି ସୁକୁମାର ଅଙ୍ଗେ କର ବସିବାକୁ ।

ଅମ୍ଳାନ ପଙ୍କଜ ପରି ବାସି ଆସିବାକୁ ।

ଅମଳାଙ୍ଗି ରେ, ଅନିଳ ପ୍ରଭାବୁ,

ଅମ୍ୱୁଜିନୀଦଳ ଜଳପରି ହେଲା ସବୁ ।୧୫।

 

ତନୁକୁ ପୁଲକ ଶିରୀ ପୂରି ଚୁମ୍ୱି ନାହିଂ ।

ତରୁଣୀରତନ ମତେ ଛାଡ଼ି ଗଲୁ କାହିଂ ।

ତାପହାରି ରେ, ତର୍କି ନ ପାରିଲି,

ତପ - ଲବ୍‌ଧ ଧନ ସିନା ବୋଲି ପଚାରିଲି ।୧୬।

 

ଥାଉ ଦୂରେ ତୋ ସଙ୍ଗ ସୁରତ ଭାଗ୍ୟୋଦୟ ।

ଥରେ କର ଯୋଡ଼ି ହୋଇ ନାହିଂ ସବିନୟ ।

ଥିରଗତି ରେ, ଥୁଆ ଧନ ଗଡ଼ି,

ଥକିଲା ଅବଟେ କରପୁଆ ସୀମା ଛାଡ଼ି ।୧୭।

 

ଦେଖି ନାହିଁ ଶ୍ରୀଅଙ୍ଗ ଲାବଣ୍ୟ ଭଲ କରି ।

ଦିଶୁଥିଲା ଥରେ ଥରେ କି କି ଝଲକରି

ଦୁଃଖୀଧନ ରେ, ଦେଇ ଦିବ୍ୟ ଗ୍ରାସ,

ଦରପୂରା କରିବାକୁ କଲି ମୁଁ କି ଦୋଷ ।୧୮।

 

ଧରାମଣ୍ଡନା ରେ, ଧିକ୍‌ ଧିକ୍‌ ମୋ ଲଲାଟ,

ଧଇଲି ବିଶୁଦ୍ଧ ହେମ ହେଲା ଆରକୂଟ ।

ଧୀରାବର ରେ, ଧଇର୍ଯ୍ୟକୁ କେହି,

ଧରି ରହିବଟି ଏଡ଼େ ବଡ଼ ଦାଉ ସହି ।୧୯।

 

ନମସ୍କାର କରୁଥାଇ ଭୂଦେବମାନଙ୍କୁ ।

ନୂତନା ତୁ ଅନ୍ତର ନୋହିବୁ ବୋଲି ଅଙ୍କୁ ।

ନାରୀମଣି ରେ, ନୋହିଲା ତା ଫଳ,

ନିଶ୍ଚୟ ମୁଁ କଲି ସବୁ କଥା କର୍ମମୂଳ ।୨୦।

 

ପରିଣତ ଫଳ ବାଢ଼ି ନ ପଡ଼ୁ ପଡ଼ୁଖା ।

ପହିଲୁ ପସରା ଲୁଟି କାହିଁ ନାହିଁ ଦେଖା ।

ପ୍ରିୟମ୍ୱଦା ରେ, ପଛେ ପଛେ ତୋର

ପଳାଇ ନ ଗଲା କିମ୍ପା ପରାଣ ମୋହର ।୨୧।

 

ଫୁଟିବାର ଥାଉ ନାନାବନ୍ଧ ନିଧୁବନେ ।

ଫରମାସ ପରିପାଳି ନାହିଁ ତୋର ଦିନେ ।

ଫନ୍ଦାଧନରେ, ଫରୁଆରୁ ଆଣି,

ଫିଙ୍ଗି ଦେଲି ଯତ୍ନ ସମ୍ପାଦିବା ଚିନ୍ତାମଣି ।୨୨।

 

ବିଜେ କଲାବେଳେ ହେଲେ ବୀଣାଜିଣା ବାଣୀ ।

ବଚନେ କହି ମୋଠାରୁ ହୁଅନ୍ତୁ ମେଲାଣି ।

ବିଦ୍ୟାନିଧି ରେ, ବିଘ୍ନ ଅବା କରି ।

ବୋଲନ୍ତି କାହିଁକି ଯିବୁ ମୋ ଜୀବନେଶ୍ୱରୀ ।୨୩।

 

ଭାବି ଏବେ ଚିରକାଳକୃତ ମନୋରଥ ।

ଭାସିଲାଇଁ ଦୁହେଁ ଯହିଁ ରିପୁ ମନମଥ ।

ଭାବବତୀ ରେ, ଭ୍ରଷ୍ଟ ହେଲେ ମତି,

ଭ୍ରୁଭଙ୍ଗ* ନ କରି କାଳେ ଲଭି ହେ ବିପତ୍ତି ।୨୪।

 

ମନ୍ତ୍ରବଳେ ଯେ ନ ପାରନ୍ତି ମନାକରି

ମୁଁ ଅବା ଗହଣେ ଆସି ଥାନ୍ତି ଅନୁସରି ।

ମଦାଜସି ରେ, ମିଶି ପରିରମ୍ଭେ

ମଜ୍ଜାଇ ରଖନ୍ତି ଉର ସ୍ଥଳେ ଅବା ଦମ୍ଭେ ।୨୫।

 

ଯୁବା ଯୁବତୀଙ୍କି ଦଣ୍ଡ ବିଚ୍ଛେଦରୁଂ ସରେ ।

ଯୁଗ ହୋଏ ଦଣ୍ଡ ଏହି ପାପ ବୟସରେ ।

ଯୋଷାମଣି ରେ, ଯଥାର୍ଥ କହୁଛି,

ଯଶଶୂନ୍ୟ ହେବାକୁ ମୋ ଜୀବନ ରହିଛି ।୨୬।

 

ରମ୍ଭୋରୁ ରେ ନରଯୁବା ଛାର ଅବା କେତେ

ରଘୁକୁଳଚନ୍ଦ୍ର ଲଭିଛନ୍ତି ଦୁଃଖ ଯେତେ

ରସବତୀ ରେ, ରାମା ବିରହରେ,

ରହଇ ନାହିଁ ଯେ ଲବେ ବିବେକ ଦେହରେ ।୨୭।

 

ଲତା ବଧୁ ଆଲିଙ୍ଗନୁ ଦ୍ରୁମ* କମନୀୟ ।

ଲଳନା ସଙ୍ଗରୁ ପୁରୁଷଙ୍କ ସୁଖୋଦୟ ।

ଲୀଳାବତୀ ରେ, ଲାଟସାରପଣେ ।

ଲୋଡ଼ିଲେ ଥିବ କି ଆଉ ମୋହ ପରି ଜଣେ ।୨୮।

 

ବିଦେଶ ମୁଁ କରି ଦୂର ହେଲେ ହେ ତୋ ପାଶୁଁ ।

ବିଚାରନ୍ତି ହୋଉଥାଏ ବିଷୟ ସକାଶୁଁ ।

ବାଳାମଣି ରେ, ବ୍ୟର୍ଥେ ଫଣୀଧରି,

ବିକଳ ହୋଉଛି ଏବେ ବିରାଜ ସୁମରି ।୨୯।

 

ଶରଦ ରଜନୀନାଥ ମୁଖ ପାଶେ ଦିନେ,

ଶୃଙ୍ଗାର ବିଡ଼ିଆ ଖଟି ନାହିଁ ସାବଧାନେ,

ଶ୍ରଦ୍ଧାବତୀ ରେ, ଶମ୍ଭୁରିପୁ ରଣେ

ଶ୍ରୀଅଙ୍ଗେ ତୋ ସ୍ୱେଦ ଦେଖି ନାହିଁଟି ଈକ୍ଷଣେ ।୩୦।

 

ସବତ ପକାଇ ଚୁମ୍ୱ ଦେଲା ବେଳେ ଲାଜେ ।

ସୁରତ ପଣ୍ଡିତା ନାହିଁ ବୋଲିବାର ବ୍ୟାଜେ ।

ସୁଲକ୍ଷଣା ରେ, ଶୁଣି ନାହିଁ କାନେ,

ସୁଖ ଦୁହିଁଙ୍କର ଏହିପରି ସେ ବିଧାନେ ।୩୧।

 

ସଡ଼ୁପାୟ ଭଳି ହୋଇଥାନ୍ତା ଯେବେ କେବେ ।

ସମାଧାନ ମାନସେ କରନ୍ତି ଅବା ଏବେ ।

*ସୁଖଦାତ୍ରି ରେ, ସେହି ହୋଇ ନାହିଁ,

ସ୍ମରଣୀୟ ହୋଇଥିବାର କଥା ଏଥି ନାହିଁ ।୩୨।

 

ହରପରସାଦ ସତେ ମୋର ଆଉ ହେବ ।

ହଜିବାର ହରିହୟ ବିଭୂତି ମିଳିବ ।

ହୃଦହାରା ରେ, ହସି ନାନା ରସେ,

ହରିବି ସମୟ ବୋଲି ନାହିଁ ମୋ ମାନସେ ।୩୩।

 

କ୍ଷପା କର ରାତି ଜଗତୀରେ କରି ସ୍ଥାନ ।

କ୍ଷତ କରିବି କି ମାର ବୀର ଅଭିମାନ ।

କ୍ଷମାନିଧି ରେ, କ୍ଷଣେହେ ତୋ ସ୍ନେହେ,

କ୍ଷିତିପତି ରାମଚନ୍ଦ୍ର ଛୋଟରାୟ କହେ ।୩୪।

 

୧୬। ବରତନୁ - ବରାଙ୍ଗୀ, ଖୁରି - ଅଳ୍ପକାଳ, ନପୁଆ - ନ ମିଳିବା, ଗମାର - ଓଲୁ, ସାରସାସନ - ବିଧାତା, ଗହନ - ବନ, ବନବାହ - ମେଘ, ନୂଆ - କଅଁଳ, ଅନୁଯାନ - ଅନୁସରଣ, ଚରମ - ପଛଭାଗ, ଚୀବର - କୌପୀନ, ଛଇଳା - ସୁନ୍ଦରୀ, ଛନ୍ଦ - କପଟ, ଚାରିମୁଖ - ବିଧାତା, ଝମଣ୍ଟ - କ୍ଷଣକାଳ, ଝସଧ୍ୱଜ ହଟି - ମଦନ ହଟ କରି, ନିର୍ଜର - ଦେବତା, ନିର୍ଜର... ସଦୃଶ - ଆକାଶକୁସୁମ ଭଳି, ରଦ ବାସ - ଓଠ, ଟୋପ - ବନ୍ଦୀ ଗୃହ, ଠୁକି - ଆଘାତ କରି, ଡାକି - ଡମରୁ, ତକି - ତରକି, ପୂର୍ବରୁ ସାବଧାନ ହୋଇ, ଅବଟ - କୂପ, ଗାତ, କି କି - କିପରି ବା, ଆରକୂଟ - ପିତ୍ତଳ, କେହି - କିମିତି, ପରିଣତ ଫଳ - ପାଚିଲା ଫଳ, ସଦ୍ୟ ଖାଦ୍ୟ ଫଳ; ପଡ଼ୁଖା - ବିକ୍ରେତାର ପ୍ରଥମ ବିକ୍ରୟ, ଆଦ୍ୟ ବିକ୍ରୟରୁ ପ୍ରାପ୍ତ ଧନ, ଫୁଟିବା - ହାଲିଆ ହେବା, ନିଧୁବନ - ରତିକ୍ରିୟା, ରଘୁକୁଳଚନ୍ଦ୍ର - ରାମଚନ୍ଦ୍ର, ଲାଟ - ବିଦଗ୍‌ଧ ବ୍ୟକ୍ତି, ବିଷୟ - ଧନସମ୍ପତ୍ତି, ବିରାଜ - ଗାରିଡ଼ିଆଙ୍କ ଦେବତା ? ସବତ - ରାଣ, ସବୁପାୟ - ସୁବିଧା, ହରିହୟ - ଇନ୍ଦ୍ର, କ୍ଷପାକର - ଚନ୍ଦ୍ର ।

*ପାଠାନ୍ତର - ଭୃଭଙ୍ଗ ।

*ପାଠାନ୍ତର - ଦୃମ ।

*ପାଠାନ୍ତର - ଷୁଖଦାତ୍ତ୍ରି ।

 

(୧୭)

ବସନ୍ତ ବର୍ଣ୍ଣନା

ରାଗ-ଆଷାଢ଼ଶୁକ୍ଳ

 

ପ୍ରବେଶ ହୋଇଲେ ଋତୁରାଜନ

କରାଇଲା କାମେ ଆତୁରା ଜନ,

ହେଲେ ସବୁରି ବଲ୍ଲଭା ଜୀବନ

ପଡ଼ିଲା ଫୁଲ ତରୁ ଭାଜି ବନ ।

ଭୃଙ୍ଗ ଗରଜନ, ଶୁଣି ମତ୍ତ ହେଲେ ନାଗରଜନ ।୧।

 

ବହିଲା ମନ୍ଦ ମନ୍ଦ ନଭସୂତ

କୁହୁଡ଼ି ହୀନ ହେଲା ନବସୂତ,

ନ ହରିଲେ ଅବା ରବିକଶିତ

ହୋଇଲେ ପଦ୍ମମାନେ ବିକଶିତ ।

ସେ କାମିନୀ ରତ, ଇଚ୍ଛାକଲେ ମନେ କାମୀ ନିରତ ।୨।

 

ହୋଇଲେ ବିରାଜମାନ ବକୁଳ

ପାଇଲେ ପ୍ରମୋଦ ମାନବକୁଳ,

ଅତି ସେ ବଢ଼ିଲା ଦର୍ପକ ବଳ

 

କଲା ସେ ବିରହୀ ଦର୍ପ କବଳ ।

କହେ କବି କଳ, - କଣ୍ଠୀ ସୁମରି ପଥିକ ବିକଳ ।୩।

 

ଦିଗେ ଦିଗେ ଭୃଙ୍ଗ ସଂଘ ଉଡ଼ିଲେ

ପାନ୍ଥକୁ ପ୍ରିୟାଠାକୁ ଘଉଡ଼ିଲେ,

ମଦନଶର ଦେହେ ହାବୁଡ଼ିଲେ

ଏଣୁ ରସରେ ସୁଦେହା ବୁଡ଼ିଲେ ।

ଭୋଗୀ ପହୁଡ଼ିଲେ, ନାରୀ ଘେନି କାମ ତାପ ହୁଡ଼ିଲେ ।୪।

 

ମୋହିଲା ମହୀ କନ୍ଦରପ ତୀରେ

କଲେ ଅବଳା ଆଦର ପତିରେ,

ରସିକଜନ ରଟି ପୀରତିରେ

ମାତିଲେ ବଶହୋଇ ପୀରତିରେ ।

ସେ ଦିବା ରାତିରେ, ସର୍ବେ ମତ୍ତହେଲେ ଶିବାରାତିରେ ।୫।

 

ରମିଲେ ପୁଷ୍ପମାନଙ୍କେ ଭ୍ରମରେ

ନକଲେ ନାରୀମାନଙ୍କେ ଭ୍ରମ ରେ,

ପୂର୍ଣ୍ଣ ହେଲା କର୍ଣ୍ଣ ପିକ ରବରେ

ହେଲେ ନାରୀଙ୍କର କିଙ୍କର ବରେ ।

ନାରୀ ସ୍ୱଭାବରେ, ଭୁଲାଇଲେ ରତି ରସ ଭାବରେ ।୬।

 

ଏକାଳେ ତେଜିଲି ଜୀବସଙ୍ଗିନୀ

ଶୁଖି ତା ମୁଖରାଜୀବ ଯିବନି,

ନଥିବ ପୂର୍ବପରି ଦେହ ବନି

ଘୋର ଚିନ୍ତା ଆସି ହୃଦେ ହେବନି ।

ଆହା ହା ସଜନୀ, ହୋଇ ନଥିବ ମୁଖେ ହାସ ଜନି ।୭।

 

ତେଜି ନିଃଶ୍ୱାସ ପରାଣ ଦୁଃଖରେ

ଚିରୁଥିବ ପରା ଧରା ନଖରେ,

ମଣ୍ଡିଥିବ ଏକାନ୍ତ ରଜ ନୀରେ

ନିଦ୍ରା ନଥିବ ଆଉ ରଜନୀରେ ।

ମାର-ବୀର ଶରେ, ଗଣା ହେବଣି ବନ୍ଧୁ ବିରସ ରେ ।୮।

 

ଆହାରେ ସୁରତ କଳପତରୁ

ନତୁ ତ କୋମଳ ତଳପ ତରୁ,

ଭ୍ରମେ ନିକି ମୋତେ ତୁ ହୀନ କରୁ

ତୋ ମୁଖ ସୁନ୍ଦର ତୁହିନ କରୁ ।

ଏ ମଦ-ଜ୍ୱରରୁ, ଅସ୍ତ ତ ହେବଣି ପ୍ରମଦନରୁ ।୯।

 

ମଣ୍ଡୁଥାଉ ମହୀ ଆଗମନରେ

କେବେ ନ ଘେନୁ ତୁ ଆଗ ମନରେ

 

କି ଶୋଭା ଦିଶଇ ବାସବ ପୁରେ

ସେପରି ନ ଥିବ ବାସବ ପୁରେ ।

ତମାଳକେଶୀ ରେ, ମୋ ବିନୁ ଖଞ୍ଜିବ ମାଳ କେ ଶିରେ ।୧୦।

 

ତୋ ଦୁଃଖ ଦେଖି ଗୋ ନବ ରସିକେ

ଯାଉଥିବେ ଅଶ୍ରୁ ନ ବରଷି କେ,

ବୋଲୁଥିବୁ ମୁଁ ତ ଶର ସାୟକେ

କେହି ବଞ୍ଚିବି ଏ ସ୍ମରଶାୟକେ ।

ଆହେ ବିନାୟକେ, କୃପାକଲେ ସଙ୍ଗ ହେବି ନାୟକେ ।୧୧।

 

ନ ଲଭି ହରବାଦି ନବରସ

ହେବନି ତୋର ବାଦି ନବରସ,

ମଣ୍ଡୁ ନଥିବୁ ହାର ମଣି ପାଶ

ସତେ କି ଯିବି ହାରାମଣି ପାଶ ।

ତୋତେ ନୂଆ ବେଶ, - କରି ଭାଙ୍ଗିବି ଅତନୁ ଆବେଶ ।୧୨।

 

ଥିବ କି ମନେ ଏକ ଦିନକର

ଅସ୍ତାଚଳକୁ ଗଲେ ଦିନକର,

ବୋଇଲି ବନ୍ଧୁ ମୁଁ ତୋ ପରିକର

 

ମାଗୁଅଛି ରତେ ତୋ ପରିକର ।

ମୁଁ କହିଲି କର, - ଧଇଲି ରେ ଧନ ମୋହିନୀ କର ।୧୩।

 

କରିବାକୁ ରାମାବର ମୁଁ ରତି

କଲି ତୋତେ ଦିଗମ୍ୱର ମୂରତି,

ଆନନ୍ଦରେ ନ ଦିଶିଲା ଜଗତୀ

ରହିଲା ନାହିଁ ଆଉ ଲାଜ ଗତି ।

ଏହି ବସୁମତୀ, ମଧ୍ୟେ କେ ତା ଦେବ ଭୋଗ ସୁମତି ।୧୪।

 

ଲୁଚାଇ ମୋ ନେତ୍ର ଲଳନା, କରେ

ଲୁଚାଇଲୁ ମୋତିଫଳ ନାକରେ

ଖେଳାଇଲୁ ବେଣୀ ପିଠି ଆଡ଼ରେ

ପଳାଇଲା କାମ ଶଠିଆ ଡରେ

ମୋ ରାମା ନଖରେ - ସରଜିଲୁ ଯେ ଅଙ୍ଗମାନ ଖରେ ।୧୫।

 

ନିଶବଦ ହୋଇଲା ତ ନୂପୁର

ନଚାଇଲୁ ଯେ ତୁ ଅତନୁ ପୁର

ଝାଳ ହେଲା ଅଙ୍ଗୁ ଗଳି ବାହାର

ଛିଡ଼ିଗଲା ଦୋଳି ଖେଳିବା ହାର

ଯୁବତୀ ଶେଖର - ନଚାଇଲୁ କଟି ଅତି ସେ ଖର ।୧୬।

 

ଶୁଣି ତୋ କିଙ୍କିଣି ବରଗ ରବ

ନିବର୍ତ୍ତିଲା ରତିପତି ଗରବ

ସେ ଭାବ ଆଉ ତୋ ବିନା କେ’ ଦେବ

ଆଉ ନ ଥିବେ ଯାହା ନାକେ ଦେବ

ମୋ ଏ କାମ ଯିବ-ବେଗେ ମୋର ସେ ରସିକା ମଜ୍ଜିବ ।୧୭।

 

ଶିବଙ୍କୁ ଭାବି ବୋଲେ ବଳଦେବ

ଏହି ବର ମୋତେ କେବଳ ଦେବ

ନେଉଅଛି ମୋର ଏ କାମ ଜୀବ

ବେଗେ ମୋ ରସେ ରସିକା ମଜ୍ଜିବ

ଆହେ ଉମାଧବ, ଭେଟିବି ପ୍ରିୟା ନ ଯାଉ ମାଧବ ।୧୮।

୧୭। ଭୃଙ୍ଗ - ଭ୍ରମର, ନଭସୂତ - ପବନ, ନବସୂତ - ସକାଳର ସୂର୍ଯ୍ୟ, ଦର୍ପକ - କନ୍ଦର୍ପ, ଶିବାରାତି - କନ୍ଦର୍ପ, ଜନି - ଉତ୍ପତ୍ତି, ରଜନୀରେ - ଅଙ୍ଗରାଗ ମିଶା ପାଣିରେ । ତୁହିନକର - ଚନ୍ଦ୍ରକିରଣ, ଶରଶାୟକ - ସାମାନ୍ୟ ତୃଣ, ହରବାଦି - କନ୍ଦର୍ପ, ପରିକର - ଆତ୍ମୀୟ ଓ ଅନୁଚର, ଦିଗମ୍ବର - ବସ୍ତ୍ରହୀନ, ଶଠିଆ - ଧୂର୍ତ୍ତ, ବରଗ - ସମୂହ, ନାକେ - ସ୍ୱର୍ଗରେ, ମାଧବ - ବସନ୍ତ ।

 

(୧୮)

ବର୍ଷା ବର୍ଣ୍ଣନା

ରାଗ-ବସନ୍ତ

 

ଆବିର୍ଭୂତ ହେଲା ଆସି ବରଷା

ମାଳତୀ ବିକାଶୁଁ ବାସିବ ରସା

ଜମ୍ୱାଳ ହୋଇଯିବ ଭୂପରାଗ

ତରୁଣେ ଲୋଡ଼ି ସ୍ମରଭୂପ ରାଗ

ସୁଖେ ବିହରିବେ,

ନବ ନିତମ୍ୱିନୀ ନୀବି ହରିବେ ।୧।

 

ହୋଇବ ପରଦାର ଅଙ୍ଗୀକାର

ଗତି ନୋହିବ ମୃଦୁ ଅନ୍ଧକାର

ବିକଶିତ ହେବ ବହୁତ କିଆ

ପରସ୍ପର ଭୁଜବଲ୍ଲି ତକିଆ

ହେବ ଉପଧାନ,

କେଦାରେ ହେବ ନାନା ରୂପ ଧାନ ।୨।

 

ଶୁଣି ଭୀଷଣ ଘନ ଗରଜନ

ଚମକିବେ ଭୀରୁ ନଗରଜନ,

ଅନ୍ଧକାର ହେବ ଦିନ ନିଶାରେ

ଖ-ମଣି ଲୁଚିବେ ନଭୋମଣ୍ଡଳେ,

ଖେଳିବ ଚପଳା, -

ବୋଲି ପ୍ରବାସୀ ଧୃତି ନୀଚ ପଳା ।୩।

 

ଧଇଲେ ଏବେ ଯେ କର କା କର

ମୁଞ୍ଚିବେ ସେ ଘନେ କରକା କର

ନାଚିବେ ପ୍ରମୋଦ ଭଜି ବରହୀ

ବିଯୋଗୀ ଜୀବ ନିକି ଯିବ ରହି,

ଫୁଟିବ ଗଣିକା,

ସନ୍ତତ ରଣୁଁ ଫୁଟିବ ଗଣିକା ।୪।

 

ସମ୍ୱନ୍ଧ ହୋଇବ କୋନିରାଶାରେ

ସଢ଼ିବେ ବଧୂଜନେ ନିରାଶାରେ,

ସଂଯୋଗୀଜନେ ହୋଇ ପରବଳ

ଦଳିବେ ଚନ୍ଦ୍ରଚୂଳ-ପର ବଳ,

 

ଭେକ କଳବଳ,

କରିବ ପାନ୍ଥ ଧୃତି କଳବଳ ।୫।

 

ବିବେକ ଦ୍ରୁମର କ୍ଷିପ୍ର ଭଞ୍ଜନ

ପ୍ରସରିବ ଯେ ଝଞ୍ଜା ପ୍ରଭଞ୍ଜନ

ଝିଙ୍କାରି ଝଙ୍କାର ପରବଳିବ

ମୃଗୟାରେ ରତି ବର ବଳିବ

ଦାତ୍ୟୂହ କୂଜନ,

ଶୁଣି କମ୍ପାଇବେ ଦେହକୁ ଜନ ।୬।

 

ଉତ୍ପଳ ବୁଡ଼ିଯିବ କବନ୍ଧରେ

ଯୁବା ମାତିବେ ଅନେକ ବନ୍ଧରେ

ପ୍ରସଙ୍ଗେ କହିବେ ଅଭିସାରିକା

ସଙ୍କେତସ୍ଥଳକୁ ଅଭିସାରିକା

ତୀର ତିନ୍ତି ଆପେ,

ଯିବେ ସୁରତ ଚିତ୍ତେ ଚିନ୍ତି ଆପେ ।୭।

 

ଛପିବେ କୁମୁଦ-ବନ୍ଧୁ ତରଣି

ଖେଳାଇବେ ସବୁ ସିନ୍ଧୁ ତରଣୀ

ହଂସ ବିହରିବେ ମାନସେ ଯାଇ

 

କଦୁଷ୍ଣ ତଳପମାନ ପକାଇ

ଭୋଗୀ ପହୁଡ଼ିବେ,

ଯୋଗୀ ରାମନାମ ଜପ ହୁଡ଼ିବେ ।୮।

 

ମାର୍ଗେ ଏକାଳେ ଆସିବ ସଜନୀ

ମୁହଁରୁ କେହି ଆଶୀବିଷ ଜନି

ଶୁଣିବାକୁ ଆଳୀକୁଳ ଟାପରା

ମାନସେ ଚିନ୍ତି ମଣିବାକୁ ପରା

କୀଚକ କଦମ୍ୱ,

ମଣ୍ଡିବ ଦମ୍ପତ୍ତି କୁଚ କଦମ୍ୱ ।୯।

 

ଖ-ମଣ୍ଡଳେ ଅତି ବିଦ୍ୟୁତମାନେ

ପ୍ରକଟିତ ହେବେ ଖଦ୍ୟୋତ ମାନେ

ଅନଙ୍ଗାନଳ ପରି ଆଭାସିବ

ଜଳରେ ଧରି ଗରିଆ ଭାସିବ

ପହଁରିବା ନର,

ନେବେ ନାନାଫଳ ହରି ବାନର ।୧୦।

 

ମାର୍ଦବ ମର୍ଦ୍ଦିବ ନବନୀତାକୁ

ଏକାଳେ ଛାଡ଼ିଲି ସେ ବନିତାକୁ

 

ପୀୟୂଷ ବିଷ ହୋଇବନି ତାକୁ

ନ କଲି ସ୍ମରଣ ଅବନିତାକୁ

ଆହା ବନିତାକୁ,

ପୁରକୁ ମନେ ନେବ ବନି ତାକୁ ।୧୧।

 

ଛାଡ଼ି ସ୍ନେହ ସେ ପୁର ମଣ୍ଡନରେ

ବୋଲୁ ନଥିବ ପୁର ମଣ୍ଡନରେ

ବରଜି ମୋ ଜୀବ ସଙ୍ଗୀତ ରସ

ପାଶୋରି ଦେବନି ସଙ୍ଗୀତ ରସ

ଆହା ରସନିଧି,

ଦେଖୁ ନ ଥିବ ଆହାର ସନ୍ନିଧି ।୧୨।

 

ଆଚରି ନାନା ପ୍ରକାର ବିଳାପ

କରି ବିଜିତ ଯାଗ ସଙ୍କଳପ

ଭାବିବାରୁ କଞ୍ଜଦଳ ତଳପ

ଆଳୀ ବୋଧିଲେ ହିଁ କୋଟି ତଳପ

ନ ଘେନି ଅଳପ,

କରୁ ନଥିବ ସଧୃତି ଜଳପ ।୧୩।

 

ସହଜେ ତ ବରତନୁ ଅବଳା

ଉରୁ ଠାରିବ ଫେରିନି ତା ବଳା

ନାସାପାଶେ କେ ସମରପି ତୁଳା

ନିରେଖୁଥିବ ତା ଡୋଳା ପିତୁଳା

ଜଳପି ବଗଳା,

କେ ଆପଣାର ଚିପୁଥିବ ଗଳା ।୧୪।

 

କେ ସଖୀ ଧମନୀକି ପରକ୍ଷିବ

ଅନ୍ଧାରି ଦେଇ କେ ଦୀପ ରଖିବ

ଛାମୁରେ କେହି ବିଶ୍ୱାସ ବସିବ

ଶ୍ରବଣରେ କେ ଶୁଣାଇବ ଶିବ

ଯେ ଟି ଭରସିବ,

ଅମ୍ୱୁ ଶିଖର ମୁଖେ ବରଷିବ ।୧୫।

 

ମେରୁ ଗରୁଆ ହୋଇବ ନିବାସ

ଥିବ କି ନଥିବ ଯିବନି ବାସ

ପ୍ରାଣେ ବାଜିଲେ ବୃନ୍ଦାବନୀ ବାସ

ବୋଲୁଥିବ ଆହେ ଜଗନ୍ନିବାସ

 

କି ସଂଭୋଗ ରାସ,

ଛାଡ଼ି ହେଲି ସ୍ମର ସର୍ପଗରାସ ।୧୬।

 

ପାଳଇ ମୋ ସ୍ନେହକୁ ସେ ସରସା

ଶିରେ ବୋହିଲାପରି ଶେଷ ରସା ।

ଜାଣଇଁ କେତେ ଜାତି ରସମାନ

ଚାଲଇକି ସେ ହାତୀର ସମାନ

ସୁଧାପରି ଭାଷା,

ସେହି ଶୃଙ୍ଗାର ଶାସ୍ତ୍ର ପରିଭାଷା ।୧୭।

 

ଟିପି ଦେଲେ କକ୍ଷସ୍ଥଳୀ ନଖରେ

ଆଡ଼ ପଞ୍ଚଶିଖ ନଳିନଖରେ

ଚାଲ ମା, ଏ ନାହିଁ, ଏ କି ଟା ପରା

କରନାହିଁ ବୃଥା ଏତେ ଟାପରା

ହସି ଏତେ ଭାଷି, -

ଯାଏ ମୋ ଶରୀର ସରିତେ ଭାସି ।୧୮।

 

ମୋପରି ବେଶ ଦେଖିବା ତରସେ

ଦିନେ ହଟିଲି ବିପରୀତ ରସେ

ଚତୁରୀ ତ ବଡ଼ ଅମିତ ରସେ

 

ଜବାବ ଦେଲା ନ କରି ତର ସେ

ହୁଏ କେ କା ପରି,

କରଟ କି ରଟଇ କେକା ପରି ।୧୯।

 

ବୁଡ଼ିବାରୁ ମୁହିଁ ତାପୀ ରତିରେ

ନ ରସଇ ଗୋ ଅନ୍ୟ ପୀରତିରେ

ସେ ଚମ୍ପାକଳୀ ଜିଣା ସୁନା ସାର

ଶ୍ରୀଅଙ୍ଗ ସୁକୁମାର ସୁ-ନାସାର

ମୁଁ ମସାରମଣି,

ମାନେ ମୋତେ ସେହୁ ଭୂଷାରମଣି ।୨୦।

 

ଘେନାଇଁ ନଜର ମୁକୁତାହାର

ମୁଁ ଯେବେ ଯାଏ ଛାମୁକୁ ତାହାର

ସଦରହାସ ଲାଜ ତାଜିମରେ

ଚଳି ମଦନରାଜ ପାଜି ମରେ

ମେରୁ ରଚି ବୁକ,

ଧରି ଧରେ ତା ରୁଚିର ଚିବୁକ ।୨୧।

 

ଶୃଙ୍ଗାର ଯେମନ୍ତ ସୁଆଦ ରସ

ଗୋଧନଟି ତାର ସୁଆଦରଶ

 

ଜଗତେ ଅଛି କି ତା’ ହାସମାନ

ଚନ୍ଦ୍ରିକାରହରେ ତାହା ସମାନ

ସେ ବରତରୁଣୀ,

ବୋଲୁଥାଏ ଟି ହେବ ରତ ଋଣୀ ।୨୨।

 

କୃପାକୁ କଲେ ଅନାବିଳ ଶିବ

ମୋ କୋଳେ ପୀନସ୍ତନା ବିଳସିବ

ପରତେ ହେଉ ନାହିଁ ମାନସରେ

ତା ସ୍ନେହଠାରୁ ମୋ ଗୁମାନ ସରେ

ସେ ସାର ରମଣୀ,

ମୋ ହୃଦୟ ମଧ୍ୟ ହାରର ମଣି ।୨୩।

 

କେବେ ପାଟବ ହେବ ମୋ ଦଶାର

ମିଳିବ ତା ସଙ୍ଗତି ମୋଦ ସାର

ମଦନ ମୁଖେ କାଳି ଲଗାଇବି

ଧନ ତୁଲେ ‘ଜାଈଫୁଲ’ ଗାଇବି

ବଞ୍ଚିବି ସୁଖରେ,

ଲଭି ତା ସୁଖ, କାଟି ବିସୁଖରେ ।୨୪।

 

କହେ ଅଷ୍ଟଦୁର୍ଗେଶ୍ୱର ସଭାର

କବିରବି ନେଇ ଏ ରସ ଭାର

ଦେଲେ କଦମ୍ୱମୂଳିଆ ଚରଣେ

ଅର୍ଜିବା ପାପ କଳି ଆଚରଣେ

ସେ ନଟ ନାଶିବେ,

ହେଲେ କିଶୋରୀଙ୍କ ଘଟ ନାଶିବେ ।୨୫।

 

୧୮। ରସା - ମାଟି ବା ପୃଥିବୀ, ଜମ୍ବାଳ - ପଙ୍କ, ଭୂପରାଗ - ଧୂଳି, ଉପଧାନ - ବାଳୁଙ୍ଗା ବା ଘାସ, ଖମଣି - ସୂର୍ଯ୍ୟ, କରକା - କୁଆପଥର, ରଣିକା - ଯୂଈଫୁଲ ଓ ବେଶ୍ୟା, ଚନ୍ଦ୍ରଚୂଳ-ପର - କନ୍ଦର୍ପ, ବାତ୍ୟୂହ - ଡାହୁକ, କବନ୍ଧ - ଜଳ, ତରଣି - ସୂର୍ଯ୍ୟ, କଦୁଷ୍ଣ - ଅଳ୍ପ ଗରମ, ଆଶୀବିଷ - ସାପ ବିଷ, କୀଚକ - ବାଉଁଶ, କଦମ୍ବ - ଦ୍ୱୟ, ଖମଣ୍ଡଳେ - ଆକାଶରେ, ଗରିଆ - ପାତ୍ର, ମାର୍ଦ୍ଦବ - କୋମଳତା, ଅବନିତା - ବିନୀତା, କଞ୍ଚଦଳ - ପଦ୍ମପତ୍ର, ବଗଳା - ଦେବୀ, ଗରୁଆ - ଭାରି, ଶେଷ - ବାସୁକୀ, ରସା - ପୃଥିବୀ, ତରସେ - ଶୀଘ୍ର, କରଟ - କୁଆ, କେକା - ମୟୂର ଡାକ, ମସାରମଣି - ଇନ୍ଦ୍ରନୀଳମଣି, ତାଜିମରେ - ବିସ୍ମୟରେ । ଚନ୍ଦ୍ରିକାରହରେ - ଚନ୍ଦ୍ରିକା କ୍ରୀଡ଼ାରେ, ପାଟବ - ପୂର୍ଣ୍ଣାଙ୍ଗ, କଦମ୍ବମୂଳିଆ - ଶ୍ରୀକୃଷ୍ଣ ।

 

(୧୯)

ନାୟକ ଅନୁଚିନ୍ତା

ରାଗ-ଆଷାଢ଼ଶୁକ୍ଳ

 

ଧନି ! ଅନାଥରେ ଚାହିଁଲା ପରି ଧନୀ ଅନାଁ ଥରେ ।

ଜାଣୁ ତୁ ଜୀବେଶ୍ୱରୀ ଆଜନମୁଁ - ତୋ ଚିତ୍ତକେଳି ଜଗୁଆ ଜନ ମୁଁ

ମୋଠାରେ ଏ ଗାଢ଼ ଲାଜ ନ କର - ରହସ୍ୟ ପ୍ରଣୟ ଭାଜନ କର ।୧।

 

ମୁଁ ଚାତକପକ୍ଷୀ ତୁ ଧାରାଧର - ଅଧରେ ସ୍ମିତ ସୁଧା ଧାରା ଧର

ଆଉଜା ଲୀଳାକୁ ରଚି ବୁକୁରେ - ଗୋଟିଏ ଚୁମ୍ୱ ଘେନି ଚିବୁକରେ ।୨।

 

ମୁଖ କଳାନିଧି ଅଧ ନ କର - ଅଂଶ ମୋର ଦିଅ ଅଧନ କର

ତୋ ସୀଉକାର ହେଉ ଭାରତୀରେ - ସ୍ମରକୁ ଜିଣିବା ତା ଭାରତୀରେ ।୩।

 

ଅନେକ ଦିନୁ ମୁଁ ତୋ ନଉକରି - ଦୁଃଖୀଧନକୁ ନବ ନଉ କରି

ତନୁକୁ ତୋର ପରଦା ନ କରେ - ଶକ୍ର ଭୂତିକି ପରଦାନ କରେ ।୪।

 

ଲଜ୍ଜାରେ ନକର ପରମାଦର - ନିଦାନ ହେଉଛି ପରମାଦର

କରୁଥାଇ ଯେତେ ଭୋଗ ତରସ - ସେ ସବୁ ହେଉଅଛି ଗତରସ ।୫।

 

ଖେଳାଉ ନାହିଁ ମୁଁ କରଜାଗ୍ର ତ - କରୁ କେତେ କଳେବର ଜାଗ୍ରତ

ଛୁଇଁ ତ ନାହିଁ ତୋର ନୀବି ଡରେ - ଅଧର କିପାଁ ଭିଡ଼ୁ ନିବିଡ଼ରେ ।୬।

 

ଏପରି ଅନୁଚିତ କାଳଯାକ - ବନ୍ଧୁ ମୋ ତନୁ ତତକାଳ ଜାକ

ଏ ଶୋଭା ଚାହିଁ କି ନିବରତିବି - ତୋ ବିନା ଧନ ନିକି ବରତିବି ।୭।

 

ବିରାଜ ସୁରତ ସଦନାଦିରେ - ଧୀରା ଯଶ ରଖ ମଦ ରାଜିରେ

ଝମ୍ପାତାଳେ ବଜାଅ ତ ନୁପୂର - କମ୍ପାଇ ରୁଚିର ଅତନୁପୁର । ୮।

 

ସୁଜାଣୁ ତ ଜାଣୁ ରତି ଶରଣ - ଅତି ଭାର ସଦମ୍ପତି ଶରଣ

ତାରଣ ଧୃତିକି ଖସା ରସରେ - ପୁରି ପ୍ରସାଦ ସୁଖ ସାରସରେ ।୯।

 

ଆରେ କ୍ଷମାଗୁଣ ସରିତ ପତି - ସାରିଦେବ ଗିରୀଶାରି ତପତି

ଦୟାଳୁ ଗୁଣେ ତୁ ତୁଷାର କର - ମୋ ପ୍ରାଣରକ୍ଷାକୁ ତୁ ସାର କର ।୧୦।

 

ଏ ଯଉବନ ସେହି ତ ଯବନ - ତକ୍ଷଣେ ଘେନିଯିବ ତ ଜୀବନ

କ୍ଷଣରୁ କ୍ଷଣ ଅନ୍ତର ସମୟ - ହୋଇବ ଅବା ଇତର ସମୟ ।୧୧।

 

କୁଞ୍ଜ କମନୀୟ ନୀପ ବନରେ - କୁଞ୍ଜ ସୁରଭି ଧ୍ୱନି ପବନରେ

ବିହରି ମୋ କୋଳେ ଅନବରତ - ବଲ୍ଲଭୀ ପଲ୍ଲବା ଅନବରତ ।୧୨।

 

ଦର୍ଭ ଗର୍ଭ ତ ଶେଜର ଉପରେ - ତୋ ମନ ମନ୍ତ୍ର ବରଷେ ଜପରେ

ପ୍ରବଣ ହୋଇଛି ମୁଁ ତୋ ସେବାରେ - ମୋ ଅଙ୍ଗେତ ନଭ୍ରମୁ ତୋଷେ ବାରେ ।୧୩।

 

ଅଦୃଶ୍ୟ ହୋଇଲେ ଅମ୍ୱର ମଣି - କୁମୁଦବନେ ରୋଲମ୍ୱରମଣୀ

ପ୍ରିୟ ତୁଲ୍ଲେ କରିବାର ସଙ୍ଗୀତ - ଶୁଣି ନର ସୃଜି ବର ସଙ୍ଗୀତ ।୧୪।

 

ନ ଦେବାରୁ ତୁ ସମ୍ପଦ ନଜର - ହେବାରୁ ଦୁହେଁ ସମଦନ ଜର

ଅଭିନବ ସୁଖ କଳପତରୁ - ଶୁଖି ଯିବଟି କୋମଳସ ତରୁ ।୧୫।

 

ଶ୍ଳେଷ ଆଶ୍ଳେଷ ରମ୍ୟ ପରିହାସ - ମଦବିକଚ କୁନ୍ଦ ପରି ହାସ

ଏହିଟି ଏ ଭବ ସୁଖ ନିଦାନ - କର ଶୁଭେ ଏବେ ସୁଖେ ନିଦାନ ।୧୬।

 

କରାଇବି ତ ମୁଁ ରାଇକା ଲାଗି - ମୁଖ ପୋତୁ ଲାଜ ପାଇ କା’ ଲାଗି

କର ରେ ବିନା ଏହା ଆନ ନରେ - ନ ମଣ୍ଡ ଚେଳାଞ୍ଚଳ ଆନନରେ ।୧୭।

 

ମଳୟ ବିହାର କରା ମାରୁତ - ସତ୍ରାଣପ୍ରିୟ ପିକ ରାମାରୁତ

ଚନ୍ଦ୍ର ଚନ୍ଦନ ଅପଘନସାର - ହଟେ ଲୁଟିବି ଅପଘନ ସାର ।୧୮।

 

ହରି ଏପରି ଭାଷି ସୁଆଗରେ - ପ୍ରବଳନ୍ତେ କୁସୁମେ ସୁଆଗରେ

ହସି ବିହରିଲେ ରସିକମନେ - ଅଷ୍ଟଦୁର୍ଗେଶ ଭାଷିଲେକ ଦିନେ ।୧୯।

 

୧୯। ଧାରାଧର - ମେଘ, ଭାରତୀରେ - କଥାରେ । ଅଧ - ତଳକୁ, ନଉ - ନବେ, ଶକ୍ରଭୂତି - ଇନ୍ଦ୍ର ସମ୍ପଦ, ପରମାଦର - ଶ୍ରେଷ୍ଠ ସ୍ନେହ ଓ ଭୁଲଭ୍ରାନ୍ତିର, ତରସ - ଶୀଘ୍ର, କରଜାଗ୍ର - ହାତନଖର ମୁନ, ଜାନି - ଭିଡ଼, ସାରସ - ଚନ୍ଦ୍ର, ସରିତପତି - ସମୁଦ୍ର, ଗିରୀଶାରି, ତପତି - କନ୍ଦର୍ପ ଜ୍ୱାଳା, ଦର୍ଭ - କଅଁଳ ଘାସ, ରୋଲମ୍ବରମଣୀ - ଭ୍ରମରୀ, ରାରକା - ଲାକ୍ଷା, ରୁତ - କୁହୁ ଧ୍ୱନି ।

 

(୨୦)

କୁଞ୍ଜ ମିଳନ

ରାଗ-କାମୋଦୀ

 

ଦିନେ ଦିନେଶସୁତା-ତଟ ମାଧବୀ ଲତା

ମଣ୍ଡପେ ନବଘନ ଶ୍ୟାମ

କହନ୍ତି ପଙ୍କେରୁହ-ନେତ୍ରାଙ୍କୁ ଅତି ସ୍ନେହ –

ବଶରୁ ତରୁଣୀ ଲଲାମ ରେ

ଦରହାସୀ,

ମୋ ଜନ୍ମ କିଶୋରତା ଧନ୍ୟ

ଅସଦୃଶ ମୋ ପୂର୍ବ ପୁଣ୍ୟ

ଜମାଇ ମନେ ମନେ ଦେହେ ଦେହ ନୟନେ

ଯା ଭୋଗ କଲା ଏ ଲାବଣ୍ୟ ରେ ।୧।

 

ଲୋଲୁପ ଭାବେ ଲାଖି ଯେବେ ଜନର ଆଖି

ତୋ ଶୋଭାମୃତ ଚାଖିଥିବ

ଉର୍ବଶୀ ରମ୍ଭା ରତି ତୁଲ୍ୟ ବୋଲି ଭାରତୀ

ବଦନୁ ନିକି ନିଃସରିବ ରେ

ଦରହାସୀ,

 

ତୋ ଉପମାନ ତୁହି ଏକା

ତୁହି ତୋ ସଦୃଶ ରସିକା

କେତେ ଘେନି ସମ୍ଭାର ହେଲେଣି ଦେବୀ ତୋର

ରସନା ଅଞ୍ଚଳ ଲାସିକା ରେ ।୨।

 

ଭଲା ତୋ ଅନାଉଁଣି ଯା ଭଙ୍ଗୀକି ଲାଉଣି

ଦେବାକୁ ନୁହଇ ଖଞ୍ଜନ

ତହିଁ କେ ପୁଣି ରଞ୍ଜିଅଛି ଏ ସରୁ ଲାଞ୍ଜି

ରେଖିକା ମଞ୍ଜୁଳ ଅଞ୍ଜନ ରେ

ଦରହାସୀ,

ଯେ ଜନ୍ତୁ ଦୁଷ୍ଟ ମହାମଲ୍ଲ

ତାହାକୁ ପିଆଇ ଅମଳ

ବାଇ କରାଇ ତାର କରରେ ତରୁଆର

ଦେଲେ କରଇ ସେ କି ଭଲ ରେ ।୩।

 

ମହାନୟ ବିନୟ ବିରାକ୍ଷି ଅଭିନୟ

ପୀୟୁଷ ରସମୟ ବାଣୀ

ବୀଣା ବାଦ୍ୟ ପ୍ରବୀଣା ପଶ ମୂଲ୍ୟରେ କିଣା

ତୋର କି ବାଣୀ ଠାକୁରାଣୀ ରେ

ଦରହାସୀ,

 

ନେତ୍ରାନ୍ତ କରି ଚଳାଚଳ

କମ୍ପାଉ ଉରଜ ଅଚଳ

ନଚାଇ ଦେଇ ଚିର ପଚାଇ ଦେଉ ମୋର

ପୂରୁବ ତପୋବଲ୍ଲୀ ଫଳ ରେ ।୪।

 

ସସ୍ମିତ ରଦବାସ ପଲ୍ଲବେ ଦେଇ ବାସ

ସଲ୍ଲଜେ ଯାହା କହିଆଣୁ

ସତେକି ରେ ବିବେକୀ ମୋତେ ଦେବାକୁ ନିକି

ଚନ୍ଦ୍ରମଣ୍ଡକୁ ସୁଧା ଛାଣୁ ରେ

ଦରହାସୀ,

ସେ କାଳେ ପଡ଼ିଗଲେ ସ୍ଥାଣୁ

ଭ୍ରୁଭଙ୍ଗୀ ତରବାରେ ହାଣୁ

ଶୃତି ମୁକୁତାଝୁମ୍ପା କରିବା ଦରକମ୍ପା

ଚମ୍ପା ଗଉରୀ ଏକା ଜାଣୁରେ ।୫।

 

ମଣ୍ଡ ମୋହର ଅଙ୍କ ମରକତ ପର୍ଯ୍ୟଙ୍କ

କରିବି ବାସନ୍ତୀକ ବେଶ

ତୋ ଅଙ୍ଗ ସଙ୍ଗ ପାଉ କୃତାର୍ଥ ହୋଇଯାଉ

ଫୁଲ ପଲ୍ଲବ-ସୃଷ୍ଟି ଆଶ ରେ

ଦରହାସୀ,

 

ପରିଜନରେ ଏ କି ଲାଜ

ଟେକ ଶ୍ରୀମୁଖ ଦ୍ୱିଜରାଜ

ଲାଜ ସିନ୍ଧୁରେ ପଡ଼ି ରହିଲେ ହେଲେ ବୁଡ଼ି

ନିବର୍ତ୍ତି କି ପାରିବି ଆଜ ରେ ।୬।

 

କିଶୋରଚନ୍ଦ୍ର ବାଣୀ ଶୁଣି ଶ୍ରୀ ଠାକୁରାଣୀ

ପ୍ରେମ ପ୍ରମୋଦ ଲଜ୍ଜାଜଳେ -

ନିମଜ୍ଜି ରହି ମନ୍ଦ ସ୍ଫୁଟ ସୁନ୍ଦର କୁନ୍ଦ -

ସ୍ମିତକୁ ବିରଚିବା ବେଳେ ରେ

ଦରହାସୀ,

ପରମ ପ୍ରପଦ ଆନନ୍ଦେ

ଚାପି ଶ୍ରୀଚରଣାରବିନ୍ଦେ

ବେଦଯୁଗଳଦୁର୍ଗ ବସୁଧା ମାୟା ସ୍ୱର୍ଗ

ବଳୟ ପୁରନ୍ଦର ବନ୍ଦେ ରେ ।୭।

 

(୨୦)ଟୀକା - - ଦିନେଶ ସୁତା - ଯମୁନା, ପଙ୍କେରୁହନେତ୍ରା - ପଦ୍ମନୟନା, ଲାସିକା - ନର୍ତ୍ତକୀ, ଲାଉଣି - ଧରିବା, ଅମଳ - ମଦ୍ୟ, ମହାନୟ - ବଡ଼ ବିପଦ, ବିରାକ୍ଷି - ବିଶେଷ ଦୃଷ୍ଟି, ଚିର - ସ୍ତନର ଅଗ୍ରଭାଗ, ରଦବାସ - ଅଧର, ଦ୍ୱିଜରାଜ - ଚନ୍ଦ୍ର, ପ୍ରପଦ - ପାଦର ଅଗ୍ରଭାଗ, ବେଦଯୁଗଳ ଦୁର୍ଗ - ୪ ବେଦର ଦ୍ୱିତ ଅଷ୍ଟଦୁର୍ଗ ।

 

ବିରହୀ ଚିଟାଉ

ରାଗ-ଚିନ୍ତଦେଶାହ

 

କେଉଁ ବିରହୀ ନାଗରବର,

ପ୍ରିୟାଠାକୁ ଲେଖଇ ଉତ୍ତର

ଆରେ ପ୍ରାଣବନ୍ଧୁ, ଏବେ କାମସିନ୍ଧୁ -

ମଜ୍ଜିଅଛି ମୁଁ ବିରହେ ତୋର ରେ କିଶୋରି ।୧।

 

ଆରେ ପ୍ରିୟେ, ତୁ ମୋର ପ୍ରାଣଧନ,

ତୋତେ ନ ଦେଖି ଯିବ ଜୀବନ

ତୋ ଶିରୀଷତନୁ ପରିରମ୍ଭ ବିନୁ –

ମୋତେ ନ ରୁଚେ ଚନ୍ଦ୍ର, ଚନ୍ଦନ ରେ କିଶୋରି ।୨।

 

ଆଜ ଥରେ ହେବୁ ମୋହ ପରି,

ବୋଲି କହନ୍ତେ ମୁଁ କର ଧରି

ଏ କିସ ଗୋ ବୋଲି ମନ୍ଦ ହସିବାର

ଯିବ କେହି ମୋ ମନୁ ପାଶୋରି ରେ କିଶୋରି ।୩।

 

ମୋତେ ମୋ ଅଙ୍କରେ ବସିଥାଉ,

ପ୍ରେମ ରସରେ ଚିତ୍ତ ମଜ୍ଜାଉ

ସ୍ମିତ ଜିତ ବାଣୀ ପଦ ପଦକ ରେ -

ବ୍ରହ୍ମପଦ ଦେଇ ଯାଉଥାଉ ରେ କିଶୋରି ।୪।

 

ରସ ସଙ୍ଗୀତରେ ଥାଉ ମଜ୍ଜି,

ପଛୁଁ ଧରନ୍ତେ ତୋ ନେତ୍ର ବୁଜି

ଜାଣିଲି ଯେ ଛାଡ଼ ବୋଲି କହିବାର–

ହେଜି ଯାଉଛି ମୋ ଧୃତି ଭାଜି ରେ କିଶୋରି ।୫।

 

ତୋତେ ସ୍ୱହସ୍ତରେ ବେଶକରି,

ବସିଥାଇ ମୁଁ ଯେ କୋଳେ ଧରି

ଆନନ୍ଦ ସମୁଦ୍ରେ ମଜ୍ଜିଧାଏଁ ବନ୍ଧୁ –

ବିହି ହରିଲା ସେ ସୁଖଶୀରି ରେ କିଶୋରି ।୬।

 

ବଳେ ଯେବେ ମୁହିଁ ନୀବି ଧରେଁ,

ମୋ ବିମନେ ଭାବି ନିଷେଧରେ

କି ଭଙ୍ଗୀରେ ଧନ, ବଞ୍ଚାଉ ରସାଇ

ମୋର ମନ ଆନ ପ୍ରସଙ୍ଗ ରେ କିଶୋରି ।୭।

 

ଗେଲେ ମାନକରି ବସିଥାଉ,

ପଚାରିଲେ ଉତ୍ତର ନ ଦେଉ

ହେଲେ ମୁଁ ତରସ୍ତ ବିଡ଼ୁଥିଲି ଚିତ୍ତ -

ବୋଲି ହସି ଅଙ୍ଗେ ମାତିଯାଉ ରେ କିଶୋରି ।୮।

 

ଯେବେ କରଜ ଦିଏଁ ଚଳାଇ,

ଅଙ୍ଗେ ରୋମାଞ୍ଚକୁ ଉପୁଜାଇ

ଖେଳାଇ ଡୋଳାକୁ ହସି ଭାଷି ବାଳା–

ଭିଡ଼ି ଭରେ ଉରକୁ ଲଗାଉ ରେ କିଶୋରି ।୯।

 

ଦିନ ଦିନକର ଭାବ ଯେତେ,

କହି ନ ପାରିବି ତା କିଞ୍ଚିତେ

ମନ ଏକା ଜାଣେ ଏ ଘେନି ଅନ୍ତର -

ହେଲେ ହେଲେ ନ ତେଜଇ ତୋତେ ରେ କିଶୋରି ।୧୦।

 

ନବନାଗରୀ ରାମାରତନ,

ଜାଣୁ ତୁହି ସିନା ମୋର ମନ

ଶ୍ରବଣ ଇଚ୍ଛେ କରିବାକୁ ଶ୍ରବଣ -

ତୋର ବିପରୀତ ସଞ୍ଚ ସ୍ୱନ ରେ କିଶୋରି ।୧୧।

 

ତୋର ମୁଖ ପୂର୍ଣ୍ଣକଳାକର

ଦେଖି ମୋ ନେତ୍ର ଦ୍ୱୟ ଚକୋର

ଆନନ୍ଦକୁ ଲଭି ସତେ କି ବଲ୍ଲଭୀ -

ବଲ୍ଲଭ କି କରିବ ଅନ୍ତର ରେ କିଶୋର ।୧୨।

 

ଆରେ ନବନୀତ ସୁକୁମାରୀ,

ବରଷିବା ରସ ମନୋହାରୀ

କେବେ ତୋ ଅଧର ବନ୍ଧୁଜୀବ ମଧୁ -

ପାନେ ମୁଁ ହେବି ମଧୁପ ପରି ରେ କିଶୋରି ।୧୩।

 

ଭାସୁଅଛି ମୁଁ କାମ ସିନ୍ଧୁରେ,

ତୋର ଜାନୁ ଭେଳା କରି ବାରେ

କୁଚ ଶାତକୁମ୍ଭମୟ କୁମ୍ଭ ଧରି -

କେବେ ପାରିହେବି ମୋଦଭରେ ରେ କିଶୋରି ।୧୪।

 

ତୋର ବିରହେ ମଳୟାନିଳ,

ଆଭାସଇ ସେ ପ୍ରଳୟାନଳ

କୋକିଳ କୁଳ କଳରବ ସକଳ -

ଧୃତି ସିନା କରାଏ ଆକୁଳ ରେ କିଶୋରି ।୧୫।

 

ତୋର ସନ୍ନିଧି ତେଜିଲା ଦିନୁ,

କ୍ଷଣେ ତୁ ନ ଯାଉ ମୋର ମନୁ

ସୁତନୁ ଅତନୁ ମାର୍ଗଣେ ତୋ ବିନୁ

କରି ହେଲାଣି ମୋ ତନୁ ତନୁ ରେ କିଶୋରି ।୧୬।

 

ନାହିଁ ମୋର ବଞ୍ଚିବା ଭରସା,

ତୋର ଦରଶନ ପ୍ରତିଆଶା

କେବଳ ରଖିଛି କଷ୍ଟେ ପ୍ରାଣ ଅଙ୍ଗେ -

କଷା ନୁହେଁ ନେତ୍ର ନିତି ନିଶା ରେ କିଶୋରି ।୧୭।

 

ନ ଜାଣୁ କି ଜଗଦ୍ଦେବ ଚିତ୍ତ,

ବନ୍ଧୁ ନାହିଁ ମୋ ଲେଶ ଆୟତ୍ତ

ସତ ତୋ ବିଜିତ ପୂର୍ଣ୍ଣଚନ୍ଦ୍ର ମୁଖ -

କରାଇବ ମୋର ନେତ୍ରଗତ ରେ କିଶୋରି ।୧୮।

 

(୨୧) ଟୀକା - - ପରିରମ୍ଭ - ଆଲିଙ୍ଗନ, ହେବୁ ମୋହ ପରି - ବିପରୀତ ରତି ଅର୍ଥରେ, କରଜ - ନଖ, ଉର - ଛାତି, ସଞ୍ଚ - ସୁନ୍ଦର, ବନ୍ଧୁଜୀବ - ବଧୂଲି ଫୁଲ, ଶାତକୁମ୍ଭମୟ - ସର୍ଣ୍ଣମୟ, ତନୁ - ଦେହ ଓ କ୍ଷୀଣତା ।

 

ଖଣ୍ଡିତା ନାୟିକା

ରାଗ-ଆଷାଢ଼ଶୁକ୍ଳ

 

ମୁଁ ନ ପାରେଁ ଯାଇ,

ମିଛୁରା ମଉଳିକି ସମଝାଇ । ଘୋଷା ।

ମଳୟଜ ବସୁନ୍ଧରାଧରରୁ,

ମନ୍ଦ ସୁଗନ୍ଧ ମରୁତ ପ୍ରସରୁ ।।

ମିଳିନ୍ଦେ ମଞ୍ଜୁ ଗୁଞ୍ଜନେ ହଟନ୍ତୁ,

ମଦ ପରଭୃତମାନେ ରଟନ୍ତୁ ।୧।

 

ମୟୁଖ ମଣ୍ଡଳେ ମଣ୍ଡି ଜଗତୀ,

ମନ ହରୁଥାଇ ରଜନୀପତି

ମାକନ୍ଦ କଳି ତର୍ଜନୀ ହଲାଇ,

ମୋ ଧୃତି ମୂଳ ଦେଇ ଦୋହଲାଇ ।୨।

 

ମୋ’ଠାରେ ଦୁଃଖ ରଖି ତୁମ୍ଭେମାନେ,

ମୁହଁ ନ ଚାହଁ ପଛେ ପ୍ରୀତମନେ

ମାର ମରମ ମରଦନ ବାଣ,

ମୂନରେ ପଛେ ଘେନିଯାଉ ପ୍ରାଣ ।୩।

 

ମାଧବୀ ମଞ୍ଜରୀ ମନ୍ଦିରେ ବସି,

ମହୀ ଚୁମ୍ୱିଲା ଶେଫାଳିକା ଖସି

ମଉଳିଲା ମୋ ଫୁଲ ଆଭରଣ,

ମଣିଲି ଭଲ ତାତହୁଁ ମରଣ ।୪।

 

ମୁଦିରୋଦୟକୁ ଚାତକପରି,

ମୃଗାଙ୍କକୁ ଯେଉଁପରି ଚକୋରୀ

ମାର୍ଗକୁ ଅନାଇଁ ଅନାଇଁ ତାର,

ମୋଦ ସରସୀ ଶୁଖିଗଲା ମୋର ।୫।

 

ମେଘ ତା ପଞ୍ଚତରୁ ନବଦଳ,

ମସୀ ଅତସୀ ଅସିତ ଉତ୍ପଳ

ମହେନ୍ଦ୍ରମଣି ସୁଖଦ୍ରବ୍ୟ ଯେତେ,

ମେଚକ ବିଷପରି ଲାଗେ ମୋତେ ।୬।

 

ମୋ ମନ ତହିଁ ନିପଟ ନ ଥିଲା,

ମଣିମଞ୍ଜରୀ ସିନା ଏହା କଲା

ମୋରେ ଏହା ଅଛି ନିତି ବିରାଗ,

ମାରିବି ଅରବିନ୍ଦେ ଆସୁ ଆଗ ।୭।

 

ମଲ୍ଲୀ ନବମାଳିଦଳ ତଳପ,

ମନୋଜ୍ଞ ଜାଈ ଫୁଲ ଚନ୍ଦ୍ରାତପ

ମଣ୍ଡାନ୍ତି କୁଞ୍ଜ ଶୋଭା ହେଲା ବାସି,

ମନମଥ ହୋଇଗଲା ସନ୍ୟାସୀ ।୮।

 

ମଧୁର ଗୁଣ ଯହିଁରେ ଯେତିକି,

ମାର କୃପଣ ତହିଁରେ ତେତିକି

ମାନସେ କଲି ମୁଁ ଏ ଅନୁଭବ,

ମାନ ସେ ସତ ହେବ କେହି ଜୀବ ।୯।

 

ମତ୍ତ ହୋଇଥାଉଁ ମୋର ଆଶ୍ଳେଷେ,

ମନ ଥାଇ ଆଉ ଗୋଟିକ ରସେ

ମାରୁଥାଏ ଆଖି ନଦୀତଟକୁ,

ମଙ୍ଗିବି କେହୁ ସେ ବିଟ ଭେଟକୁ ।୧୦।

 

ମୋହନ ସ୍ମିତ ମକର କୁଣ୍ଡଳ,

ମୁରଲୀ ମୟୂର ଶିଖଣ୍ଡ ଚୂଳ

ମୋର ନ ପକାଅ ସ୍ମୃତି ପଥରେ,

ମରିବିଟି ମାରି ମୁଣ୍ଡ ପଥରେ ।୧୧।

 

ମୁକୁତା ମଣି ରମ୍ୟ ନାସାପୁଟ,

ମର୍ମ୍ମଭେଦକ ଭୂରୁବଲ୍ଲୀ ନାଟ

ମଣ୍ଡିଛି ଦେହେ ଯେତେ ଆଭରଣ,

ମାରଣବିଦ୍ୟାର ଉପକରଣ ।୧୨।

 

ମୁକୁଟମଣି କିତବଙ୍କର ସେ,

ମଇତ୍ରନ ପରି ପାଲଟିଲେ ସେ

ମୁଞ୍ଚ-ଚମ୍ପା ଚୁମ୍ପେ ନିଃସ୍ୱ ପ୍ରସବ,

ମଧୁଲିଟପରି ତା ମନୋଭାବ ।୧୩।

 

ମୋଦେ ହସୁଥିବେ ସପତ୍ନୀ ଶ୍ରେଣୀ,

ମହତ୍ତ୍ୱ ଗଲେ ଆସିବ କି ପୁଣି

ମହେନ୍ଦ୍ର ସଦୃଶ ରତନ ଦେଲେ,

ମହୀମହେନ୍ଦ୍ର ଜଗଦ୍ଦେବ ବୋଲେ ।୧୪।

 

ଟୀକା - - ମିଛୁରା ମଉଳିବିଚଳିତ ମସ୍ତିଷ୍କ, ବସୁନ୍ଧରାଧର - ପର୍ବତ, ମିଳିନ୍ଦ - ଭ୍ରମର, ପରଭୃତ - କୋଇଲି, ମାକନ୍ଦ - ଆମ୍ବଗଛ,ମୁଦିରୋଦୟ - ମେଘ ପ୍ରକାଶ, ମୃଗାଙ୍କ - ଚନ୍ଦ୍ର, ମେଚକ - ଧୂଆଁ, କିତବ - ଖଳ ଲୋକ, ମଇତ୍ରନ - ଅବନ୍ଧୁ ।

 

ନାୟକ ଚାଟୁ

ରାଗ-ବଙ୍ଗଳାଶ୍ରୀ

 

ଧନ୍ୟରେ ଧରଣୀବଧୂ-ମୂର୍ଦ୍ଧାମଣି

ଅନ୍ୟରେ ନାହିଁ ନା ତୁଳା

ମନ ମୋହଦାନ-ପଣ୍ଡିତା ଜୀବନ ଧନ,

ମୋ ନେତ୍ର ପିତୁଳାରେ ।୧।

 

ତୋ’ ପରି ପୀରତି ପାଳିବାକୁ

ରତି-ରସକୁ ଜାଣିବା ପଣେ

ନାହିଁ ନାହିଁ କାହିଁ ନ ଥିବ ଜଗତେ

ଜନମ ନୋହିବ ଜଣେ ରେ ।୨।

 

ବାସଗୃହେ ସଜଡ଼ାଇବା

ସମୟେ ବାସମୟ କବରୀକି

ବାଜୁଁ ମୋ ବାସନା ସଂଯତ ବସନା

ହୋଇ ଚାହୁଁ ଶିଙ୍ଘାରୀକି ରେ ।୩।

 

ପୁରୁଷ ହାତୀଙ୍କି କହ ମୋ

ନତିକି ବୋଲି ଧୀରେ ଫରମାସୁ

ହାସକୁ ରଚି ମୋ ପାଶକୁ ପୁନ୍ନାଗଝରା

ଶିରେ ଖୋସି ଆସୁ ରେ ।୪।

 

ଲୋଚନେ ଲୋଚନ ମଣ୍ଡିବା

ପ୍ରମୋଦ ବଚନେ କି ଯିବ କୁହା

ବଳାରାତି ପୁରୁ ବଳି ଯାଉଥାଏ

ବାଳାକୁ ଏ ସର୍ବଂସହାରେ ।୫।

 

କହିବ ଶ୍ରବଣେ କିଛି ବୋଲି

ପ୍ରାଣେଶ୍ୱରୀ ବିଜେ କରି ଦମ୍ଭେ

କମ୍ପାଇ କୁଣ୍ଡଳ ମୋ ଗଣ୍ଡମଣ୍ଡଳ

ପୂର୍ଣ୍ଣ କରୁ ସରୁଚୁମ୍ବେ ରେ ।୬।

 

ଭୁଜେ ମୃଦୁ ଭୁଜ ଉରଜେ

ଉରଜ ବଦନେ ଶ୍ରୀମୁଖଶଶୀ

ଉରୁଯୁଗେ ଉରୁ ଲଗାଇବା ସରୁ

ଶ୍ରୀଅଙ୍ଗେ ମୁଁ ଯାଏଁ ମିଶି ରେ ।୭।

 

କାଟୁଛି କି ରେ ମୋ ସଙ୍ଖାଳି

ବୋଲି ମୁଁ ଚାଟୁ ଚିକ୍‌କଣେ ପଚାରୁଁ

ଗଳିଯିବ ପରା ଥାଉ ବୋଲି

ହାରାବଳି ଆଡ଼ିଆଇ ଧରୁ ରେ ।୮।

 

ଅଧର ଚିବୁକ ଚକ୍ଷୁ ଚଞ୍ଚରୀକ

ଗଣ୍ଡେ ତୋ କଲମା ଦୁଇ

ଚରମ ଚୁମ୍ୱି ଚିକୁର ବନ୍ଧଠାରୁ

ଚରଣ ଯାଏ ଲମ୍ୱଇ ରେ ।୯।

 

କି ଭିଡ଼ରେ ଥାଇ ଆନ୍ଧ୍ରଦେଶୀ

ପିନ୍ଧା ନିବିଡ଼ ନିରନ୍ଧ୍ର ନୀବି

ଅଯତନେ ଖସି ଆସିବାରୁ ହସି

କି ଲାଜ ଭଜୁ ବାନ୍ଧବୀରେ ।୧୦।

 

ଝାମ୍ପୁଁ ମୁଁ ନିମଜ୍ଜି ସୁନ୍ଦର

ମଦନ-ମନ୍ଦିର ଚମ୍ପୂ ରସରେ

କମ୍ପୁ କନକ କଦଳୀ ଲତାପରି

ପଞ୍ଚକଳମ୍ୱର ଶରେ ରେ ।୧୧।

 

ଚିକୁଳ ଧରି ଝୁଲାଇ ଦେଲାବେଳେ

ବୁଲାକି ଝୁଲା କି ଦିଶେ

ମୁଲକେ କରିବ ମୂଲ କେ ତାହାର

ତ୍ରିଲୋକେ ନାହିଁ ଯେ ଲେଶେ ରେ ।୧୨।

 

କର ଜାଗ୍ରତ ତନୁକୁ ବନ୍ଧୁ

ବୋଲି କରଜାଗ୍ରତ ବୁଲାଏଁ

ଫୁଲକୁଣ୍ଡ ଧାଟି ଫୁଟିଦିଶିବାରୁ

ପୁଲକାବଳି ବୋଲାଏଁ ରେ ।୧୩।

 

ଟେକି ସମାନ ନ ଥିବା

ଉରୁଚେଳ ଗ୍ରହଣାନ୍ତେ, ନାହିଁ ନାହିଁ

କିସ ମା’ ମୁଁ ନ ପାରଇଁ ବୋଲିବାର

ବାଣୀତୂଲ୍ୟ ସୁଧା କାହିଁ ରେ ।୧୪।

 

ତଳପକୁ ବିଜେ କରାଇବା

କାଳେ ଅଳପ ମାଦକ ହାସେ

‘କାହିଁକି ଗୋ’ ବୋଲି ପଚରା-ମାଧୁରୀ ନାହିଁ,

ମଧୁର ସାର ସେ ରେ ।୧୫।

 

ଶପଥ ଶତ ପକାଇ ମୁଁ ରଚନ୍ତେ

ସପତତାଳିଆ କେଳି

କି ମାନଇଁ ରାଜଲୋକ ସୁରରାଜ

ନୀଳ ନିଭ ଡୋଳା ଖେଳି ରେ ।୧୬।

 

ପାଉଞ୍ଜ ମିଞ୍ଜିର ସିଞ୍ଜିତ

ବର୍ଜିତ କଳାହଂସକଳରୁତ

ପଡ଼ି ସେହି ତାଳେ ପ୍ରସରିବା କାଳେ

କରେ କି ସୁଖ ସମ୍ଭୂତ ରେ ।୧୭।

 

ତଳପେ ଅଳପ ଚରମ ଦେଇ

ମୁଁ ଅଙ୍ଗୁଳି ଛନ୍ଦରେ ଟାଣି

ତା’ ମୁଁ ନ ଜାଣେଟି ବୋଲୁଁ ବୋଲୁଁ

ହଟି ହୃଦ ଲଗାଇବା ଆଣି ରେ ।୧୮।

 

ଓଟାରି ଚଞ୍ଜଳେ ମୋ ଦୂକୁଳାଞ୍ଚଳେ

ଶ୍ରୀମୁଖଚନ୍ଦ୍ର ଲୁଚାଉ

ସେହି ତାଳରେ ମୋ ସହୀ ତାଳତୁଲ୍ୟ

ଉରଜେ ହାର ନଚାଉ ରେ ।୧୯।

 

ଆନ ବେଳେ ଆନ ବୋଇଲେ

ହେଁ ପାନ ନକରୁ ମୋ ଓଷ୍ଠ ଲାଜେ

କୁସୁମ କୋଦଣ୍ଡ ଅମଳୁ ମୋ ଗଣ୍ଡ

ଉରୁ ଚୁମ୍ୱନ ସମାଜେ ରେ ।୨୦।

 

ପୁଣି ଲିଭି ଚେତା ମୁଁ ନ ଜାଣେ

ଏତା ନଖି ନଖି ବୋଲି ହସୁ

ପୁଲକିତ ଗାତ୍ରେ ମୁକୁଳିତ

ନେତ୍ରେ ମଲି ମଲି ଇଷି ଭାଷୁରେ ।୨୧।

 

ବିନ୍ଦୁ ବିନ୍ଦୁ ଝାଳ ସୁନ୍ଦର

କପୋଳେ ଶ୍ରୀମୁଖ ମଣ୍ଡଳ ଚାହିଁ

ବ୍ରହ୍ମାନନ୍ଦ ସୁଖ ପ୍ରବାହେ ପଡ଼ି ମୋ

ବିବେକ ରହଇ ନାହିଁ ରେ ।୨୨।

 

ଦେଖି ଅବ-ଶ୍ୱାସ ଶ୍ରୀଅଙ୍ଗ ଆୟାସ

ଜାଣି ପୁଣି ଅବଶ୍ଳେଷେ

ତୋ ପଦ କମଳ ଆଭରଣ ଜାଳ

ସିଞ୍ଚିତ ଶ୍ରବଣେ ରସେ ରେ ।୨୩।

 

ରସୁଥାଏ ଚିତ୍ତ ସୁଚିର ସୁରତ

ରସ ଯେ ବେଳକୁ ବେଳ

ଛଳେ ସରି ସରି ମଲିଟି ଉଚ୍ଚାରି

ପେଲୁ ମୋ ଉରୁ ଯୁଗଳ ରେ ।୨୪।

 

ଉଠ ରଖ ରଖ ବୋଲି ମୋର

ଦୁଃଖପାଶୋରା ବିରତି ଲୋଡ଼ୁ

କମ୍ପାଇ କଟୀକି କିପାଁ ମୋ କଟୀକି

ଉରୁ ଯୁଗେ ଗାଢ଼େ ଭିଡ଼ୁ ରେ ।୨୫।

 

ବାସ ଲାଗିକାଳ ହାସ, ଦନ୍ତ

ଚେଳଭିଡ଼ା ଶୋଭାକୁ ଅନାଇଁ

ସୁର ଋଷି ହେଲେ ଦୂରରୁ ମୋହିତ

ନିକି ହୋଇଯିବେ ନାହିଁ ରେ ।୨୬।

 

ବିଧୁବଦନା ତୋ ନିଧୂବନ

ଶ୍ରଦ୍ଧା ପୁଣି ଜନ୍ମିବାରୁ ହସି

ସଖୀମାନେ ମୋତେ ରଖି ନ ଦେବେ

ଯେ ପରିହାସେ ବୋଲି ଭାଷି ରେ ।୨୭।

 

ସାଜିଦେବ କି ଗୋ ଭାଜି

ଲିଭିଗଲା ଅଳକୁ ତିଳକ ମୋର

ଏତେ ବୋଲି ମୋର ଉରେ

ଆଉଜନ୍ତେ ହୁଅଇ ନୂଆ ତୟାର ।୨୮।

 

ଆଉ ଥରେ ମନ ଅଛିକି ରେ

ଘନକୁନ୍ତଳା ମୁଁ ଯେବେ ବୋଲେଁ

ଶ୍ରବ ଅବତଂସ ଇନ୍ଦିବର

ହଂସଗମନା ବଞ୍ଚାଉ ଗେଲେ ।୨୯।

 

ସେ ସମୟ ବ୍ୟାଜ କୋପମିଶା

ଲାଜ ଚାହାଣୀ ସଖି ମୋ ଆଖି

ଅଙ୍ଗୁଳି ଅଞ୍ଚଳେ ମୋ ଚରମସ୍ଥଳେ

ହୋଉ ବୋଲି ଦେଉ ଲେଖି ।୩୦।

 

ଦିନ ଦିନକର ଆରେ ପୀନକର –

ଭୋରୁ ତୋ ରସ ଲହରୀ

ସିନ୍ଧୁ ସମୁଦୟ ହେଲେ ମୋ

ହୃଦୟ ପାରନ୍ତି ତହିଁ ସମ୍ଭରି ।୩୧।

 

ଯେଡ଼େ ଅବଧାନ ମୋଠାରେ

ଜୀବନ ବନ୍ଧୁ ତା କହିବି କିସ

ଆପଣା ଜୀବନ ମୋର ଅନୁଗତ

ନୋହିଲେ ତା ମଣୁ ବିଷ ।୩୨।

 

ଆଜନ୍ମ ମୁଁ ମହାରାଜନନ୍ଦନା

ଯେ ତୋ ସେବାକାରିଣୀ ଜନ

ଅସମର ମୋର ହେଲେ ଜାଣି

ତାର ନ କରୁ ଅବଲୋକନ ।୩୩।

 

ତୋଷ ପରିଚିତ ହୋଇ ଯେ

ନିରତ କରେ ମୋ ଅନୁସରଣ

ତାହାଠାରେ ଅନୁକମ୍ପା ବାରେ

ଘେନୁଥାଏଁ ମୁଁ ତୋ ପ୍ରଭୁପଣ ।୩୪।

 

ହେମଦେହା ରେ ମୁଁ ଯିବିକି

ବୋଲନ୍ତେ କେ ମନା କରିଛି ବୋଲି

ମୋ ପିନ୍ଧା ଅଞ୍ଚଳ ଛନ୍ଦି

ଧରିଥାଉ କଉତୁକ କଲ୍ପବଲ୍ଲୀ ।୩୫।

 

ଶୁଣି ଅଷ୍ଟଦୁର୍ଗନାଥ ବାଣୀ

ସ୍ୱର୍ଗଲଳନା ତୁଳନାବତୀ

ଲଜ୍ଜା ଅନୁରାଗ ଦୁହିଙ୍କ ଆଭୋଗ

ଭରେ ହୋଇଲା ଭରତି ।୩୬।

 

ଟୀକା - - ଶିଙ୍ଘାରୀକି - ଶୃଙ୍ଗାରକୁ, ବଳାରାତିପୁରୁ - ଇନ୍ଦ୍ରପୁର, ଚକ୍ଷୁ ଚଞ୍ଚରୀକ - ଆଖିଡୋଳା, କଲମା - ନାରୀଙ୍କ ଗଣ୍ଡଦେଶର କୁନ୍ତଳ, ପଞ୍ଚକଳମ୍ବ - କନ୍ଦର୍ପ, ଧାଟି - ଧାଡ଼ି, କଳହଂସ କଳରୁତ - ରାଜହଂସର କଳଧ୍ୱନି । ଏତା - ଏହା, ନଖି ନଖି - ରାଣ ପକାଇ, ଅବଶ୍ଳେଷ - ଆଲିଙ୍ଗନ, ଶ୍ରବଅବତଂସ - କାନ ଅଳଙ୍କାର, ସମ୍ଭରି - ପୂର୍ଣ୍ଣ କରି ।

 

କିଶୋରୀପ୍ରତି ସଖୀ

ରାଗ-ଆଷାଢ଼ଶୁକ୍ଳ

 

କିଶୋରୀ ଏ କିସ ରେ,

କୋପ ତ ଅଜାଡ଼ି ଦେଲୁ ପୀୟୁଷରେ । ଘୋଷା ।

କରିବାରୁ କୋଟି ସଂଖ୍ୟା ଯତନ

କରଗତ ହେବା ଚିନ୍ତା ରତନ ।

କାହିଁକି ଫିଙ୍ଗିଦେଲୁ କହ ସତେ

କିଞ୍ଚିତ ବିବେକ ନ କରି ଚିତ୍ତେ ।୧।

 

କୋମଳଚରଣ ପରାଣ ହାର

କୁଚେ ଲଗାଇବାକୁ ଫେଇ ହାର ।

କେହି ସହାୟ ନଥାଇ ସାଥିରେ

କୁଞ୍ଜକୁ ବିଜେ କରୁ ନିଶିଥରେ ।୨।

 

କରିବାକୁ ଯାହା ଶୋଭା ବୀକ୍ଷଣ

କୁଟୀମମାନ ଜାଲରେ ଇକ୍ଷଣ ।

କଞ୍ଜ ଖଞ୍ଜୁଥାଉ ପରା ତୁ ବସି

କି ଦୋଷୁ ତାକୁ ଦୂର କଲୁ ରୁଷି ।୩।

 

କୁପରାଗ କେଳି କାଳୁ ଅଦମ୍ଭେ

କେବଳ ପ୍ରାଣପ୍ରିୟ ସଖୀ ଆମ୍ଭେ ।

କଳେବରକୁ ଛାଇପରି ଭଜି

କଳି ନ ପାରିଲୁଁ ତୋର ମରଜି ।୪।

 

କଳା କୁମୁଦ ତମାଳ ଅତସି

କସ୍ତୂରୀ ତିଳକ କଜ୍ଜଳ ମସି

କମନୀୟ ନୀଳରତନ ଶାଢ଼ୀ

କଳା ମାତ୍ର ପରା ନପାରୁ ଛାଡ଼ି ।୫।

 

କୃଷ୍ଣ ଭିନ୍ନ ଯେତେ ଦ୍ରବ୍ୟ ନିବହ

କୃଶ ହେବାରୁ ତହିଁ ତୋର ସ୍ନେହ ।

କଳାକର ସିତ ସିତାକୁ ତେଜି

କଳାକୂଟକୁ କରୁ ପରା ରାଜି ।୬।

 

କିଛି ହେଲେ ଲାଘବରୁ ନ ଡରି

କଳଙ୍କ ଦରିଦ୍ର କୁଳ ପାଶୋରି

କରି ଅଭିପ୍ରେତ ଶ୍ୟାମ ପ୍ରୀତିକି

କର ଧରି ପରା କହୁ ଦୂତୀକି ।୭।

 

କଳାପି ଚନ୍ଦ୍ରକ ଚାରୁ ମୁକୁଟ

କିଶୋରବର ଜଗି ଜଳ ଘାଟ ।

କର୍କଶ କଲୁ କୁଳିଶରୁ ମନ

କଲୁ ଯା ନାହିଁ ତୋଳି ଆଲିଙ୍ଗନ ।୮।

 

କନ୍ଦର୍ପ ଦର୍ପ ମଦନ ମୂରତି

କିଶୋର ସେ ବିଶ୍ୱନେତ୍ର ସଂପତ୍ତି ।

କହିବାର ପଟୁ ଚାଟୁ ନ ଶୁଣି

କୋଣ ନୟନେ ନ ଚାହିଁଲୁ ପୁଣି ।୯।

 

କାମ ଜଳେ ପୁଣି ହୋଇ ଜର୍ଜର

କଲେ କୁସୁମଝରା ତୋ ନଜର ।

କଟାକ୍ଷ ପୁଣି ନଦେଲୁ ତେଣିକି

କଳି କଲୁ ତୁ ପ୍ରତିହାରିଣୀକି ।୧୦।

 

କୁହାଉ ଥାଉ ପରା ରସବତୀ

କୃପାଳୁ ବିବେକିନୀ ମତିମତୀ ।

କିଞ୍ଚିତ କରି ଘେନି କୃଷ୍ଣ ସ୍ନେହ

କେଉଁ ଧଇର୍ଯ୍ୟକୁ ବହିଛୁ କହ ।୧୧।

 

କାହାକୁ ଅବା ସେ କୃଷ୍ଣ କି ଦିଶେ

କୃଶାଙ୍ଗୀକୁ ମୁଦକଳାନିଧି ସେ ।

କୃତାର୍ଥ ନ କଲୁ ଏ ଯଉବନ

କୋଳକରି ଗଣ୍ଡେ ଦେଇ ଚୁମ୍ବନ ।୧୨।

 

କଳପର ଧୃତ ମୃଦୁ ଗାନର

କଳପଦ୍ରୁମ ସେ ସୁଖ ଦାନର ।

କୃତାଞ୍ଜଳି ହେଲେ ପୁଣି ପହିଲୁ

କୃପଣ ପଣକୁ କିପାଁ ବହିଲୁ ।୧୩।

 

କୁନ୍ତଳ ଦେଶ ଜଗତୀ ଦେବୀର

କର୍ଣ୍ଣର ଅବତଂଶ ଇନ୍ଦୀବର ।

କଜ୍ଜଳ ରେଖା ଲୋଚନ ଦ୍ୱୟର

କରି କି ସେହିଠାରେ ଅନାଦର ।୧୪।

 

କରି କର୍କଶ କରବାଳ କେଳି

କ୍ରୋଧେ କୁସୁମ ଦଳ ଦେଇ ଦଳି ।

କି କୃତ୍ୟ କଲୁ ନିତି କହୁ କହୁ

କରମ ବଳବତୀକି ତୁ ନୋହୁ ।୧୫।

 

କାଳ ବିପର୍ଯ୍ୟାସ କି ନ କରଇ

କପର୍ଦୀ ପୂଜୁଥାଉ ଯାହା ପାଇଁ ।

କିଶଳୟ କର ଯୋଡ଼ିକି ଯୋଡ଼ି

କହିଲେ ଚାଟୁ ଦେଲୁ ମୁହଁ ମୋଡ଼ି ।୧୬।

 

କିଞ୍ଜଳ୍ମଗଉରଦେହା ତୋ ସ୍ନେହେ

କଟୀରେ ଶ୍ୟାମ ପୀତପଟ ବହେ ।

କାନ୍ତ ରତନ ନୀଳବସନା ତୁ

କାହିଁକି କେଡ଼େ ସ୍ନେହଛାଡ଼ି ମାତୁ ।୧୭।

 

କମଳ ନେତ୍ର ଅଙ୍କସଙ୍ଗ ବିଧି

କୁଳକୁ ଲଙ୍ଘିବା ସୁଖ ଜଳଧି ।

କର୍ପୂରୁଁ ଜାତ ହେଲା ଅଗ୍ନିକଣ

କୁମ୍ଭ-ସମ୍ଭବ ହେଲା ତୋ ଦୁର୍ଗଣ ।୧୮।

 

କନକ କେତକୀ ଦଳ ସଦୃଶ

କାୟ କାନ୍ତିପୁଞ୍ଜ କରି ଅଦୃଶ୍ୟ,

କମଳୁଚାଉଛୁ ଅଧର ଦଳେ

କୁଚକୁ ତିନ୍ତାଉଛୁ ଅଶ୍ରୁ ଜଳେ ।୧୯।

 

କେଶବ କଲେ ଯେବେ ଅନାଚାର

କରଜ କୁନ୍ତେ ତାହାଙ୍କୁ ପ୍ରହାର,

କି ଦୋଷ କରିଛି ରସାରମ୍ଭୋରୁ

କରରୁହାଗ୍ରେ ତା ଚରମ ଚିରୁ ।୨୦।

 

କଳ କୋକିଳ ପରଭୃତ ରୁତ

କଳାକଳାଂଶୁ ଚନ୍ଦନ ମରୁତ,

କୁସୁମ ବାସ ଆଜି ଯାଇ ପୀଡ଼ି

କାମ ଧନୁର୍ବାଣ ଗଲାଣି ଛାଡ଼ି ।୨୧।

 

କପାଳ ପରମାଦେ ଝୁମେ ଢଳି

କଷାୟିତ କରି ନେତ୍ର ଯୁଗଳି,

କଦମ୍ବଲତା ମନ୍ଦିରୁ ପ୍ରଭାତେ

କରିବାର ବିଜେ ନ ରୁଚେ ତୋତେ ।୨୨।

 

କହିବା କଥା ଏବେହେଲେ ଘେନ

କୁତୁକେ ଚାଲ ଭେଟିବା ମୋହନ,

କୁଟୀଳତାକୁ ଧୋଇଦିଅ ସ୍ନେହେ

କଳାକର ଅଷ୍ଟଦୁର୍ଗଭ କହେ ।୨୩।

 

ଟୀକା - - କୁଟୀମ - ମଣିମୁକ୍ତା, ନିବହ - ସମୂହ, ସିତ - ଧଳା, ସିତା - ଜ୍ୟୋତ୍ସ୍ନା, ପ୍ରତିହାରିଣୀ - ଦାସୀ, ଦ୍ୱାରପାଳିକା;କପର୍ଦୀ - ଶିବ,କିଞ୍ଜଳ୍କ - ଫୁଲରେଣୁ, କରଗୁହାଗ୍ରେ - ହାତ ନଖର ଅଗ୍ରଭାଗରେ, ଝୁମେ - ଟଳମଳ ହୁଏ ।

 

ମାଳଶ୍ରୀ

ରାଗ-ମାଳଶ୍ରୀ

 

ମା ଗୋ !

ଜୟ ଜୟ ଜଗଜ୍ଜନନୀ ବାଳା,

ଜୟ ମଙ୍ଗଳଦାୟିନୀ ମଙ୍ଗଳା,

ମହେଶ ମହାସୁରତ ଲମ୍ପଟା,

ମନ୍ଦାରମାଳାମଣ୍ଡିତ ମୁକୁଟା,

ଚନ୍ଦ୍ର ମାରତଣ୍ଡ ମଣ୍ଡଳ ପ୍ରଚଣ୍ଡ

ଧନଞ୍ଜୟ ବିଲୋଚନା ଗୋ ମା,

ଭବନ ଭୟଭାର ବିମୋଚନା ।୧।

 

ମନୋହର କ୍ଷଣପ୍ରଭାରୁଚିରା,

ଶଙ୍ଖ ସ୍ୟନ୍ଦନାଙ୍ଗ ତ୍ରିଶୁଳକରା

କଳାନିଧି କଳାକୃତଶେଖରା,

ସିଂହବାହିନୀ ଧୃତ ନୀଳାମ୍ୱରା,

ମହିଷାଦି ସୁରବିପକ୍ଷ ପ୍ରକର

ବିଦଳନ ବିଚକ୍ଷଣା ଗୋ ମା,

ସୁଲକ୍ଷଣା କୃତ ବିଶ୍ୱରକ୍ଷଣା ।୨।

 

ବିଲ୍ୱ ବନିକା-ମଣ୍ଡପ ମଣ୍ଡନା,

ଚଣ୍ଡ ଚଣ୍ଡ-ମୁଣ୍ଡ ମୁଣ୍ଡ ଖଣ୍ଡନା

ମକରନ୍ଦ ମନ୍ଦ-ରସ ପ୍ରମତ୍ତା,

ରକତ ପାନେ ଆଶକତଚିତ୍ତା,

ମହାଭୟଙ୍କର ପ୍ରବଳ ହୁଙ୍କାରଧ୍ୱନି

ଧ୍ୱଂସ ମହାମୂରା ଗୋ ମା,

କୁସୂମ୍ଭା ଲାଲ ବସନ ଭାସ୍ୱରା ।୩।

 

ମୁଣ୍ଡ ମଣ୍ଡଳି-ମାଳିକା ଭୂଷଣା,

କରାଳ କରାଳୀ କାଞ୍ଚୀ ଭୀଷଣା

ଶବଯୁଗଳୀ କଳିତ କୁଣ୍ଡଳା,

ନିତମ୍ୱଚୁମ୍ୱୀ ପ୍ରଳମ୍ୱ କୁନ୍ତଳା,

ଖଣ୍ଡା ମୁଣ୍ଡବର ଅଭୟ ସୁନ୍ଦର

ଚତୁର୍ଭୁଜା ଦିଗମ୍ବରା ଗୋ ମା,

ତନୁଜିତ ନବଘନାଡ଼ମ୍ୱରା ।୪।

 

ଅଟ୍ଟାଟ୍ଟହାସ ଜାତ ବାତ ବାଜି,

ଉଡ଼ି ଅନ୍ତରୀକ୍ଷେ ଅଚଳରାଜି

ଫଟାଇ ଦେଲେ ବ୍ରାହ୍ମଣ –କଟାହ

 

ଲଭିଲେ ଦିଗ-ମତ୍ତଙ୍ଗଜେ ମୋହ

ମହେଶୀ ମହାମହିମ କଳ୍ପଳତା

ମାତଙ୍ଗଗତି ମାତଙ୍ଗୀ ଗୋ ମା,

କ୍ଷୀରେଦ ଲୋଳ କଲୋଳ ଅପାଙ୍ଗୀ ।୫।

 

ଦନ୍ତ ପ୍ରକଟ କଟକଟ ରବ

ଝାଡ଼ିଲା ଗିରିବରୁ ମହାଗ୍ରାବ

ପ୍ରତ୍ୟାଲୀଢ଼ ତୋ ପଦ ଜଳ ତଳ

କଲା ଯା ଭୂମଣ୍ଡଳ ଟଳମଳ,

କମ୍ପିଲେ ମଣ୍ଡୁକନାଥ ରେ ଚଣ୍ଡକା

ଜନ୍ମିଲା ମହା ଅଦ୍ଭୁତ ଗୋ ମା,

ରଣ-ରସିକା ତ୍ରିଜଗତ ମାତ ।୬।

 

କେଉଁ ଦିଗେ ଲହ ଲହ ରସନା

କେଉଁ ଦିଗେ ମୂର୍ତ୍ତି ବିଶେଷ ସେହ୍ନା

ନିନ୍ଦି ନିନ୍ଦି ନବ ଉଦିତ ଇନ୍ଦୁ

କେଉଁ ଦିଗେ ଦିଶେ ସୁନ୍ଦର ବିନ୍ଦୁ,

ଧନୁର୍ବାଣ ଖଣ୍ଡା ଫରିବର ଦରୀ

ଗଦା ଚକ୍ର କାତି ଧରି ଗୋ ମା,

ଦଳିଲ ଦନୁଜଙ୍କୁ ବିଶ୍ୱେଶ୍ୱରୀ ।୭।

 

ଦୁର୍ଗା ଦଇତ୍ୟଙ୍କୁ ଦଳିଲା ଘେନି

ଜନ୍ମିଲା ତହୁଁ ରୁଧିର-ବାହିନୀ

କୋଟି କୋଟି ରଥ ଗଜ ତୁରଙ୍ଗେ

ପଡ଼ି ଭାସିଲେ ସେ ନଦୀ ତରଙ୍ଗେ,

ହର ଆକୁଳ ହେଲେ, ଶିବାକୁଳ

ମାତିଲେ ଗୃଧ୍ର ନିତୟ ଗୋ ମା,

ହେଳେ ହେଲେ ଶୁମ୍ଭ ନିଶୁମ୍ଭ କ୍ଷୟ ।୮।

 

ଧୁନ୍ଦୁ ଧୁନ୍ଦୁ ଧୁନ୍ଦୁ ଦୁନ୍ଦୁଭି ରବେ

ପୁଷ୍ପ ବରଷିଲେ ଇନ୍ଦ୍ରାଦି ଦେବେ,

ହରିଲ ମହାମାୟା ମହୀଭାର

ତୁମ୍ଭ ମହିମା କାହାକୁ ଗୋଚର,

ଅଷ୍ଟଦୁର୍ଗନାଥ ଯୋଡ଼ି ଦୁଇ ହାତ

ବନ୍ଦି ଜଣାଉଛି ଏତେ ଗୋ ମା,

ସମୟେ ସ୍ପୁରୁଥିବ ମୋର ଚିତ୍ତେ ।୯।

 

ଟୀକା - - ସ୍ୟନ୍ଦନାଙ୍ଗ - ଚିତ୍ର, ମହାମୂରା - ମାଂସାହାରୀ, କୁସୁମ୍ଭା - କୁସୁମଭୂଷିତା, ମତ୍ତଙ୍ଗଜ - ହସ୍ତୀ, ମହାଗ୍ରାବ - ମେଘ, ପ୍ରତ୍ୟାଲୀଢ଼ - ଆସ୍ୱାଦିତ, ଫରିବର - ବଡ଼ ଭାଲ, ଦରୀ ଗଦା - ଭୟ ଉତ୍ପାଦକ ଗଦା, ଶିବାକୁଳ - ଶୃଗାଳମମାନେ ।

 

Unknown

ଢୁମ୍ପା ଚଉତିଶା

 

କେତେ ଜନ୍ମ ତପ ବିହି

କଳା କଳେବର ଚାହିଁ

କୁଲ ପରିପାଳି ପାରିବି ନାହିଁ, ରେ ନିଆଳିଗଭା,

କହ ମୁଁ ପଶିବି କାହିଁ ? ।୧।

ଖିଆଲ ବିଚାରି ଥିଲି

ଖୋସାମତ କେତେ କଲି

ଖିଲେ ମାତ୍ର ପାନ ଖୁଆଇ ଦେଲି, ରେ ନିଆଳିଗଭା,

ଖଟଣିରୁ ବଳି ଗଲି ।୨।

ଗୋଟିଏ ଚୁମ୍ୱିଲେ ଗେଲେ

ଗଣ୍ଡ ମୋ ଭରତି କଲେ

ଗାଢ଼େ ବାହୁଯୁଗ ଜମାଇଁ ଦେଲେ, ରେ ନିଆଳିଗଭା,

ଗୋଟା ଗଳାଗୁନ୍ଥା କଲେ ।୩।

ଘେନିନେଇ ତହୁଁ ମୋତେ

ଘେନାଘେନି କରି କେତେ

ଘଡ଼ିଏ ଯାଏଁ କି କଲେଟି ରତେ, ରେ ନିଆଳିଗଭା,

ଘଟେ ଚେତା ନାହିଁ ସତେ ।୪।

 

ନ ସମ୍ଭାଳି ଟାଉଟାଉ

ନୀବି ଫଟାଉ ଫିଟାଉ

ନାହିଁ ବୋଲିବାକୁ ନୋହିଲା ଆଉ, ରେ ନିଆଳିଗଭା,

ନୂତନର କେତେ ଦାଉ ।୫।

 

ଚୁମ୍ୱି ପ୍ରତି ଅପଘନ

ଚାଲିବାରୁ ନଖମୂନ

ଚିହିଁକିଲେ ହେଲେ ତହିଁକି ମନ, ରେ ନିଆଳିଗଭା,

ଚାଖିବାକୁ ଛନ୍ନ ଛନ୍ନ ।୬।

 

ଛଳକୁ ଛକ ଦୋହର

ଛନ୍ଦେ ଛନ୍ଦି ରମିବାର

ଛଣା ସୁଧାରୁ ତ ବଡ଼ ମଧୁର, ରେ ନିଆଳିଗଭା,

ଛାଡ଼ିବି କି ସଙ୍ଗ ତାର ।୭।

 

ଜୋଡ଼ାରେ ନ ଥିବ ଭେଦ

ଜମାଇଁ ଲଭି ପ୍ରମୋଦ

ଜକାଜକି ରସ କେଡ଼େ ସୁଆଦ, ରେ ଚନ୍ଦ୍ରବଦନା,

ଜାଣଇଁ ତା ନିଜ ହୃଦ ।୮।

 

ଝିଙ୍କାଝିଙ୍କି କରି ଭିଡ଼ି

ଝାଳେ ଯାଉଥିବ ବୁଡ଼ି

ଝଳିଗଲା ପରି ଥିଲେ ପହୁଡ଼ି, ରେ ନବନବୀନା,

ଝସଧ୍ୱଜ ଯାଏ ଝଡ଼ି ।୯।

 

ନବନୀତ ମୋ ମାନସ

ନ ସହେ ତପତି ଲେଶ,

ନବଘନ ଶ୍ୟାମ ପ୍ରେମ ହୁତାଶ, ରେ ଜୀବର ଧନ,

ନଜିକ ହୋଇଲା ଝାସ ।୧୦।

 

ଟେକି ଦେଲେ ହେଲେ କାଖ

ଟିପିଟିପି ଦେଲେ ନଖ

ଟୋପିଟୋପି ହୋଇ ସ୍ରବଇ ସୁଖ ରେ, ମୋ ଜାଇଫୁଲ,

ଟେକି ଲାଜେ ରଖେ ମୁଖ ।୧୧।

 

ଠକ ପଣ ତାର କେତେ

ଠଉରାଇଲୁ କି ଚିତ୍ତେ

ଠୋକାଠୁକି ହେବା ପାଇଁ ଏକାନ୍ତେ, ରେ ଜୀବଜୀବନ,

ଠାରିଦେଲେ ନୟନାନ୍ତେ ।୧୨।

 

ଡର ଛାଡ଼ି ଡେରି ଛାତି

ଡିଣ୍ଡିମ ବଜାଇ ନିତି,

ଡାକି ଶ୍ୟାମ ତୁଲେ କଲେ ପୀରତି, ରେ ଜୀବନପ୍ରଭୁ,

ଡୁବିଯାଏ ସତେ ଜାତି ।୧୩।

 

ଢୁଳାଇଲା ପରି ହୋଇ

ଢୋକେ ଢୋକେ ଓଷ୍ଠ ପିଇ

ଢମ କହିଲା ତୁ ବୋଲିବୁ ନାହିଁ, ମୋ ବାଇଆଣି

ଢୋକାଇ ଜାଣଇଁ ସେହି ।୧୪।

 

ଅତି ମୃଦୁଳ ଦେହ ସେ

ଅତସି ଫୁଲକୁ ହସେ

ଅନିଳ ଅତର ପରାଏ ମିଶେ, ଜାଇଫୁଲ ରେ,

ଆଲିଙ୍ଗନେ ଯେବେ ରସେ ।୧୫।

 

ତପତି ମଦନେ ହେବା,

ତଟିନୀ ତଟେ ପଡ଼ିବା

ତରୁଣୀ ତନୁ ସଫଳ କରିବା, ରେ ମୋ ରସବତୀ,

ତମାଳ ତଳକୁ ଯିବା ।୧୬।

 

ଥାଏ ମନେ ମୋ ଏ ଭାବ

ଥାପି ବେଳ ବୁଝିଯିବ

ଥରେ ଯେବେ ଓଷ୍ଠ ଚଖାଇ ଦେବ, ରେ ରୁଚିକସ୍ତନା,

ଥୁ ଥୁ କରି ଫିଙ୍ଗି ନେବ ।୧୭।

 

ଦରହାସ କି ସୁନ୍ଦର

ଦୁଇଅର୍ଥ ଚାଟୁଣୀର,

ଦେଖୁଥିଲେ ଦୁଃଖ ଯାଏ ପାଶୋର, ରେ ସେବତୀଝରା,

ଦୁଃଖ ସଙ୍ଖାଳି ସେ ମୋର ।୧୮।

 

ଧରାଧର ଦୁଇଗୋଟି,

ଧରାଧରି କଲେ ହଟି

ଧଇଁସଇଁ ସେ କି ହୁଏ ମୁଁ ଫୁଟି, ରେ ନବଅବଳା,

ଧକସୁହା ମୋ ଧନୁଟି ।୧୯।

 

ନବୀନ ବୟସୀ ଚାରୁ--

ନଖ ମୁନ ମାରୁ ମାରୁ,

ନିଶ୍ଚୟ ତୋ ଦେହ ଶିଳା କି ଦାରୁ, ରେ ନୂଆ ନିଆଳି,

କେତେ ନାହିଁ ନାହିଁ କରୁ ।୨୦।

 

ପିଲାଦିନୁ ପିତା ଯେତେ

ପିଇଥାଇ ଧାଈ ହାତେ

ପହିଲି ପାହାରୁ ନରଖେ ଚିତ୍ତେ, ରେ ଚନ୍ଦ୍ରବଦନା,

ପୁରୁଷ ମାଧୁର୍ଯ୍ୟ ସତେ ।୨୧।

 

ଫେରାଇ ନୟନ ଚାହିଁ

ଫନ୍ଦାଇ ବିନୟ କହି

ଫୁଟିବା ଯାଏ ତ ରଖିଲା ନାହିଁ, ରେ ମୀନନୟନା,

ଫାଙ୍କିବାକୁ ବେଳ କାହିଁ ? ।୨୨।

 

ବିଟପୀ ନୋହିବି ବୋଲି

ବଡ଼ ଧଇର୍ଯ୍ୟରେ ଥିଲି

ବନମାଳ ବାସ ତହିଁ ପାଇଲି, ରେ ନବଛଇଳୀ,

ବାଳିଶାରୁ ବଳିଗଲି ।୨୩।

 

ଭଲ ଦିଶୁ କି ନ ଦିଶୁ

ଭର୍ତ୍ସନା କରନ୍ତୁ ଶାଶୁ,

ଊରୁ ଭଙ୍ଗ ନାହିଁ ଭଗାରି ହସୁ, ରେ ନୂଆ ଖିଆଲୀ,

ଭ୍ରମେ ନୀଳମଣି ବସୁ ।୨୪।

 

ମଞ୍ଚେ ହୋଇଥାଇ ଜାତ

କରିବା କଥା ତ ସତ

ମଦନମୋହନ ଶ୍ୟାମ ଅମୃତ, ରେ ନୂଆରଙ୍ଗିଲା,

ମଜ୍ଜିଥିବି ଅନାରତ ।୨୫।

 

ଯତ୍ନେ ହେଳା ନ କରିବା

ଯମୁନାକୁ ଯାଉଥିବା,

ଯଦୁନାଥଙ୍କୁ ଯେବେ ନ ପାଇବା, ରେ କଳସସ୍ତନା,

ଯୋଗୀ ହୋଇ ସତେ ଯିବା ।୨୬।

 

ରସରେ ରସ କେବଳ

ରସବଶଟି ମଣ୍ଡଳ,

ରଖ ରମଣୀର ଜନମଫଳ, ରେ କୁନ୍ଦରଦନା,

ରସିକକୁ କରି କୋଳ ।୨୭।

 

ଲତା ଲତା ଦଳି ଦଳି

ଲୁଚି ଲୁଚି ବୁଲିବୁଲି

ଲାବଣ୍ୟ ପୁଞ୍ଜକୁ ଲତାଇ ଦେଲି, ରେ କୁନ୍ଦରଦନା,

ଲମ୍ପଟିଟା ବୋଲାଇଲି ।୨୮।

 

ବସାଉ ବସାଉ ବଳେ

ବସନ୍ତେ ମୁଁ ଶ୍ୟାମ କୋଳେ

ବଡ଼ ସୁଖ ଦେଇ ନିତମ୍ୱ ତଳେ, ରେ ମନମୋହନା,

ବାଇପରି କିସ ଖେଳେ ।୨୯।

 

ଶମନ ଭଗିନୀ ବଣେ

ଶପଥ ପକାଇ ପଣେ

ଶିଖଣ୍ଡ ଲଗାଇ ମୋର ଚରଣେ, ରେ ଜୀବର ସଙ୍ଗୀ,

ଶରଣ ବୋଲନ୍ତି କେଣେ ।୩୦।

 

ସ୍ନେହକୁ ମୁକୁତା ହାର

ସମାନ ଘେନି ତାହାର

ସମର୍ପି ଦେଇଛି ଶରୀର ମୋର, ରେ ଛଇଳାମଣି,

ସୁନ୍ଦରକୁ ଅଗୋଚର ।୩୧।

 

ଷଟପଦ ଯୁବା ପରି

ସନ୍ତୋଷେ ବନେ ବିହରି,

ସହସ୍ରେ ସର୍ଜିବି ହୋଇ ଥାଉ ହରି, ଛଇଳାମଣି,

ସବୁରି ନେତ୍ରର ଗିରି ।୩୨।

 

ହରି ହରି ହରି ହରି

ହରି ହରି ହରି ହରି

ହରିବେ ଯେ ଦୁଃଖ ଭବଲହରି, ରେ ପୃଥୁଳସ୍ତନା,

ହସି ହସି ଯିବା ତରି ।୩୩।

 

କ୍ଷୀରୋଦ-ନନ୍ଦନା-ପତି

କ୍ଷିତି ଆଦି ଲୋକଗତି

କ୍ଷମାନାଥ ଜଗଦ୍ଦେବ ଭାରତୀ, ରେ ଜୀବନପ୍ରଭୁ,

କ୍ଷଣେ ହେଁ ନିଅନ୍ତୁ ସ୍ତୁତି ।୩୪।

 

ଟୀକା - - ଟାଉଟାଉ - ଚଞ୍ଚଳ, ଝଳିଗଲା - ଝଟକିଲା । ନବନୀତ - ଲହୁଣୀ, ତପତି - ଉତ୍ତାପ, ନଜିକ - ପାଖେଇବା, ଠୋକାଠୋକି - ମିଳିତ ହେବା, ଢୋକାଇ - ଖୁଆଇ, ଧରାଧର - ପର୍ବତ(ଏଠାରେ ସ୍ତନ ଅର୍ଥରେ), ଧକସୁହା - ବ୍ୟଥା ସହ୍ୟକାରୀ, ଧନୁ - ଶରୀର ଅର୍ଥରେ,

 

ବାଳିଶା - ନିର୍ବୋଧ ସ୍ତ୍ରୀ, ଅନାରତ - ଦୁଃଖହୀନ, ବାଇ - ପାଗଳ, ଶମନ ଭଗିନୀ - ଯମୁନା, ଷଟପଦ ଯୁବା - ତରୁଣ ଭ୍ରମର, ସବୁରି ନେତ୍ରର ଗିରି - ସମସ୍ତଙ୍କ ଆଖିରେ ବଡ଼, କ୍ଷିରୋଦନନ୍ଦନା-ପତି - ବିଷ୍ଣୁ ।

 

ଫଳ ମନାସର ଉତ୍ତର

ରାଗ-ଘଣ୍ଟାରବ

 

ଚଳସପଂରୀ ଈକ୍ଷଣା - ନିଧୁବନ ବିଚକ୍ଷଣା

କବିତା ପଣ୍ଡିତା ମନାସିଲୁ

ସୀତାଫଳ ହେଲା ମୋତେ ଜଣା ।୧।

 

କେଳତୀ ରମ୍ଭା ସଦୃଶୀ - ଯୁବ କଳକଣ୍ଠ ଭାଷୀ

ଘନ ସରି ନୀଳକୁନ୍ତଳା

ମାନସେ ପଣସ ଅଛୁ ମନାସୀ ।୨।

 

ପସାଗଞ୍ଜପା ଲାଳସା - ମସାର ସଦୃଶ କେଶା

ରସଳସା ନିଶ୍ଚେଁ ରସାଳ

ବିଚାର ତୋ ଚିତ୍ତେ କରିଛି ବସା ।୩।

 

କମ୍ୱୁକଣ୍ଠୀ ବରାରୁହା - ଜମ୍ବୁନଦ ଗୋରା ଦେହା

ଜମ୍ବୁଫଳ ତୋର ଚିତ୍ତର

ଭିତର ମଣ୍ଡିଛି ଜାଣିଲି ଏହା ।୪।

 

ଶାରଦା ସଙ୍ଗୀତ ସଭା - ନୟନ ରଞ୍ଜନ ପ୍ରଭା

ମହୀ ମହିଳାର ମଉଳି

ଚମ୍ପକଗଭା ତୁ ବାଛିଚୁ ଚଭା ।୫।

 

ରମଣୀ ମଣ୍ଡନ ଶୀରି - ରମଣୀୟ ହେମଗୋରୀ

ନିତି ସ୍ନେହ ଘେନା ମାନସରେ

ସିନା କମଳା ଅଛୁ ବିଚାରି ।୬।

 

କୁମ୍ଭିରାଜ କୁମ୍ଭସ୍ତନା - ଗମ୍ଭୀର ସରସ ମନା

ଜମ୍ୱିଳକୁ ଚିତ୍ତେ ଚିନ୍ତିଛୁ

ତୁ ମୋତେ ଗେଲେ ଲୁଚାଉଛୁ ସିନା ।୭।

 

ମଦଲୀଳା ଗଜଗତେ - ବିଦଳିତ କୁନ୍ଦସ୍ମିତେ

କଦଳୀ ତ ଚିତ୍ତେ ଚିନ୍ତିଛୁ

ନାହିଁ କି କହି ଦେଉ ନାହୁଁ ମୋତେ ।୮।

 

ଅମ୍ୱରୁହ ବାସବତୀ - ଅମ୍ୱୁଦ କେଶୀ ସୁଦନ୍ତୀ

ଲେମ୍ୱୁ ଫଳ ସିନା

ସରସହସନା ତୋ ମନେ କରିଛି ସ୍ଥିତି ।୯।

 

ମଧ୍ୟ ବିଜିତ କେଶରୀ - ପରିଣତ ବିମ୍ୱାଧରୀ

ବାରି ଖେଳ ରସ

ରସିକା ତୋ ହୃଦେ ନାରୀକେଳ ଥିଲା ପରି ।୧୦।

 

ନାଗରାଜଗତି ଧନ-ନାଗରୀ ଶିର ରତନ

ସାଗର ତନୟା ଲୀଳାବସତୀ

ତୁ ନାଗରଙ୍ଗେ ଦେଲୁ ମନ ।୧୧।

 

ପରିଣତ ଚନ୍ଦ୍ରମୁହୀଁ - ମାଳତୀ ଦେହା ମୋ ସହୀ

ତାଳ ତୋ ହୃଦରେ ଅଛି ବୋଲି

ଅତି ବାଳକେ ତ ଦେବେ କହି ।୧୨।

 

ମଜ୍ଜାରେ ରଖି ଗୋ ସ୍ନେହ - ଲଜ୍ଜାରୁ ଛାଡ଼ି ଆଗ୍ରହ

ଅରୁଣାଧରା ତୋ ହୃଦୟ

ସ୍ଥଳରେ କରୁଣା ନାହିଁ କି କହ ।୧୩।

 

ସ୍ନେହ ଜରଜର ଚିତ୍ତେ - ଅକପଟେ କହ ମୋତେ

ବିମ୍ୱାଅଧରା ଡାଳିମ୍ୱ ତୁ ମାନସେ

ମନାସିଅଛୁ କି ସତେ ।୧୪।

 

ଲାଜ କାହିଁକି ବନ୍ଧୁଆ-ମୋ ସନ୍ଦେହ ପଙ୍କ ଧୁଆ

ଦଶବରଷୁଁ ତ ରସମୟ

ହୃଦେ ଗୁଆ ହୋଇଥିବ ଥୁଆ ।୧୫।

 

ମଦନପ୍ରିୟ ବସନା-କୁନ୍ଦସୁନ୍ଦର ଦଶନା

ଜୂଇ ଠଉର ନ ପଡ଼ି

ରହିଲା କି କଇଁଠ ଚିନ୍ତିଛୁ ସିନା ।୧୬।

 

ତୋ ହୃଦରେ ଥିବା ବେଲ - ମୋ ହୃଦେ ଲଦିଲେ ଭଲ

ଦୂରରୁ ମର୍ମ୍ମ ଯା ବିଦାରେ

ବେଲ ସେ ନୁହଇ ବିଚିତ୍ର ଛେଲ ।୧୭।

 

ପବିତ୍ର ପୀଠରେ ଥାଇ - ସ୍ତବ କବଚାଦି ଗାଇ

ଜପ ସହସ୍ର ମୁଁ କରିଛି

ତୋ ହୃଦ ଫପସ ମାରିଶ ପାଇଁ ।୧୮।

 

ଅଙ୍କାରଙ୍କାର ମୋ ଧନ - ଲଙ୍କା ଜାମରେ ତୋ ମନ

ଖେଳୁଛି ପ୍ରବୀଣା ହୋଇଲା

ଯେ ଜଣା କି ବେଗେ କହିଲି ଘେନ ।୧୯।

 

ହର-ମନୋହର ବେଶା-ପରମ ରସିକା ଭୂଷା

କରମଙ୍ଗା ମନେ

ବିଚାରିଛୁ ତୁହି କହିଲାଣି ମନ୍ଦହସା ।୨୦।

 

ଶୃଙ୍ଗାର ଆଖେଟ ମହୀ - ଭୃଙ୍ଗାଳିକେଶା ମୋ ସହୀ

ସପୂରୀ ତ ପୂରି ଅଛି

ତୋ ମାନସେ ହଉ ବୋଲି ଦିଅ କହି ।୨୧।

 

ଯାମିନୀନାଥ ବଦନା - କାମିନୀ ମଣ୍ଡଳ ସୁନା

ଜାମି ନିଳୟ ତୋ ମନ

ହେଲା ହଂସଗମନୀ ନ କହୁ ସିନା ।୨୨।

 

ଅଳପ ଯାହା ହସିଲୁ - ମୋ ସନ୍ଦେହ ବିନାଶିଲୁ

କର-କୋକନଦ ଶୋଭିନୀ

ମନେ ତୁ ବରକୋଳି ବିଚାରିଲୁ ।୨୩।

 

ଦକ୍ଷା ତପନୀୟ ଗୋରୀ - ପ୍ରଖ୍ୟାତ ଲାବଣ୍ୟଶୀରି

ସାକ୍ଷାତ ରତିମୂରତୀ

ତୁ ଚିତ୍ତରେ ଦ୍ରାକ୍ଷା ତ ଅଛୁ ବିଚାରି ।୨୪।

 

ଜଣାଉଛି ସନ୍ନିଧାନେ - ବନ୍ଧୁ ଶୁଣ ସାବଧାନେ

ମଞ୍ଜୁଳ ମଞ୍ଜିର ଚରଣ

ତାଙ୍କର ବିଚାରିଅଛୁ ତା ମନେ ।୨୫।

 

ଦର୍ପକ ଦର୍ପଣମୁହୀଁ - ମୋ ଠାରୁ ନାହିଁ ତୋ ସ୍ନେହୀ

ଅନୃତ ନ କହ ଅମୃତଭଣ୍ଡା

ତୁ ମନାସି ଅଛୁ କି ନାହିଁ ।୨୬।

 

କାମଫଳଦାତ୍ରୀ ଧନ - ରାମଫଳେ ତୋର ମନ

କମ ଫଳକ କମନୀୟ

ନିତମ୍ୱା କହିଲି କି ନାହିଁ ଘେନ ।୨୭।

 

ବିଚାରିଛୁ କ୍ଷୀରକୋଳି - କହିଲି କିଛି ନ ଭାଳି

ମୋହପରି କହିପାରିବୁ

ରେ ସହି କର ମୋହପରି କେଳି ।୨୮।

 

ସୁଲାବଣ୍ୟ ମଣି ଖଣି - ଗୋଲାପ ଜାମୁକୁ ଘେନି

ଖେଳେ ଚିତ୍ତ ତୋର

ଘେନ ପ୍ରାଣମିତ ମୁଁ କେମନ୍ତ ଅନୁମାନୀ ।୨୯।

 

ବର୍ଜିତ ଦୁର୍ଗୁଣ ଶ୍ରେଣୀ - ନିର୍ଜିତ ସୁରରମଣୀ

ଅର୍ଜୁନାମ୍ୱୁଜ ସୁବାସିନୀ

ମନେ ଖର୍ଜୁର କି ଅଛୁ ଆଣି ।୩୦।

 

ମୋ ହୃଦୟ ମୃଗପାଶି - ବିଶ୍ୱମୋହନ ବିଳାସୀ

ହାରରାଜି ରାଜି ସ୍ତନ

ମଣ୍ଡଳା ତୁ ନାରଙ୍ଗ ଅଛୁ ମନାସି ।୩୧।

 

ସଦା ମଧୁରାଙ୍ଗୀ ବାଳା - ସଦା-ମସ୍ତକ ମଣ୍ଡଳା

ବାଦାମ୍ୱ ଫଳରେ ମଦାଳସା

ତୋର ମାନସ ରଚିଛି ଖେଳା ।୩୨।

 

ବସୁଦୁର୍ଗ ଧରଣୀଶ - ବସୁଧା ମଣ୍ଡନ ଯଶ

ଚଞ୍ଚଳ ମଞ୍ଜୁଳ-ନେତ୍ରା

ଘେନାକଲେ ଫଳ ମନାସର ରସ ।୩୩।

 

ଫୁଲ ମନାସ ଉତ୍ତର

ରାଗ-ସାରଙ୍ଗ

 

ଜାଣିଲି ରେ ସୁଦଶନା,

ଜବା ତୁ ମନାସିଛୁ ମନେ ସିନା ରେ,

ଜନ୍ମୁ ତ ନାହିଁ ବାସନା, ମୋ ବନ୍ଧୁ ରେ ।୧।

 

ବିବିଧ ବିକାଶ ଶୋଭା,

ଜୁଇ କୁସୁମେ କି ବଳିବ ଗଭା ରେ,

ବିଶେଷେ ହେବ ଅଶୋଭା, ମୋ ବନ୍ଧୁରେ ।୨।

 

କେଳିକଉତୁକବତୀ,

କୋମଳ ବାସ ମାନସରେ ଚିନ୍ତି,

କନିଅରେ କଲୁ ମତି, ମୋ ବନ୍ଧୁ ରେ ।୩।

 

ରତିରସ ତରଙ୍ଗିଣୀ,

ସାମନ୍ତାଣୀଗଣ, ସୀମନ୍ତଗଣି,

ମନାସିଅଛୁ ରଙ୍ଗଣି, ମୋ ବନ୍ଧୁ ରେ ।୪।

 

ମଧୁର ସରସଭାଷୀ,

ମଧୁଲିଟନୀଳ କୁଞ୍ଚିତକେଶି,

ବଧୁଲିରେ ଅଛୁ ରସି, ମୋ ବନ୍ଧୁ ରେ ।୫।

 

କଳାବତୀକୁଳ ବର,

କର୍ଣ୍ଣାବତଂସକୁ ହେବ ସୁନ୍ଦର,

କଳପିଛୁ କରବିର, ମୋ ବନ୍ଧୁରେ ।୬।

 

କଳାହକ ଉପମାନ,

କଳାଇଟଳାରେ ଜୀବନ ଧନ,

ବଳାଇ ଅଛୁ କି ମନ, ମୋ ବନ୍ଧୁରେ ।୭।

 

କରି ବିପରୀତେ ରାଜି,

ଦରବିକଶିତହାସୀରେ ଆଜି,

ଅରବିନ୍ଦେ ଦେବି ସାଜି, ମୋ ବନ୍ଧୁ ରେ ।୮।

 

ପରିଣତ ଚନ୍ଦ୍ରାନନା,

କେଳିବନ ଦିଗେ ଅଳପ ଅନାଁ,

ପୂରିଅଛି ଛୁରିଅନା, ମୋ ବନ୍ଧୁରେ ।୯।

 

ତୁ ମନେ ବାଞ୍ଛିବା ଜାଇ,

ମୋ ଉରେ ଉରୋଜ ଦେଲେ ମଜ୍ଜାଇ,

ଏବେ ଆଣି ଦେବି ଯାଇ, ମୋ ବନ୍ଧୁରେ ।୧୦।

 

ବିଚାରିଛୁ ସିନା ମଲ୍ଲୀ,

ଏବେ ଅଣାଇବି ଲୋକରୁ ବୋଲି,

କରୁଣା କଳପବଲ୍ଲୀ, ମୋ ବନ୍ଧୁରେ ।୧୧।

 

ଚଞ୍ଚଳ ନୟନାଞ୍ଚଳା,

କଞ୍ଚନେ ତୋ ଚିତ୍ତ ରହିଛି ଖେଳା,

ଅଣାଇଁବି ଛାଡ଼ି ହେଳା, ମୋ ବନ୍ଧୁରେ ।୧୨।

 

ଭଲା ରଙ୍ଗ ତା’ର ଭାବି,

ଅଲାର ବିଚାରିଅଛୁ ବାନ୍ଧବୀ,

ମଲାରୁ ଅଣାଇଁ ଦେବି, ମୋ ବନ୍ଧୁରେ ।୧୩।

 

ମଗାଇବି ଫରମାସି,

ତୁ ଲାବଣ୍ୟଗୁଣ ରସ-ସରସୀ,

ଗୋଲାପ ଅଛୁ ମନାସି, ମୋ ବନ୍ଧୁରେ ।୧୪।

 

ତାଳତୁଲ୍ୟ ପୟୋଧରା,

ପାଳତୀ ବସି ଅଣାଇବେ ପରା,

ମାଳତୀ ମାଳିକା ଝରା, ମୋ ବନ୍ଧୁରେ ।୧୫।

 

ଇନ୍ଦୀବର ବରମୁଖୀ,

ଇନ୍ଦୀବର ଅଛୁ ମାନସେ ରଖି,

ନିନ୍ଦିବ ତାକୁ ତୋ ଆଖି, ମୋ ବନ୍ଧୁରେ ।୧୬।

 

ନଗରଯାକ ତଲାସୀ,

ଡଗରଙ୍କୁ ଅଛି ପେଷି, ମୋ ବନ୍ଧୁରେ ।୧୭।

 

ଛଣାପୀୟୁଷ ବଚନା,

ଜଣାଗଲାଣି ତୋ ଆଲୋଚନା,

ଅଣାଇଁବି କୁନ୍ଦ ସିନା, ମୋ ବନ୍ଧୁରେ ।୧୮।

 

ବଉଳେ ଅଛି ତୋ ଚିତ୍ତ,

ମଉଳେ ଯେବେ ଅତି ସୁବାସିତ,

ଚଉକିତ ବଡ଼ ହିତ, ମୋ ବନ୍ଧୁରେ ।୧୯।

 

ସନୀର ନୀରଦ କେଶୀ,

ପନିର ଫୁଲେ ଧନି, ଅଛୁ ରସି,

ବନିରୁ ତୋଳନ୍ତୁ ଦାସୀ, ମୋ ବନ୍ଧୁରେ ।୨୦।

 

ଆରେ ତ୍ରିଜଗତୀଶୋଭା,

ନିଆଳୀରେ ହୋଇଅଛୁ ସଲୋଭା,

କି ଆଳି ରଚିବେ ଗଭା, ମୋ ବନ୍ଧୁରେ ।୨୧।

 

ଚମ୍ପକକୁ ଅଛୁ ହଟି,

ଅଣାଇଁ ଦେବି ଏବେ କୁଶ-କଟୀ,

ଚୁମ୍ୱେ ପାଲଟା ଦେବୁଟି, ମୋ ବନ୍ଧୁରେ ।୨୨।

 

ପଚାରେଁ ଚାନ୍ଦମୁହିୀକି,

ପୁନାଗତ ମୁଁ, ମୋ କୋଳେ ବସିବା,

ଆଉ ପୁନ୍ନାଗ କାହିଁକି ? ମୋ ବନ୍ଧୁରେ ।୨୩।

 

କି ଆରେ ଜୀବ ଜୀବନ,

ତିଆରି ନାହିଁ କି ମୁଁ ଗତଦିନ,

କିଆରେ ଜାଣି ତୋ ମନ, ମୋ ବନ୍ଧୁରେ ।୨୪।

 

ତନୁଦ୍ୟୁତି ଜିତି ସମ୍ପା,

ଥିବ କି ତୋର ଏହି ଅନୁକମ୍ପା,

ଅଣାଇବି ଦିବ୍ୟ ଚମ୍ପା, ମୋ ବନ୍ଧୁରେ ।୨୫।

 

ରେ ବତିଶାର୍ଦ୍ଧ ବୟସୀ,

ସେବତୀକି ମନେ ଅଛୁ ମନାସି,

ସେ ବନିବ ଶେଜ ନିଶି, ମୋ ବନ୍ଧୁରେ ।୨୬।

 

କଳାବତୀଙ୍କ ରତନ,

ଅଁଳା କୁସୁମରେ ଅବଶ୍ୟ ମନ,

ବଳାଇଛୁଁ ତୁ ତ ଧନ, ମୋ ବନ୍ଧୁରେ ।୨୭।

 

ସ୍ୱର୍ଣ୍ଣସବର୍ଣ୍ଣ ବରନା,

କର୍ଣ୍ଣିକାରକୁ ବିଚାରିଛୁ ସିନି,

କେ କଲା ତହିଁକି ମନା, ମୋ ବନ୍ଧୁରେ ।୨୮।

 

ବିରାଟ ପରି ସେ ଦିଶେ,

ତରାଟ ସେ ସିନା ଅଛି ମାନସେ,

ଧରା ତ ଅଛି ବିଶେଷେ, ମୋ ବନ୍ଧୁରେ ।୨୯।

 

ମହୀ-ମହେନ୍ଦ୍ର-ନନ୍ଦନା

ମନେ ଯେ ମନାସି ଅଛୁ ନନ୍ଦନା,

ଉପବନେ ଅଛି ସିନା, ମୋ ବନ୍ଧୁରେ ।୩୦।

 

ରଙ୍ଗ ମଧୁର-ଅଧରା,

ଗଙ୍ଗସିମୁଳୀ ବିଚାରିଛୁ ପରା,

ପ୍ରଭାତେ ଦେବି ତା ଝରା, ମୋ ବନ୍ଧୁରେ ।୩୧।

 

ତୋ ମନେ କରିଛି ଖେଳା,

ନୀପରେ କି ପୀରତି ବତ୍ସଳା,

ଥିବାରୁ ପୁଲକ ତୁଳା, ମୋ ବନ୍ଧୁରେ ।୩୨।

 

ବସୁଦୁର୍ଗଧରାଧୀଶ,

ରସନିଧିକି ପୂରାଇ ହରଷ,

ରଚିଲେ ଫୁଲ ମନାସ, ମୋ ବନ୍ଧୁରେ ।୩୩।

 

ଅଳଙ୍କାର ମନାସ ଉତ୍ତର

ରାଗ--କେଦାର - କାମୋଦି

 

ଜଣାଗଲା ଯେ ଆରେ ତମାଳକେଶୀ,

କନକ ଦୁବଝରା ଅଛୁ ମନାସି ରେ ।୧ ।

 

ନିଶ୍ଚୟ କଲି ବନ୍ଧୁ ମୁଁ ଅନୁମାନେ,

ଖେଳୁଚି ପେଣ୍ଡା ଆମ୍ବ କସି ତୋ ମନେ ରେ ।୨ ।

 

ଆଶ୍ରିତ ଜନ ନେତ୍ର ସୁଖଦାତ୍ରୀ କି,

ଓହ୍ଲାଉଅଛୁ ସିନା କିଆପତ୍ରିକି ରେ ।୩ ।

 

ଯହିଁରେ ବସେ ନାନା ରତନ ଖଣ୍ଡି,

ଚିନ୍ତିବୁ ସହି, ସେହି ଚଉଁରୀମୁଣ୍ଡି ରେ । ୪ ।

 

ଆରେ ନିର୍ଜିତ ଚମ୍ପାକଳିକାଙ୍ଗାଳି,

ଚନ୍ଦ୍ର ସୂର୍ଯ୍ୟ କରନ୍ତି ତୋ ମନେ କେଳି ରେ । ୫ ।

 

ବିଚାରିଅଛୁ ସିନା ସେ ମୁକ୍ତାଜାଲି,

ଛାମୁରେ ଯା ନଜର କରିଛି କାଲି ରେ । ୬ ।

 

ସୀତା ମଧୁର ମୃଦୁ ସରସଭାଷୀ,

ଚିତାକୁ ସିନା ମନେ ଅଛୁ ମନାସି ରେ ।୭ ।

 

ସତ କହ ରେ ନବରତ୍ନ ସ୍ନେହାଟି,

ବିଚାରି ଅଛୁ କି ନା ଅଳକାପାଟିରେ । ୮ ।

 

ବଳି କମନୀୟାଙ୍ଗା ହାଟକ ଗୋରୀ,

ମଲ୍ଲୀ କଢ଼ିକି ଅଛୁ ସିନା ବିଚାରି ରେ । ୯ ।

 

ତୋ ଚିତ୍ତେ କଉତୁକ ଅଛି ବଢ଼ି କି

ବିଚାରି ଅଛୁ ଚନ୍ଦ୍ରମଲକଢ଼ିକି ରେ ।୧୦ ।

 

ଗୁଚ୍ଛ ଝଲକା ମନେ ଅଛୁ ବିଚାରି

ଚାରୁହାସୀ ମୋ ହୃଦେ ହେଲା ଏପରି ରେ ।୧୧ ।

 

କଥାରମ୍ଭେ ଯା ପ୍ରମୋଦରେ ପୁଲକୁ,

ମୋ ଧନ ମନାସିଛୁ କାନଫୁଲକୁ ରେ ।୧୨ ।

 

ଖେଳୁଛି ଜଣାହେଲା ମୋ ଅନୁମାନେ,

ତାଟଙ୍କ ପଙ୍କେରୁହ-ନେତ୍ରା ତୋ ମନେ ।୧୩ ।

 

ମୁଁ ମନେ ମନାସିଛି ତୋ ଅନୁକମ୍ପା

ତୁ ମନେ ମନାସିଛୁ ମୁକୁତାଝମ୍ପା ।୧୪ ।

 

ବନ୍ଦିମନ୍ଦିର କାନ ଯୋଗ୍ୟ ବନ୍ଦିଆ,

ତୋ ମନେ ରହିଲାଣି ଜୀବବନ୍ଧୁଆ ।୧୫ ।

 

ନ କହୁ ଦିଶିଯିବ ବୋଲି ହାଲକା,

ବିଚାରିଅଛୁ ସିନା ପ୍ରତି ଝଲକା ।୧୬ ।

 

ତୋ ନାସାଦଣ୍ଡ ଅଛି ଯାହାକୁ ମଣ୍ଡି,

ସହି ତୁ ବିଚାରିଛୁ ସେ ହୀରା ଦଣ୍ଡି ।୧୭ ।

 

ସୁଆଗ ବିଶାରଦା ଆରେ ସୁକେଶୀ,

ଶୁଆ ଗୁଣା କି ଅଛୁ ଚିତ୍ତେ ମନାସି ।୧୮ ।

 

ଯେ ମନମଥର ତୋ କିଙ୍କିଣି ତାଳେ,

ନାଚେ ସେ ନଥ ଅଛି ତୋ ହୃଦସ୍ଥଳେ ।୧୯ ।

 

ଜଣାଉଁଅଛି ରତି-ବିଚକ୍ଷଣାକୁ,

ବାଞ୍ଚିଛୁ ନୀଳମଣି ନାକଚଣାକୁ ।୨୦ ।

 

ତାପସ ଜନ ମନମୋହନ ବେଶା,

ଚାପସରିରେ କଲା ତୋ ଚିତ୍ତ ବସା ।୨୧ ।

 

କଣ୍ଠାକୁ କଣ୍ଠୀରବମଧ୍ୟା ତୋ ମନ,

ମନାସିଅଛୁ ଏଥି ନ ହୋଇ ଆନ ।୨୨ ।

 

ନାଗପୁଙ୍ଗବ ଗତି ଘାଗଡ଼ାମାଳେ,

ତୋ ଚିତ୍ତ ଅଛି ମାତ୍ର ନ କହୁ ଛଳେ ।୨୩ ।

 

ସୋରିଷାର ସଦୃଶା ସୋରିଷା ମାଳି,

ଧରି ସାକ୍ଷାତ ପୁଣି ଅଛୁ ତା ଭାଳି ।୨୪ ।

 

ବିଚାରିଅଛୁ ଗୁଜୁରାତି ମାଳିକି,

କହ, ଯେ ଦେଲି କହି ମନେ ଭାଳିକି ।୨୫ ।

 

ଛେଚାକଣ୍ଠିରେ ମନ ଅଛି ପ୍ରବଳି,

କେ ଚାତୁର୍ଯ୍ୟକୁ ତୋର ପାରିବ କଳି ।୨୬ ।

 

ଠଉରାଇଲି ଆରେ ତରୁଣୀବର,

ଡଉଁରାମାଳି ଅଛି ମାନସେ ତୋର ।୨୭ ।

 

ବୀର ପିତୁଳି ମାଳି ଅଛି ତୋ ମନେ,

ହୀରକ ଦନ୍ତି କହେଁ ମୁଁ ଅନୁମାନେ ।୨୮ ।

 

ପଙ୍କଜଦୃଶା ଦଶାବତାର ମାଳି,

ଜାଣିଲି ମାନସରେ ଅଛୁ ତୁ ଭାଳି ।୨୯ ।

 

ଜାଣି ଜଣାଉଁ ଅଛି ଧନମାଳିକି,

ଆଣିଛୁ ହୃଦୟକୁ ଧାନ ମାଳିକି ।୩୦ ।

 

କେଶ ନୀଳିମା ବଳି ଛିତ କାଳିକା,

ବିଚାରିଅଛୁ ଚମ୍ପାକଢ଼ି ମାଳିକା ।୩୧ ।

 

ଜାଣି ପାରୁଛି ନିଶ୍ଚେଁ କରୁଛି କେଳି,

ମନମୋହନା ମନେ ମୋହନମାଳି ।୩୨ ।

 

କହ ନ କହ ଜାଇଦଳ କୋମଳା

ଜାଣିଲି ତୋ ମାନସେ ନକ୍ଷତ୍ରମାଳା ।୩୩ ।

 

କହେଁ ମୋ ନେତ୍ର ମନ ବନ୍ଦିକାରାକୁ

ବିଚାରିଅଛୁ ଚାରୁଚାନ୍ଦ୍ରହାରାକୁ ।୩୪ ।

 

ଧରିବି ମନଭାବ କରିଛି କେଳି,

କରିଗମନା ମନେ ହରଡ଼ମାଳି ।୩୫ ।

 

ନ ଶୁଣ ଅବା ଘେନ ନ ଘେନ କିଛି,

ରସୁଣିଆ ମାଳ ତୋ ମାନସେ ଅଛି ।୩୬ ।

 

ମଦ କାଦମ୍ୱଗତି ମୋ ଜୀବଧନ,

ପଦକମାଳାରେ ତୋ ବଳିଛି ମନ ।୩୭ ।

 

ଜାଣିଲି ଆରେ ନବନୀତ କୋମଳା,

ମୋ ବନ୍ଧୁ ବିଚାରିଛୁ ମୁକୁତାମାଳା ।୩୮।

 

ଛାଡ଼ କପଟ, ସତ୍ୟ କହ ନବୀନା,

ତାଡ଼ ତୁ ମନାସିଛୁ ମାନସେ ସିନା ।୩୯ ।

 

ଯାହା ବାନ୍ଧବୀ ଅଛୁ ମନାସି ଚିତ୍ତେ,

ବାଜୁବନ୍ଧ ସେ ହେଲା ମୋତେ ପରତେ । ୪୦ ।

 

କହୁଛି ରଖିଥିବୁ ତୁ କୃପାଟି କି,

ବିଚାରି ଅଛୁ ସତ ହସ୍ତ ପାଟିକି । ୪୧ ।

 

କୁଞ୍ଜର ମଦହରଗମନା ଚିତ୍ତେ

ଗୁଞ୍ଜର ବିଚାରିଲୁ ନାହିଁକି ସତେ । ୪୨ ।

 

ସ୍ମରଗରବ ବିନାଶିନୀ ମୋ ଧନୀ,

ଗରଗଡ଼ିଆ ମନେ ଅଛୁ କି ଘେନି । ୪୩ ।

 

ବିଚାରି ଅଛୁ ଖଞ୍ଜା ଖଡ଼ିଆଳିକି,

ମତେ ନ କହ ପଛେ କହ ଆଳିକି । ୪୪ ।

 

ଖଟା ନ ରଖି ମନେ କହ ନାଗରୀ,

ଗୋଟା କାଚ କି ମନେ ଅଛୁ ବିଚାରି । ୪୫ ।

 

ମୁକୁତା କଙ୍କଣ ତ ବାଛିଛୁ ମନେ,

କାହିଁକି କହୁନାହୁଁ ଗଜକମନେ । ୪୬ ।

 

କଟାକ୍ଷ ଚାହାଣିରୁ ଗଲାଣି ଜଣା,

ପଟା କାଚକୁ ମନାସିନ୍ଧୁ ପ୍ରବୀଣା । ୪୭ ।

 

ନିର୍ମ୍ମଳ ନୀଳମଣି ଲହରୀଚୁଡ଼ି,

ଚତୁରୀ ଚିତ୍ତଜଳେ ରହିଛି ବୁଡ଼ି । ୪୮ ।

 

ବ୍ରହ୍ମଜାତିଆ ହୀରାବଟୁ ମୁଦ୍ରିକା,

ମନେ ମନାସି ଅଛୁ ନବରସିକା । ୪୯ ।

 

ତର୍ଜନୀ ନବଗ୍ରହ ଅଙ୍ଗୁଳି ଏକେ,

ଅଛି ତୋ ଚିତ୍ତ ଜଣା ପଡ଼ିଲା ସ୍ତୋକେ । ୫୦ ।

 

ଶାଖା ମୋହନ ମୁଦି ଅଛି ତୋ ଚିତ୍ତେ,

ହରିଣେକ୍ଷଣା ଜଣା ପଡ଼ିଲା ମୋତେ । ୫୧ ।

 

ଜଣାଗଲା ରେ ଆରେ ପ୍ରାଣ ବାନ୍ଧବୀ,

ରତନ ଅଙ୍ଗୁଷ୍ଠିକା ଅଛୁ ତୁ ଭାବି । ୫୨ ।

 

ସେବତୀ ପହିଞ୍ଚିରେ ତୋ ମନ ଅଛି,

ଏଥିରେ ନାହିଁ ମୋର ସନ୍ଦେହ କିଛି । ୫୩ ।

 

ନଚାଉଅଛୁ ପଦା ପହିଞ୍ଚି ମନେ,

ନିଶ୍ଚୟ କଲି ଏହା ମୁଁ ଅନୁମାନେ । ୫୪ ।

 

ନବନୀତାଙ୍ଗୀ ନବରତ୍ନ ପହିଞ୍ଚି,

ଅବଶ୍ୟ ତୋ ମନକୁ ଅଛି ପହଞ୍ଚି । ୫୫ ।

 

କିପରି ମାନିବ ଟି ତୋତେ ବନ୍ଧାଇ,

ହୁକୁମ ହେଲେ ଥରେ ଦେବି ପିନ୍ଧାଇ । ୫୬ ।

 

ଆରେ ଭାରତୀ-ବିନିର୍ଜିତ ବିପଞ୍ଚି,

ପ୍ରତୀତ ହେଲା ମୋତେ ପାଞ୍ଚିଛୁ କାଞ୍ଚି । ୫୭ ।

 

କହିଲି କି ଚିତ୍ର ରେ ସ୍ନେହ ବତ୍ସଳା,

ଲାଗରେ ପଡ଼ିଅଛି ଦେଖ ମେଖଳା । ୫୮ ।

 

ରୁଚି ନିନ୍ଦିତକୁନ୍ଦମନ୍ଦହସନା,

ତୁ ତ ମାନସେ ମନାସିଛୁ ରସନା । ୫୯ ।

 

ଲାଗିରେ ନ ଥିବାର ନଥିବ ଦିନ,

ନୂପୁରକୁ ପୁରତେ ଦେଖିୁଛୁ ଧନ । ୬୦ ।

 

କ୍ଷମା କରିବୁ ମାତ୍ର ହେବ ଯା ହୁଡ଼,

ଅବଶ୍ୟ ଧନ ମନାସିନ୍ଧୁ ପାହୁଡ଼ । ୬୧ ।

 

ମୋଠାରେ ପ୍ରଂଶସାକୁ ଅବଳାବଳା,

ବିଚାରି ଅଛୁ ବର ଅବଳାବଳା । ୬୨ ।

 

ଖୁଣ୍ଟିଆ କରି ଡାକେ ଯେ ବିଜେବେଳେ

ଝୁଣ୍ଟିଆ ବିଚାରିଛୁ ହୃଦକମଳେ । ୬୩ ।

 

କଥାରେ କରୁନାହୁଁ ସିନା ବ୍ୟକତ,

ମଥାମଣିରେ ତୋର ବଳିଛି ଚିତ୍ତ । ୬୪ ।

 

ଶ୍ରୀବାଲୁକେଶ ଅଷ୍ଟଦୁର୍ଗନରେଶ,

ରସେ ରଚିଲେ ଅଳଙ୍କାର ମନାସ । ୬୫ ।

 

‘ବଡ଼ଗଡ଼’ ରାଜଦରବାରରେ

କବିଙ୍କ ଉକ୍ତି

 

ବନାତ ଫରଦା – ତଳେ ବିଶାରଦା !

ଅନା ତ ଥରେ ନିରେଖି,

ଆହା ଧନ୍ୟ ଧନ୍ୟ ! ଏ ଯୁବା

ଲାବଣ୍ୟ ଦେଖି ଥିବା ଆଖି ‘ଆଖି’ ରେ

ସଙ୍ଗାତ, ସେହିଟି କିଏ ? କହଟି

ଯାହାଙ୍କର ଯଶ-ବାସ ଦଶଦିଶ

ଯାକେ ଯାଉଚି ଚହଟି ।୧ ।

 

ପଦ ନଳିନର ନିଉଁଛାଳି ଭଳି ମଦନ-ମୁକୁଟ ନୁହେ,

ମାନବରୁ ଏଥୁଁ ଆନ ବରେ ଯୋଷା-ମାନଙ୍କ

ମନକୁ ମୋହେ ରେ ସଙ୍ଗାତ,

କଟାକ୍ଷ ଖେଳକୁ ଦେଖ,

ଏ ଟି ନାଗରୀଙ୍କ ଧୃତିକି ଅରିଙ୍କ

ଗୁମାନ ମଜ୍ଜାକୁ ମେଖ ରେ ! ।୧ ।

 

ଶ୍ରୀମୁଖର କଳା ଗୋଟିକର ତୁଳା

ନାହିଁ ରୋହିଣୀ ରମଣେ,

ଆହା! କି ସୁନ୍ଦର ମନ୍ଦ ହାସ ତା’ର

କେଉଁ ଉନ୍ମାଦକ ଗୁଣେ ରେ ସଙ୍ଗାତ,

ବାହୁ ଯୁଗଳର ଛବି

କନକ ବେତଣ୍ଡ ଗଜ ଶୁଣ୍ଡାଦଣ୍ଡ

ଗରବ ଗିରିକି ପବି ରେ ! ।୩।

 

ସରସ ଶେଷ ଗମ୍ଭୀର ଗିର

ତୁଲେ ଯାହା । ନାଚୁଅଛି ଭୂରୁ

ତା’ ସିନା ଜାଣନ୍ତି କିଛି କିଛି ଚିନ୍ତା

‘କାଶୀନାଥ ରାଜଗୁରୁ’ ରେ ସଙ୍ଗାତ,

କି ପୂଣ୍ୟ ଏ କରିଥିଲେ !!

ଏ ନୃପ ସଭାରେ ବସୁ ବସୁ ‘ବସୁଗଣେ’

ଗଣନୀୟ ହେଲେ ରେ । ୪ ।

 

ନବୀନ ଜବନ ଭବନ କବନ

ଦଶନ ବସନା ! ଅନା

ଏ ‘ଥୁ’ ପାନ ବୋଳ ଯାହା ଗଣ୍ଡସ୍ଥଳ ଲଭିବ,

ସେ ବରାଙ୍ଗନାରେ ସଙ୍ଗୀତ,

 

ନାରୀରେ କି ଯିବ ଲେଖା ?

ଅମରୀଙ୍କ ମଧ୍ୟେ ଚମରୀନେତ୍ରୀ ତ ସେ

ଭାଗ୍ୟେ ନ ଯିବ ଦେଖା ରେ । ୫ ।

 

ଗିରୀନ୍ଦ୍ର ନନ୍ଦନା ମୋଦରେ ବନ୍ଦନା

କରି କର ନିବେଦନ,

ମୃକଣ୍ଡୁ ତନୟଙ୍କର ଆୟୁର୍ଦାୟ

ଲଭନ୍ତୁ ଏ ଦୁଃଖୀଧନ ରେ ସଙ୍ଗାତ,

ଏହି ଯଉବନ ଥାଉ

ଏଥୁ ଅଲଗଡ଼ ପାଞ୍ଚିବ ଯେ ଗଡ଼ଚଣ୍ଡୀ

ତାକୁ ମୋଡ଼ି ଖାଉ ରେ ! । ୬ ।

 

କବି ଜନଙ୍କର ‘ରାୟଗୁରୁ’ ଗିର

ତ୍ରିକାଳେ ନୋହୁ ଅନ୍ୟଥା

ତାଟକା ହେଲାନି ‘ହାଟକାଦ୍ରି’ ଘେନି

ଆପଣା ଅନିତ୍ୟ କଥା ରେ ସଙ୍ଗୀତ !

ଖଡ଼ଗ ଖେଳ ନ କର

ବଡ଼ ଗଡ଼ କରି ଦାନ

ଦିଅନ୍ତୁ ଏ ବଡ଼ଗଡ଼ ପୁରନ୍ଦର ।୭ ।

 

ଟୀକା - - ବନାତ - ଗରମକନା ବା ଲୁଗା, ଫରଦା - ଚାନ୍ଦୁଆ, ଆଖି ଆଖି - ଆଖି ପ୍ରକୃତ ଆଖି ପଦବାଚ୍ୟ, ଯଶବାସ - ଖ୍ୟାତିର ସୁଗନ୍ଧ, ପଦନଳିନ - ପାଦପଦ୍ମ, ଧୃତି - ଧୈର୍ଯ୍ୟ, ମେଖ - କୀଳା ବା ଦଣ୍ଡ, ରୋହିଣୀରମଣେ - ଚନ୍ଦ୍ରଠାରେ, କନକ - ସୁନା, ବେତଣ୍ଡ - ଜରିମାନା ନ ଥିବା, ପବି - ବଜ୍ର, ଗିର - ତୁଣ୍ଡର କଥା, କାଶୀନାଥ ରାଜଗୁରୁ - ରାଜସଭାର ଜନୈକ ପଣ୍ଡିତ, ବସୁଗଣେ - ଗଣଦେବତା, ଜବନ ଭବନ କବନ - ଆଶୁ କବିତ୍ୱର ଗୃହ, ଦଶ ନ ବସନା - ୧୦ ବା ୯ ବସ୍ତ୍ର ପରିହିତା, ଥୁ ପାନ ବୋଳ - ପାନ ପିକର ବୋଳ, ଅମରୀ - ଦେବନାରୀ, ଚମରୀ ନେତ୍ରୀ - ମୃଗୀନୟନା, ଗିରୀନ୍ଦ୍ର ନନ୍ଦନା - ପାର୍ବତୀ ଦେବୀ, ମୋଦରେ - ଆନନ୍ଦରେ, ମୃକଣ୍ଡୁ ତନୟ - ଦୀର୍ଘାୟୁ ମାର୍କଣ୍ଡେୟ ମୁନି, ଅଲଗଡ଼ - ବିପରୀତ, ହାଟକାଦ୍ରି - ସୁନାର ପାହାଡ଼, ଗଡ଼ଗଡ଼ କରି - ଖଣ୍ଡ ଖଣ୍ଡ କରି, ବଡ଼ଗଡ଼ ପୁରନ୍ଦର - ବଡ଼ଗଡ଼ର ଇନ୍ଦ୍ର ବା ରାଜା ।

 

ମନସିଜୋଲ୍ଲାସ

ରାଗ-ବରାଡ଼ୀ

 

ଅନଙ୍ଗସଙ୍ଗର ଶେଷ ସୁଖ

ବ୍ରହ୍ମାନନ୍ଦରସ ପ୍ରବାହରେ ପଡ଼ି ଯୁବରାଜ ।

କିଶୋରୀକି ଧରି କୋଳେ ଚେଳାଞ୍ଚଳ

ବିଞ୍ଚାବେଳେ କହେ ଚୁମ୍ୱି ମୁଖଦ୍ୱିରାଜ ହେ । ଜୀବବନ୍ଧୁ ।

ମୋ ରାଣଟି ପଚାରୁଛି କହ ।

କି ପଦାର୍ଥ ତୁ ମୋର ପ୍ରାଣପଞ୍ଚକ

କି ବରବରନା କି ତୁ ଜଗତୀମୋହ ରେ ।୧ ।

 

ମୋର ପୂର୍ବ ତପୋବଳ କଳପବଳ୍ଲରୀଫଳ

ତୁହି କି ରେ ମହୀସ୍ଥଳୀଭୂଷା ।

କି ମୋ ସାମ୍ରାଜ୍ୟବିଭୂତି ହୋଇଅଛି ମୂର୍ତ୍ତିମତୀ

ତୋ ସ୍ନେହ ମୋ ହୃଦପଦ ପୂଷାରେ । ଜୀବବନ୍ଧୁ ।

ମୁଁ ବକ୍ଷ ତୁହି କି ମୋତିମାଳା ।

ମୁଁ କୁସୁମ ତୁ ବାସନା କି ରେ ହୀରକଦଶନା

ମୁଁ ଆକାଶ ତୁ କି ଚନ୍ଦ୍ରକଳାରେ ।୨।

 

ପଟୁ ନଟ ଖଞ୍ଜରୀଟ ଘଟଣନେତ୍ରା

ମୁଁ କି ଘଟ ତୁହି ଜୀବନ କି କହ କହ ।

ତୁ ପରିଣତଚନ୍ଦ୍ରମା ଚକୋର ମୁଁ କି ରେ

ରାମା ମୁଁ ଚାତକ ତୁ କି ବାରିବାହ ରେ । ଜୀବବନ୍ଧୁ ।

ମୁଁ କି ବନ ତୁ ବସନ୍ତଶିରୀ ।

ବିକଶିତ ଅରବିନ୍ଦ ତୁ କି ମୁଁ ଭୋଖୀ ମିଳିନ୍ଦ

ମୁଁ ମୀନ ତୁ କି ଗଭୀର ବାରି ରେ ।୩ ।

 

ମୁଁ କାବ୍ୟ ବନ୍ଧ ତୁ ରସ, ରସ ମୁଁ ତାହା ବିଶେଷ

ସ୍ୱାଦୁ ଗୁଣ କି ରେ ଗୁଣନିଧି ।

ତୁ ପ୍ରଭୁ ମୁଁ ପରିଜନ ଏଥି ନାହିଁ ଅନୁମାନ ମୁଁ

ମନ୍ତ୍ର ଜପ କି ତୁ ତା ସିଦ୍ଧି ରେ । ଜୀବବନ୍ଧୁ ।

ମୁଁ ମନ୍ଦିର ତୁ କି ଦୀପଶିଖା ।

କି ବୋଲି ତୋ ସମ୍ୱୋଧନ କରିବି ରେ ପ୍ରାଣଧନ

ସକରୁଣ ଚିତ୍ତେ ମୋତେ ଶିଖାରେ । ୪ ।

 

ମୁଁ ଦେହ ତୁ ଅଳଙ୍କୃତି କି ରେ କେଳିକଳାବତୀ

ସହଜେ ମୁଁ ନୃପ ତୁ କି ନୀତି ।

ମୁଁ ଶାଖୀ ତୁ ବନଲତା ମୁଁ ଜଳ ତୁ ନିର୍ମଳତା

ମୁଁ ରଜନୀ ତୁହି କି ମୋ ଗତି ରେ । ଜୀବବନ୍ଧୁ ।

 

ଅଳକା ମୁଁ ତୁ କି ମୋ ସମ୍ପଦ ।

ମୁଁ କି ପ୍ରସିଦ୍ଧ ପ୍ରାସାଦ ସ୍ୱାଦୁମୃଦୁତରନାଦକଣ୍ଠି

କି ତୁ ମହୋତ୍ସବ ଭେଦ ରେ । ୫।

 

ମୁଁ କି ବାଳକାଳ ଅନ୍ଧ ଆରେ

ବିବିଧପ୍ରବନ୍ଧପଣ୍ଡିତା ତୁ ନେତ୍ରଲାଭ ମୋର ।

ମୋ ମାନସ ସେ ସରସୀ ତୁ କି କେଳିକଳହଂସୀ

ମୁଁ ସୁରତ ତୁ କି ଅନ୍ତଃସାର ରେ । ଜୀବବନ୍ଧୁ ।

ମୁଁ ମୁକୁର ତୁ କି ତାହା ଝଳି ।

ମୁଁ କନକ ତୁ ନୂତନ ରତନ ମୁଁ କି ରତନ

ତୁ କି କରକଳିକାଆବଳୀ ରେ । ୬ ।

 

ମୋ ଧନଟି କାହିଁ କହ ବୋଲି ଯେ ଏତେ

ଆଗ୍ରହ କରୁଅଛି କହିଲୁ ତ ନାହିଁ ।

ବଞ୍ଚାଉ ଯେ ଲକ୍ଷେ ରାଣ ଭଲ କି ଗଲେ ମୋ ପ୍ରାଣ

ସ୍ନେହ ଥିବା ଜଣାଗଲା କେହି ରେ । ଜୀବବନ୍ଧୁ ।

ମାତେ ପଚାରିଲେ କି ପଚାର ।

ନ କହିଲେ ମୁଁ ଛଦ୍ମରେ ଘେନି ହୃଦୟ

ପଦ୍ମରେ ତହିଁକି ବିଚାର ଉପଚାର ରେ ।୭।

 

ଛାଇ ପରି ଅନୁସରି ଥିବା ଲୋକେ ଏତେ

ସରି ଲାଜେ ତୁ ଯେ ରଖିଅଛୁ ଟାକ ।

ନଖ ଶିଖଠାରୁ କେଶଯାଏ ମନ ଜାଣି ବେଶ

କେ କରିବ ପୁଣି କାଳଯାକ ରେ । ଜୀବବନ୍ଧୁ ।

ମୋ ତୁଲ୍ୟ ତ ନୋହେ ଲାଗି ଶାଢ଼ୀ ।

ତାହାକୁ ରଖିବି ଦୂରେ ରସଲମ୍ପଟୀ ମୋ

ଉରେ ରହିବୁ ନିବିଡ଼େ ପରା ଜଡ଼ି ରେ । ୮ ।

 

ସବ୍ରୀଡ଼ ନେତ୍ରଯୁଗଳୀ ନୀଳଘନ ପକ୍ଷ୍ମପାଳୀ

ଟେକି ମୋ ମୁଖକୁ ହସି ଚାହିଁ ।

ଅନଙ୍ଗ କଳାନିଧି ରେ କହ କହ

‘‘ମୃଦୁଗିରେ ମୋର

ବନ୍ଧୁଆଟି କାହିଁ କାହିଁ ରେ’’ । ଜୀବବନ୍ଧୁ ।

ମୁଁ ବୋଲିବା କଥା ଯେବେ ଲାଜ ।

ଏ ରୁଚିରାଙ୍ଗୁଳୀ କଳୀ ଅଗ୍ରେ ଉରୋଜଯୁଗଳୀ

ମଧ୍ୟ ଛୁଇଁ ବଢ଼ାଅ ମୋ ଓଜ ରେ । ୯ ।

 

ଏତେ ବିନତିରେ ଏହି କଥାରେ       ନିର୍ବାହ

ନାହିଁ କରି ତତେ ସକଳ ସମ୍ପତ୍ତି ।

କରିଛି ଯେ ଅନଳପ ସଉଭାଗ୍ୟ ସଂକଳପ

 

କେମନ୍ତେ ସେ ହୋଇବ ଭରତି ରେ । ଜୀବବନ୍ଧୁ ।

ତୁହି କି ମୋ ସକଳ ସଙ୍ଖାଳି ।

ବଚନେ ପଛେ ନ କହ ନେତ୍ରନୀଳଜଳରୁହ

ଥରେ ଉରୋଜରେ ଦିଅ ଢ଼ାଳି ରେ ।୧୦ ।

 

ତ୍ରିଲୋକଯାକ ଲାବଣ୍ୟ କରିଥିଲା କେତେ

ପୁଣ୍ୟ ଏ ମୁଖଚନ୍ଦ୍ରରେ କଲା କେଳି ।

ତହୁଁ କେତେ ଗୁଣେ ବଳି ମୋର ଏ ନେତ୍ରଯୁଗଳୀ

କରିଥିଲା ତପ ନୋହେ କଳି ରେ । ଜୀବବନ୍ଧୁ ।

ଏଡ଼େ ଲାଗେ ଭୋଗ କରେ ଚାହିଁ ।

ପୁଲୋମାପୁତ୍ରୀ କାମୁକ ନୟନ ସହସ୍ରଯାକ

ଏ ଶିରୀ ତ ଦେଖି ପାରି ନାହିଁ ରେ ।୧୧।

 

କି ଭାଗ୍ୟବନ୍ତ ମୋ କର ଦ୍ୱିଜେ ହିରଣ୍ୟଭୂଧର

କେତେବାର ଦେଇଥିଲା ଦାନ ।

ଫିଟାଇ ରାଇକାହୁଣ୍ଡି ବୋଳି ସୁଧାକରଗୁଣ୍ଡି

ଭୋଗ କଲା ଏ ସୁନ୍ଦର ସ୍ତନ ରେ । ଜୀବବନ୍ଧୁ ।

କି ମଧୁର ଏ ତୋ ଦନ୍ତଚେଳ ।

ସୁଧା ରସେ ମୁଧାମତି ଦ୍ରାକ୍ଷାରେ କ୍ଷାର ପ୍ରତୀତି

ହୁଏ ଅନ୍ୟ କେ ଏହାର ତୁଳ ରେ ।୧୨ ।

 

ରସମୟ ଏ ସମୟ ସମୁଚିତ ହୃଦାଶୟ

ନିଜ ଅନୁଭବେ ଜାଣି ଜାଣି ।

କୁସୁମବିଶିଖସଖା ଋତୁ କିଶଳୟ ଲେଖା

ଜିଣାକରେ କିପାଁ ଦେଲୁ ପାଣି ରେ । ଜୀବବନ୍ଧୁ ।

ଏହିଟି ବୋଲାଏ ଭକ୍ଷଧୂଳି ।

ପଲକ ଅର୍ଦ୍ଧକେ ସାତ ଯେତେ ଧ୍ୱସ୍ତ ହୋଏ

ସେତ ଶତଜନ୍ମେ ନ ପାରିବ ମିଳି ରେ ।୧୩ ।

 

ନ ପାରି ପାଳି ମୋ କଥା ହସି ଯେ ନୁଆଉଁ

ମଥା ହଜି ଯାଉଅଛି ମୋର ବୁଦ୍ଧି ।

ଭଲେ ଭରଜି ମରଜି ଯେବେ ପ୍ରଭୁ ପାଶେ

ଭଜି ଥାଇ କରାଳେ ନୋହି ଅପରାଧୀ ରେ । ଜଗବନ୍ଧୁ ।

କିପରି ଜାଣିବି ତୋର ମନ ।

କେଉଁ ସେବା କେତେବେଳେ ଚାଳି

ବୟସ୍ୟାମଣ୍ଡଳେ ସମ୍ପାଦିବି ଦିବ୍ୟ ଅବଧାନ ରେ ।୧୪ ।

 

ଚନ୍ଦ୍ରହାରା ପ୍ରିୟସଖି କରି କିରେ ଚନ୍ଦ୍ରମୁଖି

ବହିବି ହୃଦୟ ସ୍ଥଳେ ତୋତୋ ।

ମଉଳିମଣ୍ଡନଚମ୍ପା ଗଭା କଲେ ଅନୁକମ୍ପା

ପାତ୍ର କରି ଘେନିବୁ କି ଚିତ୍ତେ ରେ । ଜୀବବନ୍ଧୁ ।

 

ପ୍ରେମପଟତନ୍ତୁ ଗୁନ୍ଥା କରି ।

ହୋଇ ପ୍ରମୋଦେ ମଗନ କୁତୁକେ

ଧରି ଲପନ କରିବି କି କଣ୍ଠଲଗ୍ନ ସରି ରେ ।୧୫ ।

 

ତୁ ମୋତେ କିପରି ପରିପାଳିବୁ ରେ କୃଶୋଦରି

ଜଣାକର ମୋ ଭରସା ପାଉ ।

ହେବି ପଦଶତପତ୍ରତଳେ କି ଅଳତା ଚିତ୍ର

ଅବା ମଣିମଣ୍ଡିତକଠାଉ ରେ । ଜୀବବନ୍ଧୁ ।

ହେବି କି ପାହାଡ଼ାବିଜେ ବେଳେ ।

ପାହୁଡ଼ ବାଜଣି ବଳା ପଉଞ୍ଜି ମଞ୍ଜୁ ଶିକୁଳା

ତୁଲେ ମିଶିବି କି କୁତୂହଳେ ରେ ।୧୬ ।

 

ଅଦୃଶ୍ୟ ସୁନ୍ଦର କଟୀତଟୀ କାଞ୍ଚୀକ୍ଷୁଦ୍ରଘଣ୍ଟି

ପଟଳୀରେ କରିବୁ କି ଏକ ।

ତୋ ଲାଗି ଦୁକୂଳ ଭାଗ୍ୟ ପରମ୍ପରା ଭୋଗ

ଯୋଗ୍ୟ ହେବି କି ରଜନୀଦିବାଯାକ ରେ । ଜୀବବନ୍ଧୁ ।

ହେବି କି କାଞ୍ଚୁଲା ପୟୋଧରେ ।

ଧାରାଧରମାଳାଲୀଳା ଧରିବି କି ରେ କୋମଳା

ଧରାଧରାଧିରାଜ ମୂର୍ଦ୍ଧରେ ।୧୭ ।

 

ମହିଳାମଣ୍ଡଳୀ ମଥାମଣି କି ଆହୁରି କଥା

ଗୋଟିଏ ପଚାରୁଅଛି ଭାଷ ।

ନବନୀତ ପିତୁଳାକୁ ଆଣି ନୁହଇ ତୁଳାକୁ

ଏପରି ତ ତୋ ଶ୍ରୀଅଙ୍ଗଦେଶ ରେ । ଜୀବବନ୍ଧୁ ।

ଛବି ଏଡ଼େ ଅବିବେକ ମାର ।

ତାହା ଅମଳ ଅଜ୍ଞାନ ବଶେ କଲେ ଆଲିଙ୍ଗନ

ସରିଯିବ ସିନା ମୋ ସଂସାର ରେ ।୧୮ ।

 

କିଞ୍ଚିତମଧ୍ୟା ଗଭୀର ରୁଚିର ଚିବୁକେ ତୋର

ମୃଗମଦପଙ୍କଚିତ୍ର ଭୃଙ୍ଗୀ ।

ହେଲେ ସେ ଅବା ମୋ ଗୁରୁ ଶିଖାଇବ ପ୍ରସୂନରୁ

ନିର୍ବାଧ ମରନ୍ଦଭୋଗଭଙ୍ଗୀ ରେ । ଜୀବବନ୍ଧୁ ।

ତୋ ସହଜ ପଙ୍କଜବାସକୁ ।

ଗଣୁଥିଲେ ସଚେତନେ ତୋ ଅସ୍ତସଙ୍ଗ ଯତନେ

କରନ୍ତି ତାଠାରୁ ଅଭ୍ୟାସକୁ ରେ ।୧୯ ।

 

ମୁଁ କାମଜାଠର ଶିଖୀ ସକାଶୁଁ ହେବାରୁ ଭୋଖୀ

ଦେଖି ଏ ଲାବଣ୍ୟ ନବାମୃତ ।

ଆଖିରେ ଅଳପ ଚାଖି ଦେଲେ ତୁ ମନ୍ଦାକ୍ଷେ ଲାଖି

ରହି କୋଳେ ମୁଖ କରୁ ନତରେ । ଜୀବବନ୍ଧୁ।

 

ଜର ଜର ଗୋଟିଯାକ ରସେ ।

ସ୍ମରଜ୍ୱର କମ୍ପମାନ ଶମ୍ପାର ତ ତୁ ସମାନ

କରଜର ମୃଦୁଳ ସ୍ପରଶେ ରେ ।୨୦ ।

 

କନକ ପାରଦ ରସମୟ କରି କି ଲୋକେଶ

ଶରୀର ନିର୍ବାହ କଲା ତୋର ।

ବିରାଜିଲେ ହେଲେ କୋଳେ ସମୟ ବାଞ୍ଛିତ

ସ୍ଥଳେ ସ୍ଥିର ହେଉ ନାହିଁ ମୋର କର ରେ । ଜୀବବନ୍ଧୁ ।

କେଉଁ ଅଙ୍ଗେ ନ ଦେଲେ ଚୁମ୍ୱନ ।

ଚୁମ୍ୱ ବିନା କେତେବେଳେ ରହିବ ଜୀବ

ନିଶ୍ଚଳେ କେତେ ଯୁଗେ ତୁଷ୍ଟ ହେବ ମନ ରେ ।୨୧।

 

ଘନଜଘନା ରେ ଘେନ ତେଡ଼େ ଧୀର ଚିରନ୍ତନ

ଶତପତ୍ର ପୁତ୍ର ଆଚରଣ ।

କୃତବୀର୍ଯ୍ୟ ସୁତ ଶେଷ ଶକ୍ର ଏ ତିନିଙ୍କ ବେଶ ଦେଇ

ନୋହିଲା ଯା ମୋ ଶରଣ ରେ । ଜୀବବନ୍ଧୁ ।

ତୋ ଆଶ୍ଳେଷ ଚୁମ୍ୱ ଦରଶନେ ।

ଦ୍ୱିବାହୁ ଏକ ବଦନ ଦ୍ୱିଲୋଚନବନ୍ତ

ଜନ ପ୍ରସାଦ ଲଭିବ କେହି ମନେ ରେ ।୨୨ ।

 

ଜଳଜଜିତ୍ୱର ପାଣି ଧରି ଜଣାଉଛି ପୁଣି

ପ୍ରବଳିତ ଅନଙ୍ଗ ଆହବେ ।

ମୋ ଶରୀରଭର ବୁହା ମର୍ଦନ ପୀଡ଼ନ ସୁହା ଭଳି

ବଳ ନ ପାଇବ ଯେବେ ରେ । ଜୀବବନ୍ଧୁ ।

ଖେଳିବୁ ମୋ ଉରସ୍ଥଳେ ରହି ।

ତୋ ନଖାଗ୍ର ଦନ୍ତପୀଡ଼ା ଶ୍ରୀଭୁଜ ନିବିଡ଼ଭିଡ଼ା

ବୁଝିବା ମୁଁ ସହିବି କି ନାହିଁ ରେ ।୨୩।

 

ନ କରି ଲାଜେ ଖାତର କ୍ଷଣେ କ୍ଷଣେ ତୁ

ମାତର ହରୁଥିବୁ ହୋଇ ରସଲୋଭା ।

ମଦମତ୍ତ ଭୃଙ୍ଗଜାତ ସ୍ୱପକ୍ଷ ସଂଘାତ

ଜାତ ବାତପ୍ରକମ୍ପିତ ଗଭାଶୋଭା ରେ । ଜୀବବନ୍ଧୁ ।

ପୂରିବ ଉଭୟ ମନୋରଥ ।

ନଥ ନରତନ ମନମଥ ନରମ ବିଧାନ

ବଢ଼ାଇବ ସୁଖ ସ୍ୱର୍ଗପଥ ରେ ।୨୪ ।

 

ତଳୁ ମୁଁ କରେ ମୁକୁର ଦେଖାଇ ଦକ୍ଷିଣ

କର ଅଗ୍ରେ ସ୍ତନଅଗ୍ରେ ଦଳୁଥିବି ।

ଦେଖିବୁ ସେକାଳେ ସାତ ପୁଲକାଳି କଣ୍ଟକିତ

କପୋଳ ଦର୍ପଣଖଣ୍ଡ ଛବି ରେ । ଜୀବବନ୍ଧୁ ।

 

ଚାହିଁବୁ ସଲଜ୍ଜ ମନ୍ଦହସା ।

ଅଯତ୍ନ ନୟନ ଖୋସା ଖୋସାର ଦୂରଲହସା

ଶୋଭା ହୋଇଥିବ ତହିଁ ମିଶା ରେ ।୨୫ ।

 

ଏଥିରେ ତୁ ଯେବେ ଶାନ୍ତ ହେବୁ ରେ

କୁମୁଦକାନ୍ତମଣ୍ଡଳମଦଖଣ୍ଡନମୁଖି ।

ମୋ ବକ୍ଷମୁକୁତାହାର ବଲ୍ଲରୀ କରି ବାହାର

ରହ ତୁ ଉରୋଜ ଉରେ ଯୋଖି ରେ । ଜୀବବନ୍ଧୁ ।

ନ ପହୁଡ଼ ପଛେ ମୋର ଅଙ୍କେ ।

ପର୍ଯ୍ୟଙ୍କବନ୍ଧରେ ବସି ଅନାୟାସେ

ହସି ହସି ସ୍ମରବଳ ଦଳିବା ନିଃଶଙ୍କେ ରେ ।୨୬ ।

 

ଜାଣ ମୋ ପ୍ରାଣମିତରେ ତୋ ମରଜିରୁ

ଇତରେ ସଂଚରିବା ସେବକ ମୁଁ ନୋହେ ।

ସୁଗୁଣ ଗ୍ରାହକଚିତ୍ତେ ବିଚାରି ସେବାରେ ମୋତେ

ରଖିଛୁ କେମନ୍ତେ ଅନୁଗ୍ରହେ ରେ । ଜୀବବନ୍ଧୁ ।

ପ୍ରଭୁ ତୁହି ତତେ ଜଣା ତାହା ।

ସମୟମାନ ସେବାର ଜାଣି ସେବା କରିବାର

ବିନା ମୁଁ ନ ଜାଣେ ଆନ ରାହା ରେ ।୨୭ ।

 

ମଣ୍ଡି ତୋ ନିତମ୍ୱେ ଅଙ୍କ ଅତର ପଙ୍କିଳ

କଙ୍କପତ୍ରରେ କୁରୁଳି କେଶପାଶ ।

ଷଟ ପଞ୍ଚାଶତ ଦେଶପ୍ରଥିତ ପେଶଳ ବେଶ

ସମୁଚିତ୍ତ ମଣ୍ଡନ ବିନ୍ୟାସରେ । ଜୀବବନ୍ଧୁ ।

ଜାଣଇ ନ ହୁଡ଼ି ଅଣୁମାତ୍ର ।

କୁସୁମୀ ଥାନି ଆଖିଆ ମକ୍ଷିକା ମକରୀ ଛୁଆ

ମୃଗମଦପତ୍ରଭଙ୍ଗ ଚିତ୍ରରେ ।୨୮ ।

 

ବିବିଧ ଜାତି ପ୍ରସୂନ ବିଚିତ୍ର ମଣ୍ଡନମାନ

ସଜାଡ଼ି ଜାଣଇ ଋତୁଭେଦେ ।

ବହଳ ଅଳତାଦ୍ରବବଲ୍ଲରୀ ଚିତ୍ରପାଟବ ଦେଖାଇବି

ଏ ସୁନ୍ଦର ପଦେ ରେ । ଜୀବବନ୍ଧୁ ।

ଉରୋଜ ଉଲ୍ଲାସ କ୍ରମ ଜାଣି ।

ସୁନୁଲୀ କସିଦାପଡ଼ା ରାଇକସିହା ସଜଡ଼ା

ବିଧି ଜାଣିମାରେ ମୁଁ ବିନ୍ଧାଣି ରେ ।୨୯ ।

 

କନକଦଳ ସୋଦର ବିଡ଼ିଆ ନାନା ପ୍ରକାର

ଭାଙ୍ଗିବା ଭଙ୍ଗିରେ ମୋ ଗୁମାନ ।

ଦୁହେଁ କଳପିବା ଗୀତ ପ୍ରବନ୍ଧ ରସ ବିଚିତ୍ର

ଲେଖିବି ଯେ ନ ଥିବ ମାନସ ରେ । ଜୀବବନ୍ଧୁ ।

 

ସଙ୍ଗୀତ ସଙ୍ଗୀ ତ ହେବି ମୁହିଁ ।

ଅମରପାମର ଦୁଇ ଘେନି ଘେନାଇ ପାରଇ

ପ୍ରଭୁ ତୁ ବଡ଼ାଇ କରୁ ନାହିଁ ରେ ।୩୦ ।

 

ପଛ ଢଳା ସମ ସମ ମଉଳି ଘନ

ସୁଷମ ବରତୁଳ ଠାଣି ପାଣିବନ୍ତ ।

ପୃଥୁରୋମବୀଜ ରୋପି ମୃଗେନ୍ଦ୍ର ଜାଲିଆ

ଲିପି ପ୍ରଚଳିବ ଯହିଁ ତୋର ସ୍ୱାନ୍ତ ରେ । ଜୀବବନ୍ଧୁ ।

କେତେକ କେତକୀ ଚମ୍ପା ଆଦି ।

ଯେଉଁ ପୁଷ୍ପ ଦଳେ ଫରମାସିବୁ ରମଣୀବର

ଲେଖୁଥିବି ପ୍ରଶଂସିବ ବାଦୀ ରେ ।୩୧ ।

 

କ୍ଷଣେ ରହ ଅକମ୍ପନେ ଏ ସୁନ୍ଦରେନ୍ଦୁ ଲପନେ

ଚୁମ୍ୱଇ ମୁଁ ଲକ୍ଷେ ଗଣି ଗଣି ।

ସୁଧାରୁ ଲାଗେ ମଧୁର ପୂରଇ ନାହିଁ ଉଦର

ଏ କି ସୂତ୍ର ଖଞ୍ଜିଅଛୁ ପୁରି ରେ । ଜୀବବନ୍ଧୁ ।

ଯାହା ହେଉଅଛି ମନ ଏଣୁ ।

ମନସିଜୋଲ୍ଲାସ ନାମ ଏ ଛାନ୍ଦ ରସିକା ଶ୍ୟାମ

ଇନ୍ଦିବରନେତ୍ରା ତୁ ତୁ ଜାଣୁ ରେ ।୩୨ ।

 

ବନମାଳା ବିରାଜିତ ବୃଷଭାନୁଭବାୟତ୍ତ

ଚନ୍ଦ୍ରକଲାବଣ୍ୟବେଶଶାଳୀ ।

ଭବଭୟ-ନିବାରଣ ଧରିତ୍ରୀଧରଧାରଣ ପ୍ରଭୋ

ସଦାଶିବ ବନମାଳୀ ହେ । ଜୀବବନ୍ଧୁ ।

ଦୁହିଁଙ୍କର ଚାରି ଶ୍ରୀଚରଣ ।

ଜଳନ୍ତର ହରିହୟ ରାମଚନ୍ଦ୍ର ଛୋଟରାୟ

ଦେବର ହୋଇବେ କି ଶରଣ ହେ ।୩୩ ।

 

ଟୀକା - - ଅନଙ୍ଗସଙ୍ଗର - କାମ ଯୁଦ୍ଧ, ଚେଳାଞ୍ଚଳ - କାନି ପଣନ୍ତ, ମୁଖଦ୍ୱିଜରାଜ - ମୁକଚନ୍ଦ୍ର, ପ୍ରାଣପଞ୍ଚକ - ପଞ୍ଚପ୍ରାଣସ୍ୱରୂପ, କଳପବଲ୍ଲରୀ - କଳ୍ପଲତା, ସାମ୍ରାଜ୍ୟବିଭୂତି - ରାଜ୍ୟର ଐଶ୍ୱର୍ଯ୍ୟ ।

 

ନାୟକର ବିଦେଶରୁ ପତ୍ରଲିଖନ

ରାଗ-କୃଷ୍ଣକଳା

 

ଚିର ପ୍ରବାସରେ ରହିବାରୁ ନାଗରିକ ।

ତୀରପ୍ରହାରେ ମଦନ ହରିଲା ବିବେକ ।

ଦିନୁ ଦିନୁ ତନୁ ହୋଇଥିବାରୁ ଅତି କ୍ଷୀଣ ।

ତନୂଦରୀ ଶ୍ରୀଛାମୁକୁ ଲେଖି ଜଣାଣ ।୧ ।

 

ଚିବୁକ ଚୁମ୍ବନ ଗାଢ଼ ଆଶ୍ଳେଷ ସଂଖୋଳା ।

ଦିବ୍ୟ ଅବଧାନକୁ ଆସିବ ପ୍ରେମଶୀଳା ।

ଅରଜିବା ପାଇଁ ନାନା ଦୁଃସହ ବେଦନା ।

ବରଜିଲି ତୋତେ ଯେଉଁ ଦିନୁ ଚୁନ୍ଦ୍ରାନନା ।୨ ।

 

ଲଭିବାର ଦୁଃଖରାଶି ଡରି ନ ଲେଖିଲି ।

କିଶୋରୀ ତୁ ପଡ଼ି ଶୋକେ ସଡ଼ିଯିବୁ ବୋଲି ।

ତୁ ସାର ହୋଇ ନ ଥିବା ସକାଶୁଁ ମୋ ପାଖେ ।

ପୂଷାରଠାରୁ ମୋ ଭୀତି ତୁଷାରମୟୁଖେ ।୩ ।

 

ମାରୁଚି ନ ବୋଲି ତା କରକୁ ବଡ଼ଲୋକେ ।

ମରୀଚି ବୋଲନ୍ତି ସତେ କେଡ଼େ ଅବିବେକେ ।

ସ୍ୟନ୍ଦନଚରଣ ଚାରୁ ନିତମ୍ୱବତି ରେ ।

ଚନ୍ଦନର ବନ୍ଦନ ମୁଁ ନ କଲି ଭୀତିରେ । ୪ ।

 

କାଳପାଶ ଘେନି ହୋଏ ମରୁତ ତ କାଳ ।

କେହି ନ ବୋଲେ ଏ ମନ୍ଦ ମରୁ ତତକାଳ ।

ସ୍ତବକିତ ମଞ୍ଜରୀରେ ନବ କିଶଳୟ ।

ନେବ କି ପରାଣ ପରି ଜାତ କରେ ଭୟ । ୫ ।

 

ତୋ ଗିର ସ୍ମରଣୁଁ ସ୍ନେହ ନାହିଁ କୀରବରେ ।

କର୍ଣ୍ଣେ ବଜ୍ରବୁଦ୍ଧି ହୋଏ ଶୁଣି ପିକବରେ ।

ମନୁ ନାଶ ନୋହିବାରୁ ଅନିଷ୍ଟଶଙ୍କାର ।

ଭ୍ରମରୀତି ହେତୁ ହେଲା ଭ୍ରମରୀଝଙ୍କାର । ୬ ।

 

ଆହାରେ ରୁଚିରଦେହା ଡାକ ବିନା କେବେ ।

ଆହାରେ ରୁଚି ଥିବାର ନ ଜାଣଇ ଲବେ ।

ମଜ୍ଜାସାର ତ ଅସାର ହେଲାନି ବିକଳେ ।

ସରସ କଞ୍ଜହିଁ ବହି ନୋହେ ହୃଦସ୍ଥଳେ ।୭ ।

 

ଜୀବ ଯିବ ବୋଲି ଚିନ୍ତା ନାହିଁ ଚିତ୍ତେ ମୋର ।

ଜୀବଂଜୀବ ମୋ ନେତ୍ର ତୋ ମୁଖ କଳାକାର ।

ତାହା ଦରଶନ ବିନା ମାରିବାକୁ ମୋତେ ।

ଯାହା ଦରପଣ ମାର ଦେଖାଇ ନିରତେ । ୮ ।

 

ବିଷାଇ ତୋ ମାର୍ଦବ ଶ୍ରୀଅଙ୍ଗସ୍ରୁତ ଗରେ ।

ସାରି ଦେଲାନାଟି କୋଟି ଶରପ୍ରୟୋଗରେ ।

ବଞ୍ଚିବିଟି କେହି ରେ ବିପଞ୍ଚୀଜିଣାବାଣୀ ।

ସଞ୍ଚି ରୋଷ ବିରଞ୍ଚି କି ଦଣ୍ଡ ଦେଲା ଆଣି । ୯ ।

 

ନିରତେ ମୋ ହୃଦ ରଙ୍ଗସ୍ଥଳୀ ମଧ୍ୟେ ରହି ।

ନାଚିବାରୁ ପାଚିବା ରୁଚକସ୍ତନା ତୁହି ।

ତୋ ଲାବଣ୍ୟ ବିନା ଆଉ ଇତର ନ ଦିଶେ ।

କି ମୋହନମନ୍ତ୍ର ସିନ୍ଧୁ ଭିତରେ ନ ଦିଶେ ।୧୦ ।

 

ନୟନ ବୁଜିଲେ ଦିଶୁ ମୋ ଅନ୍ତଃକରଣ ।

ଚାହିଁଲେ ଚିତ୍ରିତ ଦିଶୁ ହରିତବରଣେ ।

ପ୍ରିୟ ଆଳୀ ଜଣେ ମାତ୍ର ସମୀପେ ରୁହାଇ ।

ଯାଇ ଜାଲି ଯବନିକାପାଶେ ଉଭା ହୋଇ ।୧୧।

 

କୁସୁମମଣ୍ଡପେ ମୁଁ ଏକାନ୍ତେ ଥିବା ଜାଣି ।

ନ ଜାଣିଲା ହୋଇ କହିବାର ରସ ବାଣୀ ।

ରସାଇ ସଖୀକି କରିବାର ପରିହାସ ।

ମିଶାଇ ତହିଁରେ ମୁଁ ଶୁଣିବାଭଳି ହାସ ।୧୨ ।

 

ମଞ୍ଜୁଆତି ବିନ୍ଦୁ ରାଗମଞ୍ଜୁଳ ଅଙ୍ଗୁଳି ।

ଗଳାଇ ପରଦା ରନ୍ଧ୍ରେ କରାଇବା କେଳି ।

କେଡ଼େ ଉଚ୍ଚସ୍ୱରେ କହୁଚି ମା କଥା ବୋଲି ।

ଜାଲିମାର୍ଗେ ଅନାଇଁ ନଚାଇ ଚାରୁ ଚିଲ୍ଲୀ ।୧୩ ।

 

ଫିଙ୍ଗି ମୋ ବଦନେ ନେତ୍ର ଇନ୍ଦୀବରବର ।

ଅମନ୍ଦ କନ୍ଦର୍ପ ମନ୍ଦସ୍ମିତ ବିହିବାର ।

କହ କହ ସଖି କେହି ନାହାନ୍ତି ତ ବୋଲି ।

ସଖୀକି ଦେବାର ଶାଢ଼ୀବାଡ଼ଦିଗେ ପେଲି ।୧୪ ।

 

ପୁଣି ସବୁ ସଖୀଙ୍କି ଡକାଇ କରି ସଭା ।

କରକଞ୍ଜ ଖଞ୍ଜି ଜନମାଇ ବୀଣାଶୋଭା ।

ଝରାଇ ସୁବର୍ଣ୍ଣ କର୍ଣ୍ଣସୁଧା ଝରିବାର ।

କିନ୍ନରୀ ଗାରିମା ଶିରୀ ଚୋରି କରିବାର ।୧୫ ।

 

ମୁଁ ମିଳୁ ମନ୍ଦାକ୍ଷେ ହସି ରସନା କାମୋଡ଼ି ।

ରସନା ବଜାଇ ତଳ୍ପେ ବିପଞ୍ଚୀ କଚାଡ଼ି ।

ପଳାଇ ଯିବାର ମଦ କଳହଂସ ପରି ।

ଦେଲା ପରି ମୋ ନୟନେ ଘନସାର ଚୂରି ।୧୬ ।

 

ନେତ୍ରାଞ୍ଚଳେ ଚାହିଁ ପରକାଶି ଦର ସ୍ମିତ ।

ଏ ଜୀବ ଥିବାରେ କି ପାସୋରି ପାରେ ଚିତ୍ତ ।

ଚରମାଦ୍ରି ଚୂଳକୁ ଚୁମ୍ୱନ୍ତେ କରମାଳୀ ।

ପେଷି ବିଚକିଳକଳିକୁଳେ କରମାଳି ।୧୭ ।

 

ତୁଙ୍ଗ ଝରାରେ ମିଶାଇ ପୁଷ୍ପଚୟ ତୋଷି ।

ହେଲି ବାରି ନ ଘେନିବେ ବୋଲି ଆଉ ଭାଷି ।

ସେ ଇଙ୍ଗିତ ଭଙ୍ଗି ଶୁଭାଙ୍ଗୀର ତରକଇ ।

ଅଧ ଉର୍ଦ୍ଧ୍ୱେ ସାତଗୋଟି ପଙ୍କଜ ରଖଇ ।୧୮ ।

 

ତଳକୁ ରହଇ ତହିଁ ଯେଉଁ ଦୁଇ ଗୋଟି ।

ଗୋଟି ଗୋଟି କରେ ଚୁମ୍ୱ ଦିଏ କୋଟି କୋଟି ।

ଦିନେ ଦିନେ ଦିନାନ୍ତରେ ଆଜନମସୁଖୀ ।

ପରିଜନ ବିନା ମୁଁ ଏକାନ୍ତେ ଥିବା ଦେଖି ।୧୯ ।

 

ସ୍ନେହସ୍ରୋତେ ଭାସିବା ମାନସ ନ ସମ୍ଭାଳି ।

କରାଇ ଅଧରେ ଜ୍ଞାନହଜା ହାସ କେଳି ।

କମ୍ପାଇ ତାଟଙ୍କ ମୋତିଝୁମ୍ପା ଅପ୍ରକଟେ ।

ଝମ୍ପାଇ ଶ୍ରୁତିକି ଲୋଳ ନେତ୍ରଖଞ୍ଜରୀଟେ ।୨୦ ।

 

ଶ୍ରବଣେ କିଛି କହିବା କପଟରେ ଆସୁ ।

ସ୍ନେହରେ ମୋ ଗଣ୍ଡେ ଚୁମ୍ୱକଦମ୍ୱ ବରଷୁ ।

ଧନ ତୋ ଏ ଅବଧାନ ଭାବିଲା ଉତ୍ତାରୁ ।

ନ ଫାଟେ ଯା ଛାତି ଏ ନିରାଟ ବଜ୍ରଠାରୁ ।୨୧।

 

ଇନ୍ଦ୍ରହିଁ ହେଲେ ଏହାକୁ ନିଜାସ୍ତ୍ର ନ କରେ ।

ଶଚିର ଚିରବିରହ ସହିବା ଭୟରେ ।

ପୂର୍ବ ଶୁଦ୍ଧାନ୍ତ ପ୍ରାସାଦେ କୁହୁନିଶାନନେ ।

ଉଭା ହୋଇଥିଲୁ ନୀଳ ଚୋଳ ପିନ୍ଧି ଦିନେ ।୨୨ ।

 

ମସାଲ ପ୍ରଦୀପ କିଛି ନ ଥିଲା ହାଜର ।

ମୁଁ ମଧ୍ୟ ମଣ୍ଡପେ ଥିଲି ପଡ଼ିଲା ନଜର ।

ତୋ ମୁଖମଣ୍ଡଳ ବୋଲି ନୋହିଲା ବିବେକ ।

ସେ ନିଶାରେ କଲି ରାଜା ବ୍ୟବହାର ଯାକ ।୨୩ ।

 

ତମମୁଖ ଉଚ୍ଛିଷ୍ଟ ସମାନ କଲେ ଘେନି ।

ବିମ୍ୱପ୍ରତି ବିମ୍ୱାଧରା ହୋଇଲୁ ମାନିନୀ ।

ଗରି ମାଡ଼ିପଡ଼ି ନାଡ଼ି ଛାଡ଼ି ଗଲା ପରି ।

ଗିରିଜେମାବରପର ଶରେ ଗଲି ସରି ।୨୪ ।

 

ଜଣାଇଲି ଚିବୁକରେ କରନ୍ୟାସ କରି ।

ତୁ ମୋ ଧନୀ ପରା ସୁନାଗୋରି ସୁକୁମାରି ।

ଦାସୀମାନଙ୍କରେ ଜଣେ ମୁଁ ପରା ତୋହର ।

ଭାସିଯିବି ସିନା ହେଲେ କରୁଣାନ୍ତ ହର ।୨୫ ।

 

ମୁଁ ତୋ ପଦକଞ୍ଜ ଅଲକତ ଚିତ୍ରକରା ।

ତୁ ମୋ ମଉଳି ଭୂଷଣ ଚମ୍ପାଝରା ପରା ।

ତଳକୁ ଅନାଇ ନ ଚାହୁଁଛୁ ଯାହା ମୋତେ ।

ନୀଳକୁନ୍ତଳା ମୋ ଭାଗ୍ୟମୂଳ କେ ଜଗତେ ।୨୬ ।

 

ଶୁଣି ଗୁଣବତୀ ଗେଲେ ଗୁମାନ ଛାଡ଼ିଲୁ ।

ପୁଣି ହସି ସ୍ତନଯୁଗେ ଜଡ଼ାଇ ଭିଡ଼ିଲୁ ।

ପ୍ରସାଦ ମୋ ଦିବସ ମନକୁ ରିଝାଇଲୁ ।

ପ୍ରାସାଦେ ମୁଁ ସିନା ଥିଲି ବୋଲି ବୁଝାଇଲୁ ।୨୭ ।

 

ବଡ଼ ସାର ବଡ଼ଭୀରେ ବରଷାର କାଳେ ।

ବସିଥିଲୁ ଗବାକ୍ଷ ସମୀପେ ମୋର କୋଳେ ।

ପରିବୃଦ୍ଧ ସରିତଲହରୀ ଦୂରେ ଚାହିଁ ।

ଏମନ୍ତ ଭାଷିଲୁ ପରିଣତ ଚାନ୍ଦମୁହୀଁ ।୨୮ ।

 

ତୀରତରୁମାନଙ୍କର ସାର ନେବ ଧନୀ ।

ମୁଁ ବୋଇଲି ଅନ୍ତରୁ ତୁ ଫେରାଅ ଭାବିନି ।

ଚତୁରୀ ତହିଁକି ହସି କହିବା ଭାରତୀ ।

କତୁରି ପକାଉଛି ମୋ ଅନାରତେ ଧୃତି ।୨୯ ।

 

ଦିନେ ସ୍ମରବଶେ କରକଞ୍ଜ ଯା ଧଇଲି ।

ଥରେ ମୋହପରି ହେବୁ ଛଇଳା ବୋଇଲି ।

ତହିଁକି ଭାଷିଲୁ ହସି ଉରେ କର ତାଡ଼ି ।

ଦଶନାନ୍ତେ ରସନା ପଲ୍ଲବାଞ୍ଚଳେ ଭିଡ଼ି ।୩୦ ।

 

ମେଧାରେ ଧିଷଣ ବଳେ ବାଳି ରୂପେ କାମ ।

ସଙ୍ଗୀତେ ଗନ୍ଧର୍ବ କ୍ଷମାଗୁଣେ କ୍ଷମୋପମ ।

ମୋ ଛାର କିଶୋରୀ ତୁମ୍ଭପରି କେହି ହେବି ।

ଏତେ କହି ଖେଳିଲୁ ମୋ ଛାତିରେ ବାନ୍ଧବି ।୩୧।

 

ହୋଇଗଲା ବିରତ ମଞ୍ଜୀର ମଞ୍ଜୁରବ ।

ମେଖଳା କିଙ୍କିଣୀ କଲା ଶ୍ରବଣ ଉତ୍ସବ ।

ମେରୁଯୁଗ କମ୍ପିଲା ତଳକୁ କରି ଚୂଳ ।

ବିଷ୍ଣୁପଦେ ଲମ୍ୱି ମନ୍ଦାକିନୀ ହେଲା ଲୋଳ ।୩୨ ।

 

ଶଙ୍ଖଶିଖେ ଶଶୀ ଶଶୀଦଇ ପାଖେ ରହି ।

କମ୍ପିଲେ ଭାର୍ଗବ କବି ତରଳତା ବହି ।

ଝଲକା ମୋତିରେ କରି ଲବଳୀ ବିଶ୍ୱାସ ।

ଝାମ୍ପି ଫେରିଲା ଖଞ୍ଜନ ଆଗେ ଚାହିଁ ପାଶ ।୩୩ ।

 

ଚାମୀକର କର ଚଞ୍ଚୁପୁଟରେ ଲବଳୀ ।

ଧରି ପ୍ରମୋଦରେ ତାକୁ ଖେଳାଇଲା ଦୋଳି ।

ଝାମ୍ପି ନ ପାରିଲା ପକ୍ୱବିମ୍ୱ ତାହା ତଳୁ ।

ଛାଡ଼ି ନ ପାରିଲା ଆଶା ଲବଳୀ କବଳୁ ।୩୪ ।

 

ବିପରୀତ କାଳ ହୋଇବାରୁ ପରବେଶ ।

ବିପରୀତ ରୀତିଯାକ ହୋଇଲା ପ୍ରକାଶ ।

ଆରମ୍ଭିଲା ନରତନ କି ଯତନ କରି ।

କନକ କେତକୀ ଦଳେ କଳା ନାଗ ପରି ।୩୫ ।

 

ସେ ସମୟ ମିଶି ରସ ବରଷା ସଙ୍ଗରେ ।

ପୂରିଗଲା ଚନ୍ଦନ ମାରୁତ ତରଙ୍ଗରେ ।

ନିଦାଘରେ ଲୁଳି କେଳି କନକମଞ୍ଜରୀ ।

ଜମିଗଲା ଗାଢ଼େ ଦ୍ରୁମେ ଅବଲମ୍ୱ କରି ।୩୬ ।

 

ସେ ସୁଭାଗ୍ୟ ସୁଖସ୍ୱର୍ଗ ସମ୍ପତ୍ତି ସ୍ମରଣୁ ।

ନ ଦିଶଇ ମୋତେ ଆନ ଉପାୟ ମରଣୁ ।

କରିବି କି ବୁଦ୍ଧିରେ ସୁବୁଦ୍ଧି ରାମାବର ।

ବରଷ ଶତ ହେଲାନି ତ୍ରୁଟିକ ମାତର ।୩୭ ।

 

ତରଳି ଗଲାନି ଭୟେ ମଜ୍ଜାନବନୀତ ।

ନିତମ୍ବନୀମଣି ପରା ତୁହି ମୋ ଜୀବିତ ।

ବିତରଣ କରି ଦନ୍ତଚେଳୁଁ ସୁଧାରସ ।

ରସନାକୁ ଯେବେ ମୋର କରିବୁ ସନ୍ତୋଷ ।୩୮ ।

 

ତୋ ସକାଶୁଁ ସିନା ମୁଁ ତରୁଣ ପୁରନ୍ଦର ।

ଦରକଣ୍ଠି ନୋହୁ ତୁ ମୋ ପରାଣୁ ବାହାର ।

ହାର ମଧ୍ୟ ତରଳ ମୁଁ କେହି ତୋତେ କରି ।

କରଗତ ହେବି କେଳିବିପିନବିହାରୀ ।୩୯ ।

 

ହାରି ଜୁହାରିବ ଦୂରୁ ପ୍ରସୂନପ୍ରହର ।

ହର ପ୍ରସାଦୁଁ ଏ ଭାଗ୍ୟ କେବେ ହେବ ମୋର ।

ତୋ ଶ୍ରୀହସ୍ତ ପ୍ରତିଲେଖ ଦରଶନାବଧି ।

ରଖିଅଛି ଜାଣ ପ୍ରାଣ ଲାବଣ୍ୟବାରିଧି । ୪୦ ।

 

ତୁ ତ ଗୁଣଗଣମଣି ମଞ୍ଜୁଷ ମୋ ବନ୍ଧୁ ।

ବିଶେଷ ଅରଜି କିସ ଦେବି ରସସିନ୍ଧୁ ।

ଶୁଣ ହେ ରସିକବରେ ହୋଇ ପୂର୍ଣ୍ଣମୋଦ ।

ଜଳନ୍ତର ବସୁନ୍ଧରାକପଟକ୍ଷୀରୋଦ ।୪୧ ।

 

ତହିଁ ଚିତ୍ରସୁଧାକର ରାମଚନ୍ଦ୍ର ଦେବ ।

କଳପନା କଲେ ଏ ଶ୍ରବଣ ମହୋତ୍ସବ ।

ହେବ ଏ ନିଖିଳ ତୃଷାଭୟନିବାରିଣୀ ।

ଦୁଃଖ ନିବେଦନ ରସାମୃତତରଙ୍ଗିଣୀ । ୪୨ ।

 

।୧ । ତନୂଦରୀ - କ୍ଷୀଣୋଦରୀ ।୩ । ତୁ ସାର ହୋଇ ନ ଥିବା ସକାଶୁଁ - ତୁ ସ୍ଥିର ହୋଇ ମୋ ସାଙ୍ଗରେ ନ ଥିବାରୁ । ପୂଷା - ସୂର୍ଯ୍ୟ, ତୁଷାରମୟୁଖେ - ଚନ୍ଦ୍ରଠାରେ । ୪ । ମାରୁଚି - ମାରୁଅଛି ବା ମାରଣା, କର - କିରଣ, ମରୀଚି - କିରଣ, ସ୍ୟନ୍ଦନଚରଣ ଚାରୁ ନିତମ୍ବବତିରେ - ହେ ରଥଚକ୍ରପରି । ମନୋହର ନିତମ୍ବଯୁକ୍ତା । ୫ । କାଳପାଶ - ପ୍ରାଣବିନାଶକ ପାଶ, ମରୁତ ତ କାଳ - ପବନ ପ୍ରତ୍ୟକ୍ଷ ଯମ ପରି, କେହି ... କେହି କହେ ନାହିଁ, “ଏ ମନ୍ଦ ତତ୍କାଳ (ସାଙ୍ଗେ ସାଙ୍ଗେ) ମରୁ ।” ସ୍ତବକିତ ମଞ୍ଜରୀ - ପେନ୍ଥା ପେନ୍ଥା ହୋଇଥିବା ଫୁଲକଢ଼, କିଶଳୟ - ନୂଆପତ୍ର । ୬ । କୀରବରେ - ଶ୍ରେଷ୍ଠ ଶୁକଠାରେ, ପିକବରେ - କୋକିଳଠାରେ । ଭ୍ରମରୀତି ହେତୁ - ଭ୍ରାନ୍ତିପୂର୍ଣ୍ଣ ଧାରଣାର କାରଣ ।୭ । ରୁଚିରଦେହା - ସୁନ୍ଦରୀ, ଆହାରେ ରୁଚି - ଖାଦ୍ୟରେ ଅଭିଳାଷ, ମଜ୍ଜାସାର - ଅନ୍ତଃକରଣଶକ୍ତି, ଅସାର - ଦୁର୍ବଳ, କଞ୍ଜପଦ୍ମ । ୮ । ଜୀବଂଜୀବ - ଚକୋର, କଳାକର - ଚନ୍ଦ୍ର, ଦରପଣ - ଭୟ, ମାର - କନ୍ଦର୍ପ । ୯ । ବିଷାଇ - ବିଷଲିପ୍ତ କରାଇ, ମାର୍ଦବ ଶ୍ରୀଅଙ୍ଗସ୍ରୁତ ଗରେ - କୋମଳତାପୂର୍ଣ୍ଣ ସୁନ୍ଦର ଅଙ୍ଗରୁ ଗଳିତ ବିଷରେ । ବିପଞ୍ଚୀଜିଣାବାଣୀ - ବୀଣାଜିଣାବଚନା, ବିରଞ୍ଚି - ବ୍ରହା ।୧୦ । ପାଚିବା ରୁଜକସ୍ତନା - ପାଚିଲା ଟଭାଫଳ ପରି ସ୍ତନ ଯାହାର ।୧୧ । ଜାଲି ଯବନିକା - ଝାଲର ପରଦା ।୧୨ । ରସବାଣୀ - ରସପୂର୍ଣ୍ଣ କଥା ।୧୩ । ଚାରୁଚିଲ୍ଲୀ - ସୁନ୍ଦର ଭୁଲତା ।୧୪ । ନେତ୍ରଇନ୍ଦୀବରବର - ସୁନ୍ଦର ନେତ୍ରରୂପ ନୀଳପଦ୍ମ । ଶାଢ଼ୀବାଡ଼ ଦିଗେ - ପରଦା ଆଡ଼କୁ ।୧୫ । କରଞ୍ଜଖଞ୍ଜି ଜନମାଇ ବୀଣାଶୋଭା - ହସ୍ତପଦ୍ମରେ ବୀଣା ଧରି ।୧୬ । ମନ୍ଦାକ୍ଷେ - ଲଜାରେ, ରସନା - ଜିହ୍ୱା ଓ କଟିଭୂଷଣ କାଞ୍ଚୀଦାମ, ତଳ୍ପେ - ବିଛଣାରେ । ବିପଞ୍ଜୀ - ବୀଣା, ଘନସାର - କର୍ପୂର ।୧୭ । ଚରମାଦ୍ରିଚୂଳକୁ - ଅସ୍ତପର୍ବତ ଶିଖରକୁ, କରମାଳୀ ସୂର୍ଯ୍ୟ ଓ ହାତରେ ଧରିଥିବା ମାଳା, ବିଚକିଳକଳିକୁଳେ - ମଲ୍ଲୀଫୁଲ କଢ଼ିମାନଙ୍କରେ ।୧୮ । ତୁଙ୍ଗଝରା - ବଡ଼ ବଡ଼ ଫୁଲତୋଡ଼ା, ହେଲି ବାରି ନ ଘେନିବେ - -ମୁଁ (ଚାରିଦିନ) ପୃଥକ୍ ହେଲି, ସାତଗୋଟି ପଙ୍କଜ - ଏକ ମୁଖ, ଦୁଇ କର, ପାଦ ଓ ସ୍ତନ ସଦୃଶ ।୧୯ । ପରିଜନ - ଭୃତ୍ୟାଦି ଅନୁଚର ।୨୧ । ଚୁମ୍ବକଦମ୍ବ - ଚୁମ୍ବନସମୃହ, ନିରାଟ - ନିଷ୍ଠୁର, କର୍କଶ ।୨୨ । ଏହାକୁ - (ଏଠାରେ ହୃଦୟକୁ) ପୂର୍ବଶୁଦ୍ଧାନ୍ତ ପ୍ରାସାଦେ - ପୁରୁଣା ଅନ୍ତଃପୁର କୋଠାରେ, କୁହୁନିଶାନନେ - ଅମାବାସ୍ୟାର ସଞ୍ଜବେଳେ, ନୀଳଚୋଳ - ନେଳିଆ ଲୁଗା।୨୩ । ରାକାପୂର୍ଣ୍ଣିମା ରାତି, ତୋ ମୁଖ ଚନ୍ଦ୍ରପରି ହୋଇ ଅମାବାସ୍ୟା ଅନ୍ଧକାର ଦୂରକରି ଦେବାରୁ ।୨୪ । ତମମୁଖ ଉଚ୍ଛିଷ୍ଟ - ରାହୁ ମୁହଁର ଅଇଁଠା - ଚନ୍ଦ୍ର; ଗିରିଜେମାବରପର - ଶିବଶତ୍ରୁ କନ୍ଦର୍ପ ।୨୫ । କରୁଣାନ୍ତ ହର - ନିର୍ଦ୍ଦୟତା ଦୂର କର ।୨୭ । ପ୍ରସାଦୁଁ - ଅନୁଗ୍ରହ କରି, ରିଝାଇଲୁ - ରଞ୍ଜାଇଲୁ, ପ୍ରାସାଦେ - କୋଠାରେ ।୨୮ । ବଡ଼ସାର ବଡ଼ଭୀରେ - ଅତ୍ୟୁନ୍ନତ କୋଠାରେ, ଗବାକ୍ଷ - ଝରକା, ପରିବୃଦ୍ଧସରିତଲହରୀ - ବଢ଼ିଥିବା ନଈର ଢେଉ ।୨୯ । ଧୁନୀ - ନଦୀ, ଭାବିନି - ହେ ରମଣି, ବୋଇଲି - ତୋ କହିବା ଧାଡ଼ିଟିକୁ ଶେଷ ଆଡ଼ୁ ପଢ଼ ‘ନିଧୁବନେରସ', ଥରେ ମୋହ ପରି ହେବୁ - ପୁରୁଷାୟିତ ରତି ପ୍ରଦାନ କରିବୁ, ଦଶନାନ୍ତେ ... ଦାନ୍ତରେ ଓ୦ କାମୁଡ଼ି ।୩୧ । ମେଧାରେ - ବୁଦ୍ଧିରେ, ଧିଷଣ - ବୃହସ୍ପତି, ବାଳୀ - ମର୍କଟରାଜ, ରୂପେ କାମ - ସୌନ୍ଦର୍ଯ୍ୟରେ କନ୍ଦର୍ପପରି, କ୍ଷମୋପମ - ପୃଥିବୀ ପରି ।୩୨ । ମଞ୍ଜୀର - ନୂପୁର, ମଞ୍ଜୁରବ - ମନୋହର ଧ୍ୱନି, ମେଖଳାକିଙ୍କିଣୀ - କଟୀ ଅଳଙ୍କାରର ଘୁଙ୍ଗୁଡ଼, ବିଷ୍ଣୁପଦ - ଆକାଶ, ଶୂନ୍ୟ ମନ୍ଦାକିନି - ସ୍ଵର୍ଗଗଙ୍ଗା ଓ ହାର, ଲୋଳ - ଚଞ୍ଚଳ ।୩୩ । ଶଙ୍ଖଶିଖେ ଶଶୀ - ଗ୍ରୀବାରୂପ ଶଙ୍ଖ (କମ୍ଭୁ) ଉପରେ, ମୁଖରୂପ ଶଶୀ (ଚନ୍ଦ୍ର), ଶଶୀ ଦୁଇ ପାଖରେ (ମୁଖ ଦୁଇ ପାଖରେ ) ( ଭାର୍ଗବ କବି-ଶୁକ୍ର ସୂର୍ଯ୍ୟ ରୂପୀ କର୍ଣ୍ଣଭୂଷଣ) ତରଳତା ବହି ଚଞ୍ଚଳ ହୋଇ କମ୍ପିଲେ । ଝଲକା ମୋତିରେ - କାନଫୁଲରେ ଲାଗିଥିବା ମୁକ୍ତାରେ, ଲବଳୀ - ନରକୋଳି, ଖଞ୍ଜନ - ନୟନରୂପ ଖଞ୍ଜନ ପକ୍ଷୀ, ପାଶ - (ଏଠାରେ) ପର୍ଣ୍ଣରୂପ ।୩୪ । ଚାମୀକରକର ଚଞ୍ଚୁପୁଟରେ - ସୁବର୍ଣ୍ଣ ତେଜୋମୟ ଥଣ୍ଟରେ (ନାସିକାଦଣ୍ଡି ରୂପ), ପକ୍ୱବିମ୍ବ - ପାଚିଲା ବିମ୍ବଫଳ (ଅଧରରୂପ), ଲବଳୀକବଳୁ - ନରକୋଳିଫଳ ଭକ୍ଷଣରୁ ।୩୫ । କନକକେତକୀଦଳେ କଳାନାଗପରି - ସୁନାରଙ୍ଗର କେତକୀ ପତ୍ରରେ କଳାନାଗ ପରି ପୃଷ୍ଠଦେଶରେ ବେଣୀ ନୃତ୍ୟ କଲା ।୩୬ । ରସବରଷାସଙ୍ଗରେ - ଜଳବୃଷ୍ଟି ସହିତରେ ଅଥଚ ଶୃଙ୍ଗାରରସମୟ ଯୁଦ୍ଧରେ, ଲୁଳି - କ୍ଲିନ୍ନ ହୋଇ, କନକ ମଞ୍ଜରୀ - ସ୍ଵର୍ଣ୍ଣବର୍ଣ୍ଣ କଳିକା ଅର୍ଥାତ୍ ତତ୍‍ସଦୃଶୀ କିଶୋରୀ, ଦୁମ - ବୃକ୍ଷ ଅଥଚ ଦ୍ରୁମରୂପୀ ପୁରୁଷ ।୩୭ । ତୃଟି - କ୍ଷଣକାଳ, ମଜ୍ଜାନବନୀତ - ଅନ୍ତଃକରଣ-ରୂପ ଲହୁଣୀ, ନିତମ୍ବିନୀମଣି - ରମଣୀମଣି, ଦନ୍ତଚେ - ଅଧରରୁ ।୩୯ । ତରୁଣପୁରନ୍ଦର - ଯୁବକଶ୍ରେଷ୍ଠ, ଦରକଣ୍ଠି ! ହେ କୁମ୍ଭକଣ୍ଠି ତରଳ - ହାରମଧ୍ୟ ମଣି । ୪୦ । ପ୍ରସୂନପ୍ରହର - କନ୍ଦର୍ପ । ୪୧। ଅରଜି-ଅର୍ଜି, ପ୍ରାର୍ଥନାପତ୍ର; କମ୍ବୁକଣ୍ଠ କପଟକ୍ଷୀରୋଦ - କପଟ କ୍ଷୀରସମୁଦ୍ର । ୪୨ । ଚିତ୍ରସୁଧାକର - ବିଚିତ୍ର ଚନ୍ଦ୍ରମା, ରସାମୃତତରଙ୍ଗିଣୀ - ଶୃଙ୍ଗାରରସରୂପ ଜଳପୂର୍ଣ୍ଣ ନଦୀ ।

 

ସଂଭୋଗ ଚାଟୁ

ରାଗ-ସମ୍ଭୋଗ ଭୂପାଳ

 

କେଉଁ ରସିକ ବାଳାକୁ କୋଳେ ଧରି ।

କହେ ଚିବୁକେ କର ବିନ୍ୟାସ କରସ ।୧ ।

 

ଶିରୀଷାଙ୍ଗୀ ପ୍ରାଣେଶ୍ୱରୀ ତୁହି ପରା ।

ପରାଣବନ୍ଧୁଆ ମୋ ହୃଦୟ ହାରା ।୨ ।

 

ଚାରୁ ମୋତିଜିତଦନ୍ତୀ ବିମ୍ୱାଧରୀ ।

ଧରିତ୍ରୀମଣ୍ଡନା ମୋ ଲୋଚନଶିରୀ ।୩ ।

 

ଝଳିଗୋରୀ ସୁନୟନା ସୁକୁମାରୀ ।

ବାଳାମଣି ମୋ ଶିରଭୂଷଣଶିରୀ । ୪ ।

 

ମୁହିଁ ତୋ ଚରଣସେବା ନଉକର ।

ତୁ ମୋ ପ୍ରଭୁ ସିନା ନିତମ୍ୱିନୀବର । ୫ ।

 

ବାଳାବଳୟମଉଳି ଅଳଙ୍କାର ।

ରମା ସମାନ ନୋହେ ଶୋଭାକୁ ତୋର । ୬ ।

 

ଯୋଗୀଯୋଗଧ୍ୱଂସିନୀ ରେ ଜୀବବନ୍ଧୁ ।

ବନ୍ଧୁଜୀବଅଧରା କରୁଣାସିନ୍ଧୁ ।୭ ।

 

କେଶ ସମ ନୋହିବାରୁ ନବଘନ ।

ନୀରଛଳେ ମୁଞ୍ଚେ ଅଶ୍ରୁ ଘନ ଘନ । ୮ ।

 

ମନମୋହନା ନବୀନା ମଦାଳସୀ ।

ତୋର ବଦନ ସଦୃଶ ନୋହେ ଶଶୀ । ୯ ।

 

ନାସା ଶୋଭାକୁ କାହାକୁ ଲକ୍ଷି ପାରି ।

ତିଳତିଳକ ତିଳକେ ନୋହେ ସରି ।୧୦ ।

 

ନେତ୍ର ତୁଲ୍ୟ ନୋହିବାରୁ ଇନ୍ଦୀବର ।

ଭୟେ ପଳାଇ ବନରେ କଲା ଘର ।୧୧ ।

 

ଭୂରୁଧନୁ କଜ୍ଜଳ ଗୁଣରେ ରାଜେ ।

ଚାହିଁ ଯତୀନ୍ଦ୍ର ତପଗରବ ଭାଜେ ।୧୨ ।

 

ଦିବ୍ୟ ଝଳିମନ୍ତ ତୋର ଗଣ୍ଡସ୍ଥଳୀ ।

ମାରମୁକୁର ଛାର କି ଏହା ଭଳି ।୧୩ ।

 

ନବପଲ୍ଲବେ ତୁଲ୍ୟ କି ତୋ ଅଧର ।

ଏକା ମଧୁମାସେ ସିନା ସେ ମଧୁର ।୧୪ ।

 

ଶ୍ରୁତି ଘଟନା ପାଟଳୀ ନୋହେ ସରି ।

ସ୍ୱର୍ଣ୍ଣତୁଲେ ଗୁଞ୍ଜକୁ ତୁଳିଲା ପରି ।୧୫ ।

 

କମ୍ୱୁକଣ୍ଠତୁଲେ ତୁଲ୍ୟ ହେବା ପାଇଁ ।

ଶମ୍ଭୁଠାବରେ ସେବାରେ ନିତି ଯାଇ ।୧୬ ।

 

ସେ କି ଶିବ ସେବି ସମ ହୋଇପାରେ ।

ଯାହା ଉପମା ନାହିଁ ତ୍ରିପିଷ୍ଟପରେ ।

 

ମଧୁଜିଣାବାଣୀ ଆରେ ଧୀରାବର ।

ସୁଧାଝରୀରୁ ତ ସ୍ୱାଦୁ ଗିର ତୋର ।୧୮ ।

 

ଉଚ୍ଚସ୍ତନା ସୁବରନା ଦିବ୍ୟ ବେଶୀ ।

ଦାସ ସ୍ନେହବତ୍ସଳାରେ ନୀଳକେଶି ।୧୯ ।

 

ପୁର୍ବକାଳ କାଶୀବାସୀ ସେବିବାର ।

ଫଳ ଫଳିଲା କି ଏତେକାଳେ ମୋର ।୨୦ ।

 

ଧରି ଚରଣକଞ୍ଜ ଅଳତା ଦେଲି ।

ଶକ୍ରପଦ ପଦତଳେ ରଖାଇଲି ।୨୧ ।

 

ଗଙ୍ଗାସାଗରେ ମୁଁ ଝାସିଥିବା ଘେନି ।

ମୋର ଅଙ୍କ ଅଳଙ୍କାର ହେଲୁ ଧନି ।୨୨ ।

 

କାମକଳାନିଧି ଆରେ କୃଶୋଦରୀ ।

ଦରିଦ୍ର ମୁଁ ବନ୍ଧୁ କଳ୍ପଲତା ପରି ।୨୩ ।

 

ପରିଣତ କରଜ ସୁବୀଜଦନ୍ତି ।

ଦନ୍ତିରାଜଗମନା ତୁ ମୋ ସମ୍ପତ୍ତି ।୨୪ ।

 

କରିଅରିଜିଣାମଧ୍ୟା ସୁଲକ୍ଷଣା ।

ଚମ୍ପାଦେହା ଚଞ୍ଚଳାକ୍ଷି ବିଚକ୍ଷଣା ।୨୫ ।

 

କଞ୍ଚଚାରୁ ଚରଣାରେ ଚନ୍ଦ୍ରାନନା।

ରମ୍ଭା ଉରୁବଶୀରେ କି ତୋ ଗଣନା ।୨୬ ।

 

ରସନିଧି ତୁ ମୋ ଗଳାମାଳା ସିନା ।

ଗୁଣଜଳଧିରେ ତୁ ମୋ ଗଣ୍ଠି ସୁନା ।୨୭ ।

 

ପଣ୍ଠିତାମଣି ରମଣୀ ଏଣୀଦୃଶୀ ।

ଉମାପତିମୋହିନୀ ରେ କୁନ୍ଦହାସି ।୨୮ ।

 

ନବମାଳୀକରଜା ସୁନ୍ଦରୀରଜା ।

ତୋ ଲାଗିବାସ ଭଳି ମୁଁ ସୁଉରଜା ।୨୯ ।

 

ରସାଳସା ବରଯୋଷା ସୁନୟନା ।

ମୋ ସମସ୍ତ ସଉଭାଗ୍ୟ ତୁହି ସିନା ।୩୦ ।

 

ମୋର ମାଗୁଣି ଗୁଣମଣିକି ଏତେ ।

ସ୍ନେହ କିଣା ନ କରିବୁ କଦାଚିତେ ।୩୧ ।

 

ଏହି ସୁଖେ ମୁଁ ସମୟ ହରୁଥିବି ।

ଚନ୍ଦ୍ରହାରା ପରି ହୃଦେ କରୁଥିବି ।୩୨ ।

 

କ୍ଷଣେ କ୍ଷଣେ କରି ଆନ ଆନ ବେଶ ।

ବ୍ରହ୍ମାନନ୍ଦରେ କରିବି ପରିହାସ ।୩୩ ।

 

ମଣି କଠାଉ ଅଳତା ପରି ଅବା ।

ଲାଗି ପଦତଳେ କରୁଥିବି ସେବା ।୩୪ ।

 

ମୋତେ ଦେଉଥିବୁ ଚୁମ୍ୱ ବରତନ ।

ମୋର ସେହିଟି ସଙ୍ଖାଳି ସୁରତନ ।୩୫ ।

 

ଜଳନ୍ତରଧରାନାଥ ରସବାଣୀ ।

ବୀଣାବିଶାରଦା ମୋଦେ ଶୁଣି ଶୁଣି ।୩୬।

 

ଲାଜମିଶ୍ରିତ ଧଇର୍ଯ୍ୟଧରା ହାସେ ।

ମଣ୍ଡି ଦେଲା କଣ୍ଠକୁ ଶ୍ରୀଭୁଜ ପାଶେ ।୩୭ ।

 

ରାଧାଜନକନନ୍ଦନା ପ୍ରାଣନାଥ ।

ଦୁଇ ପ୍ରଭୁ ପୂର କର ମନୋରଥ ।୩୮ ।

 

। ୪ । ଝଳିଗୋରୀ - ସମୁଜ୍ଜଳ ଗୌରବର୍ଣ୍ଣା । ୫ । ନଉକର - ଚାକର । ୬ । ବାଳାବଳୟମଉଳି - ଅଳଙ୍କାର-ଯୁବତୀସମୂହର ମସ୍ତକଭୂଷଣରୂପା, ରମା - ଲକ୍ଷ୍ମୀ ।୭ । ବନ୍ଧୁଜୀବଅଧରା - ବଧୁଲିଫୁଲ ପରି ରକ୍ତବର୍ଣ୍ଣ ଅଧର ଯାହାର । ୮ । ନବଘନ - ନୂତନ ମେଘ ।୧୦ । ନାସାଶୋଭାକୁ ... ନାସିକା ଶୋଭାକୁ କାହା ସଙ୍ଗେ ତୁଳନା କରିବ ? ତିଳତିଳକ - ଉକୃଷ୍ଟ ରାଶିଫୁଲ, ତିଳକେ - ଅଳ୍ପମାତ୍ରାରେ ସୁଦ୍ଧା ।୧୧ । ଇନ୍ଦୀବର - ନୀଳକଇଁ, ବନରେ - ଜଳରେ ।୧୨ । ଭ୍ରୂଲତାରୂପ ଧନୁ କଜ୍ଜ୍ୱଳରେଖାରୂପ ଗୁଣରେ ଶୋଭାପାଏ ।୧୩ । ଝଳିମନ୍ତ - - କାନ୍ତିଯୁକ୍ତ, ମାରମୁକୁର - କନ୍ଦର୍ପର ଦର୍ପଣ ।୧୪ । ମଧୁମାସ - ବସନ୍ତ ଋତୁ ।୧୫ । ପାଟଳୀ ଫୁଲ ( କର୍ଣ୍ଣ ସଙ୍ଗେ ଉପମିତ ହୁଏ), ଗୁଞ୍ଜ - କାଇଁଚ ।୧୬ । କମ୍ଭୁ - ଶଙ୍ଖ ।୧୭ । ତ୍ରିପିଷ୍ଟପରେ - ତ୍ରିଭୁବନରେ ।୨୦ । କାଶୀବାସୀ - ବିଶ୍ଵେଶ୍ଵର ଶିବ ।୨୧ । ଶକ୍ରପଦ - ଇନ୍ଦ୍ରପଦ ।୨୪ । ପାଚିଲା ଡାଳିମ୍ବ ବୀଜ ପରି ଦନ୍ତ ଯାହାର, ଦନ୍ତରାଜଗମନା - ମତ୍ତହସ୍ତୀର ଗତିପରି ଗତି ଯାହାର ।୨୫ । କରିଅରିଜିଣାମଧ୍ୟା - ସିଂହ କଟିକୁ ଯାହାର କଟି ଜିଣିଅଛି ।୨୮ । ଉମାପତିମୋହିନୀ - ଶିବମୋହିନୀ, କୁନ୍ଦହାସୀ - କୁନ୍ଦଫୁଲ ପରି ହାସ ଯାହାର ।୨୯ । ନବମାଳୀକରଜା - ନିଆଳୀଫୁଲ ପରି କରଜ (ନଖ) ଯାହାର, ଲାଗିବାସ - ପିନ୍ଧାଲୁଗା ! ୩୩ । ବ୍ରହ୍ମାନନ୍ଦରେ କରିବି ପରିହାସ - ବ୍ରହ୍ମ ପ୍ରାପ୍ତିଜନିତ ଦିବ୍ୟ ଆନନ୍ଦକୁ ଉପହାସ କରିବି ।୩୫ । ବରତନ ବେତନ ।

 

ନାୟକର ଚିଟାଉ

(ରାଗ-କେଦାର କାମୋଦୀ)

 

କରି କମଳ ପାଦ ମନରେ ଗୁଣି,

ଧରି କଲମ ଦିବ୍ୟ କାଗଜ ପୁଣି ଯେ ।୧ ।

 

ଅଳପ ରସେ କେଉଁ ନାଗର ବର,

ଜଳଜ-ନେତ୍ରା ଠାକୁ ଲେଖେ ଉତ୍ତର ଯେ ।୨ ।

 

ଶଙ୍ଖ କଣ୍ଠୀରେ ସୁନା କେତକୀ ଦେହା,

ସଙ୍ଖୁଳାଉଛି ଚିତ୍ତେ ଘେନି ମୁଁ ଏହା ରେ ।୩ ।

 

ଘନଜଘନା ଆରେ ଚାନ୍ଦମୁହିଁଟି,

ମନରୁ ତତେ ମୁଁ ପାସୋରି ନାହିଁଟି ରେ । ୪ ।

 

ଦେହରୁ ଯେଉଁ ରୂପେ ଜନ୍ମଇ ସ୍ୱେଦ,

ସ୍ନେହରୁ ଜାତ ହେଉଥାଇ ବିଚ୍ଛେଦ ରେ । ୫ ।

 

ଟେକସ୍ତନାରେ ଝଳି-ଝଲକ-ମୁହିଁ,

ଏ କଥାଟାକୁ ଚିନ୍ତା କରିବୁ ନାହିଁ ରେ । ୬ ।

 

ପ୍ରେମ ଲମ୍ପଟ ଆରେ ରସିକା ସାର,

ଏମନ୍ତ ଚଳୁଅଛି ପାପ ସଂସାର ରେ ।୭ ।

 

ଅସିତକେଶା ଯାଏ ଜନନୀ ପାଶ,

ରସିକ ହେଲେ କରେ ବିଦେଶେ ବାସ ରେ । ୮ ।

 

ଦେହ ମାତ୍ରକ ସିନା ବୋଲାଏ ଭିନ୍ନେ,

ସ୍ନେହ ତ ପୂରିଥାଏ ଦୁହିଙ୍କ ମନେ ରେ । ୯ ।

 

ଦୂରେ ତୁ ଥିଲେ ହେଲେ ପ୍ରାଣ ସଜନୀ,

ଉରେ ଖେଳିଲାପରି ମୁଁ ମନେ ଘେନି ରେ ।୧୦ ।

 

ତୋର ସୁନ୍ଦର ଚନ୍ଦ୍ର ଲେପନ ଠାରୁ,

ଚରଣ ଠାରୁ ଚୁମ୍ୱୁଅଛି ରମ୍ୱୋରୁ ରେ ।୧୧ ।

 

ମଜ୍ଜାଇ ମୋର ଦରଶନରେ ମନ,

ବଜାଇ ଝୁମୁ ଝୁମୁ ପଦ ମଣ୍ଡନ ରେ ।୧୨।

 

ଝୁଲାଇ ବେନି କର୍ଣ୍ଣ ଝଲକା ଭୂଷା,

ଫୁଲାଇ ତିଳଫୁଲ ସଦୃଶ ନାସା ରେ ।୧୩ ।

 

ଅୟନ ମଣ୍ଡୁଥାଏ ଚେଳ ଅଞ୍ଚଳ,

ନୟନ ବେନିକରି ଖେଳ ଚଞ୍ଚଳ ରେ ।୧୪ ।

 

ବିଳସୁଥାଏ ମନ୍ଦସ୍ମିତ ଅଧରେ,

ନୀଳ ସୁନ୍ଦର କେଶା ଆସି ସଧୀରେ ଯେ ।୧୫ ।

 

ଯାହାରେ ଧନ ମୋତେ ଗେଲେ ଜୁହାରୁ,

ବାହାରେ ସ୍ମର ସିଂହ ମନଗୁହାରୁ ରେ ।୧୬ ।

 

ଢାଳି ଆଳବେଲିଆ କୁସୁମ ଗଭା,

ଆଳି ଚରମେ ଢଳି ହେବାର ଉଭା ରେ ।୧୭।

 

ଅନୁସରଣେ ବଶ କରିବା ଭଙ୍ଗୀ,

ତନୁ ମଧ୍ୟମା ଏକା ଜାଣୁ ମୋ ସଙ୍ଗୀ ରେ ।୧୮ ।

 

ତଳ ତଳପେ ବସୁ ମୋ ଆଜ୍ଞା ଘେନି,

ଜଳପୁ କି ମଧୁରେ ଗଢ଼ଗାମିନୀ ରେ ।୧୯।

 

ମନ ମୋହନା କଉତୁକେ ମୋ କୋଳେ,

ଅନଙ୍ଗ ରଙ୍ଗରସେ ଖେଳିବା କାଳେ ରେ ।୨୦ ।

 

ନିବିଡ଼ ରସମୟ ସରୁ ଚୁମ୍ୱନ,

କି ଭିଡ଼ ଆଲିଙ୍ଗନ କି ସୁଖ ଦାନ ରେ ।୨୧ ।

 

ପଦ ମଧ୍ୟମ କରି ବାଜିଣୀ ଭୂଷା,

ନାଦ କି ସୁଖ ଦିଏ ଚମରି ଦୃଶା ରେ ।୨୨ ।

 

କିଙ୍କିଣୀ ନାଦ ପୂରି ମନୋରଥକୁ,

ଝିଙ୍କି ନିଅଇ ସୁଖ ସ୍ୱର୍ଗ ପଥକୁ ରେ ।୨୩ ।

 

ଇତର ସୁଖ ଯେତେ ଜନ୍ମରେ ସଖୀ,

ଚିତ୍ତ ତହିଁକି ତୋର ମୋହର ସାକ୍ଷୀ ରେ ।୨୪ ।

 

ପାସୋରି ପାରିବ କେ ଏ ରସ ମାନ,

କିଶୋରୀ ବର ତୁହି ତୋର ସମାନ ରେ ।୨୫ ।

 

ନିକଟେ ଲଭିବି ମୁଁ ସକଳ ସୁଖ,

ପିକ ବରନା ମନେ ଦୁଃଖ ନ ରଖ ରେ ।୨୬ ।

 

ନିଜ ଆଶ୍ରିତେ ଆଜ୍ଞା ଅନ୍ୟଥା ନୁହେଁ,

ଶ୍ରୀ ଜଗଦ୍ଦେବ ମହୀମହେନ୍ଦ୍ର କହେ ରେ ।୨୭ ।

 

ନାଟକର ଚିଟାଉ

(ରାଗ-କେଦାର କାମୋଦୀ)

 

ସକଳ ଜଳଦର ଦୁରିତ ହାରୀ,

ବ୍ରଜବନ୍ଧୁ ଚରଣ ଶରଣ କରି ରେ ।୧ ।

 

ଏକ ରସିକ ଲଭି ବିରହ ଦୁଃଖ,

ଟେକସ୍ତନା ଛାମୁକୁ ଲେଖଇ ଲେଖ ରେ ।୨ ।

 

ଆରେ ରମଣୀ ମଣି ମୁକୁଟ ମୋତେ,

ବାରେ ନ ପକାଇଲୁ ତୁ ଦିବ୍ୟ ଚିତ୍ତେ ରେ ।୩ ।

 

ଭରେ ଖେଳୁଥାଉ ରେ ଲାବଣ୍ୟନିଧି,

ଦୂରେ ରଖିଲା ତୋତେ ଦାରୁଣ ବିଧି ରେ । ୪ ।

 

ଛାଡ଼ି ରହିବା ଦିନୁ ଛାମୁରୁ ତୋର,

ନାଡ଼ି ମାତ୍ରକ ଲାଗୁଛି ସିନା ମୋହର ରେ । ୫ ।

 

ଈସି ନ ବୋଇଲେ ଉଠି ହେଉ ନାହିଁ,

ନିଶି ଦିନ ନ ଜାଣେ ରେ ଚାନ୍ଦମୁହିଁ ରେ । ୬ ।

 

ବସି ପାରିବା ବଳ ନାହିଁ ରେ ଗୋରୀ,

ଶଶୀ ଦିଶୁଛି ପ୍ରଳୟ ଅନଳ ପରି ରେ ।୭ ।

 

ବହି ଚନ୍ଦନ ଶିଖରୀ ପ୍ରଭଞ୍ଜନ,

ଦହି ପକାଉଅଛି ମୋ ଅପଘନ ରେ । ୮ ।

 

ନୂଆ ପଲ୍ଲବଚୟକୁ ଅତି ଦୂରୁ,

ମୁଁ ଆଖିରେ ଦେଖି ପାରୁ ନାହିଁ ଡରୁ ରେ । ୯ ।

 

ଯମ ରସନା ପରି ସେ ଦିଶୁଅଛି,

ସମରଥପଣ ରଖୁ ନାହିଁ କିଛି ରେ ।୧୦ ।

 

ପିକ ରବ ଯେବେ କାନେ ପଡ଼ୁଅଛି,

କି କରିବଟି ବୋଲି ମୁଁ ସଡ଼ୁଅଛି ରେ ।୧୧ ।

 

ଭୃଙ୍ଗନାଦ ଚୁମ୍ୱିଦେଲେ ଶୃତିପଥ,

ଶୃଙ୍ଗଭଙ୍ଗ ଭୟେ ସୁଖ ମନୋରଥ ରେ ।୧୨ ।

 

କେହି ନଜର କଲେ କୁସୁମ ମାଳା,

ସହି ହୁଏ ମୋ ତାପ ଅନଳ ଜ୍ୱାଳା ରେ, ।୧୩ ।

 

ଦଣ୍ଡେ ପାଶୋରିଲି ନାହିଁ ତୋତେ,

ଗଣ୍ଡେ କେବେ ଚୁମ୍ୱିବି ରେ ବନ୍ଧୁ ସତେ ରେ ।୧୪ ।

 

ଦିଗେ ଦିଗେ ଦିଶୁଛି ଶ୍ରୀମୁଖ ତୋର,

ନିଶେ କର ପକାଉଛି ହର ପର ରେ ।୧୫ ।

 

ମନମଥ ମଦ ଜାତ ମନ୍ଦହାସ

ଧନ ଚୋରି କରିଛଟି ମୋ ମାନସ ରେ ।୧୬ ।

 

ବକ୍ର ନୀଳଚପଳ ଚାହାଣୀ ଭଙ୍ଗୀ

ଶକ୍ର ନ ଦେଖିଥିବେ ରେ ଜୀବସଙ୍ଗୀ ରେ ।୧୭ ।

 

ବନ୍ଧୁମଣି ନିଧୁବନ କାଳ ଖେଳ

ମଧୁ ରସରୁ ମଧୁର ଦନ୍ତଚେଳ ରେ ।୧୮ ।

 

ସ୍ତନ କନକ କଳସ ଆଉଜାଣି

ଜନ ଜନ୍ମକେ ପାରିବ ଆଉ ଆଣି ରେ ।୧୯ ।

 

ଦେବେ ଦୁର୍ଲଭ ତୋର ସଙ୍ଗମ ସୁଖ

କେବେ ମିଳିବ ଏଥି ଉତ୍ତର ଲେଖ ରେ ।୨୦ ।

 

ଲେଖା ବି ନିର୍ମିତ ବର୍ଣ୍ଣଧାଟି ତୋର

ଦେଖା ଯାଏଟି ଜୀବ ଅବଧି ମୋର ରେ ।୨୧ ।

 

କଷ୍ଟ ସରିତ ତରିବି ତା ଦେଖିଲେ,

ଅଷ୍ଟଦୁର୍ଗପୁରନ୍ଦର ବିରଚିଲେ ରେ ।୨୨ ।

 

ନାୟକର ଚିଟାଉ

(ରାଗ-କେଦାର କାମୋଦୀ)

 

କାଗଜ ଦଳ ଅପସରରେ ରଖି,

ଆଗ ଜଗଦ୍ଦୀଶ୍ୱର ଶରଣ ଲେଖି ରେ ।୧ ।

 

ରସିକ-ବର କମ୍ପି ଫୁଲ ବିଶିଖେ,

ଅସିତକେଶା ନାମେ ଚିଟାଉ ଲେଖେ ରେ ।୨ ।

 

ପଙ୍କଜ ନୟନାରେ ଖେଳିବୁ ଚିତ୍ତେ,

ସଙ୍ଖୁଳୁ ଅଛି ଟି ମୁଁ ଅନୁବରତେ ରେ ।୩ ।

 

ଜୁହାର ଘେନି ତୋହଠାରୁ ମଜୁରା,

ମୁଁ ହାର ଆଡ଼ିଆଇ ଭିଡ଼ୁଛି ଧୀରା ରେ । ୪ ।

 

ବସାଇ ହଂସ ତୁଳୀ ବହଳ ଶେଯେ,

ରସାଇ ଚୁମ୍ୱୁଛି ତୋ ବଦନାମ୍ୱୁଜେରେ । ୫ ।

 

ଭୂରୁ-ନର୍ତ୍ତିକା ନାଟ ପଣ୍ଡିତା ତୋର

ଉରୁ ମୂଳରେ ଖେଳାଉଛି ନଖର ରେ । ୬ ।

 

ହାତୀ ଗମନା ଆରେ ମୋ ଜୀବଧନ,

ଛାତିରେ ତୋତେ ଆଉଜାଉଛି ଘେନ ରେ ।୭ ।

 

ପୀୟୁଷ ସମ ସ୍ୱାଦୁ ଅଧର ତୋର,

ପିଉଛି ସୁଧାନିଧି ମୁଁ ନିରନ୍ତର ରେ । ୮ ।

 

ଧନ ରେ ମୋ ପାଶରୁ ହୋଇଲେ ଦୂର,

ମନରେ ମୋର କରିଅଛୁ ମନ୍ଦିର ରେ । ୯ ।

 

ସ୍ମରଉନ୍ମାଦ ଚାଲି ଚାଳି ଚାହାଣୀ,

ସ୍ମରଣାକରି ହୃଦ ହେଉଛି ହାଣିରେ ।୧୦ ।

 

ସଲଜ୍ଜ ରସ ସ୍ୱାଦ ମୃଦୁ ଭାଷରୁ,

ଝଲକ ବରନା ମୋ ବିବେକ ସାରୁ ରେ ।୧୧ ।

 

ରତି-ସମୟ ସୁଖ ପୁଆଉ ଯେତେ,

ଅତିଶୟରେ ଖେଳୁଅଛି ମୋ ଚିତ୍ତେ ରେ ।୧୨ ।

 

ବାଜିବା ଭୂଷା ପ୍ରତି ପ୍ରସରୁ ଥାଏ,

ରାଜୀବାକ୍ଷି ମୋ ଶ୍ରୁତି କି ସୁଖ ପାଏ ରେ ।୧୩ ।

 

ମିଶି ତହିଁରେ ଆ ନା ମଲିଟି ରଖ,

ଇଷି ଏ ଭାଷା ଜାତ କରେ କି ସୁଖ ରେ ।୧୪ ।

 

ବିମ୍ୱଅଧରା ଆରେ ଛଇଳା ମଣି,

ଚୁମ୍ୱସମ୍ଭବ ରବ ତହିଁରେ ପୁଣି ରେ ।୧୫ ।

 

କି ସୁଖ ଦେଉଥାଏ କର୍ଣ୍ଣ ବେନିକି,

ଦିସୁ ନ ନିଏ ତ୍ରିଦିବକୁ ଘେନିକି ରେ ।୧୬ ।

 

ଇନ୍ଦୁରୁ ସୁଧା ପରି ଅତି ନିର୍ମଳ,

ବିନ୍ଦୁ ବିନ୍ଦୁ ଜନମେ ବଦନୁ ଝାଳ ରେ ।୧୭ ।

 

ତିଳକ ଅଧେ ଲିଭି ଅଧେ ପ୍ରକାଶେ,

ଅଳକ ଲୁଳି କେଡ଼େ ସୁନ୍ଦର ଦିଶେ ରେ ।୧୮ ।

 

ଲହସି ଯାଏ ଖୋସା ଖସଇ ଗଭା,

ନ ହସି ରହି ନୋହେ ଚାହିଁ ସେ ଶୋଭା ରେ ।୧୯ ।

 

ନାୟିକାବର ଧରୁଥାଉ ତୁ ଭିଡ଼ି,

ରାଇକା ଶିଥିଳାଏ ମୁଁ କରେ ପୀଡ଼ି ରେ ।୨୦ ।

 

ନିତମ୍ୱ ଜଘନକୁ ବିବାସ ଦେଖି,

ମିତ ମୋ ବୁଜିଦେଉ କି ଲାଜେ ଆଖିରେ ।୨୧ ।

 

ଗଳାମଣ୍ଡଳା ତୁଟି ପଡ଼ନ୍ତେ ଶେଯେ,

କଳା ଚଳାନ୍ତେ ଜ୍ଞାନ ହଜାଉ ଲାଜେ ରେ ।୨୨ ।

 

ତ୍ରପାରେ ବାମକର ନବ ପଲ୍ଲବେ,

ଛପାଇ ମନମଥ ମନ୍ଦିର ଜବେ ରେ ।୨୩ ।

 

ଟେକଉରଜା ତୋଳି ସଜରୁ ହାର,

ଏକ ହସ୍ତରେ କରେ ଶହେ ଜୁହାର ରେ ।୨୪ ।

 

ଆଜ ନଉକରିରେ ଏତିକି ମୁହିଁ,

ହାଜର ହୋଉଅଛି ବୋଲି ଜଣାଇ ରେ ।୨୫ ।

 

ଦଶନେ ତୃଣଧରା ଠାରି ସତ୍ତ୍ୱରେ,

ବସନ ପିନ୍ଧିବାର ଭାବେ ଚିତ୍ତରେ ରେ ।୨୬ ।

 

କୁସୁମ ଆଲଟେ ମୋ ସ୍ୱେଦ ନିବାରି,

କି ସୁଖେ ପହୁଡ଼ାଇ ବର ନାଗରୀ ରେ ।୨୭ ।

 

ଟେକା ଶିଖଣ୍ଡକେଶା ରେ ବରତନୁ,

ଏ କି ପାଶୋର ଯାଏ ରସିକ ମନୁ ରେ ।୨୮ ।

 

ଅଳପ ଦିନରେ ମୋ ଜୀବ ଜୀବନ,

ତଳପ ତଳର ମୋ ହେବୁ ମଣ୍ଡନ ରେ ।୨୯ ।

 

କାନ୍ତ ସୀମନ୍ତମଣି ତୁ ମନେ ଲବେ,

ଚିନ୍ତା କରିବୁ ନାହିଁ ତୁ ନିରାଶ ଭାବେ ରେ ।୩୦ ।

 

ମାନସେ କରିଅଛୁ ଯେଉଁ କାମନା,

ଧାନ ସମାନ ହେବ ନାହିଁ ତା ମନାରେ ।୩୧ ।

 

ଉଦୟାଚଳ ହେଳେ ପଶ୍ଚିମ ଧର,

ମୁଁ ଦୟା ନ ଛାଡ଼ଇ ତରୁଣୀ ବର ରେ ।୩୨ ।

 

ବିହରିବୁ ଅବଶ୍ୟ ମୋ ପାଶେ ଗଲେ,

ଶ୍ରୀ ହରିଚନ୍ଦନ ଭୂ-ମହେନ୍ଦ୍ର ବୋଲେ ରେ ।୩୩ ।

 

ନାୟିକାର ଚିଟାଉ

(ରାଗ-କେଦାର କାମୋଦୀ)

 

ଦଇବ ଯୋଗୁଁ କେଉଁ ରସିକାବର,

ହୋଇ ବଲ୍ଲଭଜନ ପାଶୁ ଅନ୍ତର ରେ ।୧ ।

 

ଭାଜି ଦେବାରୁ ତନୁ ବିରହ ଝାସ,

ରାଜୀବ ତଳ ଶେଯେ କରି ନିବେଶ ଯେ ।୨ ।

 

କାଗଜ ଧରି ତହିଁ କଲମ ଯୋଖି,

ଆଗ ଜଗଦୀଶ୍ୱର ଶରଣ ଲେଖି ରେ ।୩ ।

 

ଦେଖିଲା ଅନ୍ୟ କେହି ନିକଟେ ନାହିଁ,

ଲେଖିଲା ଲେଖ ଚାରୁ ଚନ୍ଦ୍ରମାମୁହିଁ ରେ । ୪ ।

 

ତରୁଣୀଜନ ସ୍ତନ ଚନ୍ଦନ କର,

ଧରଣୀ ପୁରନ୍ଦର ଚନ୍ଦନ କର ଯେ । ୫ ।

 

କଉସ ତଳେ କୋଟି ପ୍ରଣାମ କରି,

ଜଣାଣ ଯୋଗାଉଛି ତୁମ୍ଭ କିଙ୍କରୀ ଯେ । ୬ ।

 

ମୁଁ ଦୂରହୋଇ ଦିନ ଅନେକ ହେଲା,

ଶ୍ରୀହସ୍ତଲେଖା ହେଲେ ଦେଖା ନହେଲା ହେ ।୭ ।

 

ଯେଡ଼େ ସରସ ତେଡ଼େ ସଦୟ ମନ,

ମୋର କି ଅପରାଧ ହେଲା କଠିନ ହେ । ୮ ।

 

କରିବାବେଳେ ପରିରମ୍ଭ ଯାହାର,

ଉରରୁ ମୁକ୍ତାହାର କର ବାହାର ରେ । ୯ ।

 

ବହଳ ଅବା କେଡ଼େ ଚନ୍ଦନଲେପ,

କରପଙ୍କଜ ତଳେ ତା କରି ଲୋପ ରେ ।୧୦ ।

 

ଅନ୍ତରଠାରୁ କରି ଅତି ନିବିଡ଼,

ରାତି ଗୋଟିକ ଯାକ ଛାତିରେ ଭିଡ଼ ହେ ।୧୧।

 

ଭିଡ଼ିଲାବେଳେ କାଟୁଛି କି ରେ ବାଳି,

ବୋଲି ପଚାର ସ୍ନେହ ପୀୟୁଷ ଢାଳି ହେ ।୧୨ ।

 

ଏବେ କି ଦୋଷୁ ହେଲି ଏଡ଼େ ଅନ୍ତର,

ନବନୀତ କି ବନିଗଲା ପଥର ଯେ ।୧୩ ।

 

ଫୁଲ ପରାଗ ବନ ବିହାର କାଳେ,

ଝାଡ଼ ମୋ ଅଙ୍ଗୁ ପରା ଦୁକୂଳାଞ୍ଚଳେ ରେ ।୧୪ ।

 

ରୋମ ରୋମକେ ଏବେ ମାରେ ଯେ ମାର,

ସଙ୍ଖଳୁ ନାହିଁ ଥରେ ସଙ୍ଖାଳି ମୋର ଯେ ।୧୫ ।

 

ଅଧର ପାନ କାଳେ ରଦନ ଶେଷେ,

ନଥର ଭିଡ଼ି ବ୍ରଣ ଦିଶିବା ତ୍ରାସେ ରେ ।୧୬ ।

 

ଦଳି ନ ଦେଇ ଧୀରେ ପିଅ ପୀୟୁଷ,

ଅଳି ପିଇଲା ପରି କୁସୁମ ରସ ରେ ।୧୭ ।

 

ଆନତ କରି କେବେ ମୁଖ ବିମ୍ୱକୁ,

ମାନତ କରି ନ ଜାଣଇ ତୁମ୍ଭଙ୍କୁ ହେ ।୧୮ ।

 

ନ ଥିବ ଅବା ଦିବ୍ୟ ଚିତ୍ତରେ ଏବେ,

ଦିନେ ଯେ ବ୍ରଣ ହେଲା ଓଷ୍ଠପଲ୍ଲବେ ଯେ ।୧୯ ।

 

କଲା ମା ଭଙ୍ଗା ବେଳେ ଚାହିଁ ସେପରି,

କଲେ ମା ମୋତେ କିସ ବିଚାରି ଯେ ।୨୦ ।

 

ମଜ୍ଜାରୁ ଜନମିଲା ପ୍ରଣୟ ରୋଷ,

ଲଜ୍ଜାରୁ ହୋଇଥିବାରୁ ଅତି ବିଶେଷ ଯେ ।୨୧ ।

 

ଆଡ଼ରୁଷା ମୁଁ ଯହୁଁ ଦେଲି ଅଳପ,

ତାଡ଼ରୁ ତୁମ୍ଭ ତୁଷ୍ଟି ହେଲା କଳାପ ଯେ ।୨୨ ।

 

ଏପରି ଯାହାଠାରେ କରୁଣା ଥିଲା,

ଏପରି ଭବଭଳି କେହି ସେ ହେଲା ହେ ।୨୩ ।

 

ବରଜି ଚାପ ରୋପ କେଳତି ପତି,

ତୁମ୍ଭ ନଗରେ କି ହୋଇଗଲାଣି ଯତି ଯେ ।୨୪ ।

 

ଚଳି ଆସିଲା ଦିନୁ ତୁମ୍ଭ ପାଶରୁ,

ବଳିଲାଣି ଟି ସୁଧାରସ ବିଷରୁ ଯେ ।୨୫ ।

 

ତୁମ୍ଭର ସୁଖ ଲାଭ ଅଭିଳାଷରେ,

ସିନା ମୁଁ ମନ ଦେଉଥାଇ ବେଶରେ ଯେ ।୨୬ ।

 

ଶ୍ରୀ ହସ୍ତେ ସାଜିବାର କୁନ୍ତଳ ବେଶ,

ଫିଟି ନାହିଁ ଆଉ ମୋର ଜୀବେଶ ରେ ।୨୭ ।

 

ଡେଇଁ ପଡ଼ିବା ମନ ହୁଏ କାସାରେ,

କୁସୁମ ବାସ ବାଜି ଗଲେ ନାସାରେ ହେ ।୨୮ ।

 

ଭୃଙ୍ଗ ସଙ୍ଗୀତ ହରି ନେଉଛି ଜ୍ଞାନ,

ନିମ୍ୱ ଦଳରୁ ପିତା ଲାଗୁଛି ପାନ ଯେ ।୨୯ ।

 

ଫୁଲ ଲଲାମ କେହି କଲେ ନଜର,

ସେକାଳେ ସାକ୍ଷୀ ମୀନକେତନ ଜ୍ୱର ଯେ ।୩୦ ।

 

କଳନା କର ଦିବ୍ୟ ଚିତ୍ତେ ହେ ଧନ,

ଲଳନାଙ୍କର ଲାଜ ସିନା ମଣ୍ଡନ ହେ ।୩୧ ।

 

ବରଜି ତାକୁ ଲେଖିଲି ଏ ଜଣାଣ,

ମୋର ଜୀବନବନ୍ଧୁ ଏତିକି ଜାଣ ଯେ ।୩୨।

 

ଦିଶୁଛି ଦିଶେ ଦିଶେ ସେଇ ଶ୍ରୀମୁଖ,

ଶରଦୁଦିତ ପୂର୍ଣ୍ଣ ସୁଧାମୟୁଖ ହେ ।୩୩ ।

 

ନୟନାଞ୍ଚଳ ଖେଳ ମୋହନ ସ୍ମିତ,

ସରସ ଶ୍ଳେଷ ମୃଦୁ ସ୍ନେହ ଭାଷିତ ଯେ ।୩୪ ।

 

ଚକାପର୍ଯ୍ୟଙ୍କ ଛାଇ ପାଇ ଆଡ଼ୁଖା,

ପକାଇଲାଇଁ ଯେଉଁଦିନ ପଡ଼ୁଖା ଯେ ।୩୫ ।

 

ମଞ୍ଜରୀ ନାଦ ଶୁଣି ଖଞ୍ଜନ ଟେକି,

ମାଳିକି ମାଳି କି ସେ ଆଣିଲା ଡାକି ଯେ ।୩୬ ।

 

ଦିବା ଦେଖିଲେ ଦୁହେଁ ବିବାସ ବେଶ,

ଲଜ୍ଜା ମଜ୍ଜିଗଲା ପରା ମାନସ ରେ ।୩୭ ।

 

ଏ କିସ ଗୋ ମା ବୋଲି ପଡ଼ି ଚମକି,

ପଳାଇ ଯାଉଥିଲେ ସେ ଦୁଇ ଟୋକୀ ଯେ ।୩୮ ।

 

କରି କଟୀରେ ଚେଳ ଅତି ଚପଳେ,

ଧରି ଆଣିଲେ ଚେଟୀ ଦୁହିଁଙ୍କି ବଳେ ଯେ ।୩୯ ।

 

ଧରି ଦୁହିଁଙ୍କ କର ଚିବୁକ ଦରେ,

କାଞ୍ଚନ ଭୂଷା ଦେଇ ଲାଞ୍ଚ ଆଦରେ ଯେ । ୪୦ ।

 

କେହିଟି କରି କି ଭଙ୍ଗୀରେ ବିନତି,

ସେହି ଦୁହିଙ୍କି କଲ ରହସ୍ୟଦ୍ଦୁତି ହେ । ୪୧ ।

 

ପ୍ରସୂନ ସକର୍ପୁର ଚନ୍ଦନ ଚୁଆ,

ଦଶନ ଚିହ୍ନ ବସା ବାସ ବିଡ଼ିଆ ହେ । ୪୨ ।

 

ଦେହ କୁଙ୍କୁମାରୁଣ ସ୍ନେହ ପତ୍ରିକା,

ଗୋଳି ଦିଅନ୍ତି ସେହି ବାମାଏ ଏକା ଯେ । ୪୩ ।

 

ନିଆଳି ନାଗେଶ୍ୱର ଚମ୍ପା ଚେମ୍ୱଲି,

ବଉଳ ଆମ୍ବ କସି ମରୁଆ ବୋଲି ଯେ । ୪୪ ।

 

ହେବାର ଡକାଡକି ଆହା କି ସୁଖ,

ଦେବାର ଟିପି କକ୍ଷତଳରେ ନଖ ଯେ । ୪୫ ।

 

ଏ ଭାଗ୍ୟ ନାହିଁ ମନୋରଥ ପଥରେ,

ଶ୍ରୀ ହସ୍ତାକ୍ଷର ହେଲେ ଦେଖାଅ ଥରେ ହେ । ୪୬ ।

 

ତହିଁରେ ଚୁମ୍ୱି ପୟୋଧରେ ଲଗାଇ,

ରହିବି ପ୍ରାଣ ତୁମ୍ଭ ସୁଗୁଣ ଗାଇ ଯେ । ୪୭ ।

 

ହୋଇବ ଅପରାଧ କ୍ଷମା ମୋହର,

ଦଇବ ବଶୁଟି ମୁଁ ହୋଇଲି ଦୂର ହେ । ୪୮ ।

 

ଘେନ ମୁଁ ଖଟୁଥିବା ପରି ପା-ତଳ,

ଧନ ମୋ ଠାରେ ସ୍ନେହ ନୋହୁଁ ପାତଳ ହେ । ୪୯ ।

 

ଅଚିରେ ଜାଣି ନୂଆ ଛଇଳା ମନ,

ରଚିଲେ ଅଷ୍ଟଦୁର୍ଗ ନାକ ଜୀବନ ହେ । ୫୦ ।

 

ଚଉବନ ପଦିଆ

ନାୟକର ଚାଟୁ ଭକ୍ତି

(ରାଗ-କୁମ୍ଭ କାମୋଦୀ)

 

ଆସ ରେ ଆସ ମୋ ଅଙ୍କକୁ ରଙ୍କକୁ ଚିନ୍ତାମଣି ମିଳୁ

ପାଶରେ ଏପରି ଲଜ୍ଜାକୁ କାହିଁକି କୃପାଳୁ ତୁ ପାଳୁ ।୧ ।

 

ତୁ ହାର କାହାର କହଟି ନ ହଟି ତନୁ ସଙ୍କୋଚରେ

ଜୁହାର ପଛକୁ ଆଉ ଦିଅ ଆଗ ଜମାଇ କୁଚରେ ।୨ ।

 

କାଇଁଚ ମୁଖି ମୁଖ ପୀୟୁଷ-ମୟୁଖ-ମଣ୍ଡଳର ଶିରୀ

ଚାହିଁ ମୋର ନେତ୍ର ଯୁଗଳ ପବିତ୍ର ହେଉ ରେ କିଶୋରୀ ।୩ ।

 

ନବୀନ ଅନଳ ଛବି ନୟନରେ ଅଳପ ନିରେଖି

ଧନ ମୋର ପୂର୍ବ ପୁଣ୍ୟ ପୁଞ୍ଜ ବୋଲି ଦେବି ପରା । ୪ ।

 

ରତୀଶ ଦର୍ପଣ ଦ୍ୟୁତି ସମର୍ପଣ ହେବାର ଲଳିତ

ଝଳି ଝଲମଲ ମାଂସଳ ମୃଦୁଳ ତୋ ଗଣ୍ଡ ସ୍ଥଳିତ । ୫ ।

 

ନବ ଇନ୍ଦିବର ଯା ଶୋଭା ଲବର ନୁହଁଇ ଲାଭଣୀ

ଆରେ ଚାରୁଶୀଳା ପ୍ରସରୁ ସେହି ନାଳେ କମଳ ଅନାଉଁଣୀ । ୬ ।

 

ମୁଁ ପାଏ ଟୋପାଏ ତା ସ୍ୱାଦୁ ତ୍ରପାରେ ଛପାଇ ନଧର

ବିଦ୍ରୁମ ଦ୍ରୁମର ନବ କିଶଳୟ ସଦୃଶ ଅଧର ।୭ ।

 

ଏ କିସ ଗୋ ! ମୁଖ ଟେକି ସମନାଅ ଆହା କି ସୁନ୍ଦର

ଏ କି ନୁହେଁ ଦରହସ ସହୋଦର କି ବାସ କୁନ୍ଦର । ୮ ।

 

ସୁନାଶୀର ଗଞ୍ଜେ ସଞ୍ଜକୁ ଚାରୁ ଚିବୁକଟି

ଖିରି ଯୁଗଳ କି ତୁ କେ ରେ ପଚାରୁ ଚିବୁକଟି । ୯ ।

 

ଟାଣିଛି କି ଜରି ଯାଉଁଳି ତମ୍ବୁଟି ସ୍ମର ଭୂପତି ସେ

ତା ଜୟ ଡିଣ୍ଡିମ ପରି ନିତମ୍ୱଟି ବିପରୀତେ ଦିଶେ ।୧୦ ।

 

ମଧ୍ୟ ତ ସରୁଆ ଏସନ ଗରୁଆ ଲଲାଟେ ତତେ

ଦରୋଟି ହାସି ଡମ୍ୱରୁଟି ନିପଟ ନାହିଁକିରେ ସତେ ।୧୧ ।

 

ନବନୀତ ତହୁଁ ଅବନୀ ତଳେ ତ ନାହିଁ ସୁକୁମାର

ତୋ ତନୁରୁ କରକଶ ପରି ତାକୁ ଘେନେ ମନ ମୋର ।୧୨।

 

ଭଲା ନିରିମାଣ କଲା ନାରୀଜନ୍ମ ସମ୍ଭବ ତୋହର

କରପଦକୁ ଇତର ପରିପନ୍ଥୀ ପ୍ରଥମ ସହର ।୧୩ ।

 

କିଞ୍ଚିତ କୁଞ୍ଚିତ ଶ୍ୟାମଳ ଚାମର ସଦୃଶ ତୋ କେଶ

ସଜାଡ଼ି ଅଜାଡ଼ି ଦେଲା ଷଡ଼ରସେ ଧନୁ ସେ ଲୋକେଶ ।୧୪ ।

 

ଯେ ଶରଣ କଲା ତୋତେ ମୁଁ ବଳେ ଏ ବେଶ ରଜନୀକି

ତୋ ତୁଲେ ତଳପେ ହୁଅଇ ପ୍ରବେଶ ରଜନୀକି ।୧୫ ।

 

ନ କର ମୋ କେରି ନିଷେଧ ମୋ ପରାଣଧନରେ

ଆଜକ ଲାଜ କୁଶଳରେ ଦେଇ ବୋଲି ଘେନ ମନରେ ।୧୬ ।

 

ସୁଆଦ ନିରଙ୍କ ବରବର୍ଣ୍ଣିନୀଙ୍କର ଦାମ୍ୱର ମାତ୍ର

ପୀୟୁଷ ନିର୍ଝର ପୂରିଛି ତୋର ଗୋଟିକ ଯାକ ଗାତ୍ର ।୧୭ ।

 

ମଦିରାକ୍ଷୀ ମୋର ମଦୀରାକ୍ଷୀର ମୁଁ ନ ଘେନିବି ଦୋଷ

ତୋ ୟେ ସମୟକୁ ମୋ ସମୟ ମନା ସାକ୍ଷୀ ତୋ ମାନସ ।୧୮ ।

 

ରଦ ବାଜିଲେ ହେଁ ନ ଦବାଇବୁଟି ଶ୍ରୀହସ୍ତ ଧରୁଛି

ଛାଡ଼ି ଯିବାଯାଏଁ ମୋର ଫୁଲଶର ଜ୍ୱରଜ-ଅରୁଚି ।୧୯ ।

 

ବୁଡ଼ି ବୁଡ଼ି ଜାଡ଼ ମୋ ଦେହେ ନିବାଡ଼ ଭିଡ଼ିଦେ ଡର ନା

ପ୍ରବାତ କଦଳୀ ଲତା ପରି ଅଳି କୁନ୍ତଳା ଥର ନା ।୨୦ ।

 

ମୋ ରାଣଟି ତତେ ମୋ ପରାଣବନ୍ଧୁରେ ମୋ ରଦ ବସନ

ପୀଡ଼ି ଦିଅ ଗାଢ଼େ ବୁଡ଼ିବସୁ କୁନ୍ଦ ଶିଖର ଦଶନ ।୨୧ ।

 

କାଟୁଥିବ ବୋଲି ନାଟୁଆ ଖଞ୍ଜନ ନେତ୍ରା କି ଡରୁଛୁ

ମରି ଟି ଗଲିଣି ସରି ଶିରୀଷାଙ୍ଗୀ, ଶ୍ମଥ ଯେ କରୁଛୁ ।୨୨ ।

 

ପଡ଼ୁଛି ଚରଣେ ମନମଥରଣେ ମାନସ ମଜ୍ଜାଅ

ଶିଖ ଶିଖ ନଖ ଶିଖ କେଳି ସୁଖ ମତେ ସମଜାଅ ।୨୩ ।

 

ନିବିଡ଼ ଛୁଆଇଁ ଦେଉନାହିଁ କେହି ଜୀବିତ ରହିବି

ମୋତେ ଦିଗମ୍ୱର କର ଧନ ମୋର ଅବଶ୍ୟ ସହିବି ।୨୪ ।

 

ବୁଜୁଛୁ ଯେ ନେତ୍ର ତୋର ଚିର ଗାତ୍ର ମୁଁ ଦେଖୁ ନାହିଁ କି

ଏ କାଳରେ ଚାରି ଡୋଳାମେଳଖେଳା ବରଜୁ କାହିଁକି ।୨୫ ।

 

କେଉଁ ତାଳେ ପଡ଼ି ବାଜୁଛି ତୋ କର ଚରଣ ମଣ୍ଡନ

କହ ମତି ଗତି ହେଉ ମୋର ଶ୍ରୁତି କଦନ ଖଣ୍ଡନ ।୨୬ ।

 

କି ଲାଗୁଛି ରସ-ମୟ ମୋ ମାନସ ମୋହନା କହଟି

କ୍ରମରେ ଶ୍ରମର ଶ୍ରମ ଭରୁ ମାର ଯିବଟି କହଟି ।୨୭ ।

 

ଜାଣିଲୁଣି ବାଣୀ ବିପଞ୍ଚି ପଞ୍ଚମ ନିନାଦ ବଚନା

କରିବୁ କି ମୋହ ପରି ଅବିଗ୍ରହ ମହ ବିରଚନା ।୨୮ ।

 

ଚରମରେ ବେଣୀଲତା ନୀଳ ଫଣୀ ରମଣୀ ଖେଳିବ

ମୁକୁତା ରତନ ନଥ ନରତନ ଛବି ପ୍ରଚଳିବ ।୨୯ ।

 

ତଳକୁ ଶିଖର କରି ସୁରଧର ଯୁଗଳି ରହିବ

ଦୋଳା ଲୀଳା ଘେନି ହାର ମନ୍ଦାକିନୀ ଧୀର କି ବହିବ ।୩୦।

 

କଟି ମେଖଳାରେ ରଟିବ କିଙ୍କିଣୀ ବିଜୟ ଡିଣ୍ଡିମ

ତୋ କର ଚରଣ କଞ୍ଜ ମଉ ରଣ ହେବ ବାଞ୍ଛୁ ଯମ ।୩୧ ।

 

ଫିଟି ଗୋଟି ଗୋଟି ତୁଟି ତଳପରେ ବିରାଜିବ ହାର

ଇନ୍ଦୁ ବଦନରୁ ବିନ୍ଦୁ ବିନ୍ଦୁ ଝାଳ ହୋଇବ ବାହାର ।୩୨ ।

 

ଅରବିନ୍ଦ ବାସ ବହି ଖରଶ୍ୱାସ ଯହୁଁ ପ୍ରସରିବ

ସ୍ମର ବୀର ମାନ ସହିତେ ତୋ ମନ ସନ୍ଦେହ ସରିବ ।୩୩ ।

 

ସେ ସମୟେ କିସ ହେବ ତହୁଁ ଲେଶ ଜାଣି ନ ପାରିବା

ଚେତି ପୁଣି ଦୁହେଁ ଦୁହିଙ୍କି କି ହେଲା ବୋଲି ପଚାରିବା ।୩୪ ।

 

ସସ୍ମିତ ମନ୍ଦାକ୍ଷ ଅନାଉଣ ଲକ୍ଷ ହେବ ଦୁଇ ମୁଖ

ଶଚିବର ଦୀନ ପରି ଆଭାସିବେ ଶଚି ଶତମୁଖ ।୩୫।

 

ଘରମ ଉରରୁ ନବନୀତ ପରି ମୋ ଉରେ ଲୋଳିବୁ

ମନ ନିକିତିରେ ସ୍ୱର୍ଗକୁ କ୍ଷିତିରେ ମିଶାଇ ତୁଳିବୁ ।୩୬ ।

 

ଶାଢ଼ୀଲାଗି ତ୍ୱରା ଗଡ଼ିଲା ପରି ମୁଁ ଉପାୟ କରିବି

ପନୀରକୁ ସିଞ୍ଚି ଚେଳାଞ୍ଚଳେ ବିଞ୍ଚି ଉତ୍ସଙ୍ଗେ ଧରିବି ।୩୭ ।

 

ଛଇଳା ଆଳିଙ୍କ ଛାଉଳି ଭାରତୀ ଭଙ୍ଗୀରୁ ଡରିବୁ

ସୁସାରି ଦେବାକୁ ଭୂଷା ରୀତି ଅତି ଆଗ୍ରହ କରିବୁ ।୩୮ ।

 

ଭାଜିବା ଅଳକ ଲିଭିବା ତିଳକ ଲୁଳିବା ଚିକୁର

ସଜାଡ଼ି ଦେଇ ମୁଁ ଦେଖାଇବି ତୋର ଛାମୁରେ ମୁକୁର ।୩୯ ।

 

ପରଶଂସିବୁ ମୋହର ଚାତୁରୀ କି ଧନ ପୁନରପି

ବୋଲିବୁ ତୁମ୍ଭରେ ମନ ମୁଁ ଦେହ ତ ଅଛି ସମରପି ।୪୦ ।

 

ନିଜ ଅଭିଳାଷେ ପୁନରପି ମନସିଜର ସେବାରେ

ବନଜାନନା ତୋ ମନ ଜାଣି ହେବି ହାଜର ସେବାରେ । ୪୧।

 

ମଞ୍ଜୀର ବାଜଣା ହେବ ମାତ୍ର ଜଣା ନ ଯିବ ତନୁକୁ

ଫଜିତ କରିବ ଅଜିତ ଗୁମାନୀ ପ୍ରସୂନ ଧନୁକୁ । ୪୨ ।

 

ଆଜଠାରୁ ଲାଜ ବରଜରେ ରାଜଚକ୍ରଙ୍କ ଗମନା

ଲଜ୍ଜାଟି ତୋହର କରୁଥାଏ ମୋର ସବୁଭୋଗ ମନା ।୪୩ ।

 

ଏଡ଼େ ସ୍ନେହଶୀଳ ତୁ କଳା କୁଶବା ବୋଲାଇବୁ ନାହିଁ

ହର ପରବଳ ପରବଳିବରେ ଶରଦିନ୍ଦୁ ମୁହିଁ । ୪୪ ।

 

ଦମତିର ନିରନ୍ତର ସଂଗତିରୁ ସଂପତ୍ତି ସରଇ

ଭରି ଦିଗନ୍ତର ସୁରଭି-ତରୁର ଯଶ ପ୍ରସରଇ । ୪୫ ।

 

ସମ୍ୱେଶ ଅଶନ ଆଦି କି ବସନ ସଦୃଶ ବରଜି

ଝଳି ଥିବ ଶଂକେ ତରୁଣୀତରୁଣ ଦୁହିଙ୍କ ମରଜି । ୪୬ ।

 

ଇତିର ମୋହରେ ପଡ଼ି ଯେ ଓହରେ ଏ ରଶୁକି ଚିତ୍ତ

ପ୍ରାଣ ବଲ୍ଲଭାରେ ଜାଣ ସେହି ଜନ ଦଇବ ବଞ୍ଚିତ । ୪୭ ।

 

ଦେଖୁଥିଲେ ଦେଖୁଥିବ ପରସ୍ପରେ ବଦନ ଦ୍ୟୁତିକି

ଲେଖୁଥିଲେ ଲେଖୁଥିବ ପଟପଟେ ସେହି ସୁରତିକି । ୪୮ ।

ସହୁଥିଲେ ସହୁଥିବ ନଖଦନ୍ତ ଘାତ ପୀଡ଼ନକୁ

କହୁଥିଲେ କହୁଥିବ ଗତନିଶା ପ୍ରସଙ୍ଗମାନଙ୍କୁ । ୪୯ ।

ପାନ କରୁଥିଲେ କରୁଥିବ ଦନ୍ତ-ଦୁକୁଳାମୃତର

ଗାନ କରୁଥିଲେ କରୁଥିବ ସେହି ଚରିତ ଗୀତର ।୫୦ ।

ଏପରି ରତୀଶରଶର ଶେଷ ସେ ଭାରତୀ ରାଜିର

ଶ୍ରବଣୁଁ ଅବସ୍ଥା ଜଡ଼ପରି ହେଲା ସେ ଶିରୀଷାଙ୍ଗୀର । ୫୧ ।

ବାସଲାଗି ତ୍ୱରା ହାସଲାଜ ମୋଦ ଯେଡ଼େ ଅପ୍ରମାଣେ

ଅଷ୍ଟଦୁର୍ଗଧରା ବଳୟ ଅମରାବତୀ ନାଥ ଜାଣେ । ୫୨ ।

ରସାମୃତ ନମେ ପ୍ରକଟ ହେବ ଏ ସବୁ ଜନପଦେ

ଏ ଗୀତ ନିର୍ମିତ ହେଲା ଶୁଭଦିନେ ଚଉବନ ପଦେ । ୫୩ ।

ତମାଳସୁନ୍ଦର ବ୍ରଜପୁରନ୍ଦର ସୁତ ଏହି ମନେ

ଜମାହେବା ଦୋଷ କ୍ଷମନ୍ତୁ, ଏଗୀତ ପ୍ରସରୁ ଭୂବନେ । ୫୪ ।

ପଞ୍ଚତିରିଶ ପଦିଆ

 

ନାୟିକାର ବିରହାନୁଚିନ୍ତା

(ରାଗ-କେଦାର କାମୋଦୀ)

 

କେଉଁ ରସିକାବର ଦଇବ ବଶୁ

ହେଉଁ ଅନ୍ତର ନୂଆ ନାଗର ପାଶୁଁ ରେ ।୧ ।

 

ସହି ନ ପାରି ଘୋର ବିରହ ତାପ

କହିଲା ସହୀ ଆଗେ ବିହି ବିଳାପରେ ।୨ ।

 

ସଙ୍ଗାତ ମୋତେ ମନ୍ଦ ବିଧି ପାଞ୍ଚିଲା

ଶୃଙ୍ଗାର ମୂର୍ତ୍ତିସଙ୍ଗ ଦେଇ ଭାଙ୍ଗିଲା ରେ ।୩ ।

 

ଧନ ମୋ ବିନା କେହି ବଞ୍ଚିବେ କାଳ

ଅନବରତ ସହି ମାୟା ଜଞ୍ଜାଳ ଯେ । ୪ ।

 

ସୁମରୁଛନ୍ତି ସେ ଯେ ଦିବସରାତି

ଚମରୁଦୃଶାଟିରେ ବୋଲି ଡାକନ୍ତି ଯେ । ୫ ।

 

ଅଧର ନ ପିଇଲେ ଏକ ନିମିଷ

ଧନରେ ଯାହାଙ୍କର ମନ ବିରସ ରେ । ୬ ।

 

ଠଉରିବି ଯେ ଏବେ କି ରୂପେ କହ

ଗଉରୀବର କଲେ କେଡ଼େ ନିଗ୍ରହ ଯେ ।୭ ।

 

ମୁଁ କେହି ବଞ୍ଚିବିଟି ତାହାଙ୍କୁ ଛାଡ଼ି

ଛାଡ଼ି ନ ଯିବ ନିକି ନିକଟେ ନାଡ଼ି ଯେ । ୮ ।

 

କଞ୍ଜରମ୍ୟ ବଦନ ଦେଖିବି ବୋଲି

ପଞ୍ଜର ଯାଏଁ ଯାଉଥାଏ ମୁଁ ପେଲି ଯେ । ୯ ।

 

ସୁଯୋଗ ଯେବେ ଚାରିନୟନ ମିଶେ

ଏ ମର୍ତ୍ତ୍ୟ ସ୍ୱର୍ଗଠାରୁ ବଳି ଆଭାସେ ଯେ ।୧୦।

 

ଅନେକ ରସମିଶା ହସ ଚାହାଣି

ମନେ କଲେ ମୋ ହୃଦ ହୁଅଇ ହାଣି ରେ ।୧୧ ।

 

ଅତର, ଫୁଲ, ଦନ୍ତୀ ଦନ୍ତପାନିଆଁ

ବିଡ଼ିଆ ଧରା ଗଭା ମାଳାମାନିଆ ରେ ।୧୨ ।

 

କେତକୀ ଦଳ ଲେଖା ସରସପଦ

ପେଷନ୍ତି ମୋତେ ସୁରେଶ୍ୱର ସଂପଦ ରେ ।୧୩ ।

 

ମୁଁ ପୋଷୁଥାଏଁ ଚିତ୍ର କୁସୁମ ଗଭା

ଦେଖିବା ଆଶେ ଲାଗି ସମୟ ଶୋଭା ଯେ ।୧୪ ।

 

ନଜିକେ ଖଟିଗଲେ ମୁଁ କେବେ କେବେ

ମଜ୍ଜି କେବଳ ମହାମଦ ଅର୍ଣ୍ଣବେ ଯେ ।୧୫ ।

 

ଦିଅନ୍ତି ଅଙ୍ଗେ ଅଙ୍ଗ ଜମାଇଁ ଭିଡ଼ି

ପିଅନ୍ତି ପତି ଅଙ୍ଗ ଦଶନେ ପୀଡ଼ି ରେ ।୧୬।

 

ନରମ ଅଭିଳାଷ ସରସ ଚିତ୍ତେ

ଚରମ ଆଡ଼ୁ ଆସି ଅତରକିତେ ରେ ।୧୭।

 

ଜାଣି ଜଘନ ତଳ ସ୍ଥଳ ନିକଟ

ପାଣିଜ ଶିଖଖେଳ କରି ପ୍ରକଟ ଯେ ।୧୮ ।

 

ଚମକି ହସି ପକାଇବା ମୋ ସୁଖ

ଶଚିଙ୍କି ଦେଇଥିବେ କି ଶତମୁଖ ରେ ।୧୯ ।

 

ତିନିଦିନିଆଁ ଯେବେ ହୁଏ ବିଚ୍ଛେଦ

ଘେନି ତା ତହୁଁ ଭଲ ସ୍ୱଶିରଚ୍ଛେଦ ରେ ।୨୦ ।

 

ମଦନ ବାଣ ଦାଉ ସହି ନ ପାରି

ମୋ ଧନ ଆସି ପଛୁ ପକାନ୍ତି ଧରି ଯେ ।୨୧ ।

 

କିଛି ବିବେକ ନାହିଁ କି ଦିବ୍ୟଚିତ୍ତେ

ଛି ଛି ଛୁଇଁଲ କାହିଁପାଇଁକି ମୋତେ ଯେ ।୨୨ ।

 

ଏପରି ନିଷେଧ ମୁଁ ହୋଇଲେ ତଳି

ଚାଳି ଦିଅନ୍ତି ସବୁ ବିଧି ପ୍ରବଳି ରେ ।୨୩ ।

 

ମୁଁ ପବନକୁ ଲୋଡ଼ି ନିଦାଘ କାଳେ

ଉପବନକୁ ଗଲି ସୁକୁତୂହଳେ ରେ ।୨୪ ।

 

ମୋ ସାଥେ ଥିବା ଟୋକୀ ଦୂରକୁ ଚଳି

ଖୋଷାରେ ତାର ଖଞ୍ଜୁଥିଲା ନିଆଳି ରେ ।୨୫ ।

 

ଏକାଳେ ମୋ ପରାଣବନ୍ଧୁ ସେ କେହି

ଏକାକୀ ହୋଇକରି ମିଳିଲେ ତହିଁ ରେ ।୨୬।

 

ଚାହିଁ ମୁଁ ଦନ୍ତେ ଭିଡ଼ି ରସନାଞ୍ଚଳ

ପଳାଇବାକୁ ଯହୁଁ ହେଲି ଚଞ୍ଚଳ ରେ ।୨୭ ।

 

କେହିଁ ନାହିଁ ରେ ଏଥି ବରବରନା

ମୋ ରାଣ ଅଛିଟି ତୁ କିଛି ଡରନା ରେ ।୨୮ ।

 

ଏମନ୍ତ ବୋଲି ମୋତେ ନିବିଡ଼େ ଭିଡ଼ି

ଦଶନାଞ୍ଚଳ ମୋର ଦେଲେ କାମୋଡ଼ି ଯେ ।୨୯ ।

 

ବୋଇଲେ ମୋ ମଥାରେ ଲଲାମ ଖଞ୍ଜ

ଜନ ନାହାନ୍ତି କେହି ହେଲାଣି ସଞ୍ଜରେ ।୩୦ ।

 

ଗଭାରେ ଖଞ୍ଜି ଦେଉ ଦେଉ କୁସୁମ

ଉଭାରେ ବଢ଼ିଗଲା ସକଳ କ୍ରମ ଯେ ।୩୧ ।

 

ସେ ସୁଖ ଆଉ ଏ ଜନମରେ ମୋତେ

ମିଳିବ ନାହିଁ କଲି ନିଶ୍ଚୟ ଚିତ୍ତେ ରେ ।୩୨ ।

 

ପର ପୀରତି କରି ତେଜିବ ଯେବେ

ଗର ପିଇବ ବୋଲି ଯୁବତୀ ଜବେ ରେ ।୩୩ ।

 

ମୋ ଭାଲପଟେ ଥିଲା ଏ ଦୁଷ୍ଟଲେଖା

ଏ ଦେହେ ଆଉ କେବେ ନୋହିବ ଦେଖା ରେ ।୩୪।

 

ଲଭିଲେ କଷ୍ଟ ଯିବ ଜୀବନ କେତେ

ରଚିଲେ ଅଷ୍ଟଦୁର୍ଗ ନାୟକ ଗୀତେ ରେ ।୩୫ ।